Unknown

 

 

 

 

 

 

 

 

 

 

 

ଅମାବାସ୍ୟାର ଚନ୍ଦ୍ର

ଗୋବିନ୍ଦ ଦାସ

 

ଏଇ ଲେଖକଙ୍କ ଅନ୍ୟାନ୍ୟ କୃତି

 

ଦେଶେ ଦେଶେ (ଭ୍ରମଣ ସାହିତ୍ୟ)

ମିଶ୍ର ରାଗ (ଗଳ୍ପ ସଂକଳନ)

ଜାତକ (କବିତା ସମ୍ଭାର)

କେତେ କଥା ଓ କିଛି କବିତା : ଏକତ୍ର ସଂକଳନ

ସାନ ଗୋଟିଏ ଜୀବନ (ଲେଖକଙ୍କ ଆତ୍ମଜୀବନୀ)

 

ତୁମେ କାଉଲ୍,

 

ତୁମର ଯନ୍ତ୍ରଣା ନାହିଁ, ନାହିଁ ଅନୁଶୋଚନା । ଭାଗ୍ୟ ବିରୁଦ୍ଧରେ ନାହିଁ ବିଦ୍ରୋହ ଅଥବା ଆତ୍ମସମର୍ପଣ । ବିଜୟ ପାଇଁ ନାହିଁ ଆଗ୍ରହ, ନାହିଁ ପରାଜୟର ଭୟ । ତୁମେ ନିର୍ବିକାର, ନିରବଚ୍ଛିନ୍ନ ପୁରୁଷ । ବିଥୋଭନ୍‌ଙ୍କ ଫୋର୍ଥ ସିମ୍ଫୋନି ପରି ନିଶ୍ଚଳ, ଶାନ୍ତ, ଜୀବନର ଶତ ଝଡ଼ଝଞ୍ଜା ସତ୍ତ୍ୱେ ।

 

ତୁମ ଜୀବନ ଅନନ୍ତ ପାପର ଏକ ଅସରନ୍ତି ଗାଥା । ପାଦେ ପାଦେ ତୁମେ ଧର୍ମ, ସମାଜର ନୀତି-ନିୟମ-ଶୃଙ୍ଖଳାକୁ ଆଘାତ କରିଛ । ବାଇବେଲ୍‌ ନିର୍ଦ୍ଦେଶ, କୋରାନ୍‍ର ଆଦେଶ, ଗୀତାର ପରାମର୍ଶ ସବୁ ତୁମ ପାଖରେ ଅବହେଳିତ । ସମସ୍ତେ ତୁମକୁ ନିନ୍ଦିବେ ପକ୍ଷାଘାତ ବ୍ୟାଧିଗ୍ରସ୍ତ ବୋଲି । ତୁମ କଥା ଲେଖିଲେ ଲୋକେ ଅପବାଦ ଦେବେ । କହିବେ, ଏ କକ୍ଷଚ୍ୟୁତ, ଚରିତ୍ରହୀନ, ଲମ୍ପଟ, ଆମର ଏ ସମାଜକୁ କଳଙ୍କିତ କରିବ, ପରମ୍ପରା ହେବ ନଷ୍ଟ, ଭବିଷ୍ୟତର ଚିନ୍ତା ହେବ କଳୁଷିତ ।

 

ତଥାପି ଲେଖୁଛି । କାରଣ ଅତଳସ୍ପର୍ଶୀ କଳଙ୍କ ସତ୍ତ୍ଵେ ତୁମ ଚରିତ୍ରର ଏକ ବଳିଷ୍ଠ ମର୍ଯ୍ୟାଦା ରହିଛି । ତୁମ ଜୀବନର ଘନ ଅନ୍ଧକାର ଗହ୍ଵର ମଧ୍ୟରେ ଏକ ପ୍ରଦୀପର କୋମଳ ଆଭା ମଧ୍ୟ ଲକ୍ଷ୍ୟ କରିଛି । ତୁମର କଳଙ୍କ ଯିଏ ଦେଖିବ, ସେ ଏ ଆଲୋକକୁ ମଧ୍ୟ ଅବଜ୍ଞା କରିପାରିବ ନାହିଁ । ଲୋକେ ବୁଝନ୍ତୁ ଯେ, ଅନ୍ୟକୁ ପତିତ ବୋଲି ଆଖ୍ୟା ଦେବା ସହଜ ନୁହେଁ, ବ୍ୟକ୍ତିର ପରିଧି ସମୀକ୍ଷଣ କରିବା କେତେ ଜଟିଳ । ଚରିତ୍ରହୀନତା ଭିତରେ ଥାଇପାରେ ମହତ୍ତ୍ଵ । ପାପ ଭିତରେ ମଧ୍ୟ ଥାଇପାରେ ଗୌରବ ।

 

ତୁମ ଜୀବନରେ କିଛି ବିଡ଼ମ୍ବନା ନାହିଁ, କିଛି ପ୍ରତାରଣା ନାହିଁ, କିଛି ହିପୋକ୍ରାସି ନାହିଁ । ତୁମେ ସତ୍ୟ – ମୃତ୍ୟୁ ପରି, ତୁମେ ଚିରଞ୍ଜୀବୀ ଅନ୍ଧକାର ପରି ।

 

କିନ୍ତୁ ଲୋକେ କହିବେ, ହୋଇପାରେ ଏ ସତ୍ୟ, ହୋଇପାରେ ଏ ଚିରଞ୍ଜୀବୀ; କିନ୍ତୁ ଶ୍ମଶାନ ସତ୍ୟ ବୋଲି ତା’ର ସ୍ଥାନ ମନ୍ଦିରରେ ନୁହେଁ । ଆମର ଏ ପବିତ୍ର, ଶିବ-ସୁନ୍ଦର ସମାଜର ପ୍ରାଙ୍ଗଣରେ ଏ ଦାନବ, ଏ ପାପୀର ସ୍ଥାନ କାହିଁ ? କୁଷ୍ଠରୋଗୀ ପରି ଗ୍ରାମର ପରିକ୍ରମାନ୍ତରେ ଏହାର ବାସସ୍ଥାନ ।

 

ଆଦମ୍ ବା ପ୍ରଥମ ପୁରୁଷ ପାପୀ ବା ପୁଣ୍ୟାତ୍ମା ନ ଥିଲେ । ଜନ୍ମରେ ପ୍ରତ୍ୟେକ ବ୍ୟକ୍ତି ନିଷ୍ପାପ । ସମାଜର ତତ୍‌କାଳୀନ ନିର୍ଦ୍ଦେଶ ତା’କୁ ସେ ଆଖ୍ୟା ଦିଏ । କେତେକ ବ୍ୟକ୍ତି ଅଛନ୍ତି, ବିଭିନ୍ନ କାରଣରୁ ତତ୍‌କାଳୀନ ସମାଜ ତାଙ୍କ ଉପରେ ପୂର୍ବ କର୍ତ୍ତୃତ୍ୱ ବିସ୍ତାର କରିପାରେ ନାହିଁ । ସେମାନେ ନିଜକୁ ଘୋଷଣା କରନ୍ତି ସ୍ଵାଧୀନ, ସମାଜଠୁ, ଧର୍ମଠୁ । ସେଇମାନଙ୍କ ଭିତରୁ ବାହାରନ୍ତି ବୁଦ୍ଧ, ଯୀଶୁ, ମହମ୍ମଦ, ଗାନ୍ଧୀ, ସକ୍ରେଟିସ୍ । ସେମାନେ ସମାଜକୁ ନିଜର କର୍ତ୍ତୃତ୍ଵକୁ ଆଣିବାକୁ ଚେଷ୍ଟା କରନ୍ତି । ଅବଶେଷରେ ସେଇମାନେ ହୁଅନ୍ତି କୃତକାର୍ଯ୍ୟ । ସମାଜ ହୁଏ ବଶୀଭୂତ, ସେମାନଙ୍କର ମୂଲ୍ୟବୋଧକୁ ଗ୍ରହଣ କରି ନିଜର ପରିବର୍ତ୍ତନ କରେ । ସେମାନେ ହୁଅନ୍ତି ମହାତ୍ମା । କିନ୍ତୁ ଯଦି ସମାଜ ଆୟତ୍ତାଧୀନ ନ ହୁଏ, ଅଥଚ ତୁମେ ମୂଲ୍ୟବୋଧକୁ ଅସ୍ୱୀକାର କର, ତା’ରି ରଥଚକ ତଳେ ତୁମେ ହେବ ନିଷ୍ପେଷିତ । ଆଖ୍ୟା ପାଇବ ଭ୍ରଷ୍ଟ, ପାପୀ, ବିଚ୍ୟୁତ ।

 

ଲକ୍ଷ୍ମଣ ସୀତାଙ୍କ ପାଇଁ ନିଷିଦ୍ଧ-ଗାର ଟାଣିଲା ପରି ସମାଜ ଗୋଟିଏ ରେଖା ଟାଣେ । କହେ, ଏହାକୁ ଟପିଲେ ପାପ, ଏହାର ପଛଆଡ଼େ ରହିଲେ ପୁଣ୍ୟ । ପାପ-ପୁଣ୍ୟର ବିଚାର କେବଳ ଏ ସୀମା ପ୍ରତି ସମ୍ମାନର କଥା । ଅଙ୍ଗୁର ଖାଅ, ସ୍ଵାସ୍ଥ୍ୟ ପକ୍ଷରେ ହିତକର; କିନ୍ତୁ ଏଇ ଅଙ୍ଗୁରର ରସକୁ ସିଦ୍ଧକରି ଗିଲାସ ଭିତରେ ପିଅ, ତୁମେ ହେବ ମଦ୍ୟପ । ଏକ ନାରୀକୁ ଉପଭୋଗ କର, ସମାଜ ତୁମକୁ କହିବ ସ୍ୱାମୀ । ଅତ୍ୟଧିକ ନାରୀକୁ ଉପଭୋଗ କର, ସମାଜ କହିବ ଲମ୍ପଟ । ଭବିଷ୍ୟତର ଆର୍ଥିକ ସ୍ଵଚ୍ଛଳତାପାଇଁ ଜଗନ୍ନାଥଙ୍କ ପାଖରେ ଧନ ବିତରଣ କର, ସମାଜ କହିବ ଧାର୍ମିକ ! ରେସକୋର୍ସରେ ତୁରନ୍ତ ଆର୍ଥିକ ସ୍ୱଚ୍ଛଳତାପାଇଁ ଲଟେରୀ କିଣ, ସମାଜ କହିବ ଗ୍ୟାମ୍ବଲର୍, ଜୁଆଡ଼ି ।

 

ଦିନେ ଗୁରୁ ରତ୍ନାକର ତାଙ୍କର ଶିଷ୍ୟ ଶ୍ଵେତାଙ୍କ ଓ ବିଶାଳଦେବଙ୍କୁ ପଚାରିଲେ– ‘ବର୍ତ୍ତମାନ ଉଭୟଙ୍କୁ ତ ଲକ୍ଷ୍ୟ କରିଛ । କୁହ’ ତୁମ୍ଭମାନଙ୍କ ମତରେ କିଏ ପାପୀ, ବିଜିଗୁପ୍ତ ନା କୁମାରଗିରି ?’’ ଶ୍ୱେତାଙ୍କ କହିଲେ, ‘‘ମହାପ୍ରଭୁ ! ବିଜିଗୁପ୍ତ ଭଗବାନଙ୍କ ଅବତାର ପରି । ସଂସାରରେ ସେ ଶାନ୍ତ ଓ ମହତ୍ତ୍ୱର ଜୀବନ୍ତ ପ୍ରତିମା । ତାଙ୍କର ହୃଦୟ ବିଶାଳ, ମନୁଷ୍ୟତା ଅସୀମ, ତ୍ୟାଗ ଅକଳନୀୟ । କିନ୍ତୁ କୁମାରଗିରି ? ସେ ସ୍ଵାର୍ଥପର, ପଶୁ । ନିଜର ଉଦ୍ଦେଶ୍ୟ ସିଦ୍ଧି ପାଇଁ ସମସ୍ତ ଜଗତକୁ କରିଛି ଭ୍ରୂକ୍ଷେପ । ନିଜର ତଥାକଥ୍ୟ ସ୍ୱର୍ଗୀୟ ଉପଭୋଗ ପାଇଁ ପ୍ରକୃତିର ନିୟମକୁ ଅବଜ୍ଞା କରିଛି । ସମସ୍ତ ଜୀବନ ତା’ର ବିତିଯାଇଛି ମନୁଷ୍ୟର ଏ ପ୍ରାକୃତିକ ପ୍ରେରଣାକୁ ନିୟନ୍ତ୍ରଣ କରିବାରେ । ସମୟ ଓ ସୁଯୋଗର କି କଦର୍ଯ୍ୟ ଅପବ୍ୟବହାର ! ସେଥ‌ିରେ ନା ଅଛି ଗୌରବ, ନା ଅଛି କିଛି ମହତ୍ତ୍ଵ । ସେ ହେଉଛି ପାପୀ । ଆମର ଏ ବିଜିଗୁପ୍ତ ପାଖରେ ଅତି କ୍ଷୁଦ୍ର ।

 

ସେହି ପ୍ରଶ୍ନର ଉତ୍ତର ବିଶାଳଦେବ ଦେଲେ । କହିଲେ ‘‘ମହାପ୍ରଭୁ ! ଯୋଗୀ କୁମାରଗିରି ଅଦମ୍ୟ ଓ ମହାନ୍ । ସେ ନିଜର ଅହଂକୁ, ନିଜର କାମମୋହକୁ, ଯାହା ବ୍ୟକ୍ତିକୁ ସଙ୍କୁଚିତ କରେ, ବିଚ୍ୟୁତ କରେ, ତାକୁ ଦମନ କରିପାରିଛନ୍ତି । ତାଙ୍କର ଜ୍ଞାନ, ତାଙ୍କର ଐଶ୍ଵରିକ ଶକ୍ତିର ପଟାନ୍ତର ନାହିଁ । ଆଉ ଏ ବିଜିଗୁପ୍ତ–ସେ ପାର୍ଥିବ ସମ୍ଭୋଗର ହୀନ ଦାସ, ଉଚ୍ଛୃଙ୍ଖଳ ଭୋଗ-ବିଳାସର ପୁତ୍ତଳିକା । ତା’ର ହୃଦୟ, ତା’ର ମନୁଷ୍ୟତା, ତା’ର ତଥାକଥିତ ତ୍ୟାଗ ସବୁ ଏହି ପାର୍ଥିବ ସୁଖପାଇଁ ନିୟୋଜିତ । ପାପର ଜୀବନ୍ତ ଉଦାହରଣ ଏଇ ମ୍ଲେଚ୍ଛ ବିଜିଗୁପ୍ତ ।’’

 

ପାଟଳିପୁତ୍ରରେ ଗୁରୁଦେବ ରତ୍ନାକରଙ୍କର ଦୁଇଜଣ ବିଦ୍ୟାର୍ଥୀ ଥିଲେ–ଶ୍ଵେତାଙ୍କ ଓ ବିଶାଳଦେବ । ଆଶ୍ରମରେ ଉଭୟଙ୍କ ଶିକ୍ଷା ଶେଷ ହେଲା ପରେ ସେମାନେ ପଚାରିଲେ, ‘‘ଗୁରୁଦେବ ! ସବୁ ବିଷୟରେ ବିଦ୍ୟା ହାସଲ କଲୁ, କିନ୍ତୁ ଗୋଟାଏ ବିଷୟରେ ସବିଶେଷ ଜ୍ଞାନ ପାଇଲୁ ନାହିଁ । ସେ ହେଉଛି ପାପ କ’ଣ ? ପୁଣ୍ୟ କ’ଣ ? ସେଥି ଭିତରେ ପାର୍ଥକ୍ୟ କେଉଁଠି ?’’ ଗୁରୁଦେବ କହିଲେ, ‘ଏହା ଏକ ଜଟିଳ ପ୍ରଶ୍ନ । ମୁଁ ଅନେକଥର ଚେଷ୍ଟା କରିଛି ଏହାକୁ ବ୍ୟାଖ୍ୟା କରିବାପାଇଁ; କିନ୍ତୁ କେବେହେଲେ ଏହାକୁ ସମ୍ୟକ୍ ଭାବରେ ମଧ୍ୟ ପ୍ରକାଶ କରିପାରି ନାହିଁ । ଏଥିପାଇଁ ନିଜର ଅଭିଜ୍ଞତା ଆବଶ୍ୟକ । ମୁଁ ତୁମ ଦୁଇଜଣଙ୍କୁ ମୋର ଦୁଇଜଣ ପୁରାତନ ବିଦ୍ୟାର୍ଥୀଙ୍କ ପାଖକୁ ପଠାଉଛି । ଦୁଇଜଣଙ୍କର ଚରିତ୍ର ବିପରୀତ । ସେମାନଙ୍କୁ ଲକ୍ଷ୍ୟ କର । ନିଜର ଅଭିଜ୍ଞତା ସଂଗ୍ରହ କର । ତା’ପରେ ମୋତେ ଜଣାଅ ପାପୀ କିଏ ? ପୁଣ୍ୟାତ୍ମା କିଏ ?’’

 

ଶ୍ଵେତାଙ୍କ ଗଲେ ପାଟଳିପୁତ୍ରର ଜଣେ ତରୁଣ ରାଜା ବିଜିଗୁପ୍ତଙ୍କ ପ୍ରାସାଦକୁ । ବିଶାଳଦେବ ଗଲେ ଜଣେ ପ୍ରତିଷ୍ଠିତ ଯୋଗୀ କୁମାରଗିରିଙ୍କ ଆଶ୍ରମକୁ ।

 

ବିଜିଗୁପ୍ତ ଉପଭୋଗ କରୁଥିଲେ ପାଟଳିପୁତ୍ରର ସ୍ୱନାମଧନ୍ୟା ନର୍ତ୍ତକୀ ଚିତ୍ରଲେଖାର ସଙ୍ଗୀତ, ନୃତ୍ୟର ସାନିଧ୍ୟ ଚିତ୍ରଲେଖାଙ୍କ ବୀଣାର ତାନ, ଘୁଙ୍ଗୁରର ଧ୍ଵନିରେ ଭରିଉଠିଥିଲା ବିଜିଗୁପ୍ତଙ୍କ ସମସ୍ତ ପ୍ରାସାଦ; ବିଜିଗୁପ୍ତଙ୍କର ସମସ୍ତ ହୃଦୟ । ଚିତ୍ରଲେଖାଙ୍କର ଥିଲା ଅସୀମ ବୁଦ୍ଧି, ଅଶେଷ ନୈପୁଣ୍ୟ ଓ ଅତୁଳନୀୟ ସୌନ୍ଦର୍ଯ୍ୟ । ପାଟଳିପୁତ୍ରର ଧନ-ଜନ ତାଙ୍କରି ପାଦତଳେ ଲୋଟି ଯାଉଥିଲା– ତାଙ୍କ ସାମାନ୍ୟ ଇଙ୍ଗିତରେ, ତାଙ୍କରି କ୍ଷଣିକ ଇଶାରାରେ । ତାଙ୍କର କଳାର ବିସ୍ତୃତି ଥିଲା ଦେଶଦେଶାନ୍ତରରେ । ସେ ମଧ୍ୟ ଆକୃଷ୍ଟ ହେଲେ ବିଜିଗୁପ୍ତଙ୍କ ଶିକ୍ଷା, ସଂସ୍କୃତି ଓ ସୌନ୍ଦର୍ଯ୍ୟରେ । ବିଜିଗୁପ୍ତ, ଚିତ୍ରଲେଖାଙ୍କ ମିଳନ ହେଲା ସାତ୍ତ୍ଵିକ ସ୍ତରରେ, ମାନସିକ ଭିତ୍ତିରେ, ଶାରୀରିକ ରୂପରେ । ଏ ମିଳନ କ୍ରମେ କ୍ରମେ ସମ୍ୟକ୍, ସଂପୂର୍ଣ୍ଣ ଓ ଗଭୀର ହୋଇଉଠିଲା । ଅବିଚ୍ଛେଦ୍ୟ ହେଲେ ଏ ଦୁଇ ଆତ୍ମା, ଦୁଇ ମନ, ଦୁଇ ଶରୀର ।

 

ବିଜିଗୁପ୍ତଙ୍କ ବିବାହପାଇଁ ନାନାଦି ପ୍ରସ୍ତାବ ଅନ୍ୟାନ୍ୟ ରାଜକୀୟ ପରିବାର ତରଫରୁ ଆସିଲା । ବିଜିଗୁପ୍ତ ଗ୍ରହଣ କଲେ ନାହିଁ । କିନ୍ତୁ ପାଟଳି ପୁତ୍ରର ତତ୍କାଳୀନ ମହାରାଜଙ୍କ କନ୍ୟା ଯଶୋଧାରାଙ୍କ ପାଇଁ ବିବାହ ପ୍ରସ୍ତାବକୁ ସେ ସହଜରେ ପ୍ରତ୍ୟାଖ୍ୟାନ କରିପାରିଲେ ନାହିଁ । କାରଣ ପ୍ରସ୍ତାବ କରିଥିଲେ ସ୍ଵୟଂ ମହାରାଜ ।

 

ଦିନେ ସନ୍ଧ୍ୟାରେ ବିଜିଗୁପ୍ତଙ୍କ ପ୍ରାସାଦକୁ ଆସନ୍ତି ପାଟଳିପୁତ୍ରର ଯୋଗୀଶ୍ରେଷ୍ଠ କୁମାରଗିରି । ତାଙ୍କ ଚକ୍ଷୁର ଜ୍ୟୋତି, ଶରୀରର ଆଭା ସଭାସ୍ଥଳିକୁ ଆଲୋକିତ କରୁଥାଏ । ଯୌବନ ବ୍ରହ୍ମଚର୍ଯ୍ୟରେ ଉଦ୍ଦୀପିତ । ସମସ୍ତ ସଭାସଦ୍ ପ୍ରଣିପାତ ଜଣାଇଲେ ଯୋଗୀଙ୍କ ପାଦତଳେ-। ସ୍ୱୟଂ ମହାରାଜ ମଧ୍ୟ । ଚିତ୍ରଲେଖା ନୃତ୍ୟପାଇଁ ସଜ୍ଜିତା । କେଶର ଚତୁଷ୍ପଟି ପୁଷ୍ପମାଳା ବକ୍ଷ ପର୍ଯ୍ୟନ୍ତ ଲୋଟି ଆସିଛି । କବରୀ ଉନ୍ମୁକ୍ତ । ଚକ୍ଷୁରେ କଜ୍ଜ୍ୱଳ । ଓଷ୍ଠର ରକ୍ତାଭା ଜଗତର ସମସ୍ତ ପୌରୁଷକୁ ଫୁତ୍‌କାର ଜଣାଉଛି । ପାଦ ନୂପୁରର ମୃଦୁଧ୍ଵନି ଜଣାଉଛି ନିମନ୍ତ୍ରଣ । ସଭାସଦ୍‍ଙ୍କ ଅଭିବାଦନ ପରେ ଆଗେଇ ଆସିଲେ ଚିତ୍ରଲେଖା । ନମସ୍କାରର ଇଙ୍ଗିତ କରି କହିଲେ–

 

‘‘ଯୋଗୀ ଶ୍ରେଷ୍ଠ କୁମାରଗିରିଙ୍କୁ ନର୍ତ୍ତକୀ ଚିତ୍ରଲେଖାର ପ୍ରଣାମ ।’’

 

କୁମାରଗିରି ଉତ୍ତର ଦେଲେ, ‘ଏ ଅନ୍ଧକାରକୁ ଆଲୋକର ଆଶୀର୍ବାଦ ।’’

 

‘‘ଅନ୍ଧକାର ପ୍ରକଟିତ ହେଉ ଆଲୋକର ସଂସ୍ପର୍ଶରେ, କିନ୍ତୁ ଆଲୋକ ନିଶ୍ଚିହ୍ନ ନ ହେଉ ଅନ୍ଧକାର ଛାୟାରେ ।’’ –ଚିତ୍ରଲେଖା ଜଣାଇଲେ ।

 

କୁମାରଗିରି କହିଲେ, ‘ଗଭୀର ଆତ୍ମବିଶ୍ଵାସ ଭ୍ରମାତ୍ମକ ହେଲେ ମଧ୍ୟ ସର୍ବଦା ସମ୍ମାନଯୋଗ୍ୟ । କିନ୍ତୁ ଏ ଆତ୍ମବିଶ୍ଵାସର ଉପଯୁକ୍ତ ବିନ୍ୟାସ ହେଲେ ମନୁଷ୍ୟ ଅତି ମାନବ ହେବା ସମ୍ଭବ । ଭଗବାନଙ୍କ ଆଶ୍ରା ଗ୍ରହଣ କର ନର୍ତ୍ତକୀ । ଶୁଦ୍ଧ ହେବ, ହେବ ନିଷ୍ପାପ ।’

 

ଉତ୍ତର କଲେ ଚିତ୍ରଲେଖା, ‘‘ଯାହାର କଳଙ୍କ, ତା’ର ମାର୍ଜନା ବିଧେୟ । କିନ୍ତୁ ଯେ ପବିତ୍ର ଓ ଅପବିତ୍ର ସୀମାନ୍ତର ଊର୍ଦ୍ଧ୍ୱରେ, ଯାହା ପାଖରେ ପାପ ପୁଣ୍ୟର ବିଚାର ଅତି ଗୌଣ, ତା’ ପକ୍ଷରେ ଭଗବାନଙ୍କ ସ୍ଥିତି ନିଷ୍ପ୍ରୟୋଜନ । ଭଗବାନ ତ ମନୁଷ୍ୟର ସୃଷ୍ଟି । ସ୍ଵାର୍ଥସାଧନରେ ଉଦ୍ଦିଷ୍ଟ-।’’

 

ସଭାସଦ୍ ଉପଭୋଗ କରୁଥିଲେ ଚିତ୍ରଲେଖା ଓ କୁମାରଗିରିଙ୍କର ଏ ବାକ୍ୟ ବିନିମୟ ।

 

ଅସ୍ୱସ୍ତି ଅନୁଭବ କଲେ କୁମାରଗିରି । ଉତ୍ତେଜିତ ହେଲା ତାଙ୍କର ଚକ୍ଷୁ । କ୍ଷିପ୍ରତର ହେଲା ଧମନୀ । ଉଷ୍ମ ହେଲା ସ୍ନାୟୁ । ଗମ୍ଭୀର ସ୍ୱରରେ କହିଲେ, ‘ଯଦି ସଭାସଦ୍ ଚାହାନ୍ତି, ବର୍ତ୍ତମାନ ଭଗବାନଙ୍କ ଅସ୍ତିତ୍ୱ ସଂକ୍ରାନ୍ତରେ ପ୍ରମାଣ ପାଇଁ ସେ ପ୍ରସ୍ତୁତ ଅଛନ୍ତି ।’’

 

ସଭାରେ ଚାଞ୍ଚଲ୍ୟ ଖେଳିଗଲା । ସମସ୍ତେ ନୀରବ, ନିସ୍ତବ୍ଧ ହୋଇ ଚାହିଁ ରହିଲେ କୁମାରଗିରିକୁ । ପ୍ରମାଦ ଗଣିଲେ ଚିତ୍ରଲେଖାର ଏ ଅହମିକାପୂର୍ଣ୍ଣ ବାଚାଳତା ପାଇଁ ।

 

ନିର୍ଦ୍ଦେଶ ଦେଲେ କୁମାରଗିରି- ‘‘କକ୍ଷ ଅନ୍ଧକାର କର । ସମସ୍ତେ ଶାନ୍ତହୋଇ ବସନ୍ତୁ । ରାଜା, ମହାରାଜା ସମସ୍ତେ ତ୍ୟାଗ କରନ୍ତୁ ସିଂହାସନ । ଆସୀନ ହୁଅନ୍ତୁ ଭୂମି ଉପରେ ।’’

 

ଚକ୍ଷୁ ବନ୍ଦକଲେ କୁମାରଗିରି । କକ୍ଷ ଅନ୍ଧକାର କରାଗଲା । ଧ୍ୟାନରତ ହେଲେ ଯୋଗୀଶ୍ରେଷ୍ଠ । କିଛି ସମୟ ନୀରବରେ ବିତିଗଲା । କ୍ରମେ ଶୁଣାଗଲା ଚାରିଆଡ଼େ ତୋଫାନର ଶବ୍ଦ । ସେ ଗୁରୁଗମ୍ଭୀର ତୋଫାନ କକ୍ଷଭିତରେ ପ୍ରବେଶ କଲାପରି ମନେହେଲା । ତାପରେ ହଠାତ୍ ଦେଖାଗଲା ଗୋଟାଏ ବିଶାଳ ଅଗ୍ନିଶିଖା ବିଜିଗୁପ୍ତଙ୍କ ସିଂହାସନ ଉପରେ ଧୁଧୁ ହୋଇ ଜଳିଉଠୁଛି । କିଛିସମୟ ପାଇଁ ଏ ଆଗ୍ନେୟ ପତାକା ସଭାସଦ୍‌ଙ୍କ ପାଖରେ ପ୍ରତିପାଦନ କଲା କୁମାରଗିରିଙ୍କ ସାଧନାର ପରାକାଷ୍ଠା ଓ ଭଗବାନଙ୍କ ଅସ୍ଥିତ୍ଵ । ତା’ପରେ ଏ ଶିଖାର ଅବସାନ ହେଲା ।

 

କକ୍ଷକୁ ପୁଣି ଆଲୋକିତ କରାଗଲା । ସଭାସଦ୍ ପ୍ରଣିପାତ ଜଣାଇଲେ କୁମାରଗିରିଙ୍କ ପାଦତଳେ । କୃତାର୍ଥ ହେଲେ ଭଗବାନଙ୍କ ଦର୍ଶନରେ ।

 

ପ୍ରଶ୍ନକଲେ କୁମାରଗିରି ସଭାସଦ୍‍ଗଣଙ୍କୁ-‘‘ପ୍ରମାଣପାଇଲେ ବର୍ତ୍ତମାନ ଭଗବାନଙ୍କ ଅସ୍ତିତ୍ଵର ?’’

 

ସମସ୍ୱରରେ ସ୍ଵୀକାର କଲେ ଉପସ୍ଥିତ ଜନତା, କିନ୍ତୁ କେବଳ ଚିତ୍ରଲେଖା ଓ ମହାମନ୍ତ୍ରୀ ଚାଣକ୍ୟ ଅସ୍ଵୀକାର କଲେ । କହିଲେ, ଏପରି କୌଣସି ଦୃଶ୍ୟ ସେମାନେ ଦେଖିନାହାନ୍ତି ।

 

କୁମାରଗିରି ଅବଶେଷରେ ସ୍ଵୀକାର କଲେ ଯେ, ଏ ଦୁଇଜଣଙ୍କ ମାନସିକ ଶକ୍ତି ପ୍ରଖର, ଆତ୍ମବିଶ୍ଵାସ ଦୃଢ଼, ଯାହାଫଳରେ କି ତାଙ୍କର ଏ ମାନସିକ ଶକ୍ତିର ପ୍ରକ୍ରିୟାକୁ ସେମାନେ ଅବଜ୍ଞା କଲେ ।

 

ନିରୁତ୍ସାହିତ ହେଲେ ସଭାସଦ୍‌ଗଣ । କିନ୍ତୁ ଆଗ୍ରହୀ ହେଲେ ଚିତ୍ରଲେଖା । କୁମାରଗିରିଙ୍କ ଦାମ୍ଭିକତା, ସୌରଭ, ରୂପଜ୍ଞାନରେ ଅଭିଭୂତ ହେଲେ । ଭାବିଲେ, ସେ ମଧ୍ୟ ଯୋଗସାଧନା କରିବେ କୁମାରଗିରିଙ୍କ ପାଖରେ । ଆୟର କରିବେ ଏ ରୂପବାନ୍, ଗୁଣବାନ୍, ତରୁଣଯୋଗୀ କୁମାରଗିରିଙ୍କୁ । ଆୟତ୍ତ କରିବେ ଏ ଯୋଗସାଧନାକୁ । ପ୍ରମାଣ କରିବେ ଯେ, ସେ ମଧ୍ୟ ତାଙ୍କର ଏକାଗ୍ରତା ବଳରେ କୁମାରଗିରିଙ୍କ ପରି ତଥାକଥିତ ଭଗବାନ ଲାଭ କରିପାରନ୍ତି । ତା’ଛଡ଼ା ମୁକ୍ତ କରିବେ ବିଜିଗୁପ୍ତଙ୍କୁ ତାଙ୍କର ସାଂସାରିକ ଦାୟିତ୍ଵ ସମ୍ପନ୍ନ କରିବାପାଇଁ; ବିବାହ କରିବାପାଇଁ ଯଶୋଧାରାଙ୍କୁ । ସମାଜରେ, ରାଜ୍ୟରେ, ସମ୍ମାନାସ୍ପଦ ହେବେ ବିଜିଗୁପ୍ତ ।

 

ବିଜିଗୁପ୍ତଙ୍କ ପ୍ରାସାଦ ପରିତ୍ୟାଗ କରି ଚିତ୍ରଲେଖା ପହଞ୍ଚିଲେ କୁମାରଗିରିଙ୍କ ଆଶ୍ରମରେ ଯୋଗସାଧନା ପାଇଁ ।

 

ଇତିମଧ୍ୟରେ ଜ୍ଞାନ, ରୂପ ଯୋଗୁଁ ଶ୍ୱେତାଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି ଯଶୋଧାରା । ତାଙ୍କ ନିକଟରେ ନିଜର ପ୍ରେମ ନିବେଦନ ଜଣାନ୍ତି । ଶ୍ୱେତାଙ୍କ ମଧ୍ୟ ଏ ପ୍ରେମ ନିବେଦନକୁ ଗ୍ରହଣ କରନ୍ତି-। କିନ୍ତୁ ମହାରାଜା ହେଲେ ଅନ୍ତରାୟ । କହିଲେ ରୂପ ଅଛି, ଗୁଣ ଅଛି ସତ, କିନ୍ତୁ ଶ୍ୱେତାଙ୍କଙ୍କର ଆର୍ଥିକ ସଙ୍ଗତି ନାହିଁ; ସାମାଜିକ ପ୍ରତିଷ୍ଠା ନାହିଁ । ଯଶୋଧାରା ସହିତ ଶ୍ଵେତାଙ୍କଙ୍କର ବିବାହ ଅସମ୍ଭବ ।

 

ମଦ୍ୟପ, ଲମ୍ପଟ ବିଜିଗୁପ୍ତଙ୍କ ମନ ଅସ୍ଥିର ହେଲା । ଚିତ୍ରଲେଖାଙ୍କ ବିହୁନେ ଅନ୍ଧକାର ଲାଗିଲା ଏ ରାଜ୍ୟଭୋଗ । ସ୍ଥିର କଲେ, ସେ ରାଜ୍ୟଛାଡ଼ି ଚାଲିଯିବେ । ସମସ୍ତ ରାଜ୍ୟ ଦେଇଯିବେ ଶ୍ଵେତାଙ୍କଙ୍କୁ । ଶ୍ୱେତାଙ୍କ ଦେଶକୁ ଶାସନ କରିପାରିବେ, ପ୍ରତିଷ୍ଠା ପାଇପାରିବେ, ବିବାହ କରିପାରିବେ ଯଶୋଧାରାଙ୍କୁ । ଯଶୋଧାରାଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେବ !

 

ଦିନେ ସଭାସଦ୍‌ମାନଙ୍କୁ ନିମନ୍ତ୍ରଣ କରି ନିଜର ସିଦ୍ଧାନ୍ତ ଜଣାଇ, ଶ୍ଵେତାଙ୍କଙ୍କୁ ସମର୍ପି ଦେଲେ ରାଜ୍ୟ, ଶାସନ ଓ ଯଶୋଧାରା । ଏଣେ ଚିତ୍ରଲେଖାଙ୍କ ରୂପ ଯୌବନ ସ୍ଖଳିତ କଲା ଯୋଗୀ କୁମାରଗିରିଙ୍କୁ । ଏକାଗ୍ରତା ନଷ୍ଟ ହେଲା, ଯୋଗ ହେଲା ଭ୍ରଷ୍ଟ । ଦିନେ ନିଜର ଅଭିପ୍ରାୟ ଜଣାଇଲେ ଚିତ୍ରଲେଖାଙ୍କ ପାଖରେ । ଶାରୀରିକ ଉପଭୋଗର ମୋହ ଉନ୍ମୋଚନ କଲେ । ଅନିଚ୍ଛାସତ୍ତ୍ୱେ ଚିତ୍ରଲେଖା ସେ ରାତ୍ରିରେ ନିଜକୁ ବିଛାଇଦେଲେ କୁମାରଗିରିଙ୍କ ଦୁର୍ଦ୍ଧର୍ଷ କ୍ଷୁଧାର ପାଦତଳେ ।

 

ଯୋଗୀ, ଚିତ୍ରଲେଖାର ଶରୀରକୁ ସେଦିନ ଉପଭୋଗ କଲେ । କିନ୍ତୁ ହରାଇ ବସିଲେ ଚିତ୍ରଲେଖାର ସମ୍ମାନ ଚିରଦିନ ପାଇଁ । ଚିତ୍ରଲେଖା ଘୃଣାକଲେ ନିଜକୁ– ଜଣେ ସାଧକଙ୍କୁ ତାଙ୍କର ସାଧନାରୁ ଭ୍ରଷ୍ଟ କରାଇଲେ ବୋଲି । ଘୃଣାକଲେ ଯୋଗୀଙ୍କୁ ତାଙ୍କର ଆତ୍ମନିୟନ୍ତ୍ରଣର ଅଭାବ ଓ ଗୁପ୍ତକାମନାର ପ୍ରକାଶ ପାଇଁ । ସେହି ରାତ୍ରିରେ ଚିତ୍ରଲେଖା ତ୍ୟାଗକଲେ କୁମାରଗିରିଙ୍କ ଆଶ୍ରମ । ଚିତ୍ରଲେଖା ପହଞ୍ଚିଲେ ବିଜିଗୁପ୍ତଙ୍କ ନିକଟରେ । ପ୍ରଣାମ ଜଣାଇଲେ । କହିଲେ, ‘‘ବିଜିଗୁପ୍ତ, ମୁଁ ଫେରିଆସିଛି ତୁମରି ପାଦତଳକୁ ।’’

 

‘‘ଚିତ୍ରଲେଖା, ତୁମେ ଆସିଲ ସତ, କିନ୍ତୁ ଅନେକ ଡେରିରେ । ବର୍ତ୍ତମାନ ମୁଁ ରାଜ୍ୟହୀନ, ଅର୍ଥହୀନ, ଗୌରବହୀନ । ତୁମର ଉପଚାର ପାଇଁ ମୋ ପାଖରେ କିଛି ସମ୍ପଦ ନାହିଁ ?? –ବିଜିଗୁପ୍ତ ଜଣାଇଲେ ।

 

“ବିଜିଗୁପ୍ତ ! ମୋର ଅର୍ଥର ଅଭାବ ନାହିଁ । କେବଳ ଗୋଟିଏ ମାତ୍ର ଶୂନ୍ୟତା ଅଛି, ଯାହାକି ତୁମେ କେବଳ ପରିପୂର୍ଣ୍ଣ କରିବ । ମୁଁ ଚାହେଁ ଏହି ମନୁଷ୍ୟଟିକୁ । ହେଉପଛେ ରଙ୍ଗହୀନ, ସମ୍ପଦହୀନ, ଗୌରବହୀନ–କିନ୍ତୁ ହୋଇଥିବ ବିଜିଗୁପ୍ତ ।’’

 

ଚିତ୍ରଲେଖା ବିଲୟ କଲେ ନିଜର ସମ୍ପଦକୁ । ସଂସାର ସହିତ ସମସ୍ତ ଅର୍ଥନୈତିକ ସମ୍ପର୍କ ବିଚ୍ଛିନ୍ନ କଲେ ।

 

ମୁକ୍ତ ହେଲେ ବିଜିଗୁପ୍ତ; ମୁକ୍ତ ହେଲେ ଚିତ୍ରଲେଖା । ଦୁଇଟି ମନୁଷ୍ୟ ସେଦିନ ପ୍ରଭାତରେ ସୂର୍ଯ୍ୟଙ୍କ ଦିଗକୁ ଆଗେଇ ଚାଲିଲେ ।

 

ଗୁରୁଦେବ ପ୍ରଶ୍ନ କରୁଥିଲେ ଏହି ବିଜିଗୁପ୍ତ ଓ କୁମାରଗିରିଙ୍କ ସଂକ୍ରାନ୍ତରେ । ପାପ କ’ଣ-? ପୁଣ୍ୟ କ’ଣ ?

 

ଉପସଂହାର କରି ଗୁରୁଦେବ କହିଲେ, ପାପ ପୁଣ୍ୟ ମାନସିକ ପ୍ରକ୍ରିୟାର ପରିଣାମ । ବ୍ୟକ୍ତିର ଦୃଷ୍ଟିଭଙ୍ଗୀର ଉପସଂହାର ।

 

ସାଧାରଣ ବିଚାରରେ ବିଜିଗୁପ୍ତ ପାପୀ, କିନ୍ତୁ ତାଙ୍କର ଉନ୍ନତ ମାନବିକତା ପରାଜିତ କରିଛି ଯୋଗୀ କୁମାର ଗିରିଙ୍କ ସାଧନାକୁ । ବ୍ୟକ୍ତିର ବିଚାର ପାଇଁ ତତ୍‌କାଳୀନ ମୂଲ୍ୟବୋଧର ଧାର୍ଯ୍ୟ ସୀମା ଯଥେଷ୍ଟ ନୁହେଁ । ଯୁଗେ ଯୁଗେ ବ୍ୟକ୍ତିର ବିଚାର ହୋଇଛି ତା’ର ମନୁଷ୍ୟତା ଜରିଆରେ ।

 

ଆଉ କାଉଲ୍ ମଦ୍ୟପ, ଲମ୍ପଟ, ଭ୍ରଷ୍ଟ, ଚରିତ୍ରହୀନ ସତ, କିନ୍ତୁ ତାଙ୍କର ମହାନ ମନୁଷ୍ୟତା ପାଖରେ ଏସବୁ କଳଙ୍କ ନିଷ୍ପ୍ରଭ, ଗୌଣ ହୋଇଉଠିଛି ।

 

* * *

 

ପ୍ରିୟ କାଉଲ୍,

 

ତୁମେ ଆଜି ନିରୁଦ୍ଦିଷ୍ଟ ।

 

ତୁମକୁ ଅନେକ ଖୋଜା ହେଲାଣି । ଦିଲ୍ଲୀ, ବମ୍ବେ, ମାନ୍ଦ୍ରାଜ ସବୁଠାରେ ଖୋଜାହେଲା । ଯେତେସବୁ ଠିକଣା ମନେପଡ଼ିଲା– ହଂକଂ, ଲଣ୍ଡନ, ଭିଏନାରେ ତୁମ ବନ୍ଧୁବାନ୍ଧବୀମାନଙ୍କ ପାଖକୁ ଚିଠି ଯାଇ ଫେରିଆସିଲାଣି । କିନ୍ତୁ ତୁମର ପତ୍ତା ମିଳିନାହିଁ । ଖବରକାଗଜରେ ତୁମର ଫଟୋ ଛାପା ହେଲାଣି । ତୁମର ବ୍ୟବସାୟୀ ବନ୍ଧୁମାନେ ବି କିଛି ଖବର ଦେଇପାରୁନାହାନ୍ତି । ତୁମେ କେଉଁଠି ଅଛ ଜାଣିବା ଆଉ ସମ୍ଭବ ନୁହେଁ । କହିବା ପାଇଁ କଷ୍ଟ ହେଉଛି, ତୁମେ ବଞ୍ଚିଚ କି ନାହିଁ ତା’ ବି ନିଧାର୍ଯ୍ୟ ନୁହେଁ ।

 

ମୋ ପାଖରେ ତୁମର ଗୋଟାଏ ଅମାନତ ଅଛି । ମନୀଷାର ଶେଷ ଚିଠି । ତୁମପାଇଁ । ତାକୁ ନେଇ କ’ଣ କରିବି କିଛି ସ୍ଥିର କରିପାରୁନାହିଁ । ସେ ତ ଚିଠି ନୁହେଁ; ସିଏ ପିଛୁଳାଏ ରକ୍ତ । ନାରୀତ୍ୱର ଯାହା ଗୌରବମୟ, ଯାହା ସୌରଭପୂର୍ଣ୍ଣ, ଯାହାକିଛି ଗର୍ବର ସମ୍ଭାର, ତା’ର ଅର୍ଘ୍ୟରେ ତୁମରି ଜୀବନବେଦୀ ତଳେ ତ୍ୟାଗର ଗୌରୀଶଙ୍କର ସୃଷ୍ଟି କରିଛି ତୁମରି ମନୀଷା । କେଉଁ ଅଶୁଭ ମୁହୂର୍ତ୍ତରେ ତୁମେ ତାକୁ ନିଜର କରିଥିଲ, ତା’ର ପରିଚୟ ଇତିହାସ ପୃଷ୍ଠାରେ ରହିବ ନାହିଁ । ତା’ ପାଇଁ କେହି ତାଜମହଲ ତୋଳିବେ ନାହିଁ । ଦରକାର ନାହିଁ । ସେ ସ୍ଵୟଂ ମହାତାଜମହଲ । ପଥରରେ ସେ ତିଆରି ନୁହେଁ ଯେ କାଳ ତାକୁ କ୍ଷୟ କରିପାରିବ । ଲୋତକ, ଦୀର୍ଘଶ୍ୱାସ, ପ୍ରାଣ ଦେଇ ସେ ସୃଷ୍ଟି । ସେଥିପାଇଁ ସେ ତ୍ରିକାଳ–ବିଜୟୀ, ସନାତନ, ମୃତ୍ୟୁଞ୍ଜୟୀ, ଶାଶ୍ୱତ ।

 

କାଉଲ୍‍, ଯଦି କେବେ ସମୟ ପାଅ, ଯିବ ମନୀଷାର କୋଠରିକୁ । ସେ ସ୍ଥାନ ଯେକୌଣସି ମନ୍ଦିର ମସ୍‍ଜିଦଠାରୁ ଆହୁରି ପବିତ୍ର ! ଆହୁରି ମହୀୟାନ୍ । ହୁଏତ ସନ୍ଧାନ ପାଇବ ଗୋଟିଏ କ୍ଷୁବ୍ଧ ଅଶାନ୍ତ ଆତ୍ମା ଘୂରିବୁଲୁଛି ତୁମର ଟିକେ ଦର୍ଶନ ପାଇଁ; ଟିକେ ପରଶ ଲାଗି । ତୁମେ ଅବହେଳା କରିବ ନାହିଁ କାଉଲ୍, ଏହାହିଁ ତୁମପ୍ରତି ମୋର ଏକାନ୍ତ ଦାୟିତ୍ଵ ।

 

ଝନ୍ ନ୍ ନ୍ ନ୍

 

ହୋଇପାରେ ବୋତଲ, ନ ହେଲେ କାଚଗିଲାସଟା । ମୁଣ୍ଡପାଖରେ ସାନ ଟେବୁଲ ଉପରୁ ହଠାତ୍ ତଳେ ପଡ଼ିଗଲା । ଟେବୁଲ ଲ୍ୟାମ୍ପ୍‍ର 'ନାଇଲନ୍–ଝାଡ଼ଣଟା ଥରିଉଠିଲା । ଗୋଲ୍ଡ ଏମ୍ପ୍ରୟଡ଼ରି କରା ଡ୍ରାପିଙ୍ଗ ଟିକିଏ ହଲିଗଲା । କାନ୍ଥର ଅଏଲ ପେଣ୍ଟିଂ, ଟେବୁଲ ଉପର ବାଇବେଲ, କଣରେ ରେଡ଼ିଓଗ୍ରାମ୍, ସମସ୍ତେ ଆଘାତ ପାଇଲେ । ପ୍ରାତଃ ନିସ୍ତବ୍ଧତାର ଶାନ୍ତ ବକ୍ଷଉପରେ ଗୋଟିଏ କ୍ଷୁଦ୍ର ଘୂର୍ଣ୍ଣିବାୟୁ କ୍ଷଣିକ ଆଲୋଡ଼ନ ସୃଷ୍ଟି କଲା । ଆଖିର ପରଦା ଫିଟିଗଲା ମିଷ୍ଟର କାଉଲ୍‌ଙ୍କର ।

 

ରାତ୍ରି ବିଦାୟୋନ୍ମୁଖୀ । କାକୁତି ମିନତିରେ ହାତଯୋଡ଼ି ଶେଷପ୍ରଣାମ କରି କହୁଛି–ଯାଉଛି ବନ୍ଧୁ କିନ୍ତୁ ଭୁଲିବ ନାହିଁ । ମୁଁ ପୁଣି ଆସିବି ଦେହ ମନର ସବୁ ସମ୍ଭାର ନେଇ । ମୋର ଅନ୍ଧକାର ବକ୍ଷରେ ତୁମର ଶୂନ୍ୟତାକୁ ପୁଣି ଭରିଦେବି । ମୋର ଶେଷ ଅଣୁକଣା ବିନ୍ଦୁ ଢାଳି ପରିପୂର୍ଣ୍ଣ କରିବି ତୁମର କ୍ଷୁବ୍ଧ ହିଆ । ତୁମର ଆତ୍ମା ହେବ ତୁଷ୍ଟ––ମାଂସ ହେବ ଶିଥିଳ ।

 

ମିଷ୍ଟର କାଉଲ୍ ବିଛଣାର ଗଦିଉପରୁ ଝୁଙ୍କିପଡ଼ିଲେ ତଳକୁ–ଏ ଶବ୍ଦର ଉତ୍ପତ୍ତିକୁ ଆବିଷ୍କାର କରିବା ପାଇଁ । ଉଲଗ୍ନ ଦେହର ଆବରଣ ଛାତିଉପରୁ ଖସିପଡ଼ିଲା ।

 

ଝଣାତ୍– । ଏ ଶବ୍ଦଟା ଜନ୍ମନେଲା ଏକ ସଂଘାତରୁ । ଜୀବନ୍ୟାସ ପାଇଲା । ଅସ୍ତିତ୍ଵ ପ୍ରତିପାଦନ କଲା–କିୟତ୍ ମୁହୂର୍ତ୍ତ ପାଇଁ । ନିଷ୍କୃତି ପାଇଲା । ତାପରେ ଲୀନ ହୋଇଗଲା ସମୟର ଅନନ୍ତ କୋଳରେ । ସମାପ୍ତି ହେଲା । ମାର୍ବଲ୍‌ ଫ୍ଲୋର୍ ଉପରେ ବିଛୁଡ଼ି ହୋଇପଡ଼ୁଥାଏ କାଚର ଅନେକ କ୍ଷୁଦ୍ରାଂଶ–ଅତୀତର ଏ ସୃଷ୍ଟି, ସ୍ଥିତି ଓ ବିଲୟର ପ୍ରମାଣ ସ୍ୱରୂପ । ମିଷ୍ଟର କାଉଲ୍ ଭାବିଲେ ଏ ମୁହୂର୍ତ୍ତଟି, ଏ କଲ୍ଲୋଳଟି ସମୟର ଅତଳ ଗର୍ଭରେ ଢୁଳେଇଯାଇଛି । ଏହାର ପୁନର୍ଜନ୍ମ ଆଉ ସମ୍ଭବ ନୁହେଁ । ଏ ତିରୋଧାନର ଆଉ ପ୍ରତ୍ୟାବର୍ତ୍ତନ ନାହିଁ ।

 

କିଛି ହୁଇସ୍କି ବି ତଳେ ଢାଳି ହୋଇଯାଇଥାଏ ଚଟାଣରେ–ଚାରିକୋଣିଆ ଧଳାକଳା ମାର୍ବଲ ପଥର ସବୁର ଚଉହଦିକୁ ଆଶ୍ରାକରି । ବିଛଣା ଉପରେ ପଡ଼ିରହି ଅଙ୍ଗୁଳିରେ ଚଟାଣଉପରେ ଭଙ୍ଗାକାଚଗୁଣ୍ଡି ଓ ହୁଇସ୍କିକୁ ଠୁଳ କରୁଥାନ୍ତି ମିଷ୍ଟର କାଉଲ୍–ଅନ୍ୟମନସ୍କ ଭାବରେ-। ଚାଦରଟା ଝିଙ୍କିହୋଇ ଆସିଲା ତାଙ୍କ ପାଖକୁ । ମିସ୍ ନୀରାଙ୍କ ନିଦ ଭାଙ୍ଗିଗଲା । ମିସ୍ ନୀରା କୋଠରିର ଚାରିଆଡ଼କୁ ଆଖିବୁଲାଇ ପର୍ଯ୍ୟବେକ୍ଷଣ କରିନେଲେ ବର୍ତ୍ତମାନକୁ । ଏ ପ୍ରଭାତ, ଏ ପରିସର, ଏ କାଉଲ୍ l ଅତୀତ ରାତ୍ରିର ଇତିହାସକୁ ଅତି ଚୁମ୍ବକରେ ଆଉଡ଼ାଇନେଲେ-। ନିଜ ଦେହକୁ କିଛିକ୍ଷଣ ପାଇଁ ଲକ୍ଷ୍ୟ କରି ପାଖରେ ଥୁଆହୋଇଥିବା ପର୍‌ଫିଉମ୍‌ର ସ୍ପ୍ରେରେ ନିଜର ଛାତିକୁ ଭିଜାଇନେଲେ । କର ଲେଉଟାଇ ମିଷ୍ଟର କାଉଲ୍‌ଙ୍କ ପିଠିରେ ନିଜକୁ ଅଜାଡ଼ିଦେଇ କୋମଳ ସ୍ଵରରେ କାନପାଖରେ କହିଲେ– ‘‘ଡାର୍ଲିଂ !’’

 

ମିଷ୍ଟର କାଉଲ୍ କାଚର ଗୁଣ୍ଡି ସବୁକୁ ଦେଇ ଚଟାଣରେ ବନ୍ଧ ବାନ୍ଧୁଥାନ୍ତି ହୁଇସ୍କିର । ଭଙ୍ଗାକାଚର ଧାରରେ ଅଙ୍ଗୁଳିରୁ ରକ୍ତ ବାହାରି ହୁଇସ୍କିର କିଛି ଅଂଶ ଲାଲ ହୋଇଯାଉଥାଏ । ମଝିରେ ମଝିରେ କାଚର ଏ ବନ୍ଧତଳେ ଲାଲ ହୁଇସ୍କିର ଧାର ବୋହିଯାଉଥାଏ ଚଟାଣର ଅନ୍ୟ ପଥରକୁ । ବନ୍ଧର ଚଉହଦିକୁ ବିସ୍ତୃତ କରୁଥାନ୍ତି ମିଷ୍ଟର କାଉଲ୍ । ପରଦା ଭେଦି ପ୍ରଭାତୀ ଆଲୋକ କ୍ରମଶଃ କୋଠରିକୁ ଉଜ୍ଜ୍ୱଳ କରିଲାଣି ।

 

ମିସ୍ ନୀରା ଗଭୀର ଆଲିଙ୍ଗନ କରି ପଛଆଡ଼ୁ କାଉଲ୍‌ ମୁହଁରେ ହାତ ବୁଲାଇ ଆଉ ଥରେ ସାମାନ୍ୟ ଉଚ୍ଚ ସ୍ୱରରେ ଡାକିଲେ, ‘‘ଡାର୍ଲିଂ !’’

 

ମିଷ୍ଟର କାଉଲ୍ ଶାନ୍ତ ସ୍ଵରରେ ଜବାବ ଦେଲେ, ‘‘ଇଏସ୍ ।’’

 

‘‘ପ୍ରଭାତ ହୋଇଆସିଲାଣି ।’’

 

‘‘ଇଏସ୍ ।’’

 

‘‘ଯିବାପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ।”

 

“ହୁଁ ।”

 

ନିକଟତମ ସୋଫା ଉପରେ ଖେଳାଇ ହୋଇପଡ଼ିଥିଲା ତାଙ୍କର ନାଇଲନ୍ ଶାଢ଼ି, ପ୍ଲାନେଲ ବ୍ଲାଉଡ୍, ସିଲକ୍ ସାୟା ଇତ୍ୟାଦି । ମିଷ୍ଟର କାଉଲ୍‌ଙ୍କର ଡ୍ରେସିଂ ଗାଉନ୍‌ଟାକୁ ଗୋଡ଼ତଳୁ ଉଠାଇନେଇ ନିଜର ଶରୀରକୁ ଆବୃତ କରିନେଲେ ମିସ୍ ନୀରା । ଗଲେ ବାଥରୁମ୍ ଭିତରକୁ–ନିଜର ପ୍ରସାଧନ ଉଦ୍ଦେଶ୍ୟରେ ।

 

କାଉଲ୍ ବନ୍ଧ ବାନ୍ଧିବାର ଏ ଉଦ୍‌ଯୋଗ ଫଳରେ କ୍ରମଶଃ ଆହତ ହେଉଥାନ୍ତି । ଅଙ୍ଗୁଳିର ବିଭିନ୍ନ କୋଣରୁ ରକ୍ତ ବିନ୍ଦୁମାନ ନିର୍ଗତ ହେଉଥାଏ । ହୁଇସ୍କିର ପରଶରେ ଟିକେ ଟିକେ ଜ୍ଵାଳା ମଧ୍ୟ ଅନୁଭବ କରୁଥାନ୍ତି ।

 

କ୍ଷତ ଓ ପରାସ୍ତ ହୋଇ ଏ ଯୋଜନାକୁ ସେ ପରିତ୍ୟାଗ କଲେ । ନିଜକୁ ଆବୃତ କରିଥିବା ଚାଦର ଦେଇ ଆଙ୍ଗୁଳିଟିକୁ ଜୋର୍‌ରେ ଚିପିଲେ । ରକ୍ତଗୁଡ଼ାକ ସଫା ଚାଦରରେ ଭେଦି ଶିଶୁ ହାତଅଙ୍କା ଚିତ୍ରପରି ଦେଖାଯାଉଥାଏ । ବିଭିନ୍ନ ଦିଗରୁ ଚାପଦେଇ ଆଙ୍ଗୁଳିରୁ ରକ୍ତ ବୁହାଇ ପୂର୍ଣ୍ଣାଙ୍ଗ କରୁଥାନ୍ତି ସେ ଚିତ୍ରଟାକୁ । ଅବଶେଷରେ ଚିତ୍ରଟି ଦେଖାଦେଲା ଗୋଟାଏ ଆଧୁନିକ ଆର୍ଟର ଏକ ଡିଜାଇନ ପରି । ରକ୍ତ ବି ଶୁଖିଗଲା ଆଙ୍ଗୁଳିରୁ ।

 

ଟେବୁଲ ଲ୍ୟାମ୍ପ୍ କଡ଼ରେ ଥୁଆ ହୋଇଥିଲା ଖଣ୍ଡେ ବହି । ଉଠାଇଆଣିଲେ ସେ ଖଣ୍ଡିକ-। ଦେହକୁ ବୁଲାଇ ଚିତ୍‍ହୋଇ ଶୋଇପଡ଼ିଲେ ବିଛଣା ଉପରେ । ମିସ୍ ନୀରାଙ୍କ ତକିଆକୁ ନିଜର ତକିଆ ଉପରେ ଥୋଇ ଉଚ୍ଚ କଲେ । ପିଠିକୁ ଭରାଦେଇ ପଢ଼ି ବସିଲେ ମାର୍କ ସ୍ଵାଇନ୍‌ଙ୍କର ‘‘ମର୍ତ୍ତ୍ୟରୁ ଚିଠି ।’’ ମର୍ତ୍ତ୍ୟରୁ ଅଭିଶପ୍ତ ‘ସଟାନ୍’ ଆସି ସ୍ଵର୍ଗକୁ ଚିଠି ଲେଖୁଛି ମାଇକେଲ୍‌ ଓ ଗାବ୍ରେଲଙ୍କ ପାଖକୁ ମଣିଷଙ୍କ ପ୍ରକୃତି ସଂକ୍ରାନ୍ତରେ, ପୃଥ‌ିବୀର ଅବସ୍ଥା ବର୍ଣ୍ଣନା କରି । ଏ ଲେଖାରେ ଭଗବାନ, ସମାଜ, ମଣିଷ, ଧର୍ମକୁ ଉପହାସ କରାଯାଇଛି, କଟୁ ସମାଲୋଚନା କରାଯାଇଛି । ଲେଖାର ସମ୍ପାଦକ ଲେଖିଛନ୍ତି ଯେ, ଜୀବନର ଅନ୍ତିମ କାଳରେ ମାର୍କ ସ୍ଵାଇନ୍‌ଙ୍କ ଦର୍ଶନ ନୈରାଶ୍ୟବାଦରେ ପରିପୂର୍ଣ୍ଣ ଥିଲା । ସମାଜ, ସଂସାର ପ୍ରତି ଗଭୀର ଘୃଣା ତାଙ୍କର ହେଲା । ମଣିଷ ଜାତିକୁ ସେ ‘‘ଡାମଡ୍ ହ୍ୟୁମାନ୍ ରେସ୍’’ ବୋଲି କହୁଥିଲେ । ତାଙ୍କର ଶାରୀରିକ ବ୍ୟାଧି, କଠୋର ଦାରିଦ୍ର୍ୟ, ମାନସିକ ଜଞ୍ଜାଳ ତାଙ୍କର ଜୀବନର ଶେଷକାଳକୁ ଅନ୍ଧାର କରି ଛାଡ଼ିଦେଲା । ସ୍ରଷ୍ଟା, ଧର୍ମ, ମନୁଷ୍ୟକୁ ଉପହାସ କରି ଏ ବହି ଲେଖିଥିଲେ । ତାଙ୍କର ଝିଅ କ୍ଲାରା କ୍ଲେମସ୍ ଏହାକୁ ଅନେକଦିନ ଲୁଚାଇ ରଖିଥିଲେ । ଏବେ ତା’ର ପ୍ରକାଶ ହୋଇଛି ଆମେରିକାରେ । କୌଣସି ଜଣେ ଆମେରିକାନ୍ ବନ୍ଧୁ ଏ ଉପହାର ଦେଇଥିଲେ ମିଷ୍ଟର କାଉଲ୍‌ଙ୍କୁ ।

 

ମିସ୍ ନୀରା ଫେରିଆସିଲେଣି ବାଥ୍‍ରୁମ୍‍ରୁ । ସଦ୍ୟ ଫୁଟନ୍ତା ଗୋଲାପଫୁଲ ପରି ଦେଖାଯାଉଥାନ୍ତି । ଊର୍ଦ୍ଧ୍ୱଗାମୀ କେଶଗୁଚ୍ଛକୁ ନେଟ୍ ଭିତରେ ସଂଯତ କରି ରଖିଅଛନ୍ତି । ଆଖିରେ ଦେଇଛନ୍ତି କଜ୍ଜଳ । ରେଖାଟି ଆଖିରୁ ବାହାରି ଟିକିଏ ଉପରକୁ ଉଠିଆସିଛି ଅର୍ଦ୍ଧଚନ୍ଦ୍ରର ଭଙ୍ଗୀରେ । ଓଠରେ ଦେଇଛନ୍ତି ପିଙ୍କ୍ ରଙ୍ଗର ଲିପ୍‌ଷ୍ଟିକ । ପୂରନ୍ତା ଗାଲଗୁଡ଼ିକ ରୋଜ୍ ପାଉଡ଼ରରେ ରକ୍ତାଭ ହୋଇଉଠିଛି । ପତଳା ବ୍ଲାଉଜ ଭିତରୁ ବ୍ରେସିୟାର ଷ୍ଟାପ୍ ସବୁ ବାହାରକୁ ଜଣାପଡ଼ୁଛି । ଭ୍ରୂଲତା, ରାତ୍ରିଠୁ ଆହୁରି ଦୀର୍ଘ ଓ ପ୍ରସ୍ଥ ହୋଇ ବଡ଼ ବଡ଼ ଆଖିର ଅବଗୁଣ୍ଠନ ହୋଇ ସାଜିଛି ଦେହର ପରଫିଉମ୍ । କାଉଲ୍ ପଢ଼ୁଛନ୍ତି ‘‘ସଇତାନର ଚିଠି ।’’ ସେ ସେଥିରେ ଲେଖିଛନ୍ତି ‘‘ପୃଥ‌ିବୀ ଗୋଟାଏ ବିଚିତ୍ର ଜାଗା–ଅସାଧାରଣ ଓ କୌତୂହଳପୂର୍ଣ୍ଣ । ଏଠାକାର ଲୋକେ ପାଗଳ, ଅନ୍ୟ ପଶୁମାନେ ମଧ୍ୟ ପାଗଳ । ସମଗ୍ର ପୃଥ‌ିବୀ ପାଗଳ । ସ୍ଵୟଂ ପ୍ରକୃତି ବି ପାଗଳ ।’’

 

‘‘ମଣିଷ ଯଦି ଅତି ବଡ଼ ହୁଏ, ତା’ହେଲେ ସେ ଆମ ସ୍ଵର୍ଗର ସବୁଠୁ କ୍ଷୁଦ୍ରତମ, ନୀଚତମ, ହେୟ ଆଞ୍ଜେଲ୍‌ ପରି; ଆଉ ଯଦି ସାଧାରଣ ହୁଏ, ତା’ହେଲେ ସେ ଅତି ଜଘନ୍ୟ, ଭୟଙ୍କର, ବର୍ଣ୍ଣନାତୀତ । ତେବେ ବି ତା’ର ଆତ୍ମବିଶ୍ଵାସ ହାସ୍ୟାସ୍ପଦ । ସେ ନିଜକୁ ଭଗବାନଙ୍କ ସୃଷ୍ଟିର ଶ୍ରେଷ୍ଠ ଜୀବ ବୋଲି ଦାବି କରେ । ତୁମେ ବିଶ୍ଵାସ କର ଅବା ନ କର, ସେ ନିଜେ ଏ କଥାକୁ ବିଶ୍ୱାସ କରେ-। ଯୁଗ ଯୁଗ ଧରି ନିଜେ ଏହି କଥା କହିଆସିଛି । ଏ କଥାକୁ ସମସ୍ତେ ମାନିନେଉଛନ୍ତି ମଧ୍ୟ-। ଜଣେ କେହି ନାହିଁ ଯେ କି ଏ କଥାକୁ ଅବିଶ୍ଵାସ କରି ଉପହାସ କରିବ ।”

 

ମିସ୍ ନୀରା ପାଖକୁ ଆସି କାଉଲଙ୍କୁ ହଲାଇଦେଇ କହିଲା, ‘‘ଡାର୍ଲିଂ ! ଏତେବେଳଯାଏଁ ଉଠିନାହଁ ? ପଢ଼ା ବନ୍ଦକର । ଦେଖ, ମୁଁ ତିଆର ହୋଇଗଲିଣି । ଅନେକ ଡେରି ହୋଇଗଲାଣି । ଘରେ ସମସ୍ତେ ଚିନ୍ତିତ ଥ‌ିବେ ।’’ କାଉଲ୍ କିଛି ମୁହୂର୍ତ୍ତ ପାଇଁ ବହିରୁ ମୁହଁଉଠାଇ ମିସ୍ ନୀରାକୁ ଥରେ ଦେଖିଲେ । କହିଲେ, ‘ମୋ କୋର୍ଟ ପକେଟରେ ପର୍ସଟା ଅଛି, ସେଥିରୁ ତିନିଶହ ଟଙ୍କା କାଢ଼ିନିଅ ।” ପୁଣି ମନୋନିବେଶ କଲେ ମାର୍କଟ୍ୱାଇନ୍‌ଙ୍କର ଲେଖାରେ ।

 

‘‘ଦିନ ନାହିଁ, ରାତି ନାହିଁ, ମଣିଷ ଡାକୁଛି ଭଗବାନଙ୍କୁ । ପ୍ରାର୍ଥନା କରି ଚାଲିଛି ସାହାଯ୍ୟପାଇଁ, ଉନ୍ନତିପାଇଁ, ରକ୍ଷାପାଇଁ । କେତେ ପ୍ରକାରର ଖୋସାମତ କରି କଥା କହୁଛି । ଅବାସ୍ତବ, ଅତିରଞ୍ଜିତ କଥା ସବୁ । ସେ ପ୍ରତିଦିନ ପ୍ରତାରିତ ହେଉଛି, ପରାଜିତ ହେଉଛି । କେବେହେଲେ ତା’ର ଏ ଆକୁଳ ପ୍ରାର୍ଥନା କାମରେ ଲାଗୁନାହିଁ । ତଥାପି ସେ ସେହିପରି ପ୍ରାର୍ଥନା କରି ଚାଲିଛି । ବଞ୍ଚିବାପାଇଁ କି ଆପ୍ରାଣ ଆଗ୍ରହ ! ପୁଣି ସେ ଭାବୁଛି, ସେ ସ୍ୱର୍ଗକୁ ମଧ୍ୟ ଦିନେ ନା ଦିନେ ଯିବ । ମଣିଷ ସମଗ୍ର ସୃଷ୍ଟିରେ ସବୁଠୁ ବଡ଼ ନିର୍ବୋଧ ଜୀବ...

 

ପ୍ରତ୍ୟେକ ହୀନତାର ମଧ୍ୟ ସମ୍ମାନ ଅଛି । ଏ ସମ୍ମାନର କଳ୍ପନା ହୁଏତ ପ୍ରତାରଣାପାଇଁ, ହୁଏତ ହୀନତାକୁ ସହ୍ୟ କରିବାପାଇଁ ସୃଷ୍ଟି । ଯଦି ଏହି ସମ୍ମାନ ଉପରେ ଆଘାତ ଆସେ, ହୀନତା ସହସା ହୁଏ ଉନ୍ମୋଚିତ, ଅବଗୁଣ୍ଠନ ହୁଏ ଉନ୍ମକ୍ତ–ବ୍ୟକ୍ତି ବିଚଳିତ ହୁଏ ।’’

 

ମିସ୍ ନୀରା ହୁଏତ ରକ୍ତମାଂସର ପଣ୍ୟ । ବିଭିନ୍ନ କକ୍ଷରେ, ବିଭିନ୍ନ ବକ୍ଷରେ ରାତ୍ରି ଯାପନ କରି ଜୀବନର ପାଥେୟ ସଂଗ୍ରହ କରୁଛନ୍ତି । ରୂପ ଅଛି, ଏବେ ବି ଦେହର ମାଂସପେଶୀର ସୌନ୍ଦର୍ଯ୍ୟ ଖୁବ୍ ଆକର୍ଷଣୀୟ । ଦେଖିଲେ ଏ ପନ୍ଥା ହିଁ ସହଜସାଧ୍ୟ । ଏକଥା ନୁହେଁ ଯେ, ନିଜ ସଂସାର ପାତିବାପାଇଁ ସେ ଚାହିଁନଥିଲେ । ଚାହିଁଥିଲେ ବରଂ ଛୋଟ ଗୋଟିଏ ସଂସ୍କାର, ସାଧାରଣ ଗୋଟିଏ ମଣିଷ ଆପଣାର । ଚାହିଁଥିଲେ ମାମୁଲି ସାମର୍ଥ୍ୟ । ଶିକ୍ଷା ମଧ୍ୟ ଥିଲା । କେତେ ସାମାନ୍ୟ ଥିଲା ତାଙ୍କର ଏଇ ଦାବି । ଅଥଚ ସେତକ ମଧ୍ୟ ହୋଇପାରିଲା ନାହିଁ । ବିଭିନ୍ନ କାରଣରୁ ଆଜି ଆଉ ସେ ବିଚାରରେ ଲାଭ ନାହିଁ । ଯେଉଁ ରାସ୍ତାରେ ସେ ପଦକ୍ଷେପ କରିଛନ୍ତି, ତା’ର ଶେଷ ଦିଗ୍‌ବଳୟ ପର୍ଯ୍ୟନ୍ତ ଯାତ୍ରାହିଁ ତାଙ୍କର ଜୀବନ । କିନ୍ତୁ ତା’ ବୋଲି ତୁମର କି ଅଧିକାର ଅଛି ତା’କୁ ଜଣାଇବ ଯେ, ସେ ଏଇଆ । ଯାହା ଜଣାଉଛି ହୋଇପାରେ ତା’ ସତ୍ୟ । କିନ୍ତୁ ସତ୍ୟର ପ୍ରକାଶର ଅଧିକାର ତୁମକୁ ଦେଲା କିଏ ? କାଉଲ୍‌ଙ୍କ ଅବହେଳା, ଉଦାସୀନତା ପ୍ରତିପାଦନ କଲା ନୀରାଙ୍କ ଜୀବନର ହୀନତାକୁ । ନୀରା ନିଶ୍ଚଳ ମୂର୍ତ୍ତି ପରି ସେଠି ଛିଡ଼ା ହୋଇଥାନ୍ତି । କିଛିକ୍ଷଣ ବିତିଗଲା । କାଉଲ ଲକ୍ଷ୍ୟ କଲେ ତାଙ୍କ ବହିଉପରେ ଛାଇ । ମୁହଁ ଟେକି ଚାହିଁ ଦେଖିଲେ ନୀରା ସେହିପରି ଠିଆହୋଇ ରହିଛନ୍ତି ।

 

କହିଲେ, ‘‘ଡ୍ରାଇଭର ବର୍ତ୍ତମାନ ସୁଦ୍ଧା ଆସିନଥିବ । ଟ୍ୟାକ୍‌ସି ଡକାଇବି । ଟିକିଏ ଅପେକ୍ଷା କର ।’’

 

କିଛି ସମୟ ନୀରବ ରହିବା ପରେ ନୀରା କହିଲେ, ‘‘ତୁମର ନାମ ମୋତେ ଜଣାନାହିଁ । ତୁମର ଅତୀତ, ବର୍ତ୍ତମାନ ସହିତ ମୁଁ ପରିଚିତ ନୁହେଁ । ତଥାପି ତୁମର ଯେତିକି କାରଣ ଅଛି ମୋତେ ଘୃଣା କରିବାପାଇଁ, ମୋର ବି ସେତିକି କାରଣ ଅଛି ତୁମକୁ ହେୟ ମନେକରିବାଲାଗି ।’’ ସାମାନ୍ୟ ଉତ୍ତେଜିତା ଥିଲେ ନୀରା । କାଉଲ୍ ଏପରି କଥା ଶୁଣିବାର ଆଶା କରିନଥିଲେ । ଆଖିକୁ କୁଞ୍ଚିତ କରି ଚାହିଁଲେ ନୀରାଆଡ଼କୁ । କହିଲେ, ‘ଘୃଣା ତ ମୁଁ କରିନାହିଁ ? କରିବାର କଥା ବି ନୁହେଁ । ଗତ ରାତ୍ରିରେ ମୋତେ ତ ସବୁପ୍ରକାର ସନ୍ତୋଷ ଦେଇଛି । ମୁଁ କୃତଘ୍ନ ନୁହେଁ । ସେଥ‌ିପାଇଁ ତୁମକୁ ତ ଯଥାସାଧ୍ୟ ଉପହାର ଦେଉଛି । କ’ଣ ଆହୁରି ଅଧ‌ିକ ଚାହଁ ? ହୁଏତ ପର୍ସରେ ଥିବ ।’’

 

‘‘ଥ୍ୟାଙ୍କ୍‍ଇଉ । ସାମାନ୍ୟ ଟିକିଏ ଚେଷ୍ଟାକରି ବିଦାୟ ମୁହୂର୍ତ୍ତକୁ ସମ୍ମାନଜନକ କରିପାରନ୍ତ-! ଅନ୍ତତଃ କୃତଜ୍ଞତା ଦୃଷ୍ଟିରୁ ।’’

‘‘ତୁମର ନାମ କ’ଣ ?”

‘ଅନାବଶ୍ୟକ । ରାତ୍ରିର ପାଥେୟ ।’’

‘‘ତୁମର ?” ନୀରା ପଚାରିଲେ ।

‘‘କାଉଲ୍ । ରମେଶ କାଉଲ୍ । ଶୁଣ, ସେନ୍‌ସିଟିଭ୍‍ନେସ୍ ଅନ୍ୟାନ୍ୟ ବ୍ୟବସାୟ ପରି ତୁମର ଏ ବ୍ୟବସାୟର ମଧ୍ୟ ପ୍ରତିରୋଧକ ।’’

‘‘ତୁମର ନାମ କାଉଲ୍ ନ ହୋଇ ବ୍ରୁଟ୍ ହେବା ଉଚିତ ଥିଲା ।’’

‘ବସ । ବିଛଣାରେ ନ ହେଲେ ବି ସେ ଚେୟାରଟା ଟାଣିଆଣ । ବ୍ରେକ୍‌ଫାଷ୍ଟ ଖାଇଯିବ-। ମଗାଇବି ???

‘ଧନ୍ୟବାଦ । ମୋର ସମୟର ଅନେକ ଅଭାବ । ତା’ଛଡ଼ା ଆଜିକାର ଦିନପାଇଁ ମୋର ଅନ୍ୟ ଏନଗେଜମେଣ୍ଟ୍‌ ଅଛି ।’’

‘‘ମୁଁ ଯଦି ତୁମରି ବ୍ୟବସାୟ କରିଥାନ୍ତି ମିସ୍ ! ତା’ହେଲେ ମୋ ପରି ଗୋଟାଏ କଷ୍ଟମରକୁ ହାତରେ ରଖିବା ପାଇଁ ଉପଯୁକ୍ତ ଆବହାଓ୍ୱା ସୃଷ୍ଟି କରୁଥାନ୍ତି ।”

‘‘ତୁମେ ଅଭିଜ୍ଞ । ଗୋଟାଏ ଶରୀରକୁ ନେଇ ଆଉ ଗୋଟାଏ ରାତି ନଷ୍ଟ କରିବ ନାହିଁ ଜାଣେ । ତା’ଛଡ଼ା ମୋର ମଧ୍ୟ ଆଉ ଆଗ୍ରହ ରହିବ ନାହିଁ । କିଛି କୌତୂହଳ ନଥିଲେ ଏ ଭାର ବହନ କରିବା ଦୁଃସାଧ୍ୟ ।”

‘‘ସ୍ଵୀକାର କରିବ, ମୋ’ ପରି ଅଭିଜ୍ଞ ଲୋକର ସାର୍ଟିଫିକେଟ୍‌ର ମୂଲ୍ୟ ଅଛି । ତୁମର ଶରୀର ଉପଭୋଗ୍ୟ । ବସି ରହିପାର, ମୁଁ ବାଥରୁମ୍‍ରୁ ପ୍ରସ୍ତୁତ ହୋଇ ଆସିବା ପର୍ଯ୍ୟନ୍ତ । ଅପେକ୍ଷା କରିପାର–ମୋ ସାଙ୍ଗରେ ବାହାରକୁ ଯିବାପାଇଁ । ନିଜେ ତୁମକୁ ଛାଡ଼ିଦେଇ ଆସିପାରେ ତୁମର ଚାହିଁବା ମୁତାବକ ଠିକଣାରେ ।”

‘‘ଆମ ଦଳର ଲୋକଙ୍କ ସଂକ୍ରାନ୍ତରେ ଯଥେଷ୍ଟ ଜ୍ଞାନ ଥ‌ିବ ! ଜାଣିଥିବ ଆମେ ମଝିରେ ମଝିରେ ଚୋରି କରୁ–ପର୍ସ, ଓ୍ୱାଚ୍, ଟ୍ରାନ୍‍ଜିଷ୍ଟର । ଯଦି ମୁଁ ସେଇଆ କରି ଇତିମଧ୍ୟରେ ଏଠୁ ଚାଲିଯାଏ ? ତୁମେ ତ ମୋର ଠିକଣା ଜାଣ ନାହିଁ, ନାମ ବି ।’’

‘‘ବିଶ୍ଵାସ କର । ମୁଁ ପୁଲିସରେ ଖବର ଦେବି ନାହିଁ । ଅନ୍ତତଃ ନିଜ ସ୍ଵାର୍ଥ ଦୃଷ୍ଟିରୁ । ତା’ଛଡ଼ା କିଛି କ୍ଷତି ହେବାଭଳି ମୋର ଅର୍ଥର ଅଭାବ ନାହିଁ ।

ଯାହା ଚାହଁ ମୋର ବିନା ଅନୁମତିରେ ନେଇଯାଇପାର–ଏ ଘରର ଯାହା କିଛି ମୂଲ୍ୟବାନ ।’’

ଡ୍ରେସିଂ ଗାଉନ୍‌ରେ ନିଜର ଉଲଗ୍ନ ଦେହଟାକୁ ଆବୃତ୍ତ କରି ବାଥରୁମ୍ ଭିତରକୁ ପଶିଗଲେ କାଉଲ୍ ।

 

ରାତ୍ରିର ଆଲୋକ ସମ୍ପର୍କର ହୀନତାରେ କୋଠରିଟା କ୍ଷୁଦ୍ର ମନେହେଉଥିଲା । ବର୍ତ୍ତମାନ ଜଣାପଡ଼ିଲା–ଏଟା ବିସ୍ତୀର୍ଣ୍ଣ । ନୀରା ରେଡ଼ିଓଗ୍ରାମ୍‍ର ସୁଇଚ୍‍ଟା ଅନ୍ କରି ଶୁଣିଲେ ଖଣ୍ଡେ ଫରାସୀ ଗୀତର ରେକର୍ଡ଼ । ଗତ ରାତ୍ରିଠାରୁ ସଜାହୋଇ ରଖାହୋଇଥିଲା, ରେକର୍ଡପ୍ଲେୟାର ଉପରେ । ପାଖରେ ରାଇଟିଂ ଟେବୁଲ ଉପରେ ଅନେକ କିସମର ନୂଆ ବହି ସବୁ ଖେଳାହୋଇ ପଡ଼ିଛି । ଟେବୁଲ ଡ୍ରୟାରଟାକୁ ଟାଣିଆଣି ଦେଖିଲେ, ସେଥିରେ ଅନେକ ନାରୀଙ୍କ ଫଟୋ । ଜାପାନୀ, ଆଙ୍ଗ୍ଲୋଇଣ୍ଡିୟାନ୍, ଦେଶୀ ନାରୀସବୁ ଅର୍ଦ୍ଧଉଲଗ୍ନ ଅବସ୍ଥାରେ । ଫଟୋ ପଛଆଡ଼େ ସେମାନଙ୍କର ସନ୍ତକ । ସେଥିରେ କିଛି କିଛି ଲେଖାହୋଇଛି ସେମାନଙ୍କର ନିଜର ହସ୍ତାକ୍ଷରରେ ।

 

କବାଟରେ ଆଘାତ ହେଲା । ନୀରା ଦରଜା ଖୋଲିଲେ । ସୁସଜ୍ଜିତ ବେହେରା ଆସି ରୂପାର ଟ୍ରେ ଉପରେ ଖଣ୍ଡେ ଖବରକାଗଜ, ଖଣ୍ଡେ ମାଗାଜିନ, ଗୋଟିଏ ପଟ୍ ଚା ଓ ଦୁଇଟା କପ୍ ଥୋଇ ଦେଇଗଲା । ପଟ୍ ଓ କପ୍ ଉପରେ ଚୀନା ଡ୍ରାଗନ୍‌ର ଚିତ୍ର ଅଙ୍କା ହୋଇଛି । ଟ୍ରେର ଗୋଟାଏ କଣକୁ ଗୋଟାଏ ଗୋଲାପଫୁଲ । ବେହେରାର ମୁଣ୍ଡରେ ଧଳା ଟୋପି । ଉପରେ ନାଲି ରିବନ୍, ଅଣ୍ଟାରେ ନାଲି ଫିତା, ବକଲିସ୍ ଭିତରେ ବନ୍ଧା ହୋଇଛି । ଧଳା ବେକଚିପା କୋଟ୍ ଉପରେ ପିତଳର ବୋତାମ ସବୁ ଚିକ୍‍ଚିକ୍ କରୁଥାଏ । ବେହେରା ସଲାମ ଦେଇ ପଚାରିଲା,–‘‘ମେମ୍‌ସାହେବ ! ବ୍ରେକ୍‌ ଫାଷ୍ଟ ?’’

 

ନୀରା କହିଲେ, ‘‘ସାହେବ ବାଥରୁମ୍‌ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବି ।” ସଲାମ ଜଣାଇ ବେହେରା କୋଠରିରୁ ନିର୍ଗତ ହେଲା ।

 

କାଉଲ୍ ବାଥରୁମରୁ ଆସିଲେ ସୁସଜ୍ଜିତ ହୋଇ । କଳା କୋଟ୍, ଛାତି ପକେଟରେ ଧଳା ସିଲ୍‌ ରୁମାଲ, କଳା ଜାମା ଉପରେ ସୁନ୍ଦର ଏକ ଲଣ୍ଡନର ଟାଇ । ଟ୍ରେ ଗୋଲାପଫୁଲଟିକୁ କୋଟ୍‌ର ଉଦ୍ଦିଷ୍ଟ କଣାରେ ଖୋସିଲେ ।

 

ନୀରାଙ୍କ ଆଡ଼କୁ ମୁହଁ ବୁଲାଇ ପଚାରିଲେ,–‘‘ବ୍ରେକ୍‌ଫାଷ୍ଟ ?”

 

ନୀରା କହିଲେ,-‘‘ମୋର ଅଭ୍ୟାସ ନାହିଁ, ଏତେ ସକାଳୁ । ତୁମେ ଯଦି ଚାହଁ ମୁଁ ଅପେକ୍ଷା କରିବି ତୁମର ଖାଇବା ଶେଷ ପର୍ଯ୍ୟନ୍ତ ।’’

 

ଉପହାସ ସ୍ୱରରେ କାଉଲ୍ କହିଲେ,–‘ବିନା ଫିସ୍‌ରେ ଅପେକ୍ଷା କରିବ ?’’

 

‘ଅପେକ୍ଷା ପାଇଁ ଚାର୍ଜ କରୁନାହିଁ । ସେଇଟା ଜୀବନର ଅଙ୍ଗ । ସବୁବେଳେ ଆମକୁ ଅପେକ୍ଷା କରିବାପାଇଁ ପଡ଼େ ।’’ ଉତ୍ତରରେ କହିଲେ ମିସ୍ ନୀରା ।

 

‘‘ତା’ହେଲେ ଚାଲ ।’’

 

ଦୁହେଁ ବାହାରିପଡ଼ିଲେ ତଳ ମହଲାକୁ । ଡ୍ରାଇଭର ଆସି ସାରିଲାଣି । ଗାଡ଼ିରେ ବସିଲେ ମିଷ୍ଟର କାଉଲ୍ ଓ ମିସ୍ ନୀରା । ସେତେବେଳକୁ ରବିବାରର ସୂର୍ଯ୍ୟ କଲିକତା ସଡ଼କକୁ ଉଜ୍ଜ୍ୱଳ କରୁଥାଏ । ପ୍ରଥମେ ନୀରା ପଚାରିଲେ, –‘କୁଆଡ଼େ ବର୍ତ୍ତମାନ ଯିବ ??’

 

‘‘ଚର୍ଚ୍ଚାକୁ ।”

 

‘ତୁମେ କ’ଣ ଖ୍ରୀଷ୍ଟିଆନ୍ ?’’

 

‘‘ବୋଧହୁଏ ନୁହେଁ । ତେବେ ପିଲାଦିନରୁ ମିସ୍ ନେରୀ ସ୍କୁଲରେ ପଢ଼ିଛି । ଚର୍ଚ୍ଚର ମିଉଜିକ୍ ଖୁବ୍ ଭଲଲାଗେ । ବିଶେଷତଃ ରବିବାର ସକାଳର । ଶାନ୍ତ ଗମ୍ଭୀର ପିଆନୋ ମିଉଜିକ୍ । ଶୁଣ, ତୁମର ଯିବାର ସ୍ଥାନ ମୋତେ ଦେଖାଇବା ପାଇଁ ଯଦି ଲଜ୍ଜିତ ହେଉଥାଅ, ତା’ହେଲେ ମୋତେ ପ୍ରଥମେ ଚର୍ଚ୍ଚରେ ଛାଡ଼ିଦେଇ ଏ ଗାଡ଼ି ତୁମକୁ ନେଇଯିବ ତୁମର ନିର୍ଦ୍ଦେଶ ମୁତାବକ ।’’

 

ନୀରା ସାମାନ୍ୟ କ୍ଷୁବ୍‌ଧା ହୋଇ କହିଲେ,–‘ଅନାୟାସରେ କଠିଣ କଥା କହିବାର ଦକ୍ଷତା ଖୁବ୍ ଅଛି, ସ୍ୱୀକାର କରୁଛି ।’’ ବାକ୍ୟ ପୂରଣ ହେଉ ହେଉ କାଉଲ୍ କହିଲେ, ‘ଆଉ ମଧ୍ୟ ସ୍ୱୀକାର କରିବ ଯେ, ମୁଁ ଲଜିକାଲ୍ । କିଛି ଅବାନ୍ତରର ପ୍ରଶ୍ରୟ ଦିଏ ନାହିଁ–କଥାରେ ବା କାର୍ଯ୍ୟରେ-।’’

 

‘‘ତୁମେ ଜାଣିଥିବ ବୋଧହୁଏ, କୌଣସି ବିଚକ୍ଷଣ ଲୋକକୁ ଇଚ୍ଛାମତେ ପରିଚାଳନା କରିବାପାଇଁ ଯେକୌଣସି ନାରୀ ପକ୍ଷରେ ସମ୍ଭବ । କିନ୍ତୁ ନିର୍ବୋଧ ବ୍ୟକ୍ତିକୁ ନିୟନ୍ତ୍ରଣ କରିବାପାଇଁ ବିଚକ୍ଷଣ ନାରୀ ବି ଅସମର୍ଥ I ଆଉ ତୁମେ ବିଚକ୍ଷଣ, ସେତିକି ଯାହା ସାନ୍ତ୍ୱନା ।’’

 

ନୀରା ଅନାଇଲେ କାଉଲଙ୍କଆଡ଼କୁ । କାଉଲ୍ ଉପଭୋଗ କଲେ ନୀରାଙ୍କ ବୁଦ୍ଧିମତ୍ତା ।

 

କଲିକତା ସହରଟି ରବିବାରର ସକାଳେ ଗୋଟିଏ ସଦ୍ୟଜାଗ୍ରତ ଶିଶୁପରି ମନେହୁଏ । କୋମଳ, ନିର୍ବିକାର ।

 

ଚର୍ଚ୍ଚ ସାମନାରେ ଗାଡ଼ି ପହଞ୍ଚିଲା । ଡ୍ରାଇଭର ଗାଡ଼ିର ଦରଜା ଖୋଲିଦେଲା ନୀରାଙ୍କ ପଟୁ । ନୀରା ଗାଡ଼ିରୁ ଓହ୍ଲାଇଲେ । ଆରକଡ଼ରୁ ଓହ୍ଲାଇଲେ କାଉଲ୍ । ନୀରା ପାଖକୁ ଯାଇ ବିଦାୟର ଭୂମିକା ଆରମ୍ଭ କଲେ । ନୀରା କାଉଲ୍‌ଙ୍କୁ ଅନ୍ୟକିଛି କହିବାର କୌଣସି ସୁଯୋଗ ନ ଦେଇ ପଚାରିଲେ,–‘‘ଏହା ଭିତରକୁ ମୁଁ ଯାଇପାରିବି ? ପରିଚିତ ଲୋକଙ୍କ ପାଖରେ ତୁମେ ଅପମାନିତ ହେବନାହିଁ ତ ??’’

 

‘ନା । ଯେ ମୋତେ ଜାଣେ, ମୋର ସମୁଦାୟ ରୂପକୁ ଚିହ୍ନେ । କାହାପାଖରେ କୌଣସି କାର୍ଯ୍ୟପାଇଁ କିଛି କୈଫିୟତ ଦେବାକୁ ନାହିଁ, ମୋ ଜୀବନରେ । ତା’ ଛଡ଼ା ମୁଁ ତ କିଛି ଅନ୍ୟାୟ କରିନାହିଁ ! କାହା ଇଚ୍ଛା ବିରୁଦ୍ଧରେ କିଛି କରିନାହିଁ ! ମୁଁ ଉପଭୋଗ କରିଛି ! ତୁମେ ଜୀବିକା କରିଛ-। କ୍ୟୁଇଟସ୍ ।’’

 

‘‘ସ୍ଵୀକାର କରୁଛି ତୁମେ ଲଜିକାଲ୍ !’’

 

‘‘ତୁମର ଶିକ୍ଷା କଅଣ ?’’

 

‘ତୁମପରି ଲୋକଙ୍କର ଭାଷା ବୁଝିବାପାଇଁ ଯଥେଷ୍ଟ ।’’

 

‘‘ଭିତରକୁ ଆସ’’–ନିର୍ଦ୍ଦେଶ ଦେଲେ କାଉଲ୍ ।

 

ସେତେବେଳକୁ ଚର୍ଚ୍ଚାର ସର୍ଭିସ୍ ଆରମ୍ଭ ହୋଇଗଲାଣି । ପଛପାଖରେ ବେଞ୍ଚରେ ଦୁଇଜଣ ବସିଲେ । ଫାଦର୍ ସରମନ୍ ଦେଲେ । ଶେଷରେ ସମସ୍ତେ କହିଲେ,–‘‘ଆମେନ୍ ।’’ ମୁଣ୍ଡ ନତକରି ପ୍ରଣାମ ଜଣାଇଲେ ଅନ୍ୟ ସମସ୍ତେ–କାଉଲ୍ ଓ ନୀରାଙ୍କ ବ୍ୟତୀତ । ଚର୍ଚ୍ଚା ତରଫରୁ ଚାନ୍ଦା ମଗାହେଲା । କାଉଲ୍ ପଚାଶଟି ଟଙ୍କା ଦେଲେ ।

ବଡ଼ ବଡ଼ ଖିଲାଣ, କାନ୍ଥର ଚାରିକଡ଼ରେ ବାଇବେଲରେ ବର୍ଣ୍ଣିତ ବିଷୟବସ୍ତୁର ଚିତ୍ରଣ, ଯୀଶୁଙ୍କର କୁଶବିଦ୍ଧ ଶରୀର, ପାଦ୍ରୀଙ୍କ ଭାଷା, ସମବେତ ଜନତାର ନିବେଦନ ନୀରାଙ୍କ ମନଉପରେ ଗୋଟିଏ କୋମଳ ପ୍ରଲେପ ଦେଉଥାଏ । ସଚେତନ ଭାବରେ କୌଣସି ମନ୍ଦିର, ଚର୍ଚ୍ଚ, ମସଜିଦ୍ ଯିବା ଅନେକବର୍ଷ ଭିତରେ ଏହି ବୋଧହୁଏ ତାଙ୍କର ପ୍ରଥମ । ଭାବିଲେ, ଯିଏ ଯାହା କରୁଛନ୍ତି ସେଥିପାଇଁ କ’ଣ କ୍ଷମା ଚାହିଁବେ ଯୀଶୁଙ୍କ ପାଖରୁ ଏ ପାଦ୍ରୀ ଜରିଆରେ ? କିଛି ଠିକ୍ କରିପାରିଲେ ନାହିଁ । ସମୟ ମଧ୍ୟ ଅଳ୍ପ । କୌଣସି ସିଦ୍ଧାନ୍ତ ନେବା ଏ ପରିସ୍ଥିତିରେ ସମ୍ଭବ ନୁହେଁ ।

ଚର୍ଚ୍ଚରୁ ବାହାରି ଗାଡ଼ିରେ ପୁଣି ବସିଲେ ଦୁଇଜଣ ।

‘‘ତୁମେ କ’ଣ ପ୍ରତ୍ୟେକ ରବିବାର ଦିନ ଚର୍ଚ୍ଚ ଆସ ?’’

‘‘ନା ! ଯେଉଁଦିନ ଅନ୍ୟ କୌଣସି ଏନଗେଜ୍‌ମେଣ୍ଟ ନଥାଏ, ଆଜିପରି ।’’

ଗାଡ଼ିକୁ ନିର୍ଦ୍ଦେଶ ଦେଲେ ନୀରା–ତାଙ୍କ ଘର ଠିକଣାରେ । କାଉଲ୍ ନୀରାଙ୍କୁ ଚାହିଁ କହିଲେ,–‘ତା’ହେଲେ ତୁମର ଏଇ ସାହସକୁ ଯୀଶୁଙ୍କ ଦାନ ବୋଲି ମନେକରିବା ପାଇଁ ହେବ ।”

‘‘ଲଜ୍ଜା ବେଶ୍ୟାର ଅଳଙ୍କାର ନୁହେଁ । ତଥାପି ମାମୁଲି ସମୟ ପାଇଁ ହେଲେ ମଧ୍ୟ ସେ ସମ୍ମାନ ଚାହେଁ । ପବିତ୍ର ନ ହେଲେ ମଧ୍ୟ ଗୁପ୍ତ ନାରୀତ୍ଵର ସମର୍ପଣର ପ୍ରତିଦାନ । ପୃଥ‌ିବୀର ସମସ୍ତ ଖଣିଜର ସମସ୍ତ ସୁନା ମଧ୍ୟ ତା’ର ଯଥେଷ୍ଟ କ୍ଷତିପୂରକ ନୁହେଁ ।’’

 

ନୀରାଙ୍କୁ ପଚାରିଲେ,–‘‘ବର୍ତ୍ତମାନ ଏ ପ୍ରଭାତରେ ଯଦି ଗଙ୍ଗାକୂଳକୁ ବୁଲିଯାଉଁ ତାହାହେଲେ ତୁମର ଆପତ୍ତି ଅଛି ?’’

 

ନୀରା କହିଲା,–‘‘ମୋତେ ଘରେ ପହଞ୍ଚାଇ ଦେବାର ପ୍ରତିଶ୍ରୁତି ଦେଲେ ଅବଶ୍ୟ ଆପତ୍ତି ନାହିଁ ।’’

 

କାଉଲ୍ ହସି ହସି ତଥାସ୍ତୁ ଜଣାଇଲେ ।

 

ଗାଡ଼ି ଗଙ୍ଗାନଦୀ କୂଳକୁ ଚାଲିଲା ।

 

‘‘ତୁମେ କେବେ ପ୍ରେମ କରିଛ ମିସ୍ ନୀରା ?’’

 

‘‘ପ୍ରେମର ଆକ୍ଷରିକ ତର୍ଜମା ଜାଣେନା । ତେବେ ଆମେ ସବୁବେଳେ ପ୍ରେମ କରୁ–ଅନ୍ତତଃ ପ୍ରେମ କରିବାର ଛଳନା କରୁ । କେବଳ ପ୍ରେମିକ ଭିନ୍ନ । ପରିସର ଭିନ୍ନ । ସମୟ ଭିନ୍ନ । କିନ୍ତୁ ପ୍ରେମ ଆମର ଅବିଚଳିତ ।’’ –ଛଳନା ସ୍ଵରରେ ଉତ୍ତର ଦେଲେ ନୀରା ।

 

ଝରକା କାଚରୁ ବାହାର ରାସ୍ତାକୁ ଅନାଇଥାନ୍ତି କାଉଲ୍ । କିଛି ସମୟ ଚିନ୍ତା କଲାପରେ ଅନେଇ ରହିଲେ ସିକ୍ତ ଆକାଶକୁ, ଗଙ୍ଗାର ଶାନ୍ତ ଧାରାକୁ ।

 

‘‘ନୀରା ତୁମର ଅନେକ ଗର୍ବର ସାମଗ୍ରୀ ଅଛି ଇତିହାସରେ । ଯୀଶୁ, ବୁଦ୍ଧଙ୍କ କଥା ଶୁଣିଛ ?’’

 

‘‘ନାମ ଶୁଣିଛି ମାତ୍ର’–ନୀରା ଜଣାଇଲେ ।

 

‘‘ଜାଣିଛ ଯୀଶୁଙ୍କ ପାଖରେ ମାଡ଼ିଲୋନାଙ୍କୁ ? ସେ ମଧ୍ୟ ଗଣିକା ଥିଲେ । ଯୀଶୁ ତାଙ୍କୁ ଗ୍ରହଣ କରିଥିଲେ । ତାଙ୍କରି ନାମରେ ଧର୍ମମନ୍ଦିର ସୃଷ୍ଟି ହୋଇଛି ।”

 

‘‘ପୁଣି ଅମ୍ବାପଲୀଙ୍କୁ ଜାଣିଛ ? ଯାହାପାଇଁ ଦିନେ ବୁଦ୍ଧ କାଳେ ମୃତ୍ୟୁବରଣ କରିଥିଲେ । ଅବଜ୍ଞା କଲେ ରାଜାଙ୍କ ନିମନ୍ତ୍ରଣ, କିନ୍ତୁ ଗ୍ରହଣ କରିଥିଲେ ଅମ୍ବାପଲୀଙ୍କ ପ୍ରାସାଦରେ ଆତିଥ୍ୟ । ଭକ୍ଷଣ କରିଥିଲେ ମାଂସ ।’’

 

ନୀରା ଅନାଇ ରହିଲେ କାଉଲଙ୍କ ମୁହଁକୁ ।

 

‘‘ମୁଁ ଯଦି ଯୀଶୁ ବା ବୁଦ୍ଧ ହୋଇଥାନ୍ତି, ତାହାହେଲେ ତୁମକୁ ସଦ୍ୟ ମୁକ୍ତି ଦିଅନ୍ତି ।’’

 

“ତୁମେ ରାମଚନ୍ଦ୍ର ନୁହଁ କିମ୍ବା ମୁଁ ମଧ୍ୟ ଅହଲ୍ୟା ନୁହେଁ । ତୁମେ ମୁକ୍ତି ଦେଇପାରିବ ନାହିଁ କିମ୍ବା ମୁଁ ମଧ୍ୟ ମୁକ୍ତି ଚାହେଁ ନାହିଁ । କାଉଲ ସାହେବ ! ମୁଁ ଅଭିଶପ୍ତା ନୁହେଁ, ବ୍ୟବସାୟୀ ।

 

ମାଟ୍ରିକ୍ ପାଶ୍ କରୁ କରୁ ଜୀବନକୁ ମୁକାବିଲା କଲି । ସାମନାସାମନି ହେଲେ ରୁଗ୍‌ଣ ମାତା, ବୃଦ୍ଧ ପିତା, ସଂସାରର ଦାୟିତ୍ଵ । କଲିକତାର ନିଃସ୍ୱ ଦରିଦ୍ର ଜୀବନ । ଏ ବୋଝକୁ ଜୀବନ ସଡ଼କରେ ବୋହିବାପାଇଁ କାହାର ସାହାଯ୍ୟ ପାଇଲି ନାହିଁ, ସମାଜର ଚାରି ଚଉହଦି ଭିତରେ । ସ୍କୁଲର ସାର୍ଟିଫିକେଟ ନେଇ ବାହାରିଲି ଲଢ଼ିବାପାଇଁ, ଦୁଃଖ ଅଭାବର ଦୈତ୍ୟ ସହିତ । ହେଲି ଟାଇପିଷ୍ଟ୍, ହେଲି ଶିକ୍ଷୟିତ୍ରୀ, ହେଲି ସେଲ୍‌ ଗାର୍ଲ । ଟାଇପିଷ୍ଟର ରୋଜଗାର ମାମୁଲି ଥିଲା । କିନ୍ତୁ ଅନେକ ଉପହାର ଦେଲେ, ଅନେକ ଇଙ୍ଗିତ ଦେଲେ ମୋତେ ରାଠୋର ସାହେବଙ୍କ ପରି । ଦିନେ ମୋ ହାତ ଧରିପକାଇ କହିଲେ, ଏ କୋମଳ ଅଙ୍ଗୁଳିର ପ୍ରହାର ପାଇ ଟାଇପ୍ ମେସିନ୍‌ ଧନ୍ୟ ହୋଇଛି । ମୋ ପାପୁଲିକୁ ତାଙ୍କ ଗାଲଉପରେ ଚାପି ଧରିଲେ । ଆର ହାତରେ ସତ୍‌କାର କଲି ତାଙ୍କର ଆର ଗାଲଟିକୁ, ଗୋଟିଏ ଚପେଟାଘାତ ଜରିଆରେ ।

 

ବିଦାୟନେଲି ସେଠୁ । ହେଲି ଶିକ୍ଷୟିତ୍ରୀ–ଗୋଟାଏ ଛୋଟ ସହରର ସ୍କୁଲରେ । ସେଠାରେ ମ୍ୟାନେଜିଂ କମିଟିର ସଭାପତି ମୋତେ ଚାହିଁଲେ ତାଙ୍କର ମାତୃହୀନ ପୁତ୍ରଙ୍କର ପ୍ରାଇଭେଟ୍ ଟ୍ୟୁସନ୍ ପାଇଁ । ଦିନେ ରାତିରେ ପୁତ୍ର ପରିବର୍ତ୍ତେ ଦେଖେ ସ୍ୱୟଂ ପିତାଙ୍କୁ । ଦରଜା କବାଟ ବନ୍ଦ କରିଦେଇ ଆରମ୍ଭ କଲେ ମୋର ଶରୀର ଉପରେ ଆକ୍ରମଣ । ମୁଁ ପ୍ରତିରୋଧ ଜଣାଇଲି । କ୍ଷତ-ବିକ୍ଷତ ହେଲେ ପିତୃଦେବ । କ୍ଷତ-ବିକ୍ଷତ ହେଲି ମୁଁ ।

 

ଶେଷକୁ ଆସିଲି ସେ କେମିଷ୍ଟ ଦୋକାନକୁ ସେଲ୍‌ ଗାର୍ଲ ହୋଇ । ଆସିଲେ କଷ୍ଟମର୍‌ମାନେ, ଆସିଲେ ଦୋକାନ ମାଲିକଙ୍କ ଉଚ୍ଛୃଙ୍ଖଳ ପୁତ୍ରଗଣ ଓ ତାଙ୍କର ସହୋଦରମାନେ । ନେଲେ କ୍ଲବ୍‍କୁ, ନେଲେ ଘୋଡ଼ାଦୌଡ଼କୁ, ନେଲେ ବଡ଼ ବଡ଼ ହୋଟେଲକୁ । କାଉଲ୍ ସାହେବ ! ସେତେବେଳ ପର୍ଯ୍ୟନ୍ତ ମୋର ସତୀତ୍ଵ ଥାଏ ଅକ୍ଷତ । ସେମାନଙ୍କର ସମସ୍ତ ଉପହାର ଗ୍ରହଣ କରେ; କିନ୍ତୁ ସେମାନଙ୍କର କ୍ଷୁଧା ରହେ ଅନିର୍ବାପିତ । ମୋତେ ଚାହିଁଲେ ଅନେକ । ଚାହିଁଲେ ସମ୍ପୂର୍ଣ୍ଣ ଶରୀର । ଅସ୍ଵୀକାର କଲି । କ୍ରୁଦ୍ଧ ହେଲେ ଏ ଜନତା । ମାଲିକଙ୍କ ପାଖରେ କହିଲେ ମୋର ଉପସ୍ଥିତି ଏ ଦୋକାନର ପ୍ରତିଷ୍ଠାରେ ଅନ୍ତରାୟ ହେଉଛି । ଅବଶେଷରେ ସେଠାରୁ ମଧ୍ୟ ବିଦାୟ ନେବାକୁ ହେଲା ।

 

ବୁଝିଲି ମୋର ଗୋଟାଏ ମାତ୍ର ପଦାର୍ଥ ଅଛି, ଯାହା ଜରିଆରେ ଜୀବନକୁ ସୁସ୍ଥ, ସୁଖମୟ କରିପାରେ । ଏ ସମସ୍ତ ଜଗତ ମୋଠାରୁ କେବଳ ଗୋଟାଏ ଜିନିଷ ଚାହୁଁଛି । ତା’ପରେ ମୋର ଜୀବନ ଗୋଲାପଫୁଲର ତକ୍ତପୋଷ ପରି କୋମଳ ଓ ସୁଗନ୍ଧମୟ ହୋଇଉଠିବ । ସେ ହେଉଛି ମୋର ଶରୀରର ବିନିମୟ ।’’

 

କାଉଲ୍ ସାହେବ କହିଲେ, ‘‘ଖୁବ୍ ଇଣ୍ଟ୍ରେଷ୍ଟିଂ ।’’

 

ନୀରା କହି ଚାଲିଲେ– ଦିନେ ପାର୍କଷ୍ଟ୍ରିଟ୍‌ ସେ ଜର୍ମାନୀ ଏୟାର ସର୍ଭିସ୍‌ର ଅଫିସ୍ ସାମ୍ନାରେ ଛିଡ଼ା ହୋଇଯାଇଛି । ଦେଖୁଥାଏ ସେ ଚିତ୍ର ସବୁ । କେତେ ଦେଶର କେତେ ଚିତ୍ର । ସେଠାକାର ଲୋକଙ୍କର କେଡ଼େ ସୁନ୍ଦର ଡ୍ରେସ୍ ! ନିଉ ମାର୍କେଟ ଯାଉଥାଏ । ସତ କହୁଛି କାଉଲ୍ ସାହେବ, ସେ ମାସସାରା ଆମେ ପ୍ରାୟ ଉପାସ । ମା’ ମୃତ୍ୟୁ ଶଯ୍ୟାରେ । କିଛି ଭରସା ନଥାଏ । ଯେତେ ଋଣ କରିବାର କଥା ସବୁ ସରିଲାଣି । ଆଉ ସାଙ୍ଗସାଥୀଙ୍କ ମୁହଁଚାହିଁ ହେଉନାହିଁ । ମା’ର ପଥି ଦରକାର । ଡାକ୍ତର ଦରକାର । ଔଷଧ ଦରକାର । ତାକୁ ଏ ଅକାଳମୃତ୍ୟୁରୁ ବଞ୍ଚାଇବାକୁ ପଡ଼ିବ ।”

 

ଟିକିଏ ନିଃଶ୍ଵାସ ମାରିଲେ ନୀରା । ପୁଣି ଆରମ୍ଭ କଲେ–

 

“ସନ୍ଧ୍ୟା ରତରତ । ଜଣେ ଭଦ୍ରଲୋକ ଅଫିସରୁ ଫେରିଆସୁଥାନ୍ତି ଏକାକୀ । କିଛି ସମୟ ପାଇଁ ମୋତେ ଲକ୍ଷ୍ୟକଲେ । ମନେହେଲା ବିଦେଶରୁ ଫେରୁଛନ୍ତି । ବମ୍ବେ ଆଡ଼ର ଲୋକ । ଆସ୍ତେ ଆସ୍ତେ ମୋଆଡ଼କୁ ଆସିଲେ । କହିଲେ–‘‘ହାଲୋ !’’

 

ମୁଁ ମଧ୍ୟ ମଜାରେ ଜବାବ ଦେଲି, ‘ହାଲୋ !’’

କହିଲେ, ‘‘କଲିକତାରେ ମୁଁ ଏକାବେଳକେ ନୂଆ, ମତେ ମୋ ହୋଟେଲରେ ପହଞ୍ଚାଇ ଦେବାରେ ସାହାଯ୍ୟ କରିବେ କି ?’’

କହିଲି, ‘ସମୟ ମୋର ନଷ୍ଟ ହେବ; ପାରିଶ୍ରମିକ ଦେଲେ ଯିବି ।’’ ‘‘କେତେ ?”

‘‘ଆପଣଙ୍କ କ୍ଷମତା ଅନୁସାରେ ।’’

ଅଭିମାନକୁ ତାଙ୍କର ବାଧିଲା । କହିଲେ, ‘‘ରାତ୍ରି ଶେଷପର୍ଯ୍ୟନ୍ତ ରହିଲେ ଦୁଇଶହ ଟଙ୍କା ଦେବି ।’’

ଛାତିରେ ମୋ ଚାଉଁକରି ଲାଗିଲା । ଦାରିଦ୍ର୍ୟ ଓ ପ୍ରତିଷ୍ଠା ମଧ୍ୟରେ ପରଦାଟା ଏତେ ପତଳା ! ସେତେବେଳ ପର୍ଯ୍ୟନ୍ତ ଜୀବନରେ ଦୁଇଶହ ଟଙ୍କା ଏକାବେଳେକେ ଦେଖିନଥାଏ । ଅଭାବ ମଧ୍ୟ ଉତ୍କଟ ଆକାର ଧାରଣ କରିଥିଲା ଶ୍ରାବଣର କଳାମେଘ ପରି । ସନ୍ଧ୍ୟାକୁ ଯେତେବେଳେ ଘରେ ପ୍ରତିଦିନ ପହଞ୍ଚେ, ମା’ କାକୁତିପୂର୍ଣ୍ଣ ଦୃଷ୍ଟିରେ ଅନାଏ–ପଥ, ଫଳ ଓ ଔଷଧ ପାଇଁ । ଆଖିଆଗରେ ନାଚିଗଲା ସେଇ ଦୁଃସ୍ଥ ଦୃଷ୍ଟି । ଆଉ କିଛି ଚିନ୍ତା କରିପାରିଲି ନାହିଁ । ହଁ ଭରିଲି ।

ଭଦ୍ରଲୋକଙ୍କ ସହିତ ଗଲି । ବାଟରୁ ଦୋକାନକୁ ନେଇଗଲେ । କିଣିଲେ ଶାଢ଼ି, କିଣିଲେ ପ୍ରସାଧନର ସାମଗ୍ରୀ, କିଣିଲେ ପରଫିଉମ୍ । ହୋଟେଲରେ ପହଞ୍ଚି କହିଲେ, ‘‘ପିନ୍ଧ ।’’ ସାହାଯ୍ୟ କଲେ ସାଜସଜ୍ଜାରେ । ହୋଟେଲର ବଡ଼ ବଡ଼ ଆରସି । ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ପରିଷ୍କାର ଦିଶୁଥାଏ । ସେ ନେଳିଆ ଆଲୋକରେ ମୋର ରୂପ ଯେତେବେଳେ ଦେଖିଲି, ସତରେ କାଉଲ୍ ସାହେବ, ଆଶ୍ଚର୍ଯ୍ୟ ହୋଇଗଲି ନିଜେ । ମୁଣ୍ଡରେ କେଶସଜ୍ଜା, ଆଖିରେ ରଙ୍ଗ, ଓଠରେ ଲିପ୍‌ଷ୍ଟିକ୍, ଉନ୍ନତ ଛାତି, ଲଙ୍ଗଳା କଟି, ସେ ଶାଢ଼ିରେ ଆବୃତ ଶରୀରରେ ମୁଁ ନୂଆ ମଣିଷ ପରି ଦେଖାଗଲି । ମୋର ଘରେ ନାଁ ଥିଲା ନିର୍ମଳା ।

 

ପ୍ରୌଢ଼ ଜଣକ ମୋତେ ପଚାରିଲେ ଇଂରାଜୀରେ, ‘ତୁମର ନାମ କ’ଣ ?’ ମୁଁ ତାଙ୍କରି ଢଙ୍ଗରେ ସେହିପରି ଓଠ ଚିପି ଚିପି ଇଂରେଜୀରେ ଉତ୍ତର ଦେଲି, ‘‘ମୋ ନାଁ ମିସ୍ ନୀରା ।’’

 

ସେହି ମୁହୂର୍ତ୍ତରେ ନିର୍ମଳାର ମୃତ୍ୟୁ ହେଲା । ଜନ୍ମ ନେଲା ମିସ୍ ନୀର । ମୁଁ ଚାହୁଁଥାଏ ମୋର ପ୍ରତିବିମ୍ବକୁ ସେ ବଡ଼ ଆରସିଟାରେ । ରୂପ ସହିତ ନାମଟା ଯୁକ୍ତିଯୁକ୍ତ ହେଉଛି କି ନାହିଁ । ମନେମନେ ସନ୍ତୁଷ୍ଟ ହେଲି । ସନ୍ତୁଷ୍ଟ ହେଲେ ସେ ମହାଶୟ ।

 

ପଛରେ ଛିଡ଼ା ହୋଇଥିଲେ । ହଠାତ୍ ପଛଆଡ଼ୁ ମୋ ଦେହକୁ ଗୁଡ଼ାଇ ଧରିଲେ ଗୋଟାଏ ହାତରେ । ଆରହାତରେ ମୋ ମୁହଁଟାକୁ ପଛକୁ ଠେଲିଆଣି ଚୁମ୍ବନ ଦେଲେ । ପ୍ରଥମେ ପ୍ରତିବାଦ କଲି । ନିର୍ମଳା ଉତ୍‌କ୍ଷିପ୍ତ ହେଲା, ବାଧାଦେଲା । ପରମୁହୂର୍ତ୍ତରେ ସହ୍ୟ କଲା ମିସ୍ ନୀରା । ସେ ବାହୁବନ୍ଧନକୁ ସ୍ୱୀକାର କଲି । ତଥାପି ସତୀତ୍ଵ ଥାଏ ଅକ୍ଷତ । ମନେମନେ ଯନ୍ତ୍ରଣା ପାଇଲି । ଭାବିଲି ପାପ, ଏଇଟା କଳଙ୍କ ନାରୀ ପକ୍ଷରେ ।

 

ସେ ସନ୍ଧ୍ୟା । ରାତି ଦଶଟା ପରେ... ଦେଖିଲି ଅନେକ ଭଦ୍ରଲୋକ, ଭଦ୍ର ମହିଳା ପହଞ୍ଚିଲେ ସେ ହୋଟେଲରେ । ଏ ମହାଶୟ ହେଉଛନ୍ତି ଦିଲ୍ଲୀର ଜଣେ ମସୁର ବ୍ୟବସାୟୀ । ତାଙ୍କ ସହିତ ରାତ୍ରିଭୋଜନ ପାଇଁ ଆସିଛନ୍ତି ଅନ୍ୟାନ୍ୟ ସମ୍ଭ୍ରାନ୍ତ ବ୍ୟକ୍ତିଗଣ ।

 

ସିଗ୍‌ନାଲ ପୋଷ୍ଟ ପାଖରେ ମଟରଟା ବନ୍ଦ ହୋଇଗଲା । ମିସ୍ ନୀରା ଚୁପ୍ ରହିଲେ । କାଉଲ୍ ଅନାଇଥାନ୍ତି ତାଙ୍କ ମୁହଁକୁ । ହାତଟି ପଡ଼ିଥାଏ କାଉଲ୍‌ଙ୍କ ବାହୁଉପରେ । ଗମ୍ଭୀର ହୋଇଗଲେ ନୀରା । ଆଉ କିଛି କହୁନାହାନ୍ତି ।

 

ସୂତାର ଖିଅ ଯୋଡ଼ି କାଉଲ ପଚାରିଲେ, ‘‘କହୁଥିଲ ସେ ରାତିରେ ଡିନର୍ କଥା । ଅନେକ ଲୋକ ଆସିଥାନ୍ତି ନା !”

 

‘‘ପ୍ରତ୍ୟେକ ଗଣିକାର ଏହି ପ୍ରକାର ଗଳ୍ପସବୁ ଥିବ । ଅନେକ ଶୁଣିଥିବ । ‘ବୋରିଂ’ ଲାଗିବ ତୁମକୁ ।’’ –କହିଲେ ମିସ୍ ନୀରା ।

 

‘‘ନୀରା ! ପ୍ରତ୍ୟେକ ଲୋକଙ୍କ ଜୀବନ ଗଳ୍ପର ସାମଗ୍ରୀ, କିନ୍ତୁ ତୁମ ଜୀବନର କଥା ଟିକେ ଅଧିକ ରୋମାଞ୍ଚକର । ତା’ଛଡ଼ା ତୁମ ବର୍ଣ୍ଣନାଟି ଆହୁରି ସୁନ୍ଦର ହେଉଛି । କୁହ ଶୁଣିବା ।’’

 

ନୀରା କହିଲେ–‘ଅତୀତକୁ ଆଉଡ଼େଇବାରେ ଅନେକ ସମୟରେ ଅନୁତାପ ଆସେ । ତଥାପି ସେ ଯନ୍ତ୍ରଣାଟି ସ୍ଵାଦୁକର ।’’

 

କାଉଲ୍ କହିଲେ, ‘ଓଟ ଯେମିତି କଣ୍ଟା ଖାଏ; ତା’ ଓଠରୁ ଜିଭରୁ ରକ୍ତ ବାହାରେ, ତଥାପି ତାକୁ ସେ ଉପଭୋଗ କରେ । ଆହୁରି ବେଶି ବେଶି ଖାଁଏ । ତୁମର ଏ ଯନ୍ତ୍ରଣା ହୁଏତ ସେଇ ଧରଣର ।’’

 

କାଭଲ୍ ଚିପିଧରିଲେ ନୀରାଙ୍କ ପାପୁଲିକୁ ନିଜର କୋଳଭିତରେ । ଝୁଙ୍କିଆସିଲେ ନୀରା କାଉଲଙ୍କ ଆଡ଼କୁ ମଟର ଭିତରେ । ହଠାତ୍ ଗୋଟାଏ ବ୍ରେକ୍ ଦେଲା ଡ୍ରାଇଭର ।

 

ନୀରା କହିଲେ, ‘ମୁଁ ଯେତେବେଳେ ଗାର୍ଲସ୍କୁଲରେ ପଢ଼ୁଥାଏ ଆମ ସାମନା ଘରେ ଥାଆନ୍ତି ମିଷ୍ଟର ବୋଷ । ତାଙ୍କର ଗୋଟିଏ ବୋଲି ପୁଅ । ଗୋଟାଏ ସାହେବ ସ୍କୁଲରେ ପଢ଼େ । ମୋର ମା’ ମଝିରେ ମଝିରେ ଯାଏ ତାଙ୍କ ଘରକୁ ବୋଧହୁଏ କିଛି କିଛି ଆର୍ଥିକ ସାହାଯ୍ୟ ପାଇଁ । ପରେ ଶୁଣିଲି ସେମାନେ ମୋର ପାଠପଢ଼ା ଖର୍ଚ୍ଚ ମଧ୍ୟ ଦେଉଥିଲେ । ତାଙ୍କର ଘର ଚଟାଣ ସବୁ ମାର୍ବଲ ପଥରରେ । ଘର ସାମନାରେ ଗୋଟାଏ ବଡ଼ ଉଲଗ୍ନ ସ୍ତ୍ରୀର ମୂର୍ତ୍ତି ଅଛି । ସେଇଟା କାଳେ ଆଣିଥିଲେ ବିଲାତରୁ । ମଝିରେ ମଝିରେ ତାଙ୍କ ସ୍ତ୍ରୀ ମତେ କହନ୍ତି– ‘ତୋ ପାଠ ସରିଲେ ଘରକୁ ତୋତେ ବୋହୂକରି ଆଣିବି ।’ ଅବଶ୍ୟ ଉପହାସରେ ହୋଇପାରେ, କିଛି ଆଶ୍ଵାସନା ପାଇଁ ମଧ୍ୟ କହିପାରିଥାନ୍ତି । କିନ୍ତୁ ଏପରି ଏକ ପରିସ୍ଥିତି ସମ୍ଭବ ବି ହୋଇପାରେ ସେଥିପାଇଁ ଖୁବ୍ ଗର୍ବ ଅନୁଭବ କରୁଥିଲି । ସ୍କୁଲରେ ସାଙ୍ଗମାନଙ୍କ ପାଖରେ କୁହେ, ‘ଭଗବାନଙ୍କ ଦୟାରୁ ପାଠ ଶୀଘ୍ର ସରିଯାନ୍ତା କି ବୋହୂ ହୋଇ ଯାନ୍ତି ସେ ମାର୍ବଲ ଚଟାଣ ଘରକୁ ।’

 

ବିବାହଯୋଗ୍ୟ ହେଲି ଖୁବ୍ କମ୍ ବୟସରୁ । ଦେହର ମାଂସପେଶୀ ପରିଷ୍କାର ଦିଶିଲାଣି-। ଦିନେ ସନ୍ଧ୍ୟାରେ ତାଙ୍କ ଘରୁ ଫେରୁଛି, ତାଙ୍କ ପୁଅ ସୌମେନ୍ ମୋତେ କୁଣ୍ଢାଇ ପକାଇଲା ସେ ସ୍ତ୍ରୀର ମୂର୍ତ୍ତିତଳେ । ଅନ୍ଧକାର ହୋଇଆସୁଥିଲା ।

 

କହିଲା, ‘‘ନୀରୁ ! ମୁଁ ତୁମକୁ ପ୍ରେମ କରେ । ବିବାହ କରିବି । ଆଜି ରାତିରେ ଆସ । ମୋର ସେ କୋଠରୀ ପାଖରେ ଅପେକ୍ଷା କରିଥିବି ।”

 

ଲାଜ ସରମରେ ସେ ରାତିରେ ଅଧମରା ହୋଇଗଲି । ମନେମନେ ଭାବିଲି, ଏ ତ ସବୁ ଦେବଦାସର କଥା ବୋଧହୁଏ । ପାରୁଲ ଯିବ ତା’ର ଦେବ ଦା’ ଘରକୁ । ସଂସାର, ସମାଜ ସମସ୍ତେ ପଛରେ ରହିବେ । ଅନ୍ଧକାର ହୋଇଥିବ ରାତ୍ରି । ପ୍ରେମର ନିମନ୍ତ୍ରଣ ଜଣାଇବ । ଆଖିଆଗରେ ସବୁ କଥା ପରିଷ୍କାର ଭାବରେ ଦେଖାଯାଉଥିଲା ।

 

ରାତିଅଧ ହେଲା । ମୁଁ ଛପି ଛପି ବାହାରିଲି ମୋ କୋଠରୀରୁ । ମା’ ଶୋଇଥାଏ । ଆସ୍ତେ ଆସ୍ତେ ଦରଜା ଖୋଲି ଦାଣ୍ଡକୁ ବାହାରିଲି । ଦେଖିଲି ରାସ୍ତାରେ ପୁଲିସବାଲା । ଦୌଡ଼ିକରି ଘରଭିତରକୁ ପଶିଆସିଲି । ପୁଲିସବାଲାଟା ସନ୍ଦେହ କଲା କିଏ ଚୋର ପଶିଛି କି କ’ଣ ? କବାଟ ବାଡ଼େଇଲା । ମା’ ଉଠିଲା । ଦେଖିଲା ମୁଁ ସାଜସଜ୍ଜା ହୋଇ ବାହାରିଛି କେଉଁଆଡ଼େ ଯିବି ବୋଲି । କାନ୍ଦି କାନ୍ଦି ସବୁ କଥା ତା’ରି ପାଖରେ କହିଲି ।

 

ତହିଁ ପରଦିନ ମା’ ପ୍ରସ୍ତାବ ପକାଇଲା ତାଙ୍କ ସ୍ତ୍ରୀଙ୍କ ପାଖରେ । ସେ ହସି ହସି ଗଡ଼ିଗଲେ । ମୁଁ ନିଜେ ଯାଇ ପଚାରିଲି ସୌମେନ୍‍କୁ । ସେ ବି ହସିଲା–କହିଲା–ସେ ତା’ କଲେଜରେ ସେଇପରି କାଳେ ଅନେକ ଝିଅଙ୍କୁ କହେ । କେତେକ ମଧ୍ୟ ତା’ ଘରକୁ ଆସନ୍ତି । ସେ ସମସ୍ତଙ୍କୁ ଯଦି ବିବାହ କରେ, ତା’ହେଲେ ତାକୁ କାଳେ ଗୋଟିଏ ବିରାଟ ହାରେମ୍ ରଖିବାକୁ ପଡ଼ିବ, ରାଜା ମହାରାଜାଙ୍କ ପରି ।

 

ସେ ଉପହାସ, ସେ ତାଚ୍ଛଲ୍ୟ ହସ ଆଜି ପର୍ଯ୍ୟନ୍ତ ମଝିରେ ମଝିରେ କାନରେ ପଡ଼େ । ତା’ପରେ ଆମେ ସେ ବସ୍ତି, ସେ ଘର ଛାଡ଼ି ବାହାରି ଆସିଲୁ ।

 

ଭାରି ମଜା କଥା ହେଲା । ସେଦିନ ରାତି ଡିନାରରେ ଦେଖେ ଯେ, ଅନ୍ୟମାନଙ୍କ ଭିତରେ ଆସିଛନ୍ତି ସୌମେନ୍ । ତାଙ୍କ ସାଥୀରେ ଆଉ ଜଣେ ନାରୀ । ତାଙ୍କର ସ୍ତ୍ରୀ । ମୁଁ ଅତିଶୀଘ୍ର ସେ ବୟସ୍କ ଲୋକଙ୍କ ପାଖକୁ ଯାଇ କହିଲି, ‘‘ମୋ ସଂକ୍ରାନ୍ତରେ ଯଦି କେହି ପଚାରେ, ଆପଣ କହିବେ ମୁଁ ଦିଲ୍ଲୀରୁ ଆସିଛି ଆପଣଙ୍କ ସାଙ୍ଗରେ ।’’

 

ଚମତ୍କାର ଭାବରେ ମୋ’ ଅବସ୍ଥାକୁ ପରିଚାଳନା କଲେ ସେ ପ୍ରୌଢ଼ । ମୁଁ ହେଲି ତାଙ୍କର ବ୍ୟକ୍ତିଗତ ସେକ୍ରେଟାରୀ । ବନ୍ଧୁବାନ୍ଧବମାନଙ୍କୁ ରିସେପ୍‌ସନ୍ ଦେବାପାଇଁ ମୋର ଚାକିରି ।

 

ସୌମେନ୍ ମୋତେ ପଚାରିଲେ, ‘‘ଆପଣଙ୍କୁ କେଉଁଠି ଦେଖିଲାପରି ମନେହେଉଛି ?’’

 

ଓଠ ଚାପି ଉତ୍ତର ଦେଲି, ‘ଗତ ଜନ୍ମରେ ହୁଏତ ହୋଇଥ‌ିବ, କିନ୍ତୁ ଏ ଜନ୍ମରେ କଲିକତାରେ ଏଇ ମୋର ପ୍ରଥମ ପଦକ୍ଷେପ ।’’ ଏଇ ଉତ୍ତରକୁ ଇଂରାଜୀରେ ତର୍ଜମା କରି ରିହର୍‌ସାଲ କରି ଆଗରୁ ରଖିଥାଏ । ଦେଖିଲି ସୌମେନ୍ ମୋ ଆଡ଼କୁ ଚାହିଁ ରହିଛି । କଥାବାର୍ତ୍ତାରେ ବିଶେଷ ମନଦେଉ ନାହିଁ । ଯୋଜନା କରି ଡିନାର୍ ଟେବୁଲରେ ମୋରି ପାଖରେ ବସିଲା । ମଝିରେ ମଝିରେ ଜାଣି ଜାଣି ମୋ’ ଗୋଡ଼ରେ ତା’ ଗୋଡ଼ ବଜାଇ ଦେଉଥାଏ । ମୁଁ ଏହି ଦୁର୍ଘଟଣାକୁ ପରିଷ୍କାର କରିଦେଉଥାଏ ତା’ର ନିକଟରେ ଆସୀନା ସ୍ତ୍ରୀଙ୍କ ପାଖରେ । କ୍ଷମା ମାଗୁଥାଏ ବାରମ୍ବାର ।

 

ମୁଁ ଯେତେବେଳେ ବାଥରୁମ୍‌କୁ ଯାଉଥାଏ, କିଛି ଆଳ କରି ସେ ମଧ୍ୟ ମୋ ପଛେ ପଛେ ଆସି, ଟିକିଏ ଧକ୍‌କା ଲଗାଇ ଦିଏ ଦେହରେ । ନହେଲେ ପଦେ ଦୁଇପଦ କଥା କହେ । ଅବାନ୍ତର କଥା ।

 

ସେ ଡିନାର୍ ପାର୍ଟି ଚାଲିଲା ରାତି ଦୁଇଟା ପର୍ଯ୍ୟନ୍ତ । ଖିଆହେଲା । ପିଆ ହେଲା । ଇଂରେଜୀ ନାଚ ହେଲା ସେ କୋଠରି ଭିତରେ । ମଦ ପିଇ ସମସ୍ତେ ମତୁଆଲା ହେଲେ । ସ୍ତ୍ରୀମାନେ ଗୋଟାଏ କୋଳରୁ ଅନ୍ୟ କୋଳକୁ ନୃତ୍ୟପାଇଁ ପରିବର୍ତ୍ତିତ ହେଉଥାନ୍ତି । କେବଳ ଭାଗୀଦାର ହେଉନଥାଏ ମୁଁ । ପ୍ରଥମତଃ ମୁଁ ଏସବୁ ଜାଣିନଥାଏ । ଦ୍ଵିତୀୟରେ ସେ ଭଦ୍ରଲୋକଙ୍କର ପ୍ରତିଷ୍ଠା ମଧ୍ୟ ବଞ୍ଚାଇବାକୁ ହେବ । କାରଣ ମୁଁ ତାଙ୍କ ସେକ୍ରେଟାରୀ । ତୃତୀୟରେ ଏ ପରିସ୍ଥିତି, ଏ ଭୂମିକା, ଏ ପରିସର ସବୁ ମୋ ପାଇଁ ନୂଆ । ମୁଁ ଖାଲି ଦେଖୁଥାଏ । ଚାହୁଁଥାଏ । ମନଭିତରେ କେମିତି ଗୋଟାଏ ଉଚ୍ଛୃଙ୍ଖଳତା ଆସୁଥାଏ । ଭାବୁଥାଏ ନିର୍ମଳାଟା ଆହୁରି ମରିବା ଆବଶ୍ୟକ । ମିସ୍ ନୀରାଙ୍କୁ ଦେଖୁଥାଏ ଏଇ ଉପସ୍ଥିତ ନାରୀମାନଙ୍କ ଭିତରେ ।

 

କିଛି ସମୟ ପରେ ସୌମେନ୍ ଆସି ମୋତେ ଗୋଟାଏ ଆଲୋଚ଼ନା ବାହାନାରେ ସେ କୋଠରିରୁ ଅନ୍ୟ କୋଠରିକୁ ନେଇଗଲେ । ମୋର ଦୁଇବାହୁକୁ ଜୋର କରି ଧରିପକାଇଲେ । ମୁଁ ଜୋର କରି ମୁକ୍ତି ନେଲି । ଆଖିଆଗରେ ଖେଳିଗଲା ସେହି ଉପହାସ, ସେହି ତାଚ୍ଛଲ୍ୟ ହସ । କ୍ରୋଧ ହେଲା । ଠାଏ କରି ଚଟକଣାଟିଏ ପକାଇଲି ତାଙ୍କରି ଗାଲରେ । ସୌମେନ୍ ମୁହଁରେ କିପରି ଗୋଟାଏ ହିଂସ୍ର ଦୃଷ୍ଟି ଅଛି, ଘୃଣ୍ୟଦୃଷ୍ଟି । କୌଣସି ସ୍ତ୍ରୀ ଏପରି ପୁରୁଷକୁ ଚାହିଁବ ନାହିଁ । ସେ ମାର୍ବଲ ଚଟାଣ ପାଇଁ ସିନା ମୋ’ର ଆକାଂକ୍ଷା ଥିଲା, ନଚେତ୍ ସେ ପୁରୁଷଟା ପାଇଁ ମୋର କେବେ କିଛି ଆଗ୍ରହ ନଥିଲା । ଏ ଘଟଣାକୁ ମଧ୍ୟ ବର୍ଣ୍ଣନା କଲି ତାଙ୍କ ସ୍ତ୍ରୀଙ୍କ ପାଖରେ । ଉତ୍ତ୍ୟକ୍ତା ହେଲେ ସ୍ତ୍ରୀ । ମୁଁ ନେଲି ପ୍ରତିଶୋଧ ।

 

ଭଦ୍ରଲୋକ, ଭଦ୍ରମହିଳାମାନେ ବିଦାୟ ନେଲେ, କିନ୍ତୁ ସେ ଗପର ‘ଆଲିସ୍’ ଝିଅପରି ଏକ ନୂଆ ଜଗତକୁ ଆସିଲି । ଏତେ ଉଚ୍ଚସ୍ଥାନ, ଏତେ ସମ୍ଭୋଗ, ଏତେ ସହଜରେ ପ୍ରାପ୍ୟ ? ସେ ଟାଇପ୍, ସେ ଶିକ୍ଷୟିତ୍ରୀ, ସେ ଦୋକାନ କାମ ଏତେ ଯନ୍ତ୍ରଣାଦାୟକ ଥିଲା, ତଥାପି ବଞ୍ଚିବା ଦୁଷ୍କର ହେଉଥିଲା । ବର୍ତ୍ତମାନ କେତେକ ସମୟପାଇଁ ନିଜର ରୂପ ପରିବର୍ତ୍ତନ କଲି । ଉପଭୋଗ କଲି ସବୁଠୁ ଐଶ୍ଵର୍ଯ୍ୟପୂର୍ଣ୍ଣ ବାସସ୍ଥାନ, ସୁନ୍ଦରତମ ସୁଖାଦ୍ୟ, ଧନାତ୍ମ୍ୟ, ପ୍ରତିଷ୍ଠିତ ଜନତାର ସାନ୍ନିଧ୍ୟ–ସାମାନ୍ୟ ମୂଲ୍ୟବୋଧର ବିନିମୟରେ ।

 

ସେହିଦିନ ରାସ୍ତାର ପରିବର୍ତ୍ତନ ହେଲା, ରୂପର ପରିବର୍ତ୍ତନ ହେଲା, ନାମର ପରିବର୍ତ୍ତନ ହେଲା । ପଦେ ପଦେ ଅନ୍ଧକାର ଗହ୍ଵର ଭିତରକୁ କ୍ରମେ ଆଗେଇଲି । ହେଲି ଗଣିକା । ସୌମେନ୍ ଆସିଛି । ମୁଁ ମୋର କୋଠରିର ଚଟାଣକୁ ମାର୍ବଲ ପଥରରେ କରିଛି, ତା’ରି ସ୍ତ୍ରୀର ଗହଣା ଜରିଆରେ କରିଛି । ସେ ଦୋକାନ ମାଲିକଙ୍କର ପୂର୍ବବନ୍ଧୁମାନେ ବ୍ୟାକୁଳ ଭାବରେ ଅପେକ୍ଷା କରିଥାନ୍ତି ମୋର ଆଦେଶପାଇଁ । ମଝିରେ ମଝିରେ ନୃତ୍ୟ କରି ସେମାନଙ୍କୁ ଉଚ୍ଛୃଙ୍ଖଳ କରେ । କେହି ଚାହିଁଲେ କହେ, ଅନ୍ୟ ରାତ୍ରିକୁ ବା ସେମାନଙ୍କର ଯଥେଷ୍ଟ ଅର୍ଥ ନାହିଁ ମୋତେ ଉପଭୋଗ କରିବାପାଇଁ । ହେଲି ପତିତା । କିନ୍ତୁ ପାଇଲି ଅର୍ଥ, ସମ୍ଭୋଗ, ଐଶ୍ୱର୍ଯ୍ୟ । ମନ୍ଦ ନୁହେଁ । କିଛି ବନ୍ଧନ ନାହିଁ । ଅଥଚ୍ ନାରୀତ୍ୱର ସମସ୍ତ ସୁଯୋଗର ଉପଭୋଗ କଲି ।”

 

କାଉଲ୍ ପଚାରିଲେ, ‘‘ସମସ୍ତ ସୁଯୋଗ ?’’

 

କିୟତ୍ ମୁହୂର୍ତ୍ତ ପାଇଁ ଚିନ୍ତା କଲେ ନୀରା । କହିଲେ, ‘‘ଅନେକ ।’’

 

ତାଙ୍କର ଘର ଠିକଣାରେ ଗାଡ଼ି ଲାଗିଲା । କାଉଲ୍ ଦେଖିଲେ ଘର ସାମନାରେ ସିମେଣ୍ଟରେ ତିଆରି ଗୋଟିଏ ଉଲଗ୍ନ ନାରୀର ମୂର୍ତ୍ତି । ଘରର ଚଟାଣ ହୋଇଛି ଧଳାକଳା ମାର୍ବଲ ପଥରରେ ଖଞ୍ଜା ।

 

ନୀରା କହିଲେ, ‘ଜୀବନର ଅନେକ କଥା ଗପି ଦେଇଗଲି । ମୋତେ ଘୃଣା କରିବାର ସୁଯୋଗ ଦେଇଛି । ସେଥିପାଇଁ ବାଧ୍ୟ କରିବି ନାହିଁ । କିନ୍ତୁ ଘରଭିତରକୁ ଆସିବାପାଇଁ ନିମନ୍ତ୍ରଣ ଜଣାଉଛି ।’’

 

ଘରଭିତରକୁ ଗଲେ କାଉଲ୍ । ପଚାରିଲେ, ‘ନୀରା ! ବାପା ମା’ ତୁମର କାହାନ୍ତି ?”

 

କୋଠରି ଦେଖାଇଦେଲେ ନୀରା । ବୃଦ୍ଧାମାତାଙ୍କୁ ପ୍ରଣାମ ଜଣାଇଲେ କାଉଲ । ରୁଗ୍‌ଣ ପିତାଙ୍କ ପାଖରେ ଆସୀନ ହେଲେ କେତେକ ସମୟ ପାଇଁ । ଦେଖିଲେ ଦାରିଦ୍ର୍ୟ ଓ ତତ୍ପରବର୍ତୀ ଐଶ୍ୱର୍ଯ୍ୟ ସେମାନଙ୍କର ବ୍ୟକ୍ତିତ୍ୱକୁ ରୁଦ୍ଧ କରିଦେଇଛି । ଲକ୍ଷ୍ୟକଲେ ଦାରିଦ୍ର୍ୟର ଦୁଃଖ, ଐଶ୍ୱର୍ଯ୍ୟ, ଲଜ୍ଜାର କ୍ଷତବିକ୍ଷତ ଦାଗ ।

 

ବୃଦ୍ଧାମାତା କାଉଲଙ୍କୁ କହିଲେ, ‘‘ବାବା ! ଏ ଅଭିଶପ୍ତ ଜୀବନ । ଏହାଠାରୁ ମୃତ୍ୟୁ ବରଂ ଶ୍ରେୟସ୍କର । କିନ୍ତୁ ଜୀବନର ତ ଲୋଭ ଅଛି ! ଗତ ବର୍ଷ ବର୍ଷ ଧରି ଆମେ ଘରୁ ପଦାକୁ ବାହାରି ନାହୁଁ । କୌଣସି ବନ୍ଧୁବାନ୍ଧବଙ୍କ ସହିତ କୌଣସି ସମ୍ପର୍କ ନାହିଁ । ଆମେ ଗଣିକାର ପିତାମାତା ।”

 

କାଉଲ୍ ଭାବିଲେ ଲେଖକ, ଚିତ୍ରକର, ଗଣିକାର ଇତିହାସ ଲେଖିଛନ୍ତି । କିନ୍ତୁ ସେମାନଙ୍କର ପିତାମାତା–ଯେଉଁମାନେ ଅପମାନର ଅଗ୍ନିରେ ଅହରହ ଜ୍ଵାଳା ପାଉଛନ୍ତି, ସେମାନଙ୍କର ଦୁଃଖ ହେଉଛି ଆହୁରି ବାସ୍ତବ, ଆହୁରି ମର୍ମନ୍ତୁଦ । ସେମାନଙ୍କର ଦୁଃଖର କୌଣସି ପ୍ରତିଦାନ ନାହିଁ । ପ୍ରତ୍ୟୁତ୍ତର ନାହିଁ ।

 

କୋଠରି ଭିତରେ ଛିଡ଼ାହୋଇ କାଉଲ୍ ଦେଖୁଛନ୍ତି–‘ଶିକାରୀର ଶରବିଦ୍ଧ, ଆସନ୍ନମୃତ ଦୁଇଟି କ୍ଷୁଦ୍ରପକ୍ଷୀ । କୌଣସି ସାହାଯ୍ୟ ନାହିଁ । କିଛି ସମର୍ଥନ ନାହିଁ । ସମଗ୍ର ସଂସାରରେ ସେମାନେ ହୀନତମ । ଯନ୍ତ୍ରଣାରେ ଉତ୍‌କ୍ଷିପ୍ତ ହେଉଅଛି ଦୁଇଟି ପ୍ରାଣ ।

 

କିଛି ସମୟ ଅପେକ୍ଷା କରି ନିର୍ଗତ ହେଲେ କାଉଲ୍ ସେ କୋଠରିରୁ । ବାହାରେ, ପରଦାର ପଛଆଡ଼େ ଦେଖିଲେ ଛିଡ଼ାହୋଇଛନ୍ତି ନୀରା । ଆଖିରେ ଲୁହ ଭରିଯାଇଛି । କାକୁତି ମିନତି କରି କ୍ଷମା ଚାହିଁଲା ପରି ଅନାଉଛନ୍ତି କାଉଲ୍‍ଙ୍କୁ । କାଉଲ୍ ନୀରାଙ୍କର ଦୁଇଟି ହାତଧରି କହିଲେ–

 

‘‘ନୀରା ! ଲୋତକ ଭବିଷ୍ୟତର ପଥକୁ ଝାପ୍‌ସା କରେ । ପାଦ ହେବ ଦୁର୍ବଳ । ସମ୍ଭବ ହେବନାହିଁ ପ୍ରଗତି ।’’

 

ଦୁଇଟି ଅବାଧ୍ୟ ଟୋପା କାଉଲ୍‌ଙ୍କ ହାତ ଉପରେ ପଡ଼ିଲା । ନୀରା ନିଜକୁ ସଂଯତ କରି ରହିପାରିଲା ନାହିଁ । ଆଶ୍ରୟ ନେଲେ କାଉଲ୍‌ଙ୍କ କୋଳରେ । ଲୁହର ଧାରା ବୋହିଯାଉଥାଏ । ନୀରା କହୁଥାଆନ୍ତି ‘‘କାଉଲ ସାହେବ ! ଏ ନର୍କରୁ ମୁକ୍ତି ଚାହେଁ, ନିଷ୍କୃତି ଚାହେଁ । ଏ ଜୀବନରେ ସୁଖସମ୍ଭୋଗ ବିଷୟରେ ଯାହା କହିଛି ସେ ସବୁ ମିଛ, ସବୁ ପ୍ରତାରଣା । ଜୀବନ ଅସହ୍ୟ ମନେହେଉଅଛି । ସହ୍ୟ ହେଉନାହିଁ ଏ ଅପମାନ, ଏ ଘୃଣା, ଏ ଜୀବନ ।’’

 

କିଛିକ୍ଷଣ ପରେ କାଉଲ୍ ବିଚ୍ଛିନ୍ନ କଲେ ନୀରାଙ୍କୁ ନିଜ ଶରୀରରୁ । କହିଲେ, ‘‘ନୀରା, କଳଙ୍କର କ୍ଷମା ଅଛି, କିନ୍ତୁ ଅସହାୟତାର କୌଣସି ପରିପୂରକ ନାହିଁ । ଛିଡ଼ାହୋଇ ଶିଖ ନିଜ ଗୋଡ଼ରେ । ମୁକାବିଲା କର ଜଗତକୁ, ସଂସାରକୁ ।”

 

ଲୁହ ପୋଛି ନୀରା ସ୍ଥିର ଭାବରେ ଛିଡ଼ାହେଲେ ଗ୍ରୀକ୍ ଦେଶର ପ୍ରସ୍ତର ମୂର୍ତ୍ତି ପରି ।

 

ବିଦାୟ ନେଲେ କାଉଲ୍ ।

 

* * *

 

ଦୁଇବର୍ଷ ପରେ ଫେରିଆସିଲେ କାଉଲ୍ ପୁଣି ସେ ସହରକୁ । ଉଡ଼ାଜାହାଜରୁ ଓହ୍ଲାଇ ହୋଟେଲରେ ପହଞ୍ଚି ସର୍ବପ୍ରଥମେ ଗଲେ ନୀରାଙ୍କ ଘରକୁ । ସେତେବେଳକୁ ସନ୍ଧ୍ୟା ହୋଇଆସିଲାଣି । ଆଲୋକସବୁ ଫୁଲର ମାଳାପରି ସଡ଼କକୁ ସଜାଇ ଦେଇଛି ।

 

ଘରଭିତରେ ପହଞ୍ଚି ଭେଟିଲେ ନୀରାଙ୍କୁ । ଦେଖିଲେ ସେ ରୂପର ମାଦକତା ନାହିଁ । ସେ ଚାହାଣିରେ ଆଉ ନାହିଁ ଉଚ୍ଚାଙ୍ଗ ଇଙ୍ଗିତ । ଶାନ୍ତ, ଶୁଭ୍ର, ରୂପପ୍ରାଙ୍ଗଣର ତୁଳସୀଗଛ ପରି ପ୍ରସାଧନବିହୀନ ନୀରା । ବିଧବାର ଗୌରବରେ ଉଦ୍ଭାସିତ । କିଛିକ୍ଷଣ ଦୁହେଁ ଦୁହିଁଙ୍କୁ ଚାହିଁଲେ ।

 

ନୀରା କହିଲେ, ‘‘କାଉଲ୍ ! ତୁମେ ମନୁଷ୍ୟ ନୁହଁ–ତୁମେ ମହାତ୍ମା ।’’

 

‘‘ନୀରା ! ଏହାକୁ ତୁମେ ଲେଖ । ମୁଁ ପ୍ରଚାରପତ୍ର କରି ବାଣ୍ଟିବି । ଗୋଟିଏ ପରିଣାମ ନିଧାର୍ଯ୍ୟ । ତୁମେ ପୂର୍ଣ୍ଣ ପାଗଳ ବୋଲି ସାବ୍ୟସ୍ତ ହେବାରେ କିଛି ବାଧା ରହିବ ନାହିଁ ।’’

 

କାଉଲ୍ ପଚାରିଲେ, ‘‘ବାପା ମାଆ କାହାନ୍ତି ?’’

 

‘‘ଯାଇଛନ୍ତି କାଳୀ ମନ୍ଦିରକୁ ।’’

 

ନୀରା କହିଲେ, ‘‘କାଉଲ୍ ! ଜାଣେ, ତୁମର ଧନର ହୁଏତ ଅଭାବ ନାହିଁ । କିନ୍ତୁ କାହିଁକି ବିଲୟ କଲ ତୁମର ଏତେ ଅର୍ଥ ? କାହିଁକି ଏ ତ୍ୟାଗ ? କାହିଁକି ବଞ୍ଚିତ କଲ ନିଜର ପରିବାରକୁ ?”

 

କାଉଲ୍ କହିଲେ, ‘‘ନୀରା, ଜୀବନରେ ମୁଁ ପିତୃମାତୃହରା । ଭାବିଲି ଏ ଦୁଇଜଣଙ୍କ ଯନ୍ତ୍ରଣାର ଉପଶମ କରିବି । ତା’ଛଡ଼ା ଏ ଯେଉଁ ଅର୍ଥ, ଏହାର ଜନ୍ମ ମଧ୍ୟ କଳଙ୍କରୁ । ସେଦିନ ତୁମ ଘରୁ ଯାଇ ଅଫିସରେ ଗୋଟିଏ କଥାବାର୍ତ୍ତା ହେଲା । କଳାବଜାର କଥା । ଯାହା ମୋର ପ୍ରାପ୍ୟ ତା’ଠୁ ଅଶେଷ ଅଧିକ ଅର୍ଥ ପାଇଲି । ଭାବିଲି ଏହାଉପରେ ଅଧିକାର ତୁମ ପିତାମାତାଙ୍କର, ତୁମର ବି ।’’

 

ସେଦିନ ସନ୍ଧ୍ୟାରେ ଖୁବ୍ ଅସ୍ୱସ୍ତି ଅନୁଭବ କରିଥିଲେ କାଉଲ୍ । ତାଙ୍କର ଆଖିଆଗରେ ଦେଖାଯାଉଥିଲା । ବୃଦ୍ଧ, ରୁଗ୍‌ଣ ଦୁଇଟି ଅସହାୟ ଶରୀର । ଚେଷ୍ଟାକଲେ ସ୍ମରଣ କରିବାପାଇଁ ନିଜର ପିତାମାତାଙ୍କୁ । କୌଣସି ଚିତ୍ର ମନରେ ଧରିଲା ନାହିଁ । ଭାବିଲେ ଏହିପରି ହତାଶ ହୋଇ ବିଲୁପ୍ତ ହୋଇଥିବେ ତାଙ୍କର ନିଜ ପିତାମାତା । ପିତାମାତା ପ୍ରତି ଜାଗ୍ରତ ହେଲା କାଉଲଙ୍କ ମମତା-। ସେ ସନ୍ଧ୍ୟାରେ ସମସ୍ତ ଉପାର୍ଜନର ଗୋଟାଏ ଅଂଶ ପଠାଇଲେ କାଉଲ୍, ନୀରାର ପିତାମାତାଙ୍କ ଉଦ୍ଦେଶ୍ୟରେ । ଲେଖିଲେ, ‘କାଉଲର ଏହା ହେଉଛି ତା’ର ପିତାମାତାଙ୍କ ପ୍ରତି ଅର୍ଘ୍ୟ, ପ୍ରଣାମୀ-। ଏ ଅର୍ଥର ସାହାଯ୍ୟରେ ତାଙ୍କର ଭବିଷ୍ୟତ ଜୀବନ ବିତାଇଦେଇପାରିବେ ।”

 

ନୀରାକୁ ପଠାଇଲେ ଅନ୍ୟ ଏକ ଅଂଶ । ଲେଖିଲେ ‘‘ନୀରା ! ଯଦି ଚାହଁ, ଏହି ଅର୍ଥର ବିନିମୟରେ ତୁମେ ଫେରିଆସିପାରିବ ତୁମର ପୂର୍ବ ଜୀବନକୁ, ଯାହା ଶୁଦ୍ଧ, ଯାହା ପବିତ୍ର ବୋଲି ମନେକର । ନଚେତ୍ ଏହାକୁ ତୁମର ଅତୀତ ଜୀବନର ବର୍ଣ୍ଣନାର ପୁରସ୍କାର ସ୍ୱରୂପ ଗ୍ରହଣ କରିବ-।”

 

ନୀରା ସ୍ଥାପନ କରିଛନ୍ତି ବିଦ୍ୟାଳୟ–ପତିତା ଗଣିକାର ଶିଶୁମାନଙ୍କ ଉଦ୍ଦେଶ୍ୟରେ । ନିଜର ଚେଷ୍ଟା, ଅନ୍ୟର ସାହାଯ୍ୟରେ ଗଢ଼ିଉଠିଛି ଏ ଅନୁଷ୍ଠାନ । ଅର୍ଥର ଆଗମନ ବ୍ୟତୀତ ନୀରା ଫେରିପାଇଛନ୍ତି ବିଲୁପ୍ତ ସମ୍ମାନର ବିଗତ ପ୍ରତିଷ୍ଠା ।

 

ନୀରା କହିଲେ, ‘‘ତୁମର କି ରୀତି ଅଛି ଜାଣେନାହିଁ । ଆମର ଏଠି ମୁଣ୍ଡରେ ଟିପାଦେଇ ପ୍ରଣାମ ଜଣାଇ ଅନ୍ୟକୁ ଭାଇ ବୋଲି ଗ୍ରହଣ କରାଯାଏ, ଅବଶ୍ୟ ଯଦି ସେ ଭାଇର ଆପତ୍ତି ନ ଥାଏ ।’’

 

କାଉଲଙ୍କ ମୁଣ୍ଡରେ ଟିପାଦେଲେ ନୀରା । ପ୍ରଣାମ ଜଣାଇଲେ କାଉଲଙ୍କ ପାଦତଳେ । ନୀରାଙ୍କୁ ଆଶୀର୍ବାଦ ଜଣାଇଲେ କାଉଲ୍ । କୋଳକୁ ଟାଣିନେଲେ । କୋଳ ଭିତରେ ଶିଶୁଟି ପରି ଚାହୁଁଥାନ୍ତି ନୀରା କାଉଲଙ୍କର ମୁହଁକୁ । କାଉଲ୍ ଦେଖିଲେ ନୀରାଙ୍କର ଏ ନୂତନ ରୂପ । ମମତାଭରା, କୋମଳ, ଶାନ୍ତ, ପବିତ୍ର ନାରୀତ୍ଵ ।

 

ରାତ୍ରି........

 

ପ୍ରିନସେସ୍‌ରେ ଡିନାର ସାଙ୍ଗରେ କାବାରେ ଚାଲିଛି, ମେକ୍‌ସିକୋ ଦେଶର ଉଲଗ୍ନ ନୃତ୍ୟର ଦୃଶ୍ୟ । ମଦିରାଭରା ହୃଦୟକୁ ଚଞ୍ଚଳ କରୁଛି । କାଉଲ୍ କହିଲେ, ‘‘ଦାସ ସାହେବ ! ପାପର କରାମତି କ’ଣ ଜାଣ ? ଦର୍ପୀ କର୍ଣ୍ଣର ଉଦ୍ଧତ ଭାରା ସହି ନପାରି ଲକ୍ଷ୍ମୀ କାଳେ ତାଙ୍କୁ ପ୍ରତ୍ୟହ ଭାରେ ସୁନା ଉପହାର ଦେଉଥିଲେ । ମୋ ପାଇଁ କିନ୍ତୁ ମିଳିଲା ଅଜସ୍ର ବ୍ୟାଙ୍କ୍ ବାଲାନ୍ସ । ମୋ ପାପର ଭାର ବୋଧହୁଏ ସହ୍ୟ କରିପାରିଲେ ନାହିଁ ମା’ ଲକ୍ଷ୍ମୀ । ମଝିରେ ମଝିରେ ମତେ ଦେଲେ ଫରେନ୍ ଏକ୍‌ସଚେଞ୍ଜ ।’

 

‘‘ଲକ୍ଷ୍ମୀଙ୍କ ଉପହାର ତ ସସମ୍ମାନେ ଆସୁଥିଲା, ନର୍ତ୍ତକୀମାନଙ୍କ ଗହଣରେ । ତୁମ ପାଇଁ କ’ଣ କଷ୍ଟମସ୍ ?’’

 

‘‘ମୋ କ୍ଷେତ୍ରରେ ନର୍ତ୍ତକୀମାନେ ସବୁବେଳେ ଉର୍ବଶୀ, ମେନକା ନଥିଲେ–ମଝିରେ ମଝିରେ ଆଲିବାବାର ସାଓନାରା ମଧ୍ୟ ଥିଲେ । ଗୋଟିଏ ହାତରେ ସୁରା ପିଆଲା ବଢ଼ାଇଦେଇ ଆରହାତରେ ଥିଲା ଛୁରା ବନ୍ଦୋବସ୍ତ । ବେଳେବେଳେ ଫୁଲର ମାଳା ପରିବର୍ତ୍ତେ ଲୁହାର ହାତକଡ଼ି ମଧ୍ୟ ପହଞ୍ଚେ । କିନ୍ତୁ ସେଇ ପାପର ଭରସାରେ କେତେ ଯେ ଜୀବନ ସାହାରା ଟପିଛି, ତା’ର ଇୟତ୍ତା ନାହିଁ । ସାମାନ୍ୟ ଉପହାର, ସାମ୍ୟ ବଣ୍ଟନ ବା କେତେକ କ୍ଷେତ୍ରରେ ମାମୁଲି ଜୋରିମାନା ଦେଇ ମୁକୁଳିଛି ।’’

 

ଟିକିଏ ନିଃଶ୍ୱାସ ମାରି ପୁଣି କହିଲେ, ‘‘ମନେହୁଏ ପୁଣ୍ୟଟା ଦୋଦୁଲ୍ୟମାନ ସୁପରଫିସିଆଲ୍ । ବିଶ୍ଵାସ କରାଯାଇ ପାରେନାହିଁ । କିନ୍ତୁ ପାପଟାର ସୁଦୃଢ଼ ଗଭୀର ଭିରି, ସର୍ବଦା ନିର୍ଭରଯୋଗ୍ୟ । ଶିଶୁକୁ ଦେଖ । ତା’ର କେତେ ହିଂସା, କେତେ ଲୋଭ, ଗୋଟିଏ ଖେଳନା ପାଇଁ, ଖଣ୍ଡେ ପୋଷାକ ଲାଗି । ସାମାନ୍ୟ ପଦାର୍ଥପାଇଁ ଅନ୍ୟ ସହିତ ଯୁଦ୍ଧ ଘୋଷଣା କରେ ଅକୁଣ୍ଠିତ ଚିତ୍ତରେ । କିନ୍ତୁ ତ୍ୟାଗପାଇଁ, ସତ୍ୟପାଇଁ, ସେବାପାଇଁ, ବୁଦ୍ଧ, ଯୀଶୁ, ମହମ୍ମଦ, ଗାନ୍ଧୀ ମୁଣ୍ଡ ବାଡ଼େଇ ବାଡ଼େଇ ରହିଲେ । ପୋଣ୍ଡ୍ ଉପରେ ପୋଥ୍ ସରିଗଲା । ମନ୍ଦିର, ଗୀର୍ଜା, ମଦରୁ ଉଚ୍ଚକଣ୍ଠରେ ଚିତ୍କାର କରି କୁହାଗଲା । କିନ୍ତୁ ପରିଣାମରେ, ସ୍ୱାର୍ଥପାଇଁ ଅବଲମ୍ବନ ଛଡ଼ା, ତ୍ୟାଗ, ସତ୍ୟ, ସେବାର କୌଣସି ମୂଲ୍ୟ ଆଜି ନାହିଁ । ପାପ ଆଦିମ, ପାପ ମୌଳିକ । ପୁଣ୍ୟ ସୌଖୀନ, ପୁଣ୍ୟ କ୍ଷଣସ୍ଥାୟୀ-।’’

 

ପୁଣି ଟିକିଏ ସମୟ ଗୁମ୍ମାରି ରହିଯାଇ ଆରମ୍ଭ କଲେ କାଉଲ୍ । କହିଲେ, ‘ମନୁଷ୍ୟ ଇତିହାସର ଏ ବିଶାଳ ଦର୍ଶନକୁ ଆମେ ଓ ଆମପରି ବ୍ୟବସାୟୀମାନେ ବୋଧହୁଏ ଭଲଭାବରେ ଉପଲବ୍‌ଧ କରିଛୁ ।’’

 

‘‘କାଉଲ୍ ! ତୁମେ ଆକାଶକୁ ଚାହିଁ ଖାଲି ଦେଖିଲ ଘମାଘୋଟ ବାଦଲ, ଉଚ୍ଛୃଙ୍ଖଳ ବିଦ୍ୟୁତ୍, କର୍କଶ ବଜ୍ର । ଆଉ ସେଇ ଯେଉଁ କ୍ଷୁଦ୍ର ତାରା ଏ ସବୁକୁ ମୁକାବିଲା କଲା–ଶାନ୍ତ ଭାବରେ; ଶେଷରେ ତା’ର ହେଲା ବିଜୟ । ହେଉପଛେ ରାତ୍ରିର ଶେଷ ପ୍ରହର, କିନ୍ତୁ ବିଜୟ ତ ! ଦୂରକୁ ଚାହିଁ ଖାଲି ଦେଖିଲ ରୂପହୀନ, ସଂଜ୍ଞାହୀନ, ଅସୁରାକାର ଦ୍ରୁମ । କିନ୍ତୁ ଯେଉଁ ସୂକ୍ଷ୍ମ ଫୁଲଟି ଏକ କ୍ଷୁଦ୍ର ଲତାର ଆଶ୍ରାରେ ଫୁଟିଉଠିଲା, ଅନ୍ୟକୁ ଦେଲା କୋମଳତା, ଶାନ୍ତି, ତା’ର ଅସ୍ତିତ୍ଵର କିଛି ମୂଲ୍ୟ ନାହିଁ ତୁମ ପାଖରେ ?’’

 

‘‘ଦାସ ସାହେବ ! ମତେ ଲାଗେ ସତ୍ୟ, ଶାନ୍ତି, କୋମଳତା, ଏ ତାରା, ଏ ଫୁଲକୁ ଗୁନ୍ଥି କବିତା ଚଳେ, କିନ୍ତୁ ଜୀବନ ହୁଏ ଦୁର୍ବିସହ । କହ ଏ ମାର୍ବଲ ଫ୍ଲୋର୍, ଏ ଡ୍ରାଇ ସେରି, ଏ ଚାଇନିଜ୍ ଡିନାର୍, ଏ ରୂପସୀ ନାରୀ, ଏ ଗ୍ରନ୍ଥମାଳାର ବିକଳ୍ପରେ ଚାହିଁ ବି ଅନ୍ଧକାର, ଦାରିଦ୍ର୍ୟ, ଘନ ଅପଚୟ-? ମନ କଳଙ୍କିତ ହେବ, ଶରୀର ହେବ କ୍ଷୁଣ୍ଣ, ଚିନ୍ତା ହେବ ବିଚଳିତ ।’’

 

‘‘କାଉଲ୍ । ଏ ଦୁଇଟି ପରିଣତି ମଧ୍ୟରେ ଗୋଟାଏ ଗୋଲଡେନ୍ ମିନ୍ ଅଛି । ମଝିର ସଡ଼କ ।’’

 

‘‘ଦାସ ସାହେବ ! ସେଟା ବୋଧହୁଏ ଆକ୍‌ସିଡେଣ୍ଟ, ଦୁର୍ଘଟଣା । ଯେକୌଣସି ଦିଗକୁ ଯାତ୍ରା ପଥରେ ପାନ୍ଥଶାଳା ମାତ୍ର । ଦୁଇ ପରିଣତି ଭିତରେ ଗୋଟାଏ ଉଦ୍ଦେଶ୍ୟ କରି ଯାତ୍ରା ଅବଶ୍ୟମ୍ଭାବୀ, ପ୍ରକାଶ୍ୟରେ ହେଉ ବା ଅବଚେତନାରେ ହେଉ, ରାତ୍ରିରେ ଯେଉଁଠି ଆଶ୍ରୟ ନିଆଯାଏ, ସେଇଠି ଯାତ୍ରାର ଶେଷ ସ୍ଥାନ ନୁହେଁ ।’’

 

‘‘ନଦୀକୋଳରେ ଯେଉଁ ବାଲିକଣା ଆମେ ଦେଖୁ, ସେମାନେ ଜନ୍ମରୁ ସେମିତି ନ ଥିଲେ-। ହୁଏତ ଉତ୍ପତ୍ତି ବେଳେ ଥିଲେ ବିରାଟ ପ୍ରସ୍ତରଖଣ୍ଡ । ଆସିଲା ତୋଫାନ, ଆସିଲା ବର୍ଷା, ଆସିଲା ତୁଷାର । ଭାଙ୍ଗିଭୁଙ୍ଗି ଠେଲିଦେଲେ । ଗଡ଼୍‍ଡ଼ାଳିକା ଭିତରେ ଆଶ୍ରୟ ନେଲେ ନଦୀର ବକ୍ଷ ଉପରେ-। କେତେ ପାହାଡ଼, ଜଙ୍ଗଲ ଟପି ଧ୍ଵସ୍ତବିଧ୍ଵସ୍ତ ହେଲା ଅଙ୍ଗ । କ୍ଷୁଦ୍ରରୁ କ୍ଷୁଦ୍ରତର ହେଲେ-। ଅବଶେଷରେ ପରିଣତ ହେଲେ ବାଲିକଣାରେ ।’’

 

କାଉଲ୍‌ଙ୍କ ଜୀବନ ଇତିହାସ, ପ୍ରକୃତିର ଏ ଭୌଗୋଳିକ ବିବର୍ତ୍ତନ ପରି । କାଉଲ୍‌ଙ୍କ ବଂଶଧରଙ୍କର ଆର୍ଥିକ ସ୍ୱଚ୍ଛଳତା ଥିଲା ଆଇସ୍‌ବର୍ଗ ଭଳି । ଜମିଦାରୀର ଆୟ ତାଙ୍କର ଦୃଶ୍ୟମାନ ସମ୍ପଦର କେବଳ ମାତ୍ର ଏକ ମାମୁଲି ଅଂଶ । ହିସାବ ରଖିବାଟା ନ୍ୟୁନତାର ପରିଚାୟକ ମନେକରି ପୂର୍ବତନ କାଉଲ୍‌ମାନେ ଗଚ୍ଛିତ ସୁନା, ଅର୍ଥର ହିସାବ ରଖୁନଥିଲେ । ଲକ୍ଷ୍ମୀଙ୍କ ଉପରେ ସେମାନଙ୍କର ବିଶ୍ଵାସ ଥିଲା ଅଖଣ୍ଡ ଓ ଅସୀମ । ଯୁଗଯୁଗ ପାଇଁ ସୁନାର ସାଞ୍ଜୁରେ ଯେ ଭବିଷ୍ୟତଟା ସଂରକ୍ଷିତ ଏ ବିଶ୍ଵାସରେ ବିଂଶ ଶତାବ୍ଦୀର ହରିଶ୍ଚନ୍ଦ୍ର ସାଜିଥିଲେ କାଉଲ୍‍ଜୀ, ଆମ କାଉଲଙ୍କର ପିତାମହ । କେହି କହେ, ଆପଣଙ୍କର ଏ ପାଟଲୁଗାଟା ସୁରମ୍ୟ, ସଙ୍ଗେ ସଙ୍ଗେ ସେହି ଧରଣର ଲୁଗା ମଗାହୋଇ ବଣ୍ଟନ ହେଉଥିଲା ଏ କଳାପ୍ରେମୀ ଗୋଷ୍ଠୀଙ୍କ ମଧ୍ୟରେ । ଆଉ କେହି ଯଦି କହେ ସହର ଭିତରେ ଦୂରରେ ରହିବା ତାଙ୍କ ପକ୍ଷରେ ଅଶେଷ କଷ୍ଟସାଧ୍ୟ, କାରଣ ଶ୍ରୀଛାମୁଙ୍କ ନିତ୍ୟ ନିୟମିତ ଦର୍ଶନରେ ଏ ଦୂରତ୍ୱ ଅନ୍ତରାୟ ହେଉଛି, ସଙ୍ଗେ ସଙ୍ଗେ ତୋଳା ହୋଇଯାଉଥିଲା ବାସସ୍ଥାନ, ନଚେତ୍ ପଶାଖେଳରେ କାଳେ ବାଧା ସୃଷ୍ଟି ହେବ ।

 

ଥରେ ବିଲାତର ଗୋଟିଏ କମ୍ପାନୀର ପ୍ରତିନିଧି ଆସିଥିଲା, କିଛି କ୍ରିକେରୀ ବିକିବାପାଇଁ-। ଅର୍ଡ଼ର ଦିଆଗଲା ପ୍ରତିନିଧିଙ୍କ ସମ୍ମାନାର୍ଥେ ଦୁଇଶହ ସେଫିଲଡ୍ ଛୁରି, ଦୁଇଶହ ଗ୍ଲାସ୍‌ଗୋ ପ୍ଲେଟ୍-। ତାଙ୍କ ଦୁଆରୁ କେହି ଖାଲିହାତରେ ଫେରିନାହିଁ ବୋଲି ଦଶକୋଶ ଭିତରେ ସୁନାମ ଥିଲା-। ମହାରାଷ୍ଟ୍ରର ଗୌରବର ଟୀକା ଥିଲେ କାଉ । ତାଙ୍କ ସଂକ୍ରାନ୍ତରେ କିମ୍ବଦନ୍ତୀ ଗାଁଏ ଗାଁଏ ଏବେ ବି ପ୍ରଚଳିତ ।

 

ବନ୍ଧୁମାନେ କହିଲେ, କାଉଲ୍‌ ଯିବେ ପୃଥ‌ିବୀ ପରିଦର୍ଶନରେ । ଭାରତବର୍ଷ, ବର୍ମା, ସିଂହଳରେ ସାଙ୍ଗସାଥୀମାନଙ୍କୁ ଘେନି ବୁଲିଲେ ବର୍ଷ ବର୍ଷ । ଫେରିଆସି ଦେଖନ୍ତି ଯେ, ଅଧିକାଂଶ ଜମିଦାରୀ ନିଲାମ ହୋଇଯାଇଛି । ପରିବାରର ଅନ୍ୟାନ୍ୟ ହିସାବୀ ବନ୍ଧୁମାନଙ୍କ ଦୟାରୁ କଚେରୀରେ ଚାଲେ ମକଦ୍ଦମା ।

 

ତାଙ୍କ ଅନ୍ତେ ତାଙ୍କ ପୁତ୍ର ଦାୟାଦ ହିସାବରେ ପାଇଲେ ଅଦାଲତରେ ଅସଂଖ୍ୟ ସାର୍ଟିଫିକେଟ ଓ ଜୁଆ-ପଶାର ଅଦମ୍ୟ ନିଶା । ଏଇ ଦୁଇକୁ ବଞ୍ଚାଇ ରଖିଲେ ଆଜୀବନ, ଘରର ଅର୍ଥ, ସୁନା, ଜମି, କୋଠା ଇତ୍ୟାଦିର ବିନିମୟରେ । କୌଣସି ପ୍ରକାରେ ଜୀବନ ବିତାଇଲେ ଆମ କାଉଲ୍‌ଙ୍କର ପିତା, ଅତୀତର ଗର୍ବ ଓ ପୁଞ୍ଜି ଦେଇ । ଆମ ଏ କାଉଲ୍‌ଙ୍କର ପୃଥ‌ିବୀରେ ଅବରୋହଣ ସମୟକୁ କାଉଲ୍ ପରିବାରର ଗୌରବ ଏକ ଐତିହାସିକ ବିଷୟବସ୍ତୁ ହୋଇ ରହିଯାଇଥିଲା । କାଉଲ୍‌ଙ୍କୁ ଯେତେବେଳେ ତିନିବର୍ଷ, ପିତା ବିଦାୟ ନିଅନ୍ତି ବୋଧହୁଏ ସ୍ୱର୍ଗକୁ । ପାଞ୍ଚବର୍ଷ ବେଳକୁ ମାତା ।

 

ବନ୍ଧୁବାନ୍ଧବହୀନ, ସମ୍ପତିହୀନ କାଉଲ୍ ଠିଆହେଲେ ଏକା ହୋଇ ସମଗ୍ର ପୃଥ‌ିବୀରେ ବଞ୍ଚିବାପାଇଁ ଓ ସଂଗ୍ରାମ କରିବାପାଇଁ । ଭବିଷ୍ୟତର ଜୀବନପାଇଁ ନା ଅଛି ପଥ, ନା ଅଛି ପାଥେୟ-। ଶୁଣାଯାଏ ଗ୍ରାମରେ ତାଙ୍କର ଦୂରସମ୍ପର୍କୀୟ ବନ୍ଧୁମାନେ ତାଙ୍କୁ ହତ୍ୟା କରିବାପାଇଁ କାଳେ ଚେଷ୍ଟା ବି କରିଥିଲେ ଯତ୍‍କିଞ୍ଚିତ ଅବଶିଷ୍ଟ ସମ୍ପତ୍ତିର ଲୋଭରେ । କିନ୍ତୁ ସାହାଯ୍ୟ କଲେ ଜଣେ ମାତୁଳ ସ୍ଥାନୀୟ ଆତ୍ମୀୟ । ପଠାଇଦେଲେ ବମ୍ବେ ସହରକୁ । ଭାବିଲେ, ହତ୍ୟାର ବିନା ଅଭିଯୋଗରେ ଉଦ୍ଦେଶ୍ୟ ସାଧିତ ହେବ । ବିନା ଅସ୍ତ୍ର ପ୍ରୟୋଗରେ କୌଣସି ଟ୍ରାମ୍ ବା ବସ୍ ତଳେ କାଉଲ୍ ମୃତ୍ୟୁବରଣ କରିବେ । କାଉଲ୍ ପହଞ୍ଚିଲେ ବମ୍ବେରେ ।

 

କାଉଲ୍ ପରିବାରର ବିଶାଳ ପ୍ରସ୍ତରଖଣ୍ଡ ପରିଶେଷରେ ଆସି ଧୂଳିକଣା ରୂପରେ ପହଞ୍ଚିଲା ଆମର ଏ କାଉଲ୍‍ଙ୍କ ଜୀବନରେ–ସମୟର ଗଡ଼୍‍ଡ଼ାଳିକା ଭିତରେ ।

 

‘‘ଦାସ ସାହେବ ! ପ୍ରତ୍ୟେକ ଜନ୍ମ ମୂଳରେ ଗୋଟାଏ ଗୋଟାଏ ଯୁଦ୍ଧର ଇତିହାସ ଅଛି । ପ୍ରତ୍ୟେକ ବ୍ୟକ୍ତି ଗୋଟାଏ ମହାଯୁଦ୍ଧର ଉପସଂହାର । ପୁରୁଷର ବୀର୍ଯ୍ୟରୁ ନିର୍ଗତ ହୁଏ କୋଟି କୋଟି ସ୍ପର୍ମ, ଛୁଞ୍ଚି ମୁନଠାରୁ କ୍ଷୁଦ୍ର । ସେମାନେ ନାରୀର ନିର୍ଗତ ଅଣ୍ଡକୋଷ ପାଖକୁ ଛୁଟିଆସନ୍ତି । ଅସଂଖ୍ୟ ସ୍ପର୍ମ ସଂଗ୍ରାମ କରୁଥିଲେ ଗୋଟିଏ ଅଣ୍ଡକୋଷ ପାଇଁ । ଗତି ମଧ୍ୟରେ ଲୋପ ପାଇଲେ ଅନେକ । ଶେଷକୁ ଜିତିଲା କେବଳ ସେହି ସ୍ପର୍ମଟି, ଯିଏ ଥିଲା ସର୍ବୋପରି ବଳିଷ୍ଠ । ଯିଏ ଥିଲା କ୍ଷୀପ୍ରତମ । ଏହି ଦୁଇ ମିଶି ସୃଷ୍ଟି କଲେ କ୍ଷୁଦ୍ର ଗୋଟିଏ ସେଲ୍ । ସେହି ସେଲ୍ ମାତାର ଗର୍ଭରେ ବର୍ଦ୍ଧିଷ୍ଣୁ ହୋଇ ହେଲା ଶିଶୁ । ଜନ୍ମ ନେଲା । ଜନ୍ମ ହେବା ପରେ ଯତ୍ନ ନେଲେ ପିତାମାତା । ଅବସାନ ହେଲା ସଂଘର୍ଷର ।’’

 

କିଛି ସମୟ ଚିନ୍ତାଶୂନ୍ୟ ମନରେ ଅନାଇ ରହିଲେ ଦୂରକୁ । ତା’ପରେ ପୁଣି ଆରମ୍ଭ କଲେ, କିନ୍ତୁ ମୋ ଜୀବନରେ ଜନ୍ମ ପରେ ଏ ସଂଘର୍ଷର ଉପଶମ ହେଲା ନାହିଁ । ଏ ଯୁଦ୍ଧ ଚାଲିଲା ଅନେକଦିନ ଧରି । ଅନେକ ଯନ୍ତ୍ରଣା ପାଇଲି । ରକ୍ତାକ୍ତ ହେଲା ଶରୀର । କ୍ଷତବିକ୍ଷତ ହେଲା ଆତ୍ମା-

 

‘‘ଜୀବନର ପ୍ରଥମ ସାତ ଆଠବର୍ଷ କିପରି କଟିଗଲା ଜାଣେ ନାହିଁ । ଜୀବନ୍ତ ପରଦା ଉପରେ କିଛି ତା’ର ଛାପ ନାହିଁ । କେବଳ ଗୋଟାଏ ଅସ୍ୱସ୍ତିଭାବ ଆଜି ପର୍ଯ୍ୟନ୍ତ ରହିଯାଇଛି–ଯେତେବେଳେ ମନେପଡ଼େ ଆମର ସେ ପ୍ରାସାଦ, ସେ ଘୋଡ଼ାଶାଳ ଇତ୍ୟାଦିର ବିରାଟ ଭଗ୍ନସ୍ତୂପ । ଏବେ ଶୃଗାଳ, ସର୍ପର ବାସସ୍ଥାନ ହୋଇ ରହିଛି । ଆଜିପର୍ଯ୍ୟନ୍ତ ବି ସେଠାକୁ ଯିବାପାଇଁ କେବେହେଲେ ଆଗ୍ରହ ହୋଇନାହିଁ । ସେ ପରିସର ଭୟାନକ ମନେହୁଏ ।’’

 

ଆଠ ନ’ବର୍ଷ ବେଳକୁ କାଉଲ୍ ପହଞ୍ଚିଲେ ବମ୍ବେରେ । କିପରି ପହଞ୍ଚିଲେ ସେଠି ଠିକ୍ ମନେ ନାହିଁ ତାଙ୍କର । ବୋଧହୁଏ ସେ ମାତୁଳଙ୍କ ଦୟାରୁ ଦିନେ ନିଜକୁ ଦେଖନ୍ତି ବମ୍ବେର ସଡ଼କ ଉପରେ । ଟ୍ରାମ୍, ଲୋକ ଓ ଶବ୍ଦରେ ଆଖି କାନ ଭରି ଯାଉଥାଏ । ଗୋଟାଏ ଦୋକାନୀର ଟହଲିଅ ଭାବରେ ନିଯୁକ୍ତି ପାଇଲେ । ଦୋକାନୀ ପାଇଁ ବଜାରରୁ ପାନ ଆଣନ୍ତି । ଚା’ ତାଙ୍କ ଜରିଆରେ ମଗାହୁଏ । ଦରକାର ପଡ଼ିଲେ ବାବୁଙ୍କ ସାଙ୍ଗରେ ଯାନ୍ତି ବଡ଼ ବଜାରରୁ ତାଙ୍କର ଭୁଷାମାଲ ସଉଦା ପାଇଁ । ଗହମ, ଚାଉଳ, ଡାଲି, ସିଗାରେଟ୍, ଅଗରବତୀ, ସାବୁନ ଇତ୍ୟାଦି । ଖୁବ୍ ଭଲ ଲାଗୁଥାଏ ସେ ବମ୍ବେଟି । ଚାରିଆଡ଼େ ସ୍ପିଡ଼୍‍, ଚାରିଆଡ଼େ ମାସ୍ । ସବୁଠି ଜନତା, ସବୁଠି ଗତିର ବେଗ ।

 

ଦିନରେ ଦୋକାନ ସଜାସଜି ହୁଏ । ଖରାବେଳେ ସଉଦା ବିକାକିଣା । ରାତିରେ ଦୋକାନୀର ପୁଅଝିଅ ସବୁ ପଢ଼ି ବସନ୍ତି ପଣ୍ଡିତ ପାଖରେ । କାଉଲ୍ ବସନ୍ତି ପଛରେ ଖଣ୍ଡେ ସିଲଟ୍ ଧରି । ଇଂରାଜୀ, ହିନ୍ଦି ପଢ଼ାହୁଏ ।

 

କାଉଲ୍‌ଙ୍କୁ ଦୋକାନୀ ମଝିରେ ମଝିରେ ମାଡ଼ ଦିଏ, ଯଦି ହେଳା ହୋଇଯାଏ ତା’ର କାମର ବରାଦରେ, ନଚେତ ଯଦି ତା’ର ପଇସାରେ ବଜାରରୁ ଜଳଖିଆ ଖାଇଦେଇ ତାକୁ ମିଛ ହିସାବ ଦିଅନ୍ତି । ମାଡ଼ପରେ ଦୋକାନୀ ବୁଝାଏ ନୈତିକତା । ସତ୍ୟବାଦୀ ହେବ, କର୍ମଠ ହେବ, ସାଧୁ ହେବ । ମାଡ଼ର ଯନ୍ତ୍ରଣା ଭୁଲିଗଲେ ପୁଣି ତା’ର ପୁନରାବୃତ୍ତି ଚାଲେ । କାଉଲ୍ ଚୋରିକଲେ ଏଥର ବେଶି ବେଶି । ଡେରି କଲେ ଆହୁରି ଅଧିକ । ଦୋକାନୀ ଆଉ ବରଦାସ୍ତ କଲା ନାହିଁ । ଦିନେ ତାଙ୍କୁ ବାହାର କରିଦେଲା, ନିସ୍ତୁକ ମାଡ଼ ପରେ । ସେତେବେଳକୁ କାଉଲ୍‍ଙ୍କ ପକେଟରେ କେତୋଟି ମାତ୍ର ଅବଶିଷ୍ଟ ଚୋରି ଟଙ୍କା ଥାଏ ।

 

ଚାରିଆଡ଼େ ବୁଲିଲେ କାଉଲ୍ । ଦିନେ ଗୋଟିଏ ହୋଟେଲର ଫୁଟ୍‌ପାଥ୍ ତଳେ ଶୋଇଛନ୍ତି । ରାତି ଶେଷ ହୋଇଗଲାଣି, ଖିଆଲ ନାହିଁ । ଜଣେ ଆସି ତାଙ୍କ ଦେହକୁ ଗୋଇଠା ମାରି ଉଠାଇଲା । କହିଲା, ‘ଶଳା ! ଏଇଠି କେବଳ ଶୋଇବା ପାଇଁ ଜାଗା ଥିଲା, ଏତେ ବଡ଼ ବମ୍ବେ ସହରରେ ?’’

 

କାଉଲ୍‌ଙ୍କର ନିଦ ଭାଙ୍ଗିଗଲା । ଦେଖିଲେ ଜଣେ ହୃଷ୍ଟକାୟ, ଶ୍ୟାମ ରଙ୍ଗର ନିଷ୍ଠୁର ବ୍ୟକ୍ତି । ଗୋଟିଏ ଠେଲାଗାଡ଼ିରେ ବିଭିନ୍ନ ଧରଣର ଖବରକାଗଜ ନେଇ ସେଠି ଆସି ପହଞ୍ଚିଛି । ବଡ଼ ପାଟିରେ ସେ ମୋଟା ଲୋକଟି କହିଲା–

 

‘‘ହଟୋ ଇହାଁସେ ।’’ କାଉଲ୍ ଘୁଞ୍ଚିବସିଲେ ଟିକେ ଦୂରରେ । ସେ ଦିନଟା କିପରି କଟାଇବେ, ତା’ରି ଯୋଜନା ମନେମନେ କରୁଥାନ୍ତି ।

 

ଖବରକାଗଜ, ମାଗାଜିନ ସବୁକୁ ଘେରି ବହୁତ ଲୋକ ଜମା ହୋଇଥାନ୍ତି । ସେ ଫୁଟପାଥ୍ ସାମ୍ନାରେ ବସ୍, ଟ୍ରାମ୍ ସବୁ ଅଟକେ । କାଉଲ୍ ବସିଥାନ୍ତି । ଦେଖୁଥାନ୍ତି ଏ ବିକା କିଣା । ବସ୍, ଟ୍ରାମ୍ ଆସିଲେ ଲୋକେ ଦଉଡ଼ି ଯାଉଥାନ୍ତି ବସ୍, ଟ୍ରାମ୍ ଧରିବା ପାଇଁ । ଫୁଟ୍‌ପାଥ୍‌ର ଚାରିକଡ଼ରେ ସେଇମିତିଆ ଗୋଟାଏ ବଡ଼ କ୍ୟୁ ଲାଗିଥାଏ । ମଝିରେ ମଝିରେ ଟିକିଏ ନିରୋଳା ପଡ଼ିଯାଏ ଲୋକଟି ପାଖରେ ।

 

କାଉଲ୍ ଅତି ସନ୍ତର୍ପଣରେ ଲୋକଟି ପାଖକୁ ଆସି କହିଲେ, ‘‘ମୋତେ ପାଞ୍ଚ ଦଶଟା କାଗଜ ଦିଅ, ମୁଁ ଆର ଫୁଟ୍‌ପାଥ୍‌ର କ୍ୟୁରେ ଲୋକଙ୍କୁ ବିକିଦେଇ ଆସିବି ।’’

 

ଏ ହୃଷ୍ଟକାୟ ଲୋକଟି କିଛି ସମୟ କାଉଲଙ୍କୁ ଲକ୍ଷ୍ୟ କଲା । ତା’ପରେ ତାଙ୍କ ହାତକୁ ବଢ଼ାଇଦେଲା ପାଞ୍ଚଖଣ୍ଡ କାଗଜ । ପଚାରିଲା, ‘‘ତୁମାରା ନାମ କ୍ୟା ?’’ କାଉଲ୍ କହିଲେ, ‘‘ରମେଶ-।’’

 

ରମେଶ କାଗଜ ନେଇ ତୁରନ୍ତ ବିକ୍ରି କରିଦେଇ ଆସି ଆଉ ପାଞ୍ଚଖଣ୍ଡ ନେଇଗଲେ । ପଇସାତକ ଦେଇ ଯାଉଥାନ୍ତି ସେ ଲୋକଟିକୁ । ‘ଏ କାଗଜରେ ବିଶେଷ ଲାଭ ନାହିଁ । ତା’ଛଡ଼ା ସମସ୍ତେ ନିଜେ ଆପେ ଆପେ ଆସିବେ । ପାରିବୁ ତ ମାଗାଜିନ୍ ଦୁଇଖଣ୍ଡ ବିକି ଆ । ଫାଇଦା ଅଛି-।’’ ସେ ଲୋକଟି କହିଲା ।

 

ରମେଶ ପଚାରିଲେ, ‘‘ଏହାର ନାମ ସବୁ କ’ଣ ?’’

 

‘‘ଫିଲ୍ମଫେୟାର ଏ ଖଣ୍ଡିକ, ଏ ଖଣ୍ଡିକ ବ୍ଲିଜ୍, ଆଉ ସେ ଖଣ୍ଡିକ କରେଣ୍ଟ୍ ।’’ ରମେଶ ଗଲେ ଛକ ଉପରକୁ ଖଣ୍ଡେ ଫିଲ୍ମଫେୟାର୍ ନେଇ । ମଟରରେ ସାହେବ ମେମ୍ ବସିଥାନ୍ତି । ଟ୍ରାଫିକ୍ ଲାଇଟ୍ ନାଲି ଅଛି । କିଛି ସମୟ ଅପେକ୍ଷା କରିବାକୁ ହେବ ।

 

ରମେଶ କହିଲେ, ‘‘ମେମ୍‌ସାହେବ ! କାଲିଠାରୁ ଖାଇନାହିଁ । ଏଇଟି ନେଲେ ମୋର ଖାଇବା ଗଣ୍ଡାକ ମିଳିବ ।’’

 

ମେମ୍‌ସାହେବ ତୁରନ୍ତ ନେଲେ ଫିଲ୍ମଫେୟାରକୁ । ରମେଶ ଆଉଖଣ୍ଡେ ବ୍ଲିଜ୍ ନେଇ ଆଉ ଗୋଟାଏ ମଟର ପାଖକୁ ଗଲେ । କହିଲେ ସେଇ କଥା, ‘‘ସାହେବ ! ଆଜି ଖାଇନାହିଁ । ଏଇଟିକୁ ନେଲେ ଖାଇବା ଖର୍ଚ୍ଚ ମିଳିବ ।’’

 

କରେଣ୍ଟ ବିକିଲେ ସେଇ କଥା କହି । ଅନେକ ମାଗାଜିନ୍ ସେଦିନ ବିକ୍ରିହେଲା ରମେଶଙ୍କର ଉଦ୍ୟମରେ । ସେଦିନ ସେ ମୋଟା ଲୋକଟି ଖୁବ୍ ଖୁସି ହେଲା ରମେଶଙ୍କ ଦକ୍ଷତାରେ । ଖବରକାଗଜ, ମ୍ୟାଗାଜିନ୍‌ର ବେଶ୍ କାଟତି ହେଲା ।

 

ସେତେବେଳକୁ ବାଜିଲାଣି ଦିନ ଦଶଟା । ସଡ଼କର ଲୋକ ଗହଳି ଟିକେ କମି ଆସିଛି । ସାହେବମାନେ ସବୁ ଦପ୍ତର ଗଲେଣି । ଆଉ କାଗଜ କିଏ କିଣିବ ? ଯାହାହେବ ସନ୍ଧ୍ୟାବେଳକୁ ।

 

ରମେଶ ସ୍ଵଇଚ୍ଛାରେ ସେ ଠେଲାଗାଡ଼ିକୁ ପଛରୁ ଠେଲିଲେ । ଅନୁମୋଦନ କଲା ସେ ମୋଟାଲୋକଟି । ରାସ୍ତାରେ ପଚାରିଲା, ‘‘ରମେଶ, ଏଠି କ’ଣ କରୁଛୁ ?”

 

‘ଗୋଟାଏ ଦୋକାନରେ କାମ କରୁଥିଲି, ଚୋରିକଲି ବୋଲି ବାଡ଼େଇ ବାହାର କରିଦେଲା ।’’

 

ମୋଟା ଲୋକଟି ଉପଭୋଗ କଲା ରମେଶଙ୍କର ଏ ସ୍ପଷ୍ଟ ଉତ୍ତରକୁ । ସନ୍ତୋଷ ମଧ୍ୟ ପ୍ରକାଶ କଲା । ପଚାରିଲା, ‘‘କେତେ ?”

 

‘ପାଞ୍ଚଟା ଟଙ୍କା ।’

 

‘‘ବେକୁବ୍ !”

 

‘ବାପା ମା’ ଅଛନ୍ତି ?’ –ପଚାରିଲା ମୋଟାଲୋକଟି ।

 

‘ନା ।’

 

‘କେତେଦିନ ହେଲାଣି ବମ୍ବେରେ ?’

 

‘ବର୍ଷେ ହେବ ।’

 

‘ବେଇମାନି କରିବୁ ?’

 

‘ନା ।’

 

‘ଚାଲ୍ ମୋ ସାଙ୍ଗରେ ।’

 

ଠେଲାଗାଡ଼ି ଲାଗିଲା ଗୋଟାଏ ସନ୍ତସନ୍ତିଆ ଗଳି ଭିତରେ । ନୁଆଁଣିଆ, ଅନ୍ଧକାର, ଅପରିଷ୍କାର କଳା କଳା ଘର । ସେଠି ଏଇ ମୋଟା, ଭୀଷଣକାୟ ଲୋକଟି ରହେ–ତା’ର ନାମ ସଲିମ୍ ।

 

ରମେଶ ଠେଲାଗାଡ଼ିରୁ ଖବରକାଗଜ ସବୁ ଉଠାଇଆଣି ତା’ର ସେ କୋଠରି ଭିତରକୁ ନେଇଗଲେ । ସଲିମ୍ କହିଲା, ‘ସେ ଢାବଲରେ ସବୁ ସଜାଇ ରଖ୍ ! ତଳେ ବଡ଼ ବଡ଼ କାଗଜ, ଉପରେ ସାନ ସାନ ବହି ।’

 

କାଗଜ ସଜା ସରିଗଲା ।

 

ସଲିମ୍ କହିଲା–‘ଏ ରୁଟି ଲେ । ଦୁଇପଟ । ବସ୍ ସେ ବେଞ୍ଚରେ ।’ ରମେଶ ସେତକ ଖାଇ ପାଣି ପିଇଲେ ।

 

ସଲିମ୍ ଇତିମଧ୍ୟରେ ଗାଧୁଆ ସାରି ଖାକି ଜାମ, ହୁଗୁଳା ପ୍ୟାଣ୍ଟ ଖଣ୍ଡେ ପିନ୍ଧି ଗୋଟାଏ ଭଙ୍ଗା ଆଇନାରେ ନିଜର ମୁହଁ ଦେଖୁଛି ଭାଗ ଭାଗକରି । ସମୁଦାୟ ମୁହଁଟା ତ ଆଉ ଆରସିରେ ଧରିବ ନାହିଁ ! ପ୍ରଥମେ ମୁଣ୍ଡ, ତା’ପରେ ମୁହଁ । ସଲିମ୍ ମଧ୍ୟ ବାକିତକ ରୁଟିକୁ ଚିନି ଲଗାଇ ଖାଇଦେଲା । ପିଇଲା ପାଣି ।

 

ରମେଶଙ୍କୁ ଲକ୍ଷ୍ୟକରି ସଲିମ୍ କହିଲା, ‘‘ଆ ମୋ ସାଥିରେ । ଅଫିସରେ ଏସବୁ କାଗଜ ଫେରାଇବାପାଇଁ ପଡ଼ିବ । ଛୋଟ ଛୋଟ କିତାବ ସବୁ ସେଠି ଥାଉ । ପକା ତାଲା ।’

 

ଦୁଇଜଣ ବାହାରିଗଲେ । ଗଳିରୁ ଗଳି, ସଡ଼କରୁ ସଡ଼କ ଦେଇ ପହଞ୍ଚିଲେ ଖବରକାଗଜ ଅଫିସରେ । ଜମାଦେଲେ ବାକିଆ କାଗଜ ।

 

ସଲିମ୍ କହିଲା, ‘‘ମୁଁ ଅଭି ଏଠି ରହିବି । ଦିନ ତିନିଟା ପର୍ଯ୍ୟନ୍ତ ତୁ ଘୂରାଘୂରି କରି ଆ ଆମ ବସାକୁ । ଏଇ ଲେ ଚାରଣା ପଇସା ।’’

 

ସଲିମ୍ ସେ ଖବରକାଗଜ ଅଫିସରେ ଦରୱାନ ।

 

ଖବରକାଗଜ ଅଫିସରେ କିଛି ସମୟ ବୁଲିଲେ କାଉଲ୍ । ଦୋକାନୀ ପାଖରେ ଯେତିକି ଭାଷା ସହିତ ପରିଚିତ ଥିଲେ, ସେତକ ଅକ୍ଷର ଦେଇ ଚିହ୍ନୁଥାନ୍ତି ଇଂରାଜୀ, ହିନ୍ଦୀଲେଖା କାନ୍ଥରେ, ବହିରେ ।

 

ସେଠୁ ବାହାରି ଅନେକ ବୁଲିଲେ । ଓପରଓଳି ତିନିଟାବେଳେ ହାଜିରି ହେଲେ ରମେଶ ସେଇ କୋଠରିରେ । କପେ ଚା’ ଖାଇଲା ସଲିମ୍ । ରମେଶ ଖାଇଲେ ଖଣ୍ଡେ ରୁଟି । ଦୁଇଜଣଯାକ ବାହାରିଲେ ପୁଣି ସେଇ ହୋଟେଲ ତଳ ଫୁଟ୍‌ପାଥ୍‌କୁ । ରମେଶ ଠେଲିଲେ ଗାଡ଼ି, ମାଗାଜିନ ସବୁ ନେଇ ସେଠି ପହଞ୍ଚିଲେ । ହୋଟେଲକୁ ଯିବା ଆସିବା କରୁଥିବା ଲୋକଙ୍କୁ ଦେଖାନ୍ତି, କେତେକ ମଧ୍ୟ କିଣନ୍ତି ସେଥିରୁ । ମାଗାଜିନ, ଖବରକାଗଜ, ଶସ୍ତା ହିନ୍ଦୀ ପ୍ରେମଗପ ଏହି ଫୁଟ୍‌ପାଥରେ ସଜାହୋଇ ରଖାହୋଇଥାଏ । ଜଗିଥାନ୍ତି ରମେଶ ।

 

କାଉଲ କହନ୍ତି ବ୍ୟବସାୟଟା ସେ ଜୀବନରେ ଶିଖିଛନ୍ତି ସଲି । ଦିନେ ସଲିମ୍ କହିଲା, ‘‘ରମେଶ । ପ୍ରତ୍ୟେକ ଦିନ ଭୋରରୁ ଆଉ ସବୁ ହକର ପହଞ୍ଚିବା ପୂର୍ବରୁ ତୁ ଏଇସବୁ ଖବରକାଗଜ ନେଇ ପହଞ୍ଚ ଲୋକମାନଙ୍କ ଘରେ, ଏହି ସାହି ଭିତରେ ଯେତେ ଅଛନ୍ତି । ତା’ପରେ ଯିବା ହୋଟେଲ ସାମନାକୁ ।’’

 

ରମେଶ ରାଜି ହେଲେ । ବଡ଼ିସକାଳୁ ହିନ୍ଦୀ, ଉର୍ଦ୍ଦୁ, ମରାଠୀ କାଗଜ ସବୁ ନେଇ ପହଞ୍ଚନ୍ତି ଆଖପାଖ ଲୋକଙ୍କ ଘରେ । ପଇସା ଆଣି ଜମାଦିଅନ୍ତି ସଲିମ୍ ପାଖରେ । ତା’ପରେ ପୁଣି ଦୁଇଜଣ ବାହାରିଯା’ନ୍ତ ହୋଟେଲ ସାମନାକୁ । ବିକ୍ରିପରେ ଘରକୁ ଫେରନ୍ତି, ରୁଟି ଖାଇଦେଇ ସାରିଲା ପରେ କୋଠରିରେ ତାଲା ପଡ଼େ । ସଲିମ୍ ଯାଏ ତା’ର ଚାକିରିରେ । କାଉଲ୍ ଯା’ନ୍ତି ସଡ଼କକୁ । ଉଭୟ ଦେଖା ହୁଅନ୍ତି ଦିନ ତିନିଟାରେ । ସନ୍ଧ୍ୟାପର୍ଯ୍ୟନ୍ତ ପୁଣି ବହି ବିକ୍ରି ହୁଏ । ଫେରିଆସି ଢାବଲ ସବୁ ଯୋଡ଼ି ତା’ଉପରେ ଶୁଏ ସଲିମ୍ । ରମେଶ ଶୁଅନ୍ତି ତଳେ ।

 

ମଝିରେ ମଝିରେ ସଲିମ୍ ଦିଏ ଆଠଣା, ଟଙ୍କାଏ ରମେଶଙ୍କୁ । ଆଉ ଦିନେ ସଲିମ୍ କହିଲା, ‘‘ଆଉ ଟିକିଏ ଭଲରେ ହିନ୍ଦୀ, ଇଂରେଜୀ ପଢ଼ି ଶିଖ୍ । ବହି ବିକିବା କାଗଜ ସାଙ୍ଗରେ–ରେଳ ଷ୍ଟେସନରେ ଯେମିତି ସବୁ ବିକନ୍ତି । ଖୁବ୍‌ ମୁନାଫା ହେବ ।’’

 

ତା’ପରଠାରୁ ଖରାବେଳେ ରାସ୍ତାରେ ବୁଲିବା ପରିବର୍ତ୍ତେ ରମେଶ ଗଲେ ସ୍କୁଲକୁ । ଖୀରସ୍ତାନ ସ୍କୁଲ । ଫିସ୍ ପଡ଼ିବ ନାହିଁ । କେବଳ ଯୀଶୁଙ୍କ ନାମ କହିବା ପାଇଁ ହେବ । ସଲିମ୍ ବୁଝାଇଲା ସ୍କୁଲର ମାଲିକାଣୀ ମଦରକୁ, ‘ଏ ଖୀରସ୍ତାନ ପିଲା, ବାପ, ମା’ ଛେଉଣ୍ଡ । ୟାକୁ ଆପଣ ଯୀଶୁଙ୍କ କଥା ଶିଖାନ୍ତୁ ।’ ରମେଶକୁ ହୁସିଆର କରିଦେଲା, ସେ ଯେପରି ସତକଥା ନ କହେ, ନଚେତ୍ ତା’ର ବଦନାମ ହେବ ।

 

କାଉଲ୍ ବିକିଲେ ଖବରକାଗଜ, ମାଗାଜିନ୍, ବିକିଲେ ହିନ୍ଦୀ, ଇଂରାଜୀ ବହି । ଦିନରେ ଗଲେ ସେ ଖୀରସ୍ତାନ ସ୍କୁଲକୁ !

 

ସେ ଗଳି ପାଖରେ ଆଉ ଗୋଟାଏ ବଡ଼ ଗଳି ଅଛି । ଦିନବେଳା ସେ ଜାଗାଟା ଶୂନ୍‌ଶାନ୍ । ରାତିରେ ଆଲୁଅ ଓ ଭିଡ଼ର ସୀମା ନାହିଁ । ସକାଳ ଭୋର ପର୍ଯ୍ୟନ୍ତ ସେଠି ଲୋକଗହଳି-। ଚାରିଆଡ଼େ ଗୀତ ନାଚର ଆଡ଼୍‍ଡା ଜମିଥାଏ । ଶସ୍ତା ଅତର ଲଗାଇ, ଫୁଲ ଖୋସି, ସ୍ତ୍ରୀମାନେ ଦୁଆର ମୁହଁରେ ଠିଆ ହୋଇଥାନ୍ତି । ଲୋକ ତା’ ଭିତରକୁ ପଶନ୍ତି । ଖାଲି ଚାରିଆଡ଼େ ମଦର ଗନ୍ଧ-

 

‘ସଲିମ୍ ଭାଇ ! ଏଇଟା କ’ଣ ?’ –ପଚାରିଲେ କାଉଲ୍ ।

 

‘ଏଇଟା ବେଶ୍ୟାବସ୍ତି ।’

 

ମଝିରେ ମଝିରେ ସଲିମ୍ ଯାଏ ସେଠିକୁ, ମାସର ପ୍ରଥମ ସପ୍ତାହରେ ଦରମା ପାଇବା ପରେ । ରମେଶ ବି ଯା’ନ୍ତି ଦିନେ ଦିନେ ତା’ ସାଙ୍ଗରେ । ଦେଖିଲେ ସେଠାରେ ଖୁବ୍ ଫୁଲ ବିକ୍ରି ହେଉଛି । ଦୋକାନରୁ ଟଙ୍କାଏ ଦୁଇଟଙ୍କାର ଫୁଲହାର କିଣିଆଣି ଛିଡ଼ାହୁଅନ୍ତି ଜଣେ ଦୁଇଜଣ ବେଶ୍ୟାର ଘର ଆଗରେ । ବିଶେଷତଃ ଯେଉଁଠିକି ସଲିମ୍ ଯାଇଥାଏ । ସଲିମ୍‌କୁ ଅପେକ୍ଷା କରିବା ସମୟ ଭିତରେ ଟିକେ ଚଢ଼ା ଦରରେ ବିକ୍ରି କରନ୍ତି ଗରାଖମାନଙ୍କୁ ସେ ଯୂଇମାଳା ସବୁ ।

 

ଖଣ୍ଡେ ଫୁଲହାର ମଧ୍ୟ ଦେଇଆସନ୍ତି ସଲିମ୍ ଭାଇକୁ ସେ ବେଶ୍ୟା ପାଖରେ ଥିଲାବେଳେ । ସଲିମ୍ ଖୁବ୍ ଖୁସିହୁଏ ।

 

ବିତିଗଲା ଚାରିପାଞ୍ଚ ବର୍ଷ । ପାଠପଢ଼ା, ଖବରକାଗଜ, ଫୁଲବିକା ଭିତରେ କିଛି ପୁଞ୍ଜି ମଧ୍ୟ କରିସାରିଲେଣି ରମେଶ । ପ୍ରାୟ ଟଙ୍କା ଶହେ ଭଳି ହେବ । ସଲିମ୍ ଘରେ ଏବେ ଆଉ ଢାବଲ ନାହିଁ । ଦୁଇଜଣଙ୍କ ପାଇଁ ଦୁଇଟି କାନଭାସ୍ ଖଟିଆ । ରୁଟି ସାଙ୍ଗକୁ ଏବେ ଦିନେ ଦିନେ ମାଂସ ତରକାରି ବି ଆସୁଛି । କୋଠରିକୁ ଇଲେକ୍‌ଟ୍ରିକ୍‌ ବଲ୍‌ବ ।

 

କାଉଲ୍ କହିଲେ, ‘‘ଏ ଦେହର ରକ୍ତ ପାପରେ ଗଢ଼ା । ଏହାର ବ୍ୟତିକ୍ରମ କିପରି ତୁମେ ଆଶା କରୁଛ ?”

 

ସମୟକ୍ରମେ ଘନିଷ୍ଠ ପରିଚୟ ହେଲା ବେଶ୍ୟା, ମାୟା, ଲତା; ଦଲାଲ ଦୋଷୀ, ଲିୟାମତ୍; ଦୋକାନୀ ରାମଧନ ଓ ହରି ସିଂ ସାଙ୍ଗରେ । ପରିଚୟ ହେଲା ପାଖ ବଡ଼ ହୋଟେଲର ମାଲିକଙ୍କ ସହିତ । ସାହିର ଡାକ୍ତର, ଓକିଲବାବୁଙ୍କୁ ନମସ୍କାର ଜଣାଇଲେ, ସେମାନେ ବେଳେବେଳେ ପଚାରନ୍ତି ରମେଶଙ୍କ ରୋଜଗାର ଇତ୍ୟାଦିର ପ୍ରଶ୍ନ ।

 

ସ୍କୁଲର ମଦର କହିଲେ, ‘ଆସନ୍ତା ବର୍ଷ ତୁମର ସ୍କୁଲ ପାଠ ସରିଯିବ ରମେଶ । ପଢ଼ିବାପାଇଁ ଚାହଁ କଲେଜରେ ? ଯଦି ଚାହଁ ମୁଁ ସୁବିଧା କରିଦେବି ବିନା ଫିସ୍‌ରେ । ଖ୍ରୀଷ୍ଟିୟାନ୍ ପିଲାଙ୍କ ପାଇଁ ଦରମା ଛାଡ଼ ହେବ ।

 

ରମେଶ କହିଲେ, ‘‘ସଲିମ୍ ଭାଇଙ୍କୁ ପଚାରି ଖବର ଦେବି ।’’

 

ଦିନେ ରମେଶଙ୍କୁ ଜର ହେଲା । ଜର ବଢ଼ିଲା । ଦିନ ପରେ ଦିନ କଟିଗଲା ସତ କିନ୍ତୁ ଜର କମିଲା ନାହିଁ । ନିରୋଳା ସେଇ କୋଠରିରେ ପଡ଼ିଥାନ୍ତି ରମେଶ । ଦୁନିଆଟା ଅନ୍ଧାର ଲାଗୁଥାଏ । ସଲିମ୍ ବି ନଥାଏ । ଯାଇଥାଏ ତା’ର ଗାଁକୁ । ସେଇ ଜରରେ ଟିକେ ଟିକେ ପାଣି ପିଇ ପଡ଼ି ରହିଥାନ୍ତି ରମେଶ ସେଇ ଅନ୍ଧକାର କୋଠରି ଭିତରେ । ରମେଶ ଭାବେ ଏତେବଡ଼ ସହର, ଏତେ ଲୋକ, କେହି ମୋର ନିଜର ବୋଲି ତ ନାହିଁ ! ସମସ୍ତଙ୍କର କେତେ ଲୋକ ଅଛନ୍ତି, କେତେ ଆତ୍ମୀୟ, କିନ୍ତୁ ମୋର ବାପା, ମା’, ଭାଇ, ବନ୍ଧୁ ବୋଲି ତ କେହି ନାହାନ୍ତି ? କାରଣ କିଛି ଠିକ୍ କରିପାରନ୍ତି ନାହିଁ ।

 

ଆସିଲେ କେବଳ ମାୟା । ଦିନବେଳେ କେହି ଗରାଖ ନ ଥିଲେ ଆସନ୍ତି ରମେଶଙ୍କ ପାଖକୁ । ଡକାଇଲେ ଡାକ୍ତର । ନିଜେ ଔଷଧ ଅଣାଇଲେ । ଦେଲେ ପଥି, ଫଳ । ଯତ୍ନରେ ଆଉଁସିଲେ ରମେଶଙ୍କୁ । ପାଖରେ ବସି ଗଳ୍ପ କରି ଶୁଆଇଲେ ।

 

ଅନେକ ଦିନ ପରେ ସୁସ୍ଥ ହେଲେ ରମେଶ । ମାୟାକୁ ଦେଖିଲେ ରମେଶ କାନ୍ଦିପକାନ୍ତି, କୁହନ୍ତି, ‘‘ତୁ ମୋର ମା’ ।’’

 

ବର୍ଣ୍ଣନା କରୁ କରୁ ସତରେ ତାଙ୍କର ଆଖିରେ ଭରିଯାଉଥାଏ ଲୋତକ । କହିଲେ ସେ ମମତାର ସ୍ଥାନ ଆଜି ପର୍ଯ୍ୟନ୍ତ କେହି ପୂରଣ କରିପାରିନାହାନ୍ତି । ପରେ ମାୟା କେଉଁ ଜଣେ ସର୍ଦ୍ଦାର ସହିତ ଚାଲିଗଲା । ତା’ ଘରେ ରହିଛି ଆଜି ପର୍ଯ୍ୟନ୍ତ ।

 

ସଲିମ୍ କହିଲା, “ଏ ମୌକା ଛାଡ଼ିବାର ନୁହେଁ । କଲେଜରେ ନାମ ଲେଖା; କିଛି ଲୋକସାନ ତ ନାହିଁ !’’

 

କାଉଲ୍ ନିଜର ସମ୍ମତି ଜଣାଇଲେ ମଦରକୁ । ତହିଁଆର ବର୍ଷ ଭର୍ତ୍ତି ହେଲେ କଲେଜରେ-

 

ଛାଡ଼ିଦେଲେ ଫୁଲ ବ୍ୟବସାୟ । ଛାଡ଼ିଦେଲେ ଖବରକାଗଜ ବିକା । ମଦର ଠିକଣା କରିଦେଲେ ଗୋଟାଏ ଚମଡ଼ା ଦୋକାନରେ ରାତିରେ ହିସାବ ଲେଖିବାର କାମ । ରମେଶ ରହିଲେ ସଲିମ୍ ସାଥିରେ । କଲେଜରୁ ଫେରିଯାନ୍ତି ସଂଧୀକୁ ଚମଡ଼ା ଦୋକାନକୁ । ଉର୍ଦ୍ଦୁର ଶବ୍ଦ ଓ ଅକ୍ଷରକୁ ଇଂରାଜୀରେ ଲେଖନ୍ତି, ଯାହା ରୋଜଗାର କରନ୍ତି ଦେଇଦିଅନ୍ତି ସଲିମ୍‍କୁ । ସଲିମ୍ ହିସାବ କରି ବାଣ୍ଟେ । ପାଠ ବହିପାଇଁ ଏତେ ଟଙ୍କା, ଖାଇବା ଖର୍ଚ୍ଚ ଏତେ । କହେ, ପ୍ୟାଣ୍ଟ ଜାମା ପିଛା ଏହାଠୁ ଆଉ ଅଧ‌ିକ ଖର୍ଚ୍ଚ କରିହେବ ନାହିଁ ।

 

ଆଜି ବି ସଲିମ୍ କାଉଲ୍‌ କାରଖାନାରେ ଅଛି । ସେ ସୁପରଭାଇଜର । କାମ ତଦାରଖ କରେ । ଆଉ ବି କାଉଲ୍ ତାକୁ ଡାକନ୍ତି ସଲିମ୍ ଭାଇ । ବ୍ୟବସାୟ ସଂକ୍ରାନ୍ତରେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ମସୁଦା କରନ୍ତି କେବଳ ଜଣଙ୍କ ସାଙ୍ଗରେ, ସେ ହେଉଛି ସଲିମ୍ । ସଲିମ୍ ଯାହା ଚାହିଁବ କାଉଲ୍ ସେ କଥାକୁ ଆଜିପର୍ଯ୍ୟନ୍ତ ଅବଜ୍ଞା କରିନାହାନ୍ତି ।

 

କାଉଲ୍ ଚମଡ଼ା ବ୍ୟବସାୟର ଭିତର ବାହାର ସବୁ ବୁଝିଗଲେ । ପରିଚୟ ହେଲା ଚମଡ଼ା ବ୍ୟବସାୟୀଙ୍କ ସହିତ । ଜାଣିଲେ ଚମଡ଼ାର ବଜାର । କାଉଲ୍ ପରାମର୍ଶ କଲେ ଚମଡ଼ାକୁ ଦେଶରୁ ବାହାରକୁ ରପ୍ତାନୀ ବନ୍ଦୋବସ୍ତ ନ କଲେ ମୁନାଫା ଉଠିବ ନାହିଁ । ମାଲିକ ମଧ୍ୟ ଏ କଥାକୁ ଗ୍ରହଣ କଲେ । ରପ୍ତାନୀ ହେଲା ମାଳୟ, କୋରିଆ, ଜାପାନକୁ । ବିକ୍ରି ବଢ଼ିଲା, ମୁନାଫା ବଢ଼ିଲା, ତା’ ସାଙ୍ଗକୁ ତାଙ୍କର ଭାଗ୍ୟ ବଦଳିଲା ।

 

କଲେଜ ପାଠ ସରିଲା ବେଳକୁ କାଉଲ୍ ପୁରୁଣା ବ୍ୟବସାୟୀ । ସାବୁନ୍, ଖବରକାଗଜ, ଫୁଲଠାରୁ ଆରମ୍ଭ କରି ଜାଣିଲେ ଚମଡ଼ା ପର୍ଯ୍ୟନ୍ତ । ମଝିରେ ମଝିରେ ଗଲେ ଷ୍ଟକ୍- ଏକ୍‌ସଚେଞ୍ଜକୁ-। ହିସାବ କରି ଅଙ୍କ କଷିଲା ପରି ଖେଳନ୍ତି ସେୟାରମାର୍କେଟରେ । ଏଇ କମ୍ପାନୀ ସେୟାର ନିଶ୍ଚୟ କାଲି ବଢ଼ିବ । ଆଜି କିଣିଲେ ସେ ସେୟାରକୁ । କାଲି ବିକିଲେ । କ୍ଲବ୍‍କୁ ଗଲେ । କ୍ଲବ୍‌ରେ ଶୁଣିଲେ ଆମେରିକାର ବ୍ୟବସାୟୀଙ୍କ ସହିତ ସମଜୋତାରେ ଅକ୍‌ସିଜେନ୍ କମ୍ପାନୀର ପ୍ରସାର କଥା କାଲି ଖବରକାଗଜରେ ବାହାରିବ । ସିଦ୍ଧାନ୍ତ ନେଲେ କାଉଲ୍ । ଆଜି ତା’ର ସେୟାର କିଣିଲେ କିଛିଦିନ ଭିତରେ ନିଶ୍ଚୟ ବଜାର ଦର ବଢ଼ିବ । ଲାଭ ହେବ ତିନିଗୁଣା । ଷ୍ଟକ-ଏକସଚେଞ୍ଜରେ ପୋଖତ ଖେଳାଳି ସାଜିଲେ କାଉଲ୍ ।

 

ବାହାରକୁ ଜିନିଷ ବିକ୍ରି କରିବାପାଇଁ ଚାଲିଲେ ଜାପାନକୁ । ସେଠି ବ୍ୟବସାୟୀଙ୍କ ସହିତ ସ୍ଥିର କଲେ, ତାଙ୍କର ସାହାଯ୍ୟ ଓ ସମର୍ଥନରେ ଏଠି ଟାନିଂ କାରଖାନା ବସିବ । ଫେରିଆସି ତାଙ୍କ ମାଲିକକୁ କହିଲେ, ‘‘ଏଇଟାକୁ ଆପଣ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ କରିଦିଅନ୍ତୁ । ଭବିଷ୍ୟତ ଏହାର ଉଜ୍ଜ୍ଵଳ ।’’

 

ଏଇ ଚମଡ଼ା ଦୋକାନକୁ କମ୍ପାନୀ କରି ଦିଆଗଲା । କାଉଲ୍ ହେଲେ ଜଣେ ଡାଇରେକ୍ଟର । କମ୍ପାନୀର ଶାଖା ରହିଲା, ଭାରତର ପ୍ରତ୍ୟେକ ରାଜ୍ୟର ବିଭିନ୍ନ ସହରରେ । ମାଲିକଙ୍କର ଅଖଣ୍ଡ ବିଶ୍ୱାସ ଥିଲା କାଉଲ୍‍ଙ୍କ ଉପରେ । କମ୍ପାନୀର ମାଲିକ ମରିଗଲେ । ସନ୍ତାନସନ୍ତତିହୀନା ମାଲିକ ପତ୍ନୀ ଅଧିକାଂଶ ସେୟାରକୁ ଲେଖିଦେଲେ କାଉଲ୍‌ଙ୍କୁ । କାଉଲ୍ ହେଲେ ଭାରତବର୍ଷର ଶ୍ରେଷ୍ଠ ଚମଡ଼ା କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର । ଶେଷଦିନ ପର୍ଯ୍ୟନ୍ତ ମନପ୍ରାଣ ଦେଇ ସେବା କଲେ ମାଲିକର ବିଧବାପତ୍ନୀ ଓ ଅନ୍ୟାନ୍ୟ ଆଶ୍ରିତଙ୍କର ।

 

ମଝିରେ ମଝିରେ ଚୋରା ସ୍ମଗଲିଂ କଲେ । ବିଦେଶରୁ ସୁନା ଚୋରା ଭାବରେ ଆମଦାନୀ କଲେ ।

 

ଆଇନ ବିରୁଦ୍ଧରେ ଜମା କଲେ ବିଦେଶୀ ମୁଦ୍ରା । ଖେଳିଲେ ଷ୍ଟକ୍‌ଏକ୍‌ସଚେଞ୍ଜରେ । ରାତ୍ରି ଯାପନ କଲେ କ୍ଲବ୍‌ରେ । ସେବନ କଲେ ମଦିରା । ବନ୍ଧୁତ୍ଵ କଲେ କୁଖ୍ୟାତା ନାରୀଙ୍କ ସାଙ୍ଗରେ । ଯୋଗଦେଲେ ରେସ୍ କୋର୍ସରେ ।

 

‘‘ଦାସ ସାହେବ ! ଏ ଏକ କଳଙ୍କିତ ଇତିହାସ । ସଡ଼କର ନର୍ଦ୍ଦମା ପରି ଦୁର୍ଗନ୍ଧମୟ । କିନ୍ତୁ ଯେଉଁ କୀଟ ପରିସ୍ଥିତିର ବିବର୍ତ୍ତନରେ ସେଇ ନର୍କରେ ଜନ୍ମ ନିଏ, ତା’ର ଆଉ ବିକଳ୍ପ ଜୀବନ ସମ୍ଭବ ନୁହେଁ । ତା’ ଛଡ଼ା ଭାବେ, ଏ ଜୀବନ ମନ୍ଦ କ’ଣ ?’’

 

ସ୍ତିମିତ ହୋଇଆସିଲାଣି ନୃତ୍ୟ । ଶେଷ ହୋଇଗଲାଣି ମଦିରା । ରାତି ଟଳିଲାଣି ପ୍ରଭାତୀ ଆଡ଼କୁ । କୌଣସି ଉତ୍ତରର ପ୍ରତ୍ୟାଶା କରିନଥିଲେ କାଉଲ୍‍ ଅଥବା ଉପଲବ୍ଧି କରିବା ପରି ଅବସ୍ଥାରେ ନଥିଲେ ସେତେବେଳକୁ ।

 

ଦିନ ପ୍ରାୟ ଗୋଟାଏ । ମିଷ୍ଟର କାଉଲ୍ ସେଦିନର ରେସକୋର୍ସକୁ ଆସିଲା ବେଳକୁ ପ୍ରଥମ ଦୌଡ଼ପାଇଁ ଘୋଡ଼ାସବୁ ପାଡ଼କ୍ ଭିତରକୁ ଆସିଗଲେଣି । ପ୍ରତ୍ୟେକ ରେସ୍‌ର ଆରମ୍ଭରେ ଯେଉଁ ଛ’ସାତ ଘୋଡ଼ା ଦୌଡ଼ିବେ, ସେମାନଙ୍କ ଉପରେ ଜକିମାନେ ବସି ଜୁଆ-ଖେଳାଳିମାନଙ୍କୁ ଦେଖାଇବା ପାଇଁ ଓ ସେମାନଙ୍କ ସିଦ୍ଧାନ୍ତ ଲାଗି ଗୋଟିଏ ଛୋଟ ପଡ଼ିଆ ଭିତରେ ପ୍ରଥମେ ବୁଲାନ୍ତି-। ଚାରି କଡ଼ରେ ଏଇଟା କାଠବାଡ଼ ଦେଇ ଘେରା । ଏ ପଡ଼ିଆ ମଝିରେ ଗୋଟାଏ ଗଛ ଅଛି-। ତା’ର ଛାଇ ତଳେ ଘୋଡ଼ାର ମାଲିକମାନଙ୍କ ବସିବାପାଇଁ ଡନ୍‌ଲପ୍ ଗଦି ଗଛକୁ ମିଶାଇ ଚାରି କଡ଼ରେ ପଡ଼ିଥାଏ । ଘୋଡ଼ାର ସବୁ ନମ୍ବର ଲାଗିଥାଏ । ରେସିଂ ବହିରେ ଲେଖା ହୋଇଛି, ପ୍ରତ୍ୟେକ ଘୋଡ଼ା ଓ ତା’ର ଜକିଙ୍କ ନାମ । ତା’ର ମାଲିକଙ୍କ ପରିଚୟ । ବର୍ଣ୍ଣନା କରାଯାଇଛି ତା’ର ଓଜନ । ତଳେ ଘୋଡ଼ା ସଂକ୍ରାନ୍ତର କ୍ଷୁଦ୍ର ଇତିହାସ ଛପା ହୋଇଛି । କେଉଁ ଘୋଡ଼ା କେଉଁ ରେସ୍‌ରେ କେବେ କାହାକୁ ଜିତିଥିଲା, ତା’ର ସଂକ୍ଷିପ୍ତ ବିବରଣୀମାନ ବର୍ଣ୍ଣନା କରାଯାଇଛି ।

 

ମଣିଷର ରକ୍ତ ସାଙ୍ଗରେ ଜୁଆର ଜନ୍ମ । ବ୍ୟକ୍ତିର ମୌଳିକ ଚରିତ୍ର ସହିତ ଏହାର ମିଳନ ବୋଲି ମନସ୍ତାତ୍ତ୍ଵିକମାନେ ଆବିଷ୍କାର କରିଅଛନ୍ତି । ଆଫ୍ରିକାର ଆଦିମ ଅଧିବାସୀଙ୍କଠୁ ଆରମ୍ଭ କରି ନିଉୟର୍କର ଆଧୁନିକ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କର ଏ ଜୁଆର ଅଭ୍ୟାସ । ତତ୍କାଳୀନ ଧର୍ମ ମଧ୍ୟ ଏହା ପ୍ରତି ସମର୍ଥନ କରୁଥିଲା । ଏପରିକି ଏହା ବିରୁଦ୍ଧରେ ବାଇବେଲରେ ମଧ୍ୟ କୌଣସି ନିର୍ଦ୍ଦେଶ ନାହିଁ-। ପୁରାତନ ରୋମରେ ଜୁଆ ଖେଳୁଥିଲେ, ଯେଉଁଥିପାଇଁ ସେମାନେ ତ୍ୟାଗ କରୁଥିଲେ ନିଜର ସ୍ଵାଧୀନତା । କୁହାଯାଉଥିଲା ହାରିଗଲେ ସେମାନେ ଦାସ ହୋଇଯିବେ । ଚୀନଦେଶରେ ଜୁଆଖେଳରେ ହାତଗୋଡ଼ ସବୁ କଟାଇ ଦେଉଥିଲେ, ଯଦି ଖେଳରେ କିଏ ହାରିଯାଏ । ସୁଦାନ ଓ ପଶ୍ଚିମ ଆଫ୍ରିକାରେ ଆଦିବାସୀମାନେ ସ୍ତ୍ରୀ ପୁତ୍ରକୁ ଜୁଆରେ ହରାଉଥିଲେ । ଆମର ମହାଭାରତରେ ମଧ୍ୟ ସେଇକଥା । ଅଗଷ୍ଟସ୍, ନୀରୋ ଓ ଅନ୍ୟାନ୍ୟ ସମ୍ରାଟମାନେ ଲଟେରୀର ପ୍ରଚଳନ କରିଥିଲେ ରାଜକୋଷରେ ଅର୍ଥ ଉପାର୍ଜନପାଇଁ ବା ରାଜ୍ୟରେ ପ୍ରାସାଦମାନ ନିର୍ମାଣ ପାଇଁ-। ୧୯୫୧ ମସିହାରେ ଏ ସଂକ୍ରାନ୍ତରେ ଲଣ୍ଡନରେ କମିଶନ ବସିଥିଲା । ସେଥ‌ିରେ ହିସାବ କରାଯାଇଥିଲା ଯେ, ବର୍ଷକୁ ପ୍ରାୟ ୧୦ କୋଟି ପର୍ଯ୍ୟନ୍ତ ଟଙ୍କାର ଖେଳ ହୁଏ କେବଳ ଇଂଲଣ୍ଡରେ, ଏ ଜୁଆରେ । ଆମେରିକାରେ କେବଳ ମେସିନ୍ ଜରିଆରେ ପ୍ରାୟ ଅଶୀକୋଟି ଟଙ୍କାର ଖେଳ ହୁଏ ବର୍ଷକୁ ୧୯୫୦ର ଗୋଟିଏ ହିସାବ ଅନୁଯାୟୀ । କୁହାଯାଏ ଯେ ସମାଜ ସହିତ ବ୍ୟକ୍ତି ସବୁବେଳେ ଖାପ ଖୁଆଇ ଚାଲି ପାରେନା । ସେଥିପାଇଁ ସେ ଭବିଷ୍ୟତ ସହିତ ସଂଘର୍ଷ କରେ । ସଂଘର୍ଷ କରେ ଭୟରେ, ସଂଘର୍ଷ କରେ ଅସ୍ୱସ୍ତିକର ପରିସ୍ଥିତିରୁ ମୁକ୍ତି ପାଇଁ, ସଂଘର୍ଷ କରେ ମନସ୍ତାତ୍ତ୍ଵିକ ଅନିଶ୍ଚିତତା ହେତୁ । ଏଇଥିରୁ ଜୁଆର ଜନ୍ମ । ଏହା ହିଁ ଜୁଆର ଭିତ୍ତି ।

 

ସେଇ ରକ୍ତ ମଧ୍ୟ କାଉଲ୍‍ଙ୍କ ଦେହରେ ବୋହୁଛି । ଇତିହାସର ସେଇ ପରମ୍ପରାର ରକ୍ତ-। ମନସ୍ତାତ୍ତ୍ଵିକର ସେଇ ଇଙ୍ଗିତରେ କାଉଲ୍ ମଧ୍ୟ ପ୍ରଭାବିତ ।

 

ପୃଥ‌ିବୀରେ ଏପରି କୌଣସି ସହର ନାହିଁ, ଯେଉଁଠି କାଉଲ୍ ଜୁଆ ନ ଖେଳିଛନ୍ତି । ଲଣ୍ଡନ, ପ୍ୟାରିସ୍, ବର୍ଲିନ୍, ଟୋକିଓ, ହଂକଂ । ତାଙ୍କ ମତରେ ମଣ୍ଟେକାର୍ଲୋ ହେଉଛି ସର୍ବଶ୍ରେଷ୍ଠ କେନ୍ଦ୍ର, ଯେଉଁଠି ଜୁଆଖେଳ ସାତ୍ତ୍ଵିକ ଭାବରେ ପୂଜନୀୟ । ପୃଥ‌ିବୀର ବିଚ୍ୟୁତ ମହାରାଜଦଳ, ୟୁରୋପର ଧନାଢ଼୍ୟ ବିଧବାମଣ୍ଡଳୀ, ଉଚ୍ଛୃଙ୍ଖଳ ତରୁଣଗୋଷ୍ଠୀ ଏହି ମହାନ୍ ଅନୁଷ୍ଠାନର ବିଶେଷ ପୃଷ୍ଠପୋଷକ । କ୍ଷୁଦ୍ର ସହର ବକ୍ଷରେ ବିରାଟ ଚର୍ଚ୍ଚ ପରି ଏକ ବିଶାଳ ପ୍ରାସାଦ । ସେଇଠି ବିଭିନ୍ନ ପ୍ରକାରର ଜୁଆଖେଳ ଅହରହ ଚାଲୁଥାଏ ।

 

ଯେଉଁମାନେ ଜୀବନର ପରିସର ଭିତରେ ସମ୍ୟକ ଭାବରେ ଉତ୍ତେଜନାରୁ ବଞ୍ଚିତ ହୁଅନ୍ତି, ତା’ର ପୂରକ ହୁଏ ମଣ୍ଟେକାର୍ଲୋ । ସେଠି ସମସ୍ତ ଆୟୋଜନ ରହିଛି ମଣିଷକୁ ଏଇ ତତ୍କାଳୀନ ସମସ୍ୟାରୁ ଊର୍ଦ୍ଧ୍ୱକୁ ନେଇ ଏକ ଅପାର୍ଥିବ ଜଗତରେ ପହଞ୍ଚାଇବା ପାଇଁ ।

 

ଆମରି ଏ କଲିକତାର ଘୋଡ଼ାଦୌଡ଼କୁ ଆସନ୍ତି କେଜେରିୱାଲଙ୍କ ପରି ତରୁଣ ଯୁବକ । ବାପା ତାଙ୍କର ଛାଡ଼ି ଯାଇଛନ୍ତି ପ୍ରତ୍ୟେକ ସନ୍ତାନପାଇଁ ପ୍ରାୟ ଦୁଇଲକ୍ଷ ଲେଖାଏଁ ଟଙ୍କା । ଗୋଟିଏ ପୁଅ ବସବାସ କରେ ଅଡ଼ିନାନ୍‌ସ କ୍ଲବରେ, ଅନ୍ୟଟି ରେସକୋର୍ସରେ । ଧନ ଓ ମନ ଦେଇ ଏକ ପ୍ରାଣରେ ଲକ୍ଷ୍ୟ କରୁଥାନ୍ତି–‘ରକ୍‍ପାୱାର’, ‘ମ୍ୟାଜିକ୍–ଲେଡ଼ି’, ‘କୁଇନ୍ସ ଷ୍ଟ୍ରିଟ୍’, ‘ବିଜୟା’, ‘ଧରତୀକା ଚାନ୍ଦ’ ଆଦି ଅଶ୍ୱଙ୍କ ଜୀବନର ଦୈନିକ ପ୍ରଗତି । ଏମାନଙ୍କର ପିତା କିଏ, ମାତା ଅଷ୍ଟ୍ରିଆନ୍ ବା ଆଇରିସ୍, କେଉଁ ଷ୍ଟେବଲ୍‌ରେ ଏମାନଙ୍କର ଜନ୍ମ, କେଉଁ ପଡ଼ିଆରେ କିଏ କିପରି ଦୌଡ଼ିଥିଲା, ଶୀତଦିନରେ ସୂର୍ଯ୍ୟଙ୍କ କୋମଳ ରଶ୍ମି ଏହାକୁ ସୁହାଏ ନା ବର୍ଷାସିକ୍ତ ଧରଣୀ ଉପରେ ଏହାର ପଦଚାରଣ ସହଜ ହୁଏ, ଏହି ସବୁର ସବିଶେଷ ବିବରଣୀ ସଂଗ୍ରହ କରିଥାନ୍ତି କେଜରିୱାଲ୍ ଜୀ । ମାନ୍ଦ୍ରାଜରେ କିଏ କି ପରି ଦୌଡ଼ିଥିଲା, ଦିଲ୍ଲୀରେ କିଏ କାହାକୁ ଟପିଥିଲା-ସେ ପୁଣି କେତେ ତଫାତ୍‌ରେ ! କଲିକତାରେ ଶୀତକାଳରେ କିଏ ପଡ଼ିଆରେ ପ୍ରଥମେ ମୁହଁମୋଡ଼ି ଦେଇଥିଲା, ତା’ର ସମସ୍ତ ବିଷୟ ଅବଗତ ହୋଇଛନ୍ତି ଏ ମହାଶୟ । କେବଳ ସେତିକି ନୁହେଁ, ଏ ଘୋଡ଼ାର ବାପ ବର୍ଷ ମାନ ଅଷ୍ଟ୍ରେଲିଆରେ କ’ଣ କରୁଛି, ମା’ କିପରି ଅଛି, ସେମାନଙ୍କ ଦେହରେ କି କି ବ୍ୟାଧି ଅଛି, ସବୁ ଜାଣନ୍ତି । ଶନିବାର ସନ୍ଧ୍ୟାଠୁ ଆର ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ହିସାବ ନିକାଶ କରୁଥାନ୍ତି । ଯୁକ୍ତି କରନ୍ତି ଯେ, ଏହି ଘୋଡ଼ା ଉପରେ ଆଉ ପନ୍ଦର ପାଉଣ୍ଡ ଓଜନ ବଢ଼ାଇ ଦିଆଯାଇଛି ସତ; କିନ୍ତୁ ପ୍ରତ୍ୟେକ ରେସ୍ ପରେ ଘୋଡ଼ାର ଆହୁରି କୋଡ଼ିଏ ପାଉଣ୍ଡ ଓଜନର ଦକ୍ଷତା ବଢ଼େ, କାରଣ ଏ ହେଉଛି ଆୟାରଲାଣ୍ଡର ପଶୁ । କିଛି ଦେଶୀ ନୁହେଁ ! ତେଣୁ ସେ ଉପସଂହାର କରନ୍ତି ଯେ, ଏପରି ଓଜନ ସତ୍ତ୍ୱେ ସେ ନିଶ୍ଚୟ ଜିତିବେ, ଅବଶ୍ୟ ଜିତିବେ । ଏହା ଅଙ୍କ ଓ ଇତିହାସର ମିଳିତ ଉପସଂହାର ।

 

ଆହୁରି ଅନେକ ଆସନ୍ତି ମିଷ୍ଟର ଜନ୍ ପରି ଆଙ୍ଗ୍ଲୋଇଣ୍ଡିଆନ୍ । ଏ ରେସକୋର୍ସ ତିଆରି ହେଲାଦିନରୁ ସେ ଏହାର ସାଙ୍ଗରେ ବଢ଼ି ଆସିଛନ୍ତି । ଅବଶ୍ୟ ସେତେବେଳେ ସାହେବମାନେ ଥିଲେ । ସାହେବମାନଙ୍କ ସାଙ୍ଗରେ ସେ ଯାନ୍ତି ରେସକୋର୍ସକୁ । ସେମାନେ ଏହାଙ୍କ ଲାଗି କୌଣସି ନା କୌଣସି କାମ ବାହାର କରନ୍ତି । କେତେବେଳେ ଗେଟ୍‌ରେ, କେତେବେଳେ ରେସ୍ତୋରାଁରେ । ସାହେବମାନେ ମଝିରେ ମଝିରେ ପୁରସ୍କାର ଦିଅନ୍ତି ଯଦିଓ ମିଷ୍ଟର ଜନ୍ ଉପଯୁକ୍ତ ଟିପ୍‌ସ ଦିଅନ୍ତି । ସେ ନାନାଦି ଖବର ପହଞ୍ଚାନ୍ତି ଖେଳାଳିମାନଙ୍କ ପାଖରେ । କେଉଁ ଜକି କେଉଁ ଘୋଡ଼ାରେ କାହା ଜରିଆରେ କେତେ ଟଙ୍କା ଏ ଖେଳରେ ଲଗାଇଛି । ଜକି ଯଦି ଲଗାଇଛି ତା’ହେଲେ ସେଇ ଘୋଡ଼ା ଜିତିପାରେ । କାରଣ ସେ ଘୋଡ଼ାକୁ ଅନ୍ୟମାନଙ୍କଠାରୁ ବେଶି ଭଲଭାବରେ ଚିହ୍ନେ । ମିଷ୍ଟର ଜନ୍ ତାଙ୍କର ହେତୁ ହେବା ଦିନଠାରୁ ଜ୍ଞାତସାରରେ କୌଣସି ରେସ୍‍ ଖେଳକୁ ବାଦ ଦେଇନାହାନ୍ତି । ତାଙ୍କପାଇଁ ସେ ଜମି, ସେ ଘର, ସେଠାକାର ଖେଳୁଆଡ଼, ସେ ପରିସର–ସମ୍ପୂର୍ଣ୍ଣ ସଂସାର । ଖେଳ ହେବାଦିନ ସକାଳୁ ସେ ଯା’ନ୍ତି ସ୍ପର୍ଟ ଦେଖି–ଘୋଡ଼ାମାନେ ଯେତେବେଳେ ଟ୍ରାଏଲ ରେସ୍ ଦେଉଥାନ୍ତି ମର୍ଣ୍ଣିଂ ପ୍ରାକ୍ଟିସ୍‌ ଭାବରେ ! କାଗଜରେ ସେସବୁ ମଧ୍ୟ ବାହାରେ । ସକାଳୁ ଅମୁକ ଘୋଡ଼ା ଏତେ ସମୟ ଭିତରେ ଏତେ ବ୍ୟବଧାନରେ ଏହାକୁ ଜିତିଛି । ଏଥିରୁ ନିଧାର୍ଯ୍ୟ ଉପସଂହାର କିଛି ବାହାରିବ ନାହିଁ, ତଥାପି କିଛି ଇଙ୍ଗିତ ମିଳିବ ଉକ୍ତ ଅପରାହ୍ନରେ ତା’ର କୃତକାର୍ଯ୍ୟ ଚାନସ୍ ସଂକ୍ରାନ୍ତରେ । ମିଷ୍ଟର ଜନ୍‌ଙ୍କ ପ୍ରତିକୂଳ ଆର୍ଥିକ ପରିସ୍ଥିତି ହେତୁ ନିଜେ ଆଉ ଖେଳିପାରନ୍ତି ନାହିଁ । ତଥାପି ଏ ଆବହାଓ୍ୱା, ଏ ପଡ଼ିଆ, ଘୋଡ଼ା ସବୁ ତାଙ୍କର ବଞ୍ଚିବାପାଇଁ ଅପରିହାର୍ଯ୍ୟ ।

 

ମିଷ୍ଟର ଓ ମିସେସ୍ ଘୋଷ ଏବଂ ମିଷ୍ଟର ଓ ମିସେସ୍ ସିଂଙ୍କ ପନ୍ଥା ଅନ୍ୟ ଧରଣର । ସେମାନେ କାଗଜ, ପେନ୍ ସିଲ୍ ନେଇ ସବୁବେଳେ ରେସକୋର୍ସରେ ଘୂରି ବୁଲୁଥାନ୍ତି । ଘୋଡ଼ାର ମାଲିକ, ପ୍ରତିଷ୍ଠିତ ବ୍ରୋକର୍, ବୁକ୍‌ମେକର ବା କେଜରିୱାଲଙ୍କ ପରି ଲୋକମାନଙ୍କ ସହିତ ଦେଖା ସାକ୍ଷାତ୍ କରି ମତାମତ ଯୋଗାଡ଼ କରନ୍ତି । ଯେଉଁ ଘୋଡ଼ା ସପକ୍ଷରେ ମତ ସବୁଠାରୁ ଅଧିକ ହୁଏ, ତା’କୁ ମିଳାନ୍ତି ଖବରକାଗଜର ଭବିଷ୍ୟତ ଗଣନା ସହିତ । ଉଭୟେ ବସି ଗଣତାନ୍ତ୍ରିକ ପନ୍ଥାରେ ସିଦ୍ଧାନ୍ତ କରନ୍ତି କେଉଁ ଘୋଡ଼ାର ଜିତିବାର ଆଶା ସବୁଠାରୁ ବେଶି । ପୁଣି ସେଇ ଘୋଡ଼ାଟା ପିଛା ସମୁଦାୟ ଅର୍ଥ ଲଗାନ୍ତି ନାହିଁ । ଗୋଟିଏ ପଛରେ ଉଇନ୍ ଦେଲେ ଅନ୍ୟଟାରେ ପ୍ଲେସ୍ ଲଗାନ୍ତି । ଜିତିଲେ ଅର୍ଥାଗମ କମ୍ ହୁଏ ସତ, କିନ୍ତୁ ହାରିଗଲେ କ୍ଷତି ବି ବେଶି ହେବ ନାହିଁ । ପରିପକ୍ୱ ନାରୀତ୍ୱର ସଂସାରୀ ବୁଦ୍ଧିର ପରିଣାମ ।

 

ମିସ୍ ମାଥୁର ଓ ମିସ୍ ଜେନିଙ୍କ ପରି ତରୁଣୀମାନଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ, ସଭ୍ୟମାନଙ୍କ ଗ୍ୟାଲେରୀରେ । ଦେହର ପ୍ରତ୍ୟେକ ପ୍ରତ୍ୟଙ୍ଗ ସଦ୍ୟ ଯୌବନର ଉତ୍କଟ ପ୍ରଚାର କରୁଥାନ୍ତି । ତାଙ୍କର ପରିଧାନ ନିଜର ଯୌବନକୁ ଆବଦ୍ଧ କରିପାରୁନଥାଏ । ନିଜକୁ ଶ୍ରମ ସହକାରେ ପରିଚିତ କରାନ୍ତି ଅନ୍ୟାନ୍ୟ ଧନାଢ଼ା ବ୍ୟକ୍ତିଙ୍କ ସହିତ । ବିଶେଷତଃ ପ୍ରୌଢ଼ଙ୍କ ଦଳରେ । ନିହାତି ତରୁଣ ହେଲେ ହଠାତ୍ ଦାବି କରିବସିବେ ରୂପକୁ । ବୃଦ୍ଧ ହେଲେ କୌଣସି ସ୍ଵାର୍ଥ ରଖିବେ ନାହିଁ ଏ ତରୁଣୀ ଗୋଷ୍ଠୀଙ୍କ ପ୍ରତି । ସଦ୍ୟ ବିଗତ ଯୌବନର ଉପସଂହାରରେ ଉପନୀତ ମଧ୍ୟକାଳବର୍ତ୍ତୀ ପୁରୁଷମାନେ ସାଧାରଣତଃ ଆକୃଷ୍ଟ ହେବେ ଏପରି ନାରୀମାନଙ୍କ ପାଇଁ । ନିଜର ଯୌବନକୁ ପ୍ରତିପାଦନ କରିବାକୁ ଚାହାନ୍ତି ଅର୍ଥ ଦେଇ, ସାହାଯ୍ୟ ଦେଇ । ଅଥଚ ନାରୀଠୁ ପ୍ରତିଦାନପାଇଁ ଦାବି ଖୁବ୍ ମାମୁଲି । ସେଇମାନେ ମିସ୍ ଜେନି ଓ ମିସ୍ ମାଥୁରଙ୍କୁ କିଣିଦେବେ ଟିକେଟ୍, ଆଣିଦେବେ ଡ୍ରିଙ୍କସ୍, ଆତିଥ୍ୟ ଦେବେ ଓ ଶେଷରେ ଲିଫ୍‌ଟ ଦେବେ ସେମାନଙ୍କ ବାସସ୍ଥାନ ପର୍ଯ୍ୟନ୍ତ । ଫିର୍ପୋ ବା ମୋଗାମ୍ବୋରେ ଡିନାରଟା ବି ସମ୍ଭବ । ଘୂରିବୁଲୁଥାନ୍ତି ଏମାନେ ଉପଯୁକ୍ତ ଶିକାରୀ ଅନ୍ଵେଷଣରେ ।

 

ଏଇସବୁ ଗୋଷ୍ଠୀର କିଛି କିଛି ନେଇ ମିଷ୍ଟର୍ କାଉଲ୍ ଗଠିତ । ଏଇ ଅର୍ଥରେ ସେ ଏମାନଙ୍କଠାରୁ ସ୍ଵତନ୍ତ୍ର । କେଜରିୱାଲଙ୍କ ଅନୁବର୍ତ୍ତିତା କିଛି ଲକ୍ଷ୍ୟ କରାଯାଏ ତାଙ୍କଠି । ଜନ୍‌ଙ୍କ ପରି ମଧ୍ୟ କିୟତ୍ ପରିମାଣରେ ତାଙ୍କ ଧମନୀରେ ଏ ବାୟୁମଣ୍ଡଳ ନିଶା ରହିଛି । ଘୋଷ୍ ଓ ସିଂଙ୍କର ହିସାବୀ ବୁଦ୍ଧିରୁ ସେ ଏକାବେଳେ ବଞ୍ଚିତ ନୁହନ୍ତି । ପ୍ରୌଢ଼ ନ ହେଲେ ହେଁ ମଝିରେ ମଝିରେ ଆଶ୍ରୟ ମଧ୍ୟ ଦିଅନ୍ତି ଜେନି ଓ ମାଥୁରଙ୍କ ପରି ତରୁଣ ଗୋଷ୍ଠୀକୁ ବା ବଡ଼ବଜାରର ବାଇଜୀମାନଙ୍କୁ । ବେଳେବେଳେ ଖେଳିବାପାଇଁ ଇଚ୍ଛା ନଥିଲେ ସେଠି ଘୂରି ବୁଲି ସରକାରୀ ଦପ୍ତରର ଖ୍ୟାତନାମା ଅଫିସର ବା ବାରିଷ୍ଟରମାନଙ୍କୁ ସାହଚର୍ଯ୍ୟ ଦିଅନ୍ତି ଗ୍ୟାଲେରୀ ଉପରେ, ପ୍ରାଇଭେଟ ବାଗ୍‌ରେ ।

 

କିନ୍ତୁ କାଉଲ୍‌ଙ୍କର ଗୋଟାଏ ବିଶେଷତ୍ଵ ଅଛି, ଯେଉଁଟା ଅନ୍ୟ କାହାଠି କ୍ୱଚିତ୍ ଦେଖିବାକୁ ମିଳେ । ସେଇଟା ହେଉଛି ତାଙ୍କର ବିବୃକ୍ଷଣ ଅନ୍ତଃଶକ୍ତି ବା ଇନଟିଉସନ୍ । ସେ ବି ଖବରକାଗଜ ଦେଖନ୍ତି, ଜକିଙ୍କ ସହିତ ସାଲିସ୍ କରନ୍ତି, ହିସାବ ଦେଖନ୍ତି, ଇତିହାସ ବୁଝନ୍ତି, କିନ୍ତୁ ତାଙ୍କର ଏସବୁର ଉପସଂହାରକୁ ଟାଳିଦିଏ ତାଙ୍କର ନିଜ ଅନ୍ତରର ନିର୍ଦ୍ଦେଶ । ଯେତେବେଳେ ସେ ଘୋଡ଼ାକୁ ଦେଖନ୍ତି ନିଜେ, ପାଡ଼କ୍ ଭିତରେ, ମଝିରେ ମଝିରେ ମନ ତାଙ୍କର ଯେପରି କହେ-‘ଦେଖ୍ ଏ ଯେଉଁ ଘୋଡ଼ା ସାମନାରେ ଚାଲିଯାଉଛି, ସାତ ନମ୍ବର, ତା’ର ଆଖିକୁ ଦେଖ, ତା’ର ଗୋଡ଼ର ଟାପୁକୁ ନଜର କରି । କାନ୍ଧର ଗୋଲେଇକୁ ବୁଝା । ତା’ର ବିଜୟର ନିଶାକୁ ଉପଲବ୍‌ଧି କର । ବିଜୟ ତ ଏହାର ଭାଲରେ ଲେଖା । ଏଇ ତୋ’ର ଚଏସ୍ । ବ୍ୟାକ୍ କର ଏହାରି ପିଛା । ପାଞ୍ଚ ହଜାର, ସାତ ହଜାର, ଦଶ ହଜାର ।’’ କାଉଲ୍ ସେ ମୁହୂର୍ତ୍ତରେ ବିଚଳିତ ହୁଅନ୍ତି । ଛାତି ଭିତରୁ କିପରି ଗୋଟାଏ ଉନ୍ମାଦନା ଉଠେ । ଆଖି ଦିଶେ ଲାଲ । ଦେହ ଭିତରେ ଗୋଟାଏ ଶିହରଣ ଅନୁଭବ କରନ୍ତି । ବୁକିଂକୁ କହନ୍ତି ମୋର ସାତ ନମ୍ବର ଘୋଡ଼ାରେ ପାଞ୍ଚ ହଜାର । ଘଣ୍ଟି ବାଜେ । ଘୋଡ଼ାସବୁ ଯାନ୍ତି ରେସ୍ ଟ୍ରାକ୍‌କୁ । ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖନ୍ତି ଧଳାର ଟେପ୍ ଉଠିଲା-। ସମସ୍ତେ ଦୌଡ଼ିବା ଆରମ୍ଭ କଲେ । ନିଜେ ଯେପରି ତାଙ୍କର ଘୋଡ଼ାର ପିଣ୍ଡ ଭିତରେ ପଶି ଯାଉଛନ୍ତି । ତା’ରି ସାଙ୍ଗରେ ସେ ମଧ୍ୟ ଟପୁଛନ୍ତି ଗୋଟାଏ ପରେ ଗୋଟାଏ ।

 

ପାଖ ହୋଇ ଆସିଲା ଶେଷ ଗୋଲେଇଟା । କାଉଲ୍ ଅନ୍ୟ ସମସ୍ତଙ୍କୁ ଯେପରି ପଛରେ ପକାଇ ଛୁଟିଆସିଲେ ଗୋଟାଏ ଆପ୍ରାଣ ମାଦକତାରେ । ଚାରିଆଡ଼ୁ ପାଟି ହେଉଥାଏ । ଧ୍ଵନି ଶୁଭୁଥାଏ । ତାଳି ବାଜୁଥାଏ । ତାରି ଭିତରେ ତାଙ୍କର ଘୋଡ଼ା ଜିତିଲା । କାଉଲ୍‌ଙ୍କ ସାର୍ଟ୍ ଝାଳରେ ବୁଡ଼ିଗଲାଣି, ଯେପରି ଏ ଦୁଇହଜାର ମିଟର ସେ ନିଜେ ଦୌଡ଼ିଛନ୍ତି । ସେଦିନ ଜିତିଲେ ପଚିଶ ହଜାର ।

 

କିନ୍ତୁ ଅଧିକାଂଶ ଦିନ ତାଙ୍କର ମନ ବି ଧୋକାଦିଏ । ଘୋଡ଼ାକୁ ଯେତେ ଅନାଇଲେ ବି ମନରୁ ସେପରି ସ୍ପନ୍ଦନ ଆସେ ନାହିଁ । ଜାଣିପାରନ୍ତି ନାହିଁ ପରିଣାମ କ’ଣ ହେବ । ଖାମ୍‍ଖିଆଲି ଭାବରେ କାଉଣ୍ଟରରେ; ବା ବୁକିଂ ପାଖରେ ପହଞ୍ଚନ୍ତି । ଯାହା ମନକୁ ଆସେ ସେଇ ଘୋଡ଼ାରେ ଲଗାନ୍ତି । ଅନେକଥର ହାରନ୍ତି, ଅନେକଥର ଜିତନ୍ତି ମଧ୍ୟ । କିନ୍ତୁ ସେସବୁ ଆକସ୍ମିକ ।

 

ଉପହାସ ଛଳରେ କୁହାଯାଏ ଯେ, ବର୍ତ୍ତମାନ କମନଓ୍ୱେଲଥ୍ ଦେଶମାନଙ୍କ ମଧ୍ୟରେ ମିଳନପାଇଁ ଆଉ କୌଣସି ବିଷୟ ନାହିଁ, କେବଳ ଘୋଡ଼ାଦୌଡ଼ ଓ କ୍ରିକେଟ ଛଡ଼ା । କିନ୍ତୁ ପ୍ରଥମେ ଘୋଡ଼ାଦୌଡ଼ ଆରମ୍ଭ ହୋଇଥିଲା ଗ୍ରୀସ୍ ଦେଶରେ । ପ୍ରାୟ ଖ୍ରୀ.ପୂ. ୬୨୪ରେ । ପରାକାଷ୍ଠା ଲାଭକଲା ରୋମରେ । ବର୍ତ୍ତମାନ ଯେପରି ଆଇରିସ୍ ଘୋଡ଼ାକୁ ସମ୍ମାନ ଦିଆଯାଉଛି, ସେତେବେଳେ ଦିଆଯାଉଥିଲା ଆରବ ଦେଶର ଘୋଡ଼ାକୁ । ଦ୍ଵିତୀୟ ହେନେରିଙ୍କ ବେଳକୁ ଏ ଖେଳ ବିଲାତରେ ପହଞ୍ଚିଲାଣି ପ୍ରାୟ ୧୧୭୪ ଖ୍ରୀଷ୍ଟାବ୍ଦରେ । କିନ୍ତୁ ଏହା ଭିତରକୁ କେବଳ ରଜା ବା ବଡ଼ ବଡ଼ ବ୍ୟାରେନ୍‌ଙ୍କର ପ୍ରବେଶ ଥିଲା । ପ୍ରାଇଜ୍‌ ଦେଇ ଖେଳ ଆରମ୍ଭ ହେଲା ରିଚାର୍ଡ଼ଙ୍କ ସମୟରେ । ଘୋଡ଼ାଦୌଡ଼ ଦର୍ଶନ ଓ ବ୍ୟବସାୟ ହିସାବରେ ପ୍ରତିଷ୍ଠା ପାଇଲା, ଇଂଲଣ୍ଡରେ ପ୍ରାୟ ଷୋଡ଼ଶ ଖ୍ରୀଷ୍ଟାବ୍ଦରେ । ଏଥ‌ିପାଇଁ ବିଭିନ୍ନ ଦେଶରୁ ଘୋଡ଼ା ଆସିଲା । ଏମାନଙ୍କ ବଂଶଧରମାନଙ୍କୁ ଏବେବି ରୟାଲ ମେୟାର କୁହାଯାଉଛି । ସେତେବେଳେ ଜକିମାନେ ଗୋଟିଏ ସମ୍ମାନଜନକ ଶ୍ରେଣୀଭାବରେ ସୃଷ୍ଟି ହେଲେ । ହାଣ୍ଡିକ୍ୟାପ୍ କଥା ଉଠିଲା ।

 

ଘୋଡ଼ାକୁ ତା’ର ଐତିହ୍ୟ ରଖି ଜନ୍ମ କରାଇବା କଥା ସବୁ ଠିକ୍ କରାଗଲା । ସେତେବେଳଠାରୁ ଆଜିପର୍ଯ୍ୟନ୍ତ ସମଗ୍ର ପୃଥ‌ିବୀରେ ଏହି ପ୍ରଥା ପ୍ରଚଳିତ ହୋଇଆସୁଛି । ବୁନିଆଦି ଦେଖି ବାପା ମା’ ଠିକ୍ କରି ସେ ଅନୁସାରେ ପିଲା ଜନ୍ମ କରାଯାଏ । ସେଇମାନେ ପୋଖତ ଦୌଡ଼ିବା ଘୋଡ଼ା ହୁଅନ୍ତି । ଆନ୍ତର୍ଜାତିକ କ୍ଷେତ୍ରରେ ଦେଶ, ବର୍ଣ୍ଣ ବ୍ୟତିରେକେ ବିବାହ ମିଳନ କେବଳ ଏହି ଜାତି ମଧ୍ୟରେ ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇଛି ।

 

ଯେଉଁମାନେ ଏ ଘୋଡ଼ା ଖେଳକୁ ଯା’ନ୍ତି, ସେମାନଙ୍କ ପାଇଁ, ସେ ସମୟ ପାଇଁ ସମଗ୍ର ବିଶ୍ଵରେ କୌଣସି ବିଷୟ ଗୁରୁତ୍ଵପୂର୍ଣ୍ଣ ନୁହେଁ । ଯଦି କେହି କହେ ଯେ, ତୁମ୍ଭର ପୁତ୍ର ଗୁରୁତର ଭାବରେ ପୀଡ଼ିତ, ତୁମେ ଶୀଘ୍ର ଘରକୁ ଫେରିଯାଅ, ଉତ୍ତର ହେବ, ଏଇ ରେସ୍‌ ସରିଯାଉ, ତା’ପରେ ଯିବା । ଯଦି କେହି କହେ ତୁମର ସ୍ତ୍ରୀ ମଟର ଆକ୍‌ସିଡେଣ୍ଟରେ ପଡ଼ି ଯାଇଛନ୍ତି, ଏଇ ଭଦ୍ରଲୋକ ପଚାରିବେ କେଉଁ ଡାକ୍ତରଖାନାରେ ସେ ବର୍ତ୍ତମାନ ଅଛି, ତା’ର ଠିକଣା ଦିଅ, ରେସ୍ ପରେ ଯାଇ ପହଞ୍ଚିବି । ଦୁନିଆରେ କୌଣସି ଦୁର୍ଯୋଗ ବା ଦୁର୍ଘଟଣା ନାହିଁ ଯାହାକି ତାଙ୍କୁ ସେଠୁ ଟାଣିନେଇ ପାରିବ । ଇଏ ଏପରି ନିଶା, ଯାର ଶେଷ ହେଉଛି ଖେଳର ଉପସଂହାରରେ । ଯଦି ଦେଖାଯାଏ ଯେ ଗୋଟାଏ ଡେଡ୍ ହିଟ୍ ହୋଇଛି, ଅର୍ଥାତ୍ ଦୁଇଟି ଘୋଡ଼ା ଏକ ମୁହୂର୍ତ୍ତରେ ଶେଷ ଗାର ଟପି ଅଛନ୍ତି, କିଏ ଜିତିବ, କିଏ ହାରିବ, ତା’ର ମୀମାଂସା ହେବ ଫଟୋର ପ୍ରମାଣ ଉପରେ I କ୍ରମାଗତ ଭାବରେ ଫଟୋନିଆ ହେଉଥାଏ ଟ୍ରାକ୍ଟର ଶେଷରେଖା ଉପରେ, ଯାହାକୁ ଟପିଲେ ଦୌଡ଼ ଶେଷ ହେଲାବୋଲି ଘୋଷଣା କରାଯିବ । ସେହି ମୁହୂର୍ତ୍ତରେ ଆଗ୍ରହ ଓ ଉତ୍ତେଜନାକୁ ଟପି ଆଉ କୌଣସି ଅନୁଭୂତି ନାହିଁ । ଅଥବା ଯଦି ଗୋଟାଏ ଘୋଡ଼ା ଆର ଘୋଡ଼ା ସାମନାରେ ଟପି ଗୋଟାଏ କଡ଼ରୁ ଚାଲିଆସି ଜିତିଲା, ତାହେଲେ ଭଙ୍ଗ ହେଲା ନିୟମର । ସଙ୍ଗେ ସଙ୍ଗେ ଖେଳାଳିଙ୍କ ତରଫରୁ ବା ଜକି ତରଫରୁ ଆପତ୍ତି କରାଯିବ । ଆପତ୍ତି କଲେ ପଡ଼ିଆରେ ଗୋଟାଏ ତିନିକୋଣିଆ ନାଲି ବାକ୍‌ସ ଖୁଣ୍ଟ ଉପରକୁ ଉଠିବ । ବସିବ ଷ୍ଟୁଓ୍ୱାଡ଼ମାନଙ୍କର ସଭା, ଦଶ ପନ୍ଦର ମିନିଟ୍ ଭିତରେ ସିଦ୍ଧାନ୍ତ ହୋଇଯିବ । ଆପତ୍ତି ଯୁକ୍ତିଯୁକ୍ତ କି ନୁହେଁ, ସେହି ଅନୁସାରେ ସିଦ୍ଧାନ୍ତ ଘୋଷିତ ହେବ । ଉଠିବ ସେହିପରି ଆଉ ଗୋଟାଏ ଧଳା ତିନିକୋଣିଆ ବାକ୍‌ସ । ଏହାଠୁଁ ବଳି ଜୀବନର ଗୁରୁତ୍ଵପୂର୍ଣ୍ଣ ମୁହୂର୍ତ୍ତ ଆଉ ନାହିଁ ଏ ଖେଳାଳିମାନଙ୍କ ପକ୍ଷରେ ।

 

ଅନେକ ଦିନପରେ କାଉଲ୍ ଫେରିଥାନ୍ତି ସହରକୁ । ରେସ୍‌କୁ ଯାଉଥାନ୍ତି । ପହଞ୍ଚୁ ପହଞ୍ଚୁ ଦେଖାଦେଲେ ମିସ୍ ଜେନି । ଉଚ୍ଛ୍ୱସିତ ପ୍ରଶଂସା କଲେ କାଉଲ୍‍ଙ୍କୁ–ତାଙ୍କର ରୂପ ଓ ଖେଳର କରାମତିକୁ । କହିଲେ, ତାଙ୍କ ବିହୁନେ ସେ ଅନେକ ଦିନ ନିଃସ୍ଵ ହୋଇ ରହିଯାଇଛନ୍ତି । ଆଜି ସେ ସୁଯୋଗ ମିଳିଛି । ଅନେକ ଦିନର ପରାଜୟର ପ୍ରତିଶୋଧ ନେବେ । ଆଜି ତାଙ୍କୁ ଯେପରି କାଉଲ୍ ନିଶ୍ଚୟ ଜଣାନ୍ତି । କାଉଲ୍ ସେଦିନ ଖୁବ୍ ଉତ୍ସାହୀ ଥା’ନ୍ତି । ଫେରିଛନ୍ତି ଲେବାନନ୍‌ରୁ । ଜେନିଙ୍କର ସମସ୍ତ ନିବେଦନକୁ ଗ୍ରହଣ କରି ପ୍ରତିଶ୍ରୁତି ଦେଲେ ତାଙ୍କର ବିଜୟ ପାଇଁ । ତା’ଛଡ଼ା ଜେନି ଯେଉଁ ରୂପର ସମ୍ଭାର ନେଇ ଆସିଛନ୍ତି, କିଏ ସ୍ଵାମୀ ବିବେକାନନ୍ଦ ଆଜି ଯେ ତାକୁ ଅବହେଳା କରିପାରିବ-? କାଉଲ୍ ତାଙ୍କର ସମସ୍ତ ବୁଦ୍ଧି, ବିବେକ, ଜ୍ଞାନ ଖଟାଇ ଖେଳି ବସିଲେ । ନିଜପାଇଁ ହଜାରେ, ଜେନିଙ୍କ ପାଇଁ ପାଞ୍ଚଶହ । ପ୍ରଥମ ଦୌଡ଼ା ସରିଗଲା । କାଉଲ୍ ଯାହା ପିଛା ଲଗାଇଥିଲେ, ସେ ବିଚରା କେଉଁ ପଛରେ ପଡ଼ିରହିଲା । ହାରିଲେ କାଉଲ୍, ହାରିଲେ ଜେନି ।

 

କାଉଲ୍ କହିଲେ, ‘‘ଡିଅର୍ । ଏଇତ ଆରମ୍ଭ ମାତ୍ର ! ପ୍ରଥମରୁ ବିଜୟ, ଯାତ୍ରାର ଶୁଭଲକ୍ଷଣ ନୁହେଁ । ଅନେକ ତ ଅଛି ଖେଳିବା ପାଇଁ ।’’

 

ଦୁଇଜଣ ଛିଡ଼ାହୋଇ ରହିଲେ କିଛି ସମୟ ସେହି ଗଛ ତଳେ । ପିଇଲେ କୋକାକୋଲା । ଦ୍ୱିତୀୟ ରେସ୍ ପାଇଁ ଘୋଡ଼ାମାନେ ଆସିଗଲେଣି । କାଉଲ୍ କହିଲେ, ‘ଜେନି । ଏଥର ତିନି ନମ୍ବର । ଦେଖ ତୁମ ରୂପର କରାମତି । ଘୋଡ଼ାଟି ଖାଲି ତୁମକୁ ଦେଖୁ । ତୁମେ ତାକୁ କୁହ ଯେ ତୁମେ ତା’ର ପୃଷ୍ଠପୋଷକ । ଏତେ ରାଜା ମହାରାଜାଙ୍କ ଶ୍ରଦ୍ଧା ପାଉଛ, ଏ ପଶୁଟି ତୁମକୁ ଅବଶ୍ୟ ହେଳା କରିବ ନାହିଁ । ଏଇଥର ପୁରାତନ ପରାଜୟକୁ ନିଶ୍ଚିହ୍ନ କରି ନୂତନ ବିଜୟର ଧ୍ଵଜା ଉଠିବ । ମୋର ଦୁଇହଜାର ଏଥ‌ିରେ । ତୁମର ରହିଲା ପାଞ୍ଚଶହ । ଜିତିଲେ ପାଇବ ଷୋଳହଜାର-।’’ ଟିକିଏ ଉପହାସ ଛଳରେ କହିଲେ, ‘‘ଏ ସପ୍ତାହଟା ଚାଲିଯିବା ସାଇଗନକୁ– ହନିମୁନ୍ ପରି ଉପଭୋଗ କରିବା ।’’

 

ଘଣ୍ଟି ବାଜିଲ । ଘୋଡ଼ା ଦୌଡ଼ିଲେ । ତିନି ନମ୍ବର ହେଲା ଦ୍ୱିତୀୟ । ପୁଣି ହାରିଲେ କାଉଲ୍ ଓ ଜେନି ।

 

କାଉଲ୍ ବୁଝାଇଲେ ଜେନିଙ୍କୁ, ‘‘ଜେନି ଡିଅର୍ ! ହିନ୍ଦୁ ଶାସ୍ତ୍ରରେ କାଳେ ଅଛି ବୀର ତୃତୀୟ ଥରକେ ଯାଇ ବିଜୟ ହାସଲ କରେ । ବିଜୟ–ଲକ୍ଷ୍ମୀ ପରୀକ୍ଷା ନିଅନ୍ତି ବୀରର ଧୈର୍ଯ୍ୟ ଓ ସାହସ । ଏଇଥର ଆମର ପାଳି । ହିନ୍ଦୁ ଶାସ୍ତ୍ରରେ ଜଣକର ନାମ ଲେଖାଅଛି । ଏଇଥର ଆମ ଦୁଇଜଣଙ୍କର ନାମ ଲିପିବଦ୍ଧ ହୋଇଯିବ ।’’

 

ଏଇଥର ‘ଲେଡ଼ିଲଭ୍’ ଘୋଡ଼ା ଉପରେ ପାଞ୍ଚ ହଜାର । କିନ୍ତୁ ବିଜୟର ଦିଲ୍ଲୀ ବର୍ତ୍ତମାନ ସୁଦ୍ଧା ଅନେକ ଦୂର । ପରାଜିତ ହେଲେ କାଉଲ୍ । ଏ ପରାଜୟ ଜେନିଙ୍କୁ ଖୁବ୍ ବାଧିଲା । ସେ ନିରୁତ୍ସାହୀ ହୋଇ ଆସିଲେଣି । କାଉଲ୍ ବୁଝାଉଥାନ୍ତି ‘ଡାର୍ଲିଂ ! ହାଲ ଏତେ ଶୀଘ୍ର ଛଡ଼ାଯାଏ ନାହିଁ । ଅନେକ ସୁଯୋଗ ଅଛି । ଧୈର୍ଯ୍ୟଧର ପ୍ରିୟେ । ବୀରଭୋଗ୍ୟ ବସୁନ୍ଧରା ।’’ ଚତୁର୍ଥ ଖେଳପାଇଁ ତିଆରି ହେଲେ କାଉଲ୍ ଓ ଜେନି । ଚତୁର୍ଥ ଖେଳ ସରିଲା । କିନ୍ତୁ ପରାଜୟ ଶେଷ ହେଲା ନାହିଁ । ପଞ୍ଚମ, ଷଷ୍ଠ ମଧ୍ୟ ତଦ୍ରୂପ । ପରାଜୟର ଚୋଟ କ୍ରମଶଃ ଗଭୀରରୁ ଗଭୀରତର ହୋଇଯାଉଛି । ଜେନିଙ୍କ ମୁହଁରୁ ଲିପ୍‌ଷ୍ଟିକ୍ ଶୁଖି ଓଠ ଫିକା ପଡ଼ିଗଲାଣି । କାଉଲ୍ ସେତେବେଳକୁ ପ୍ରାୟ କୋଡ଼ିଏ ହଜାର ଉପରେ ଦେଲେଣି । ବନ୍ଧୁ ପାଖରୁ କରଜ ନେଲେ ଆଉ ପନ୍ଦର ହଜାର । ଏହାକୁ ଦେଇ ପୁଣି ବିଜୟ ହାସଲ କରିବା ପାଇଁ ପଡ଼ିବ । ସମୟ ସୁଯୋଗ ମଧ୍ୟ ଆଉ ବିଶେଷ ନାହିଁ । ସାମାନ୍ୟ ବିଚଳିତ ଭାବ ଲକ୍ଷ୍ୟ କରୁଥାନ୍ତି କାଉଲ୍ ନିଜ ଭିତରେ । ଶୀତ ଦିନରେ ମଧ୍ୟ ଉତ୍ତାପ ଅନୁଭବ କରୁଥାନ୍ତି ନିଜ ଦେହ ଭିତରୁ ।

 

ଆନ୍ଧ୍ର ପ୍ରଦେଶରୁ ଜମିଦାରୀ ଯେତେବେଳେ ଆଇନ୍ ବଳରେ ଉଚ୍ଛେଦ କରାଗଲା, ବୁଦ୍ଧମୂର୍ତ୍ତିଙ୍କୁ ମିଳିଥିଲା କ୍ଷତିପୂରଣ ପ୍ରାୟ ଲକ୍ଷଟଙ୍କା । ଆନ୍ଧ୍ରରେ ତାଙ୍କର ବନ୍ଧୁବାନ୍ଧବମାନେ କହିଲେ, ‘ଏ ଅର୍ଥକୁ ବଢ଼ାଇବା ପାଇଁ ପଡ଼ିବ, ନଚେତ୍ ଏଇ ଅର୍ଥରେ ତୁମର ପୂର୍ବ ସମ୍ମାନ ରକ୍ଷାକରି ସହରରେ ପ୍ରତିଷ୍ଠା ଆଉ ସମ୍ଭବ ନୁହେଁ ! ତୁମର ତ ଆଉ କିଏ ଉତ୍ତରାଧିକାରୀ ନାହାନ୍ତି ଯେ ସଂସାର ଚଳାଇବେ ? ଏତକ ତ ସରିଯିବ ମାତ୍ର ଦୁଇଚାରି ବର୍ଷରେ ! ଭବିଷ୍ୟତ ହେବ ଅନ୍ଧାର । ତୁମକୁ ନିଜେ ନିଜର ଭବିଷ୍ୟତ ଗଢ଼ିବାପାଇଁ ପଡ଼ିବ । ଏ ବୟସରେ ତୁମେ ତ ଆଉ ବ୍ୟବସାୟ କରିପାରିବ ନାହିଁ ! ଶୀଘ୍ର ଅର୍ଥ ଉପାର୍ଜନ କରିବାର ଏକମାତ୍ର ପନ୍ଥା ହେଉଛି ହର୍ସରେସ୍, ଘୋଡ଼ାଦୌଡ଼ ।’’

 

ମିଷ୍ଟର ମୂର୍ତ୍ତି କର, କପାଳ, କୋଷ୍ଠୀ, ତାଙ୍କର ଉତ୍‌ଥାନ ଓ ପତନର ଏକମାତ୍ର କୈଫିୟତ ବୋଲି ଆଜୀବନ ବିଶ୍ଵାସ କରିଆସିଛନ୍ତି । ସାଙ୍ଗରେ ଥାନ୍ତି ଭାରତବିଖ୍ୟାତ ଜ୍ୟୋତିଷ ଶ୍ରୀ ଶଙ୍କରାଚାର୍ଯ୍ୟ । ତାଙ୍କୁଇ ନେଇ ସେ ଆଜି ଆସିଛନ୍ତି ଘୋଡ଼ାଦୌଡ଼କୁ । ଅନେକଦିନ ଧରି ଏହି ଦିନଟିକୁ ସେ ଅପେକ୍ଷା କରି ବସି ରହିଥିଲେ । ଗ୍ରହ ଉପଗ୍ରହମାନଙ୍କର କି ଅଦ୍ଭୁତ ମିଳନ ସେଦିନ । ବିଜୟ ତ ତାଙ୍କର ଅବଶ୍ୟମ୍ଭାବୀ । ଶ୍ରୀଯୁକ୍ତ ଶଙ୍କରାଚାର୍ଯ୍ୟଙ୍କର ଜ୍ୟୋତିଷବିଦ୍ୟା ଏପରିକି ଆମେରିକାର କେତେକ ସ୍ଥାନରେ ମଧ୍ୟ ପ୍ରତିଷ୍ଠା ପାଇଛି । ତାଙ୍କୁ ଏହି ନୂତନ ଜଗତରେ ସାହାଯ୍ୟ କରିବାପାଇଁ ଥାନ୍ତି ଜଣେ ପୋଖତ ଦଲାଲ, ଷ୍ଟକ୍ ଏକ୍‌ସଚେଞ୍ଜର ଖେଳାଳି ମିଷ୍ଟର ଚାଟାର୍ଜୀ । ମିଷ୍ଟର ଚାଟାର୍ଜୀ ଓ ଜ୍ୟୋତିଷ ପରାମର୍ଶ କରି ସିଦ୍ଧାନ୍ତ କରନ୍ତି ଖେଳିବାପାଇଁ ଉପଯୁକ୍ତ ଘୋଡ଼ା ଓ ଜୁଆପାଇଁ ଅର୍ଥର ପରିମାଣ । ଅବଶ୍ୟ ମିଷ୍ଟର ଚାଟାର୍ଜୀଙ୍କର କମିସନ ଥାଏ । କିନ୍ତୁ ପରେ ଶୁଣାଗଲା ବିଶ୍ୱବିଖ୍ୟାତ ଜ୍ୟୋତିଷ ଜଣକ ମଧ୍ୟ ଏଥିରେ କିଞ୍ଚିତ୍ ପରିମାଣରେ ଭାଗୀଦାର ଥିଲେ । ଅବଶ୍ୟ ପ୍ରଚାର ଅଧର୍ମୀ ଓ ଖଳଲୋକମାନଙ୍କର ।

 

ଛ’ଟି ଖେଳରେ ଯେତେବେଳେ ମୂର୍ତ୍ତି ମହାଶୟ ହାରିଗଲେ, ଜ୍ୟୋତିଷ ବୁଝାଇଲେ ଯେ ଏ ବେଳଟା ଟିକିଏ ଖଳ ପଡ଼ିଗଲା । ଏଇ ଚାରିଟା ସମୟକୁ ଅତି ଶୁଭ ମୁହୂର୍ତ୍ତ ଆସି ପହଞ୍ଚିଛି । ଯାହା ହେବାର ଥ‌ିବ ଏଇ ମୁହୂର୍ତ୍ତରେ । ସାରା ଜୀବନ ଭିତରେ ଏହା ହେଉଛି ଶ୍ରେଷ୍ଠ ମୁହୂର୍ତ୍ତ । ଏପରି ମୁହୂର୍ତ୍ତ ତାଙ୍କ ଜୀବନରେ ଅତୀତରେ କେବେ ନଥିଲା ବା ଭବିଷ୍ୟତରେ ପୁଣି କେବେ ହେବ ନାହିଁ । ଏ ମୁହୂର୍ତ୍ତର ସଦ୍‌ବ୍ୟବହାର ନକଲେ ପୁଣି ଅଶୁଭ ବେଳା ପହଞ୍ଚିପାରେ । ବୁଦ୍ଧଙ୍କର ଦୁଇହାତ ଧରି ଚାଟାର୍ଜୀ ଓ ଶଙ୍କରାଚାର୍ଯ୍ୟ ନେବା ଆଣିବା କରୁଥିଲେ । ବୁଦ୍ଧମୂର୍ତ୍ତି କହିଲେ, ‘‘ଶରୀର କିପରି ସାମାନ୍ୟ ଟିକେ ଅବଶ ଲାଗୁଛି । ମୁଁ ଏଇଠି ଅପେକ୍ଷା କରିଛି, ତୁମେମାନେ ଯାଅ । ଏଇ ମୁହୂର୍ତ୍ତରେ ଆମକୁ ସବୁକାମ ଶେଷ କରିବାପାଇଁ ପଡ଼ିବ । ଡେରି କର ନାହିଁ । ଅବଶିଷ୍ଟ ଯାହା ଲଗାଇବାର ଅଛି ସବୁ ଲଗାଇଦିଅ ।”

 

ହିସାବ କରୁଥାନ୍ତି ବୁଦ୍ଧ ତାଙ୍କର ଆଗାମୀ ବିଜୟର ଆର୍ଥିକ ତର୍ଜମା । ସେତେବେଳକୁ ତାଙ୍କର ପୁଞ୍ଜି ପ୍ରାୟ ଅର୍ଦ୍ଧେକ । ନିର୍ଗତ ହେଲେ ମିଷ୍ଟର ଚାଟାର୍ଜୀ ଓ ଶଙ୍କରାଚାର୍ଯ୍ୟ ବାକିତକ ଅର୍ଥ ଧରି । ବୃଦ୍ଧ ଜଣକ ସେହି ପ୍ୟାଡ଼କ୍‌ର ଟିକେ ଦୂରରେ ଗୋଟାଏ ଛାଇ ତଳେ ବସୁ ବସୁ ଖସିପଡ଼ିଲେଣି ତଳକୁ ନିଜର ଅଜ୍ଞାତସାରରେ । ଘୋଡ଼ାମାନେ ସପ୍ତମ ରେସ୍ ପାଇଁ ପହଞ୍ଚିଗଲେଣି ପ୍ୟାଡ଼କ୍ ଭିତରେ ।

 

ମିଷ୍ଟର୍ କାଉଲ୍ ଜେନିର କାନ୍ଧରେ ହାତ ପକାଇ ଲକ୍ଷ୍ୟ କରୁଥାନ୍ତି ଘୋଡ଼ାମାନଙ୍କୁ । ପାଞ୍ଚନମ୍ବର ଘୋଡ଼ା ସେଇବାଟେ ଗଲା । କାଉଲ୍ ଅନୁଭବ କଲେ ସେଦିନ ପ୍ରଥମ କରି ସେହି ପ୍ରକାର ଅନ୍ତଃନିର୍ଦ୍ଦେଶ, ସେହି ଆତ୍ମଦର୍ଶନ । ଦେଖିଲେ ତା’ର ଆଖିକୁ । ଦେଖିଲେ ତା’ର ଟାପୁକୁ । ନିଜ ଭିତରେ ସେହିପରି ଶିହରଣ ଅନୁଭବ କଲେ । ସେହି ବିଜୟର ନିଶା ନିଜର ଆଖିକୁ ଲାଲ କରିଦେଲା । ଜଣେ ବନ୍ଧୁ ଆସି ତାଙ୍କ କାନପାଖରେ କହିଲେ, ‘କାଉଲ୍ ! ଏ ଜେନିଟା ଅଲକ୍ଷଣୀ, ତାକୁ ସାଙ୍ଗରେ ନେଲେ ପରାଜୟ ସୁନିଶ୍ଚିତ । ତାକୁ ଛାଡ଼ିଦିଅ, ଦେଖିବ ଶେଷ ରେସ୍‌ରେ ତୁମର ସମୁଦାୟ ଭାଗ୍ୟ ବଦଳିବ ।’’

 

ଯେଉଁ ଉନ୍ମାଦନା, ପ୍ରେରଣା, ଅନ୍ତଃଶକ୍ତି ତାଙ୍କୁ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ସବୁବେଳେ ପହଞ୍ଚାଏ, କାଉଲ୍ ସେଇଥିରେ ବର୍ତ୍ତମାନ ଅଭିଭୂତ । କ୍ରମେ ସେ ଦୃଢ଼ରୁ ଦୃଢ଼ତର ହେଉଛନ୍ତି ଯେ ଏ ‘ରକ୍-ପାୱାର’ର ଆଗରେ ବିଜୟୀର ନିଶା ରହିଛି । ଯେଉଁ ନିଶା ତାଙ୍କ ଆଖି ଭିତରେ ଫୁଟି ଉଠିଲାଣି । ଏ ଦୁଇର ବିଜୟ ନିଶ୍ଚିତ । ସିଦ୍ଧାନ୍ତ ହେଲା ପାଞ୍ଚନମ୍ବର ଘୋଡ଼ା, ନାମ ‘‘ରକ୍ ପାୱାର’’ ତାଙ୍କର ଚଏସ୍ । ଏଇଥିରେ ଲଗାଇବେ ସମୁଦାୟ ପନ୍ଦର ହଜାର । ବିଜୟ ଅନିବାର୍ଯ୍ୟ । ଏ ତାଙ୍କ ଅନ୍ତରର ନିର୍ଦ୍ଦେଶ । ଇଣ୍ଟ୍ୟୁସନ୍‌ର ଜବାବ । ଏହା ଆଜି ପର୍ଯ୍ୟନ୍ତ ପ୍ରତାରଣା କରି ନାହିଁ, ଆଜି ବି କରିବ ନାହିଁ । ଖେଳିବାର ସିଦ୍ଧାନ୍ତ କରି ବୁକିଂ ଅଫିସକୁ ଆଗେଇବାପାଇଁ ଯାଉଛନ୍ତି କାଉଲ୍, ପଛପଟରୁ ଗୋଟାଏ ଶବ୍ଦ ଶୁଣିଲେ । ଗୋଟାଏ ମଣିଷର ସ୍ଵର । ଯନ୍ତ୍ରଣାଗ୍ରସ୍ତ ମନୁଷ୍ୟର କ୍ରନ୍ଦନ । ପଛକୁ ବୁଲି ଚାହିଁଲେ କାଉଲ୍ । ଦେଖିଲେ ଜଣେ ବୃଦ୍ଧ ସେ ବୃକ୍ଷତଳେ ଆଶ୍ରା ନେଉ ନେଉ ଖସିପଡ଼ି ଏ ରବ ସୃଷ୍ଟି କରୁଛନ୍ତି ।

 

ପ୍ୟାଡ଼କ୍‌କୁ ଘେରି ଖେଳାଳିମାନେ ଶେଷ ରେସ୍‌ରେ ସିଦ୍ଧାନ୍ତ ନେବାରେ ବ୍ୟସ୍ତ । ଯେ ବିଜୟୀ ସେ ତା’ର ଶେଷ ଚୂଡ଼ାନ୍ତ ଦେବାକୁ ଚାହେଁ । ଯେ ପରାଜିତ ସେ ତା’ର ସମୁଦାୟର ପରିବର୍ତ୍ତନରେ ବିଜୟୀର ଟୀକା ଚାହେଁ । ଏକାଗ୍ର ଚିତ୍ତରେ ସମସ୍ତେ ମନୋନିବେଶ କରିଛନ୍ତି ଏ ଘୋଡ଼ାର ପ୍ୟାରେଡ଼ରେ ।

 

କାଉଲ୍ କହିଲେ, ‘ଜେନି ! ପଛକୁ ଦେଖ ସେ ବୃଦ୍ଧକୁ । ବୋଧହୁଏ ରୋଗାକ୍ରାନ୍ତ । ତଳକୁ ଖସିପଡ଼ି କଷ୍ଟ ପାଉଛନ୍ତି ।’’

 

ଜେନିଙ୍କ ଆଖିରେ ଘୃଣା । ତାଚ୍ଛଲ୍ୟ ସ୍ୱରରେ କହିଲେ, ‘କାଉଲ୍ ! ଦୃଷ୍ଟି ଘୋଡ଼ା ଉପରେ ରଖ, ସେ ବୃଦ୍ଧ ଏ ଶେଷ ରେସ୍ ଦଉଡ଼ିବ ନାହିଁ ।’’ କାଉଲ୍ ଜେନିଙ୍କୁ କିଛି ସମୟ ଚାହିଁଲେ । ତା’ପରେ ତାଙ୍କର କାନ୍ଧଉପରୁ ହାତ ଖସାଇନେଇ କହିଲେ, ‘ମୁଁ ଟିକିଏ ଦେଖିଆସେ ।’’

 

ଜେନି ଜୋରରେ କାଉଲଙ୍କ ହାତ ଧରିପକାଇ କହିଲେ, ‘‘କାଉଲ୍ ! ତୁମର ଇଣ୍ଟ୍ୟୁସନକୁ କାମରେ ଲଗାଅ । ଆଜି ମୋର ଦିନଟା ଏକାବେଳକେ ବେକାର ଯାଉଛି । ମତେ ସାହାଯ୍ୟ କର । ତୁମକୁ ସେଠିକି ଯିବାପାଇଁ ପଡ଼ିବ ନାହିଁ ।’’

 

କାଉଲ୍ ଜେନିଙ୍କ ହାତରୁ ନିଜ ହାତକୁ ମୁକ୍ତ କଲେ । କହିଲେ, ‘କିଛି ସମୟ ପାଇଁ ମୋତେ କ୍ଷମା ଦିଅ ।’’

 

ଥରେ ଘୋଡ଼ାକୁ ଓ ଆଉଥରେ ସେ ବୃଦ୍ଧଙ୍କ ଆଡ଼କୁ ଚାହିଁଲେ । ଶେଷରେ ଗଲେ ବୃଦ୍ଧଙ୍କ ପାଖକୁ । ଯେଉଁ ବନ୍ଧୁଜଣକ କାଉଲଙ୍କୁ ଉପଦେଶ ଦେଇଥିଲେ ଜେନିଙ୍କ ସଂକ୍ରାନ୍ତରେ, ସେ ଜେନିଙ୍କ କବରୀରେ ହାତଦେଇ କହିଲେ, ‘‘ଜେନି ଆସ ! ଶେଷ ବାଜିଟା ମୋ ସାଙ୍ଗରେ ଓ ପ୍ରଥମ ସନ୍ଧ୍ୟାଟା ତୁମ ସାଙ୍ଗରେ । ଉଭୟରେ ତୁମର ବିଜୟ ହେବ ।”

 

କାଉଲ୍ ଶୁଣିଲେ ପଛରୁ ଜେନି ତାଙ୍କୁ କହୁଛନ୍ତି, ‘କାୱାଡ଼–ଭୀରୁ ।’’ ବନ୍ଧୁ ଓ ଜେନି ସାଙ୍ଗହୋଇ କାଉଣ୍ଟରକୁ ଆଗେଇ ଚାଲିଲେ ।

 

କାଉଲ୍ ଦେଖିଲେ ବୃଦ୍ଧଙ୍କ ମୁହଁରୁ କିପରି ଗୋଟାଏ ଫେଣମିଶା ଲାଳ ବାହାରୁଛି । ଦୁଇହାତରେ ବୃଦ୍ଧଙ୍କୁ ଉଠାଇଲେ । ଏକାକୀ ନେଇ ରଖିଲେ କ୍ଲବ୍ ଅଫିସରେ । ପାଣିଆଣି ମୁହଁରେ ଛାଟିଲେ । ମୁହଁରୁ ପୋଛି ଦେଲେ ଲାଳ । ବୃଦ୍ଧ କିଛି ସମୟ ପରେ ଆଖି ଖୋଲିଲେ । ଅନେକ କଷ୍ଟରେ ପଚାରିଲେ, ‘କିଏ ଶଙ୍କରାଚାର୍ଯ୍ୟ ନା ଚାଟାର୍ଜୀ ???

 

ବ୍ୟସ୍ତ ହେଲେ । ଛଟପଟ ହେଲେ । କାଉଲ୍ କ୍ଲବ୍ ଅଫିସରୁ ଟେଲିଫୋନ୍ କଲେ ଡାକ୍ତରଙ୍କ ପାଖକୁ । ଫେରିଆସିଲେ ବୃଦ୍ଧଙ୍କ କୋଠରିକୁ ଦେଖିବାପାଇଁ ତାଙ୍କର ଉପସ୍ଥିତ ଅବସ୍ଥା । ଦେଖିଲେ ବୃଦ୍ଧଙ୍କର ଚକ୍ଷୁ କୋଟରାଗତ । ଶରୀର ନିର୍ଜୀବ । କାଉଲ୍ ବୃଦ୍ଧଙ୍କୁ ସ୍ପର୍ଶ କଲେ । ବୃଦ୍ଧ ମୃତ । ରେସ୍ କୋର୍ସରେ ଜନତା ଚିତ୍କାର କରୁଛି । କମ୍ ଅନ୍ । କମ୍ ଅନ୍ । ବାହାରକୁ ଆସି ଦେଖିଲେ ଜିତିଛି ସେଇ ପାଞ୍ଚନମ୍ବର ଘୋଡ଼ା । ବିଜୟୀ ହୋଇଛି ସେଇ ‘‘ରକ୍-ପାଓ୍ୱାର ।’’ କିନ୍ତୁ ସେ ସମୟ ପାଇଲେ ନାହିଁ ଏ ଘୋଡ଼ାରେ ଖେଳିବା ପାଇଁ । ଅଭିଭୂତ ହୋଇଯାଉଥିଲେ, ଏ ବୃଦ୍ଧର ଯନ୍ତ୍ରଣାରେ ଭୁଲିଗଲେ ତାଙ୍କର ଖେଳର କଥା, ଭୁଲିଗଲେ ବିଜୟର ନିଶା । ଚାହିଁଥିଲେ ଆଜି ସମୁଦାୟ ପରାଜୟର କ୍ଷତି ପୂରଣ କରି ପାରିଥାନ୍ତେ ଏଇ ଶେଷ ରେସ୍‌ରେ । ବିଜୟର ସମ୍ମାନ, ଅର୍ଥର ପ୍ରାଚୁର୍ଯ୍ୟ ଘେନି ଉଜ୍ଜ୍ୱଳ କରିପାରିଥାନ୍ତେ ସେ ଅପରାହ୍ନକୁ । କିନ୍ତୁ ତାଙ୍କ ପାଖରେ ପ୍ରାଧାନ୍ୟ ପାଇଥିଲା ବୃଦ୍ଧଙ୍କର କୋଟରାଗତ ଚକ୍ଷୁ । ବିବର୍ଣ୍ଣ ରୂପ । ନିସ୍ତେଜ ଶରୀର । ଅସହାୟ ଜୀବନ ।

 

ଧୀରେ ଧୀରେ ବାହାରି ଆସିଲେ ରେସକୋର୍ସ କମ୍ପାଉଣ୍ଡ ଭିତରୁ । ଜେନି ଓ ତାଙ୍କର ବନ୍ଧୁ ଦ୍ୱୟଙ୍କ ସହିତ ଗେଟ୍ ପାଖରେ ଦେଖାହେଲା । କାଉଲଙ୍କୁ ଲକ୍ଷ୍ୟକରି ଜେନି କହିଲେ, ‘ଡାର୍ଲିଂ, ଚିନ୍ତା କରନାହିଁ, ଚେଷ୍ଟାକଲେ ଭାଗ୍ୟର ମଧ୍ୟ ପରିବର୍ତ୍ତନ ହୁଏ । ବିଜୟ ପାଇଁ ଖେଳ ଶିଖ କାଉଲ୍, ସେବା ନୁହେଁ । ଗୁଡ଼ବାୟ ।’’

 

ଜେନିଙ୍କ ମୁହଁରେ ତାଚ୍ଛଲ୍ୟର ଇଙ୍ଗିତ ଥିଲା ।

 

ଯେଉଁଦିନ ଜେରୁଜେଲମ୍‍ର ଉଚ୍ଛୃଙ୍ଖଳ ଜନତା ଯୀଶୁଙ୍କୁ ବିଦ୍ଧକରି ଉନ୍ମାଦରେ ଫେରୁଥିଲା, ତାଙ୍କ ପ୍ରତି ଯୀଶୁଙ୍କର ଏକମାତ୍ର ପ୍ରାର୍ଥନା ଥିଲା–ଭଗବାନ ଏମାନଙ୍କୁ କ୍ଷମାକର ! ସେମାନେ ଜାଣନ୍ତି ନାହିଁ, ଆଜି କ’ଣ କରୁଛନ୍ତି !

 

ବର୍ତ୍ତମାନ କାଉଲ୍ ମନେମନେ ଭାବୁଥାନ୍ତି, ‘ଜେନି ! ସମଗ୍ର ମନୁଷ୍ୟତା ତରଫରୁ ଭଗବାନଙ୍କ ପାଖରେ ତୁମପାଇଁ ମୁଁ କ୍ଷମା ଚାହୁଁଛି, ତୁମର ଏ ଔଦ୍ଧତ୍ୟ ପାଇଁ, ଏ ଅବଜ୍ଞା ପାଇଁ ??’

 

ସାମାନ୍ୟ ଟିକିଏ ହସିଦେଇ କାଉଲ୍ କହିଲେ–‘‘ଗୁଡ଼ବାୟ ।”

 

ନଭେମ୍ବର ସନ୍ଧ୍ୟା । ଅମାନିଆ ପହିଲି ଶୀତ ନାଇଲେନ୍ ପରଦା ଘୁଞ୍ଚାଇ କୋଠରି ଭିତରକୁ ପଶି ଆସୁଥାଏ । କୋଠରିର ଗୋଟିଏ କାନ୍ଥରେ ଦୁଃଶାସନର ବସ୍ତ୍ରହରଣ ଚିତ୍ର ଟଙ୍ଗା ହୋଇଛି । ଦ୍ରୌପଦୀ ଉଲଗ୍ନ ପ୍ରାୟ । ଚିତ୍ରରେ ଦ୍ରୌପଦୀଙ୍କ ପ୍ରତିବାଦଟା ମାମୁଲିପରି ମନେ ଭାବିଲେ, ହୋଇପାରେ ଦ୍ରୌପଦୀ ନିଜର ରୂପ ପ୍ରତିଷ୍ଠା କରିବାର ସୁଯୋଗ ଉପଭୋଗ କରୁଛନ୍ତି, ପଞ୍ଚସ୍ଵାମୀଙ୍କର ଭ୍ରାତାମାନଙ୍କ ସମ୍ମୁଖରେ ଅଥବା କେବଳ କର୍ତ୍ତିଙ୍କ ପାଖରେ । ଉତ୍ସାହୀ ଦିଶୁଥାନ୍ତି ଦୁର୍ଯ୍ୟୋଧନ । ନୀଳରଙ୍ଗର ପ୍ଲାଷ୍ଟିକ୍ ପେଣ୍ଟ୍ ଉପରେ ନିଅନ ଲାଇଟ୍‌ର ପ୍ରଲେପରେ କୋଠରିଟି ମତୁଆଲା ଦିଶୁଥାଏ । କୋଠରିର କଣରେ ଗୋଟିଏ ସାନ ତିନିକୋଣିଆ ଟେବୁଲ ଉପରେ ଥୁଆହୋଇଛି ପେନ୍ଥାଏ ରଙ୍ଗୀନଫୁଲ, ଗୋଟିଏ ଭାସ୍ ଭିତରେ । ଭାସ୍ ଉପରେ ଚିତ୍ର ଅଛି ଏକ ବଳିଷ୍ଠକାୟ କଳାକାର ଯୁବକର କୋଳରେ ଏକ ସୁରମ୍ୟା ନାରୀ । ଦରଜା ପାଖକୁ, କାନ୍ଥକୁ ଆଉଜି ଗୋଟିଏ ପ୍ରସ୍ତର ମୂର୍ତ୍ତି ରହିଛି, କୋଣାର୍କର ନରନାରୀଙ୍କ କେଳିର ଏକ ପ୍ରତିମା । ଗୋଟିଏ ବଡ଼ ପରଦାର ପଛପଟେ ରଖା ହୋଇଛି ସରୋଜ, ତାବଲା, ହାରମୋନିୟମ୍ । ଘରର ମଝିରେ ଧଳା ଚାଦରରେ ଆବୃତ ଗୋଟିଏ ମୋଟା ଗଦି ପଡ଼ିଛି । ଚାରିକଡ଼ରେ ମଖମଲକନାର ଖୋଳରେ ଗୋଲେଇ ତକିଆସବୁ । କାନ୍ଥକୁ ଆଶ୍ରାକରି ଶାଗୁଆ ଲତାମାନ ଗୁରେଇ ଗୁରେଇ ଯାଇ ଖେଳେଇ ହୋଇ କୁଞ୍ଜବନର ଆବହାୱା ସୃଷ୍ଟି କରୁଛନ୍ତି । କାଉଲ୍ ଅପେକ୍ଷା କରିଛନ୍ତି । ଫୁଲବାଲା ଆସି ଦୁଆରମୁହଁରେ ଗୋଟିଏ ମଲ୍ଲୀହାର ଲକ୍ଷ୍ୟ କରି ପକାଇଲା ଠିକ୍ କାଉଲ୍‌ଙ୍କ ଗଳାରେ । ସଲାମ୍ ଜଣାଇଲା । କାଉଲ୍ ଖଣ୍ଡେ ଦଶଟଙ୍କିଆ ନୋଟ୍ ଭିତରେ ଗୋଟିକିଆ ଟଙ୍କା ରଖି ପକାଇଲେ ଫୁଲବାଲାର ପେଡ଼ିକି ।

 

କିଛି ସମୟ ପରେ ପରଦାର ପଛଆଡ଼ୁ ନୂପୁରର ମୃଦୁ ଆୱାଜ ଘର ଭିତରକୁ ଆସିବାର ଶୁଣାଗଲା । ତା’ ପଛେ ପଛେ ଆବିର୍ଭାବ ହେଲେ ବାଈଜୀ । ଦେହରେ ଫିକା ନୀଳରଙ୍ଗର ଶାଢ଼ି, ଓଷ୍ଠରେ ରକ୍ତ ଗୋଲାପର ରଙ୍ଗ, କପାଳରେ ପ୍ରଦୀପର ଶିଖାପରି ତ୍ରିକୋଣୀ ଟିକା । କାଉଲ୍ ପକେଟରୁ ବାହାର କଲେ ଗୋଟିଏ ଗୋଲାପ ଫୁଲର କଢ଼ି । ବାଈଜୀ ପାଖକୁ ଯାଇ କହିଲେ, ‘‘ଅଧୀନକୁ ଦୟାକଲେ ଏ ଦୁଇଫୁଲ ହୁଅନ୍ତେ ଏକତ୍ର ।’’ ବାଈଜୀ ମୁଣ୍ଡରେ ହାତ ଲଗାଇ ପୁଣି ତଳକୁ ଖସାଇଲେ । ସଲାମ କରି ଜଣାଇଲେ ନିଜର ସମ୍ମତି । କାଉଲ୍ ଖୋସିଦେଲେ ଫୁଲକୁ ବାଇଜୀଙ୍କର କେଶସଜ୍ଜା ଭିତରେ ! ସାନ୍ନିଧ୍ୟରୁ ଉପଭୋଗ କଲେ କ୍ଷଣକ ପାଇଁ ବାଈଜୀଙ୍କ ଇଭିନିଂ ଇନ୍ ପାରିସ୍ ସୁଗନ୍ଧକୁ ।

 

“ବାଈଜୀ ! ଆକାଶପରି ରୂପ ଯେ ସୀମାହୀନ, ତୁମକୁ ନ ଦେଖିଲେ ତା’ର ପ୍ରମାଣ ମିଳେ ନାହିଁ । ଉର୍ବଶୀ ସ୍ୱର୍ଗରେ ଆଜି ଈର୍ଷାରେ ଜର୍ଜରିତ ହେଉଥ‌ିବେ ।’’

 

ଗତ ମାସେ ହେବ କାଉଲ୍ ଏ ବାଈଜୀଙ୍କ ମଜୁରାପାଇଁ ରୀତିମତ ଯାଉଥିଲେ ପ୍ରତ୍ୟେକ ସନ୍ଧ୍ୟାରେ ।

 

“ଆକାଶରେ ଉର୍ବଶୀଙ୍କୁ ପାରିଲି ସତ, କିନ୍ତୁ ମର୍ତ୍ତ୍ୟର ଏ କାଉଲ୍ ସାହେବଙ୍କୁ ପାରିଲି ନାହିଁ । ପକ୍ଷୀପରି ଚଞ୍ଚଳ, ଭ୍ରମରପରି ଅସ୍ଥାୟୀ ।”

 

‘‘ତୁମ୍ ମୁଝେ ଭୁଲ୍ ଭି ଯାଓ ତୋ ୟହ ହକ୍ ହୈ ତୁମ୍‌କୋ

ମେରୀ ବାତ୍ ଔର୍ ହୈ ମୈନେ ତୋ ମୁହବତ୍ କି ହୈ ।

ମେରେ ଦିଲ୍‌ କି, ମେରେ ଜଜବାତ୍ କି କିମତ୍ କ୍ୟା ।

ଉଲଝେ ଉଲଝେ ସେ ଖୟାଲାତ୍‍ କି କିମତ୍‍ କ୍ୟା ।

ମୈନେ କିୟୋଁ ପ୍ୟାର୍‍ କିୟା, ତୁମନେ ନ କିୟୋଁ ପ୍ୟାର୍‍କିୟା

ଇନ୍ ପରେଶାନ୍ ସବାଲତ୍ କି କିମତ୍ କ୍ୟା ।

ତୁମ୍ ଯୋ ୟହ ଭି ନ ବତାୟେ ୟହ ହକ୍ ହୈ ତୁମକୋ

ମେରୀ ବାତ୍ ଔର୍ ହୈ ମୈନେ ତୋ ମୁହବତ୍ କି ହୈ ।’’

 

କାଉଲ୍ ବେକରୁ ଫୁଲହାରଟା କାଢ଼ି ବାଈଜୀଙ୍କ ପାଦତଳେ ଥୋଇ କହିଲେ ‘‘ବାଈଜୀ ! ତୁମର ପାଦର ଘୁଙ୍ଗୁର ଅବାଧ୍ୟ ହୋଇପାରେ କିନ୍ତୁ ଏ କାଉଲ୍ ଆଜିଠୁ ବନ୍ଧାପଡ଼ିଲା ତୁମର ଏ ଚାରୁପାଦର ଆଲିଙ୍ଗନରେ ।’’

 

‘ତୁମ୍‌କୋ ଦୁନିଆ କେ ଗମ୍ ଔର୍ ଦର୍ଦ ସେ ଫୁର୍ସତ୍ ନ ସହୀ

ସବସେ ଉଲଫତ୍ ସହୀ ମୁଝସେ ହି ମୁହବତ୍ ନା ସହୀ ।

ମୈ ତୁହ୍ମାରୀ ହୁଁ, ୟହ ମେରେଲିଏ କ୍ୟା କମ୍ ହୈ

ତୁମ୍ ମେରେ ହୋକେ ରହୋ, ୟହ ମେରୀ କିସ୍‌ମତ୍ ନ ସହୀ

ଅଉର୍ ଭି ଦିଲ୍‌ ଜଲାଓ ତୋ ୟହ ହକ୍ ହୈ ତୁମକୋ ।’’

 

ବାଈଜୀ କହିଲେ– ‘‘ବା, ବାଃ ଚମତ୍କାର ସାଏରୀ ।’’

 

“କାଉଲ୍‍ଜୀ, କିଛି ସେବା କରିବାର ମଉକା ଦେବେ ? କ’ଣ ମଗାଇବି ?

 

ହୁଇସ୍କି, ରମ୍, ୱାଇନ୍ ?”

 

ପ୍ରତ୍ୟେକ ଦିନ ବାଈଜୀ ଏହି ଭାଷାରେ ଉପହାର ଦିଅନ୍ତି ।

 

କାଉଲ୍ କହିଲେ, ‘ଚିନ୍ତା କରନାହିଁ ବାଈଜୀ, ମୁଁ ଆଜି ବିରହୀ ନୁହେଁ । ଫରାସୀ ଦେଶର ହୃତ୍‌ପିଣ୍ଡରୁ ଚୋରିହୋଇ ଆସିଛି ସାମ୍ପେନ୍ । ଯେଉଁ ବଗିଚା ଭିତରେ ଏହାର ଜନ୍ମ, ଏକାବେଳକେ ସେଇଠୁ ।’’

 

ସାମ୍ପେନ୍ ଓ ତା’ ସାଙ୍ଗକୁ ସାମ୍ପେନ୍ ପାଇବାପାଇଁ ଗିଲାସ୍ ଆଣି ଡ୍ରାଇଭର୍ ଦେଇଗଲା । କାଉଲଙ୍କ ଗାଡ଼ିରେ ସବୁବେଳେ ଭିନ୍ନ ଭିନ୍ନ ମଦର ସରଞ୍ଜାମ ଥାଏ ।

 

ଦୁଇଟି ଗିଲାସ୍‌ରେ ସାମ୍ପେନ୍ ଭରି ଗୋଟିଏ ତୋଳି ଧରିଲେ ବାଈଜୀଙ୍କ ଉଦ୍ଦେଶ୍ୟରେ । ବାଈଜୀ ହାତଯୋଡ଼ି ଇଙ୍ଗିତରେ କ୍ଷମା ମାଗିଲେ ।

 

କାଉଲ୍ କହିଲେ, ‘‘ତୁମେ ନିଜେ ସରାପ୍‍ର ନିଶା । ସରାପ୍‌ଟା ତୁମପାଇଁ ଅବାନ୍ତର । ତୁମେ ନିଜେ ଫୁଲର ଗନ୍ଧ, ଫୁଲ ତୁମପାଇଁ ନିଷ୍ପ୍ରୟୋଜନ । ତୁମେ ସଙ୍ଗୀତର ସୁର, ସଙ୍ଗୀତ ତୁମପାଇଁ ଅହେତୁକ ।’’

 

ଆରମ୍ଭ ହେଲା ମଜୁରା । ବାଜିଲା ସରୋଜ, ତାବଲା, ଗାଇଲେ ବାଈଜୀ । ଖିଆଲ, ଗଜଲ, ଠୁମୁରି, ଭଜନ । ନାଚିଲେ ବାଈଜୀ ରାଧାଙ୍କର ଅଭିସାର । ମମତାଜର ନିବେଦନ । ଉର୍ବଶୀଙ୍କର ଅକ୍ଷୟ ପ୍ରେମ ।

 

ଗୀତ ଓ ନାଚ ସାଙ୍ଗରେ ବାଈଜୀ ଦେଲେ ଇସାରା । ଅବଗୁଣ୍ଠନ ଭିତରୁ ଆଖି ଜରିଆରେ ଜଣାଇଲେ ନିମନ୍ତ୍ରଣ । ସେ ଘୁମନ୍ତ ଚକ୍ଷୁ, ସେ ରଙ୍ଗୀନ୍ ଅଧର, ସେ ଆମନ୍ତ୍ରଣ ସହସ୍ର ଶରର ଶକ୍ତିରେ ଭେଦ କରୁଥାଏ କାଉଲ୍‌ଙ୍କର ଶରୀରକୁ । କାଉଲ୍ ହାତ ବଢ଼ାଇଲେ ବାଈଜୀଙ୍କୁ ଛୁଇଁବାପାଇଁ । ବାଈଜୀ ନମସ୍କାର ଜଣାଇଲେ କାଉଲ୍‌ଙ୍କ ଉପଭୋଗର ପ୍ରତ୍ୟାଶାକୁ ସମ୍ମାନିତ କରି-। ନୂପୁର ବାଜିଉଠିଲା । ଝଙ୍କାରିତ ହେଲା ବାୟୁମଣ୍ଡଳ । ଝଙ୍କାରିତ ହେଲା କାଉଲ୍‌ ତନ୍ତ୍ରୀ-। ସମଗ୍ର ଶରୀର ହେଲା ଉଚ୍ଛୃଙ୍ଖଳ । ଫୁଲର ହାରକୁ ଲମ୍ବାଇଦେଲେ ବାଈଜୀଙ୍କ ଗଳାରେ । ନୂପୁର ହେଲା କ୍ଷୀପ୍ରତର । ସଙ୍ଗୀତ ଉଷ୍ଣ । କାଉଲ୍ କ୍ରମଶଃ ଅସଂଯତ ହେଲେ ।

 

ରାତ୍ରି ଶୈଶବରୁ ପହଞ୍ଚିଲା ଯୌବନରେ । ଘଣ୍ଟା ପରେ ଘଣ୍ଟା ବିତିଗଲା କାଉଲ୍‌ଙ୍କ ଅଜ୍ଞାତସାରରେ । କ୍ରମଶଃ କାଉଲ୍ ମତୁଆଲା ହେଲେ ସୁରା, ସଙ୍ଗୀତ, ନୃତ୍ୟ, ରୂପର ମାଦକତାରେ-। କେଜାଣି କାହିଁକି କାଉଲ୍ ଆଜି ହଠାତ୍ ଉନ୍ମତ୍ତ ଅନୁଭବ କରୁଛନ୍ତି । ଗତ କିଛିଦିନ ଧରି ନିୟମିତ ଭାବରେ କାଉଲ୍ ଆସୁଛନ୍ତି ଏ ବାଈଜୀଙ୍କ ପାଖକୁ । କିନ୍ତୁ ଆଜି ସେ ଅତିଶୟ ଉନ୍ମାଦ ଅନୁଭବ କରୁଛନ୍ତି ।

 

‘‘ବାଈଜୀ, ଉଗ୍ର କରିବାର କ୍ଷମତା ଯାହାର ଅଛି, ଶାନ୍ତ କରିବାର ଦାୟିତ୍ଵ ମଧ୍ୟ ତା’ର । ନିର୍ବାପିତ କର ଏ ଆଲୋକମାଳା । ତୁମରି ରୂପରେ ଉଦ୍‌ଭାସିତ ହେଉ ଏ ପ୍ରେମର ତାଜ୍ ! ମୋ’ରି ଆଲିଙ୍ଗନ ଭିତରେ ଶାନ୍ତ କର ଏ ଅଦମ୍ୟ ସ୍ନାୟୁଗୁଚ୍ଛ ! ତା’ର ଉପଯୁକ୍ତ ପୁରସ୍କାର ମିଳିବ ।’’ ଦୁଇବାହୁ ଉନ୍ମୋଚନ କରି ଆଲିଙ୍ଗନର ଅଭିପ୍ରାୟ ଜଣାଇଲେ କାଉଲ୍ । କହିଲେ, ‘‘ଆଉ ମୁହୂର୍ତ୍ତକର ବିଳମ୍ବ ମଧ୍ୟ ସହ୍ୟ ନୁହେଁ ।’’

 

ନିର୍ବିକାର ଭାବରେ ବସିଥାନ୍ତି ବାଈଜୀ । ଲକ୍ଷ୍ୟ କରୁଥାନ୍ତି ନିଜ ଅଙ୍ଗୁଳିର ରେଖାମାଳାକୁ-। ମଝିରେ ମଝିରେ ଚାହୁଁଥାନ୍ତି । କହିଲେ, ‘‘କାଉ ! ସ୍ନାୟୁର ଶାନ୍ତିପାଇଁ ବିଶ୍ରାମ ଆବଶ୍ୟକ; ଉତ୍ତେଜନା ନୁହେଁ । ତା’ଛଡ଼ା ପ୍ରଭାତ ଆସନ୍ନ ।’

 

କାଉଲ୍ କହିଲେ, ‘ରାତ୍ରି ଅବଶ୍ୟ ଅପେକ୍ଷା କରିବ ଏ ମିଳନର ଇତ୍ୟାନ୍ତ ପର୍ଯ୍ୟନ୍ତ । ସେ ଦାୟିତ୍ୱ ମୋର, ତୁମର କର୍ତ୍ତବ୍ୟ କେବଳ ପୂରଣ କର ବାଈଜୀ ???

 

ଲୋଟିଗଲେ ବାଈଜୀଙ୍କ ପାଦତଳେ । ଧରି ରହିଲେ ବାଈଜୀଙ୍କ ହାତକୁ ।

 

“କର୍ତ୍ତବ୍ୟ ? ସେ ତ ଅନେକବେଳଠୁଁ ପାଳନ କରା ହେଉଛି କାଉଲ୍ ସାହେବ । ଦେଇଛି ସାନ୍ନିଧ୍ୟ । ଗାଇଛି ସଙ୍ଗୀତ । କରିଛି ନୃତ୍ୟ । କୌଣସିଥିରେ ହେଳା ନାହିଁ ।’’

 

‘‘ବାଈଜୀ ! ଉପହାସ କରନା । କାଉଲ୍ କେବେହେଲେ ହେଳା କରିନାହିଁ ଉପଯୁକ୍ତ ପ୍ରତିଦାନ ଦେବାପାଇଁ । ସୀମା ଭିତରେ ଯେଉଁ ସଂଖ୍ୟା ଉଚ୍ଚାରଣ କରିପାରିବ ତାହାହିଁ ହେବ ଏ ରାତ୍ରିର ତୁମର ସେବାର ମୂଲ୍ୟ ।’’ କହିଚାଲିଲେ କାଉଲ୍, ‘‘ବାଈଜୀ, ସମୟ ନଷ୍ଟ କରନାହିଁ । ଦୁଃଖପାଇବ ଏ ରାତ୍ରି, କଷ୍ଟ ପାଇବ ପ୍ରେମ, ଯନ୍ତ୍ରଣା ହେବ ଏ ଦୁଇ ହୃଦୟର ।’’

 

“କାଉଲ୍, ତୁମ ସହିତ ପରିଚୟ ପ୍ରାଚୀନ ନ ହେଲେ ମଧ୍ୟ ଅତି ଅଧୁନାତନ ନୁହେଁ । କିନ୍ତୁ ତୁମର ଏ ପ୍ରକାର ନିର୍ଦ୍ଦେଶ ତ ପ୍ରଥମ ।’’ ଅଳ୍ପ ଟିକିଏ ହସି ବାଈଜୀ କହିଲେ, ‘ଫରାସୀ-ପ୍ରତ୍ୟାବର୍ତ୍ତନର ଏଇ ବୋଧହୁଏ ସଦ୍ୟ ପରିଣାମ ।’’

 

କାଉଲ୍ ଉତ୍ସାହିତ ନ ଥିଲେ କୌଣସି ଅବାନ୍ତର ପ୍ରସଙ୍ଗରେ ଅଥବା ଅଯଥା କାଳକ୍ଷେପରେ । ଚାହୁଁଥିଲେ ପାଶବିକ ଶକ୍ତିର ପ୍ରଖର ବିଜୟ ଏ ନାରୀର ଶରୀର ଜରିଆରେ । ଜୀବନର ଅନ୍ୟ ସମସ୍ତ ଦାବି ସେ ମୁହୂର୍ତ୍ତରେ ତାଙ୍କପାଇଁ ହେୟ, ଅହେତୁକ, ମୂଲ୍ୟହୀନ ଥିଲା ।

 

ଦୁଇ ହାତରେ ଚାପଦେଇ ଧରିଲେ ବାଈଜୀଙ୍କର ଶରୀରକୁ । କହିଲେ, ‘‘ନିଷ୍ପ୍ରଭ କର ଏ ଆଲୋକ । ଲୀନ ହୁଅ ମୋ ବକ୍ଷରେ ।’’ ଥରି ଉଠୁଥିଲା ତାଙ୍କର ଅଧର । ଉନ୍ମାଦନାରେ ତାଙ୍କର ଶରୀର କମ୍ପି ଉଠୁଥିଲା ।

 

ଅତି ଯତ୍ନର ସହିତ କୋମଳ ଭାବରେ ମୁକ୍ତକଲେ ବାଈଜୀ କାଉଲ୍‍ଙ୍କର ଏ ବନ୍ଧନ ।

 

‘‘କାଉଲ୍‍ଜୀ, ସ୍ଥିର ହୁଅ ।” ଦୃଢ଼ ସ୍ୱରରେ ନିର୍ଦ୍ଦେଶର ଭାଷାରେ କହିଲେ ବାଈଜୀ ।

 

କାଉଲ୍ କହିଲେ, ‘‘ମୋତେ କିଛି ସମୟ ପାଇଁ ପୁରୁଷ ହେବାରେ ସାହାଯ୍ୟ କର, ତାପରେ ଶୁଣିବି, ଅବଶ୍ୟ ଶୁଣିବି ଯଦି ଚାହଁ ଆଜୀବନ ।’’

 

କିଛି ସମୟ ତଳକୁ ଚାହିଁ ବସିରହିଲେ ବାଈଜୀ । ଅପସାରଣ କଲେ ତାନପୁରା । ପାଦରୁ ଖୋଲିଲେ ଘୁଙ୍ଗୁର । ଅବଗୁଣ୍ଠନ ଦେଇ ମସ୍ତକ କଲେ ଆବୃତ । ସଂଯତ ଭାବରେ ଚାହିଁଲେ କାଉଲ୍‍ଙ୍କୁ । କାଉଲ୍‌ଙ୍କର ଆହୁରି ସାନ୍ନିଧ୍ୟକୁ ଯାଇ ତାଙ୍କର ହାତକୁ ନିଜ ହାତର ବନ୍ଧନରେ ରଖିଲେ-। କହିଲେ, ‘‘କାଉଲ, କେଜାଣି କାହିଁକି ଗତ କିଛିଦିନ ଧରି ତୁମକୁ ମୁଁ ନିଜର ବୋଲି ଭାବିଛି । ଆଜି ତୁମେ କ’ଣ ଚାହଁ ମୋଠୁଁ ?’’

 

‘‘ତୁମର ଏ ରଙ୍ଗୀନ୍ ଅଧର, ତୁମର ଏ ଉଷ୍ମ ଶରୀର ।”

 

‘‘ମନର ବିହୁନେ ଏସବୁ ଅର୍ଥହୀନ, କାଉଲ୍ !’’

 

‘‘ବାଈଜୀ, ମନ ଶରୀରକୁ ଅନୁଧାବନ କରେ । ଶରୀରରେ କେବଳ କ୍ଷୁଧା ଥାଏ, ଆଉ ମନଟା ଶରୀରର ଅନ୍ତର୍ଗତ ।’’

 

‘‘କାଉଲ୍ !’’ ବାଈଜୀ ଧୀରସ୍ୱରରେ କହିଲେ, ‘‘ତୁମେ ଭିତରକୁ ଆସ ।’’ ହାତ ଧରି ବାଈଜୀ ନେଇଗଲେ କାଉଲ୍‌ଙ୍କୁ ଅନ୍ୟ ଏକ ନିଭୃତ କୋଠରିକୁ । ଜହ୍ନ ପରି ଧଳାରଙ୍ଗର କୋଠରିଟି-। କାନ୍ଥ ଉପରେ ମରାହୋଇଛି ଶିବଙ୍କର ଏକ ତାଣ୍ଡବ ନୃତ୍ୟର ଦୃଶ୍ୟ । କଣରେ ଧୂପକାଠି ଜଳୁଛି, ଦୁର୍ଗାଙ୍କର ଏକ କ୍ଷୁଦ୍ର ମୂର୍ତ୍ତିର ପାଦତଳେ । ଏଠି ସେ ମାଦକତା ନାହିଁ । ସେ ଇଙ୍ଗିତ ନାହିଁ-। ଦେବୀଙ୍କର ପ୍ରତିମାପରି ପବିତ୍ର ଏ ପରିସର । ଅନ୍ୟତ୍ର ସାନ ଖଟଟି ରଙ୍ଗୀନ୍ ମଶାରିରେ ଆବୃତ-

 

ବାଈଜୀ ନେଇଗଲେ କାଉଲ୍‍ଙ୍କୁ । ମଶାରିଟି ଉଠାଇଲେ । କାଉଲ୍ ଦେଖିଲେ କ୍ଷୁଦ୍ର ଗୋଟିଏ ଶିଶୁ । ଶାନ୍ତ, କୋମଳ, ନିଶ୍ଚିନ୍ତ ଶିଶୁ । ଶୋଇରହିଛି ।

 

କାଉଲ୍‌ଙ୍କର ନିଶା କମିଆସିଲା । ପଚାରିଲେ, ‘ବାଈଜୀ, ଏ ତୁମର ?’ କୌଣସି ଉତ୍ତର ନଦେଇ କାକୁତିପୂର୍ଣ୍ଣ ଦୃଷ୍ଟିରେ ବାଈଜୀ ଚାହିଁରହିଲେ କାଉଲ୍‍ଙ୍କୁ ।

 

“କାଉଲ୍, ଯାହା ମାତୃତ୍ୱର ଗୌରବ, ଯାହା ନାରୀର ଗର୍ବର ସମ୍ଭାର, ଆଜି ମୋ’ ପକ୍ଷରେ ତାହା ଲଜ୍ଜାର ବିଷୟ । ନିଜର ପ୍ରତିଷ୍ଠାର ଅନ୍ତରାୟ ।’’

 

‘‘ବାଈଜୀ, ଏଇ ତ ନାରୀତ୍ଵର ଅବଶ୍ୟମ୍ଭାବୀ ପରିଣତି ! ଏଥିପାଇଁ ଦୁଃଖିତ ହେବାର କିଛି ଅବକାଶ ନାହିଁ ।’’

 

‘‘ଆମେ ସମସ୍ତେ ଦୋଷ ଦେଇଥାଉଁ ପରିସ୍ଥିତିକୁ, ତାରି ଦ୍ଵାହି ଦେଇ କେତେ କୁକାର୍ଯ୍ୟକୁ ଯଥାର୍ଥ ବୋଲି ପ୍ରମାଣ କରୁ । ମୁଁ ମଧ୍ୟ ଦିନେ ସେଇଆ କରିଥିଲି, ଯେଉଁଦିନ ହେଲି ବାଲ୍ୟବିଧବା । ବନାରସରେ ଅନ୍ୟମାନଙ୍କ ସଙ୍ଗରେ ଯୋଗଦେଲି । ସେଠି ସମାଜ ଥିଲା, ଜାତି ଥିଲା, ସବୁକୁ ତ୍ୟାଗ କରି ହେଲି ବାଈଜୀ । ପରିବେଷଣ କଲି ନୃତ୍ୟ, ଗୀତ ।’’

 

ଛୁଆଟି କାନ୍ଦିଉଠିଲା । ବାଈଜୀ ତାକୁ କୋଳରେ ତୋଳି ଧରିଲେ ।

 

କାଉଲ୍ ପଚାରିଲେ–‘‘ଏ ଶିଶୁ ?”

 

‘‘ସେଇଟା ଗୋଟାଏ ସୁଦୀର୍ଘ କାହାଣୀ ! ତୁମର ସମୟ ନାହିଁ । ଆବଶ୍ୟକତା ମଧ୍ୟ ନାହିଁ । ତା’ଛଡ଼ା ନିଜର ଅନ୍ୟ ସହିତ ପ୍ରେମର ଗଳ୍ପକୁ କୌଣସି ପୁରୁଷ ନିକଟରେ ବର୍ଣ୍ଣନା କରିବା ଅଶୋଭନୀୟ, କର୍କଶ ।’’

 

“ବାଈଜୀ, ଯେଉଁ ଶାନ୍ତି ମୁଁ ତୁମଠୁ ଚାହିଁଥିଲି, ସେଟା ସ୍ନାୟୁର, ଶରୀରର । ତା’ର ଅବସାନ କରିବା କ୍ଷେତ୍ର ଅଭାବ ନାହିଁ ଏ ବିରାଟ ମହାନଗରୀରେ । କିନ୍ତୁ ତୁମର ଜୀବନର ଏ ପ୍ରେମକାହାଣୀ ହୁଏତ ଅଭାବ ଅଛି । ମୁଁ ପ୍ରେମରେ ବିଶ୍ଵାସ କରେ ନାହିଁ । ତୁମ ଜୀବନରୁ କାଳେ କିଛି ଶିକ୍ଷା ମିଳିପାରେ !’’

 

ବସିବାପାଇଁ ଇଙ୍ଗିତ ଦେଲେ ବାଈଜୀ ।

 

ବାଈଜୀଙ୍କର ଆଖିରେ ଅତୀତର ଚିହ୍ନ । କହିବାକୁ ଆରମ୍ଭ କଲେ ବାଈଜୀ ନିଜ ପ୍ରେମର ସେ' ଗୌରବମୟ କାହାଣୀ ।

 

‘‘ପ୍ରାୟ ଚାରି ପାଞ୍ଚ ବର୍ଷ ତଳର କଥା । ଦିନେ ମୁଁ ନିଜେ ନିଜେ ଗୀତ ନାଚ ଅଭ୍ୟାସ କରୁଛି ଗ୍ରାମଫୋନ୍‌ରେ ରେକର୍ଡ଼ ଦେଇ । ଗୋଡ଼ରେ ଅଛି ଘୁଙ୍ଗୁର । ବେଶ୍ ମନେଅଛି ମୋର ସେ ଗୀତଟା, ଗୋଟାଏ ଭଜନ । ଭିତରେ ବାପା, ମା’, ଭାଇ ସବୁ ଶୋଇପଡ଼ିଲେଣି । ରାତି ସେତେବେଳକୁ ଅନେକ । ଏହି ସମୟରେ ଜଣେ ଯୁବକ ମୋ କୋଠରି ଭିତରକୁ ହଠାତ୍ ପଶିଆସିଲେ । ଦେଖିବାକୁ ଖୁବ୍ ସୁନ୍ଦର । ବୟସ ଅଳ୍ପ । କହିଲେ “‘ବାଈଜୀ, ସଲାମ୍ ! କିଛି ଗାନା, ନାଚ ଏବେ କରିବେ ? ଯଦିଓ ଟିକିଏ ଡେରି ହୋଇଯାଇଛି…… ତେବେବି……

 

ମନେହେଲା ସେ ଯେପରି ଖୁବ୍ ଭୟାତୁର । ସଙ୍ଗୀତପାଇଁ ଆସିନାହାନ୍ତି, ନାଚପାଇଁ ଆସିନାହାନ୍ତି, ମୋ ପାଇଁ ଆସିନାହାନ୍ତି । ଯେପରି ପଳାଇ ଆସିଛନ୍ତି । ରେକର୍ଡ଼ଟା ବାଜୁଥାଏ ।

 

କହିଲେ, ‘‘ବାଈଜୀ ! ସରାପ୍ ଅଛି ?’’

 

“ହୁଏତ କିଛି ଥାଇପାରେ । କିନ୍ତୁ ବର୍ତ୍ତମାନ ତ ବାହାରୁ କିଛି ମଗାଇବା ସମ୍ଭବ ନୁହେଁ-?”

 

ଘରେ ସାମାନ୍ୟ ଟିକିଏ ହୁଇସ୍କି ଥିଲା, ଦେଲି । ପୁଣି ପଚାରିଲେ, ‘‘ବାଈଜୀ, ରାତି ଶେଷ ପର୍ଯ୍ୟନ୍ତ ନାଚ, ଗୀତ ଶୁଣିଲେ କେତେ ଦେବା ପାଇଁ ପଡ଼ିବ ?'’

 

କହିଲି–‘ହଜାରେ ।’’

 

ହାତରୁ ଘଡ଼ି ଖୋଲିଲେ, ମୁଦି କାଢ଼ିଲେ, ବେକରୁ ଉତାରିଲେ ସୁନାର ଚେନ୍ । କହିଲେ, ‘ଏହାର ଦାମ୍ ପ୍ରାୟ ଦେଢ଼ହଜାର ହେବ । ସକାଳ ହେଲେ ବଜାରରୁ ବିକି ଟଙ୍କା ଆଣିଦେବି । ମୋତେ ବିଶ୍ଵାସକର । ଏହାକୁ ରଖ ବର୍ତ୍ତମାନପାଇଁ । କିନ୍ତୁ ମଜୁରା କରନ୍ତୁ ଅନୁଗ୍ରହ କରି ।’’ ସ୍ଵର ବଡ଼ ମିନତିପୂର୍ଣ୍ଣ । ହୁଇସ୍କି ପିଉଥାନ୍ତି । ଯେପରି ଏଥିରେ ଅଭ୍ୟସ୍ତ ନୁହନ୍ତି ।

Unknown

 

କହିଲି, ‘ଦେଖନ୍ତୁ, ମୁଁ ଏପରି ବନ୍ଧା ରଖେ ନାହିଁ । ଆଜି ଯଦି ନାହିଁ କାଲି ଆଣିବେ । ସମସ୍ତ ସନ୍ଧ୍ୟାରେ ଆପଣଙ୍କ ପାଇଁ ମଜୁରା, ନାଚ କରିବି ।’’ ସେ ଅତିଶୟ ଅନୁନୟ କରି କହିଲେ, ‘ବର୍ତ୍ତମାନ କରିବେ ନାହିଁ ??’

 

‘‘ନାହିଁ, ସମ୍ଭବ ନୁହେଁ ।’’

 

ସେ ଚାଲିଯିବାପାଇଁ ପ୍ରସ୍ତୁତ ହେଉଛନ୍ତି, ଏଇ ସମୟରେ ଦୁଆର ଖୋଲି ଘରଭିତରକୁ ପଶି ଆସିଲେ ପୋଲିସ୍ ଦଳ । ପଚାରିଲେ, ‘‘ଏ ଲୋକ କିଏ ?”

 

କହିଲି, ‘‘ନାମ ଜଣାନାହିଁ । ତେବେ ଅନେକବେଳୁ ଏଠି ନାଚ ଗୀତ ଶୁଣୁଛନ୍ତି ।’’

 

କାହିଁକି ଏକଥା ମୋ’ ପାଟିରୁ ବାହାରିଲା ନିଜକୁ ବି ମତେ ଜଣା ନାହିଁ । ସେ ମୋର ନାରୀତ୍ଵକୁ ସ୍ପର୍ଶ ନ କରିପାରିଲେ ମଧ୍ୟ ମାତୃତ୍ଵକୁ ଜାଗୃତି ଦେଉଥିଲେ ତାଙ୍କର ଅସହାୟତା, ଅପରିପକ୍ଵତା ଦେଇ । ସେଇ ମାତୃତ୍ୱର ପ୍ରବୃତ୍ତି, ରକ୍ଷାକରିବାର ପ୍ରୟାସ ବୋଧେ ମୋତେ ଏହି ଜବାବ ଦେବାକୁ ଇଙ୍ଗିତ ଦେଇଥିଲା ।

 

ଆଉ ଗୋଟିଏ ରେକର୍ଡ଼ ଲଗାଇଲି । ପୁଲିସ୍‌ମାନେ ପରଦା ଆଢୁଆଳରେ ଛିଡ଼ା ହୋଇଥାନ୍ତି । ମୁଁ ଆରମ୍ଭ କଲି ନାଚ । ମନ ଖୋଲି ନାଚିଲି । ଭାବୁଥାଏ ସେ ଲୋକଟି ଯେପରି ଅଭିଶାପ ପାଇଛି ଯେ ମୋର ଏ ପଦଧ୍ଵନି ଶାନ୍ତ ହେଲେ ସେ ହେବ ବିଲୁପ୍ତ । ଜୀବନରେ ସବୁବେଳେ ନାଚିଛି ଅନ୍ୟର ସମ୍ଭୋଗପାଇଁ, କିନ୍ତୁ ସେଇଥର ନାଚିଥୁଲି ଜଣକର ଜୀବନ ପାଇଁ, ତା’ର ମୁକ୍ତିପାଇଁ ।

 

ସେ ଲୋକଟିର ଆଖି ଲୋତକପୂର୍ଣ୍ଣ । ନାଚିଲି ଅଦମ୍ୟ । ଗୋଟିଏ ରେକର୍ଡ଼ ସରିଲା । ଲଗାଇଲି ଆଉ ଗୋଟିଏ । ପୁଣି ନାଚିଲି ।

 

କିଛି ସମୟ ପରେ ପୁଲିସ୍ ଚାଲିଗଲେ । ପରଦା ଟେକି ଦେଖିଲି କେହି ନାହାନ୍ତି । ଗେଟ୍ ପକାଇ ସେ ଲୋକ ସାମ୍ନାରେ ଛିଡ଼ାହେଲି । ସେ ମୋ ପାଦକୁ କୁଣ୍ଢାଇପକାଇ ମୋର ଗୋଡ଼ରେ ଆଶ୍ରାକରି ବସିରହିଲେ ଅନେକ ସମୟ ପର୍ଯ୍ୟନ୍ତ ।

 

ପଚାରିଲି, ‘‘କିଏ ତୁମେ ?”

 

କହିଲେ ତାଙ୍କର ନିଜକଥା । ଏକ ସମ୍ଭ୍ରାନ୍ତ ଘରର ଶିକ୍ଷିତ ଯୁବକ । ପିତୃମାତୃହୀନ । ସମ୍ପତ୍ତି ଲୋଭରେ ତାଙ୍କର ବନ୍ଧୁମାନେ ଗୋଟିଏ ସଦ୍ୟ ହତ୍ୟାକାଣ୍ଡ ସହିତ ତାଙ୍କୁ ଜଡ଼ିତ କରିବାପାଇଁ ଚକ୍ରାନ୍ତ କରିଛନ୍ତି । ସେଇ ଭୟରେ ସେ ଏଠାକୁ ପଳାଇ ଆସିଛନ୍ତି ।

 

ଆଶ୍ରୟ ନେଇ ମୋ’ରି ଘରେ, ମୋ’ରି ପାଖରେ । କିଛି କର୍ମପନ୍ଥା ସ୍ଥିର କରିପାରୁ ନ ଥାଏ । ସେ ମଧ୍ୟ ବିଦ୍ଧହରିଣୀ ପରି ଛଟପଟ ହେଉଥାନ୍ତି । ଦେଖି ଖୁବ୍ ଦୟାହେଲା । ଶୋଇପଡ଼ିଲେ ସେଇ ଗଦିଉପରେ । ମୁଁ ତାଙ୍କୁ ଚାହିଁ ରହିଥାଏ । ରାତିଟା ବିତିଗଲା ।

 

ପାହାନ୍ତା ହେବା ପରେ ଧଡ଼ପଡ଼ ହୋଇ ଉଠି ବସିଲେ । ପଚାରିଲେ, “‘ମୁଁ କେଉଁଠି ?”’ କିଛି ସମୟ ମୋ ଆଡ଼କୁ ଚାହିଁ ରହିଲେ । କହିଲେ, ‘ଅଯଥା ତୁମକୁ ଦଣ୍ଡ ଦେଲି । ଏ ଘଡ଼ି, ଚେନ୍, ମୁଦି ରଖ । ତୁମର ରାତ୍ରିର ପାଉଣା ।’’

 

ଏକା ନିଃଶ୍ଵାସରେ ନିଶ୍ରାନ୍ତ ହେଲେ କକ୍ଷରୁ ।

 

ତା’ପରଦିନ ତାଙ୍କୁ ପୋଲିସ୍ ଧରିନେଲା । ଜେଲଖାନାରୁ ଖଣ୍ଡେ ଚିଠି ଲେଖିଲେ ମୋ’ ପାଖକୁ । ଛୋଟ ଲେଖାଟିଏ–‘ବାଈଜୀ, ତୁମର ନାମ ଜାଣିନାହିଁ । ମୋର କେହି ବୋଲି ଆପଣାର ନାହିଁ । ଯଦି ପାର ମୋତେ ଅମାନତ ଦେଇ ଖଲାସ କରିବାରେ ସାହାଯ୍ୟ କଲେ ଚିରଦିନ କୃତଜ୍ଞ ରହିବି ।’’

 

ତାଙ୍କୁ ଖଲାସ କରି ଆଣିଲି । ସେ ଏଇଠି ରହିଲେ । ତାଙ୍କୁ ଭଲପାଇ ବସିଲି । ମନେମନେ ବିବାହ କଲି ।

 

କେତେ ରାତି ତାଙ୍କୁ କୋଳରେ ଧରି ସାହସ ଦେଇଛି । କହିଲି, ‘ଏହାକୁ ମୁକାବିଲା କରିବା ଦୁହେଁ ମିଶି । ତୁମେ ଆଉ ସଂସାରରେ ଏକା ନୁହଁ । ମୋର ସମସ୍ତ ସମ୍ପତ୍ତି ତୁମର ।”

 

ଦିନେ ପଚାରିଲେ ସେ, ‘‘ତୁମେ ମୋ ପାଇଁ ସବୁ କରିପାରିବ ?’’

 

ମୁଁ ‘ହଁ’ ଭରିଲି ।

 

କହିଲେ, “‘ତୁମେ ଏ ବ୍ୟବସାୟ ତ୍ୟାଗ କର ।’’ ସେହି ଦିନଠାରୁ ମୁଁ ଛାଡ଼ିଲି ସଙ୍ଗୀତ, ନୃତ୍ୟ ।

 

ଇଆଡ଼େ ମକଦ୍ଦମା ଚାଲିଥାଏ । ଅଜସ୍ର ଅର୍ଥ ଆବଶ୍ୟକ ହେଲା । ବିକିଲି ଘର, ବିକିଲି ଗହଣା । ବ୍ୟାଙ୍କର ସବୁ ସଞ୍ଚୟ ଶେଷ ହେଲା । କିନ୍ତୁ କାଉଲ୍, ସେ ଗର୍ବର କି ଅନୁଭୂତି ! ତୁମକୁ ଭାଷାରେ ବୁଝାଇପାରିବି ନାହିଁ । ଯାହାକୁ ତୁମେ ଅନ୍ତର ଦେଇ ଭଲପାଅ, ତା’ପାଇଁ ଭିକାରି ସାଜିବାରେ ସେ କି ଗୌରବ !

 

ଏଇମିତି ବିତିଗଲା କିଛିଦିନ । ମୁଁ ସର୍ବସ୍ୱାନ୍ତ ହେଲି ଅର୍ଥରେ; କିନ୍ତୁ ହୃଦୟରେ ହେଲି ଐଶ୍ଵର୍ଯ୍ୟଶାଳିନୀ ।

 

ଜନ୍ମନେଲା ଏ ଶିଶୁ । ସେତେବେଳକୁ ଅଭାବ ଅନଟନ ଆମ ଦୁହିଁଙ୍କୁ ଚାରିଆଡୁ ଘେରି ଆସିଲାଣି । ମୁଁ ତାଙ୍କୁ ପଣତ କାନିରେ ଘୋଡ଼ାଇ ରଖିଥାଏ । ସମାଜର ଆକ୍ରମଣ, ପ୍ରତିବେଶୀଙ୍କ ଉପହାସକୁ ମୁଁ ନିଜ ଛାତି ଉପରେ ନିଏ । ସେ ଯେପରି ନଜାଣି ପାରନ୍ତି । ଲୁଚାଇ ରଖିଥାଏ ମୋ ପାଖରେ । ସହରରୁ ଯାଇ ଦୂରରେ ଗୋଟାଏ ବସ୍ତିରେ ରହିଥାଉଁ ।

 

ଏ ଅବସ୍ଥା ବିଶେଷ ଦିନ କିନ୍ତୁ ଚଳିଲା ନାହିଁ । ଯାହା ସବୁ ନାରୀଙ୍କର ସାଧାରଣ ସୌଭାଗ୍ୟ, ସେତକ ମୋର ଭାଗ୍ୟରେ ସହ୍ୟ ହେଲା ନାହିଁ । ଦିନେ ହଠାତ୍ ମୋ’ ମୁଣ୍ଡ ଉପରେ ଚଡ଼କ ପଡ଼ିଲା । ବଜ୍ରପାତରେ ମୋ’ ଛୋଟ ଦରିଦ୍ର ସଂସାର ଚୁର୍‍ମାର୍ ହୋଇଗଲା । ଫୌଜଦାରୀ କୋର୍ଟର ଫଏସଲା ବାହାରିଲା । ସେ ଅସୁରମାନଙ୍କ କଥାକୁ କାଳେ ଜଜ୍ ସାହେବ ବିଶ୍ଵାସ କଲେ । କୁହାଗଲା ସେ ଦୋଷୀ । ଏ ହତ୍ୟା ସହିତ ସେ ସଂପୃକ୍ତ । ସେଦିନ ସେ କଚେରିକୁ ଯାଇଥିଲେ ଫଏସଲା ଶୁଣିବାକୁ । ମୁଁ ବି ସେଠି ଥାଏ । ବସିଥାଏ ପଛରେ । ଗୋଟିଏ କାଠବାଡ଼ଘେରା ଗୋଲେଇ ଭିତରେ ସେ ବସିଥାନ୍ତି । ଘୋଷଣା କରାଗଲା ସେ ଦୋଷୀ । ଆଜୀବନ କାରାଦଣ୍ଡର ଆଦେଶ ଜାରି କରାଗଲା । ଛିଡ଼ା ହୋଇଥିଲେ, ଖସିପଡ଼ିଲେ ତଳକୁ ।

 

ଯନ୍ତ୍ରଣାରେ ମୁଁ ଛଟପଟ ହେଲି । ତାଙ୍କ ସାଙ୍ଗରେ ଆଖି ମିଳାଇବାପାଇଁ ଚେଷ୍ଟାକଲି । ତାଙ୍କ ପାଖକୁ ଯାଇ କହିଲି, ‘ଦୁଃଖ ନାହିଁ, ଉପରେ ଭଗବାନ ଯଦି ଥାନ୍ତି ତା’ହେଲେ ଏହାର ପୁଣି ବିଚାର ହେବ ।’’ ସେ କାନ୍ଦି କାନ୍ଦି ପାଟିକରି କହିଲେ, ‘ଏସବୁ ମିଥ୍ୟା ।’’ ପୁଲିସ୍ ମୋତେ ବାହାରକୁ ବାହାର କରିଦେଲେ ।

 

ସେ ମଥାନତ କରି କାନ୍ଦୁଥାନ୍ତି । କାହାରି ମୁହଁକୁ ଚାହିଁପାରୁ ନ ଥାନ୍ତି ଲଜ୍ଜାରେ । ପାଖରେ ଅପର ପକ୍ଷର ଲୋକେ କହିଲେ, ‘ବେଶ୍ୟାଘରେ ପଡ଼ିଥାଏ, ମଦ ପିଏ, ଆଉ ସମୟ ପାଇଲେ ହତ୍ୟା ବି କରେ । ଏଇଥର ଠିକଣା ହୋଇଛି ।’

 

ପୁଲିସ୍‌ବାଲା ତାଙ୍କୁ ନେଇଗଲେ ଗୋଟାଏ ମଟର ଭିତରେ ଜେଲଖାନାକୁ । ମଟରର କଣା ଭିତରୁ ମୋ ଆଡ଼କୁ ଥରେ ଚାହିଁ ହାତ ଟିକିଏ ହଲାଇଲେ । ମୋ ଆଖିରେ ଏତେ ଲୁହ ଜମିଥାଏ ଯେ ପରିଷ୍କାର ଭାବରେ ତାଙ୍କୁ ଦେଖିପାରିଲି ନାହିଁ ।

 

ଭାରି ବିଶ୍ଵାସ ଥିଲା ଭଗବାନଙ୍କ ଉପରେ, ନ୍ୟାୟରେ । ସେଦିନ ରାତିରେ ଭାବିଲି ଧ୍ରୁବ, ପ୍ରହ୍ଲାଦ ଏତେ ଭକ୍ତ ହୋଇ ମଧ୍ୟ କେତେ କଷ୍ଟ ନ ପାଇଛନ୍ତି ! ସତ୍ୟର ଅବଶ୍ୟ ପ୍ରତିଷ୍ଠା ହେବ । ଗଲି ଓକିଲ ପାଖକୁ । ସେମାନେ କହିଲେ, ‘ଅପିଲ୍ କରିବେ । ନିଶ୍ଚୟ ଖଲାସ୍ ହେବ ।’’

 

ମନରେ ଆଶା ବାନ୍ଧିଲି । ତହିଁ ପରଦିନ ମୁଁ ଜେଲଖାନାରେ ତାଙ୍କ ସାଙ୍ଗରେ ଦେଖା କରିବାକୁ ଗଲି । ପୁଲିସ୍‌ମାନେ ମୋତେ ଅନେକ ସମୟ ଅଟକାଇ ପଚାରିଲେ, ‘ତୁମେ ତାଙ୍କର କ’ଣ ହୁଅ ?’’ କହିଲି, ‘ସ୍ତ୍ରୀ’ । ହସି ଉଠିଲେ ସମସ୍ତେ ।

 

ଅବଶେଷରେ ମୋତେ ନେଇଗଲେ ଜେଖାନାର ତାଙ୍କ କୋଠରି ପାଖକୁ । ଦେଖିଲି ଖଟିଆ ଉପରେ ଶୋଇଛନ୍ତି । ଦେହରୁ ଚନ୍ଦନ ଦେଖିଲି ଶରୀର ନିଃସ୍କନ୍ଦ । ଛାତିରୁ ଅତଡ଼ା ଖସିପଡ଼ି ଏ ପୃଥ‌ିବୀଟା ଭାଙ୍ଗିପଡ଼ୁଛି । ଦିନେ ସୀତାଙ୍କ ପାଇଁ ଏଇମିତି କାଳେ ଦୁଇଫାଳ ହୋଇଥିଲା । କଚାଡ଼ି ହୋଇ ପଡ଼ିଲି ।

 

ସେଦିନ କଚେରିରୁ ଫେରିଲାବେଳେ ମଟରରେ ବିଷ ଖାଇ ସେ ଆତ୍ମହତ୍ୟା କରିଛନ୍ତି । ସାଙ୍ଗରେ ବିଷ ଲୁଚାଇ ଆଣିଥିଲେ ।

 

ଜେଲ୍‌ ଖାନାରୁ ବାହାରି ଆସିଲି । ଏ ସାମାନ୍ୟ ବିଷ ମଧ୍ୟ ମୋତେ ଅପ୍ରାପ୍ୟ ନ ଥିଲା କାଉଲ୍ ସାହେବ ! କିନ୍ତୁ ଫେରିଆସିବାକୁ ପଡ଼ିଲା–ଏ ଶିଶୁର ମମତାପାଇଁ । ଗୋଟାଏ ବର୍ଷ ପରେ ପୁଣି ଆରମ୍ଭ କଲି ମଜୁରା । ଏ ଛୁଆପାଇଁ । ଏହାର ଭବିଷ୍ୟତ ପାଇଁ ପୁଣି ଆସିବାକୁ ହେଲା ଏ ନର୍କକୁ ।

 

ଛୁଆକୁ କୋଳରେ ଧରି ବିଛଣା ପାଖରେ ଛିଡ଼ା ହୋଇଥାନ୍ତି ବାଈଜୀ । କାଉଲ୍ ଛୁଆଟିକୁ ନିଜ କୋଳକୁ ଆଣିଲେ । ସୁନ୍ଦର ହୋଇଛି ଛୁଆଟି । କହିଲେ, ‘‘ବାଈଜୀ.....”

 

କଥାର ସୁଅକୁ ରୋକି ବାଈଜୀ କହିଲେ, ‘ଏ ନାମ ମୋତେ ଭଲ ଶୁଭେ ନାହିଁ କାଉଲ୍ ସାହେବ ! ନାଁ ମୋର ନମିତା । ଅନ୍ତତଃ ତୁମେ ଏଇ ନାମରେ ଡାକ ।’’

 

କାଉଲ୍ କହିଲେ, ‘‘ନମିତା ! ଏ ପରିସର ଭିତରେ ଶିଶୁଟିର ଜୀବନ ଅଶୁଭ ହୋଇ ଗଢ଼ିଉଠିବ, କିଛି ଆଦର୍ଶ ରହିବ ନାହିଁ । ଏ ତୁମକୁ ଜୀବନରେ ସମ୍ମାନ କରିବ ନାହିଁ । ଜୀବନର ପ୍ରଭାତରୁ ଏ ଭାଙ୍ଗିପଡ଼ିବ । ଅନ୍ୟମାନଙ୍କ ଉପହାସର ବସ୍ତୁ ହୋଇ ଯାହାକୁ ଭଲପାଇଥିଲ, ତା’ ପାଇଁ ଏତେ ତ୍ୟାଗ କରିଛ ! ଏହା ପାଇଁ କିଛି କରିପାରିବ ?’’

 

ନମିତା କହିଲେ, ‘‘ତୁମେ ଜୀବନରେ ପିତା ହୋଇଛ କି ନାହିଁ, ଜାଣେନା । କିନ୍ତୁ ମାତା ପକ୍ଷରେ ତା’ର ଶିଶୁପାଇଁ କୌଣସି ତ୍ୟାଗ ଯଥେଷ୍ଟ ନୁହେଁ ।’’

 

କାଉଲ୍ କହିଲେ, ‘ବିବାହିତ ନୁହେଁ, ହେବାର ଆଶା ମଧ୍ୟ ନାହିଁ । କିନ୍ତୁ ମୋ’ର ପିତା ହେବାର ଆଗ୍ରହ ଅଛି । ଏ ଶିଶୁର ଦାୟିତ୍ଵ ମୋତେ ଦିଅ । ମୁଁ ଏହାର ଶିକ୍ଷାର ଓ ବାସସ୍ଥାନର ଦାୟିତ୍ଵ ନେବି ।”

 

ନମିତ କାନ୍ଦି ପକାଇଲେ ।

 

କାଉଲ୍ ଶିଶୁମାନଙ୍କ ଶିକ୍ଷାପାଇଁ ଗୋଟାଏ ଟ୍ରଷ୍ଟ୍ ଖୋଲିଛନ୍ତି । ଗଚ୍ଛିତ ଟଙ୍କାର ସୁଧରେ କେତେକ ଅସହାୟ ଶିଶୁଙ୍କୁ ଶିକ୍ଷା ଦିଆଯାଏ । ହଷ୍ଟେଲରେ ରଖାଯାଏ ।

 

ନମିତାର କନ୍ୟା ବର୍ତ୍ତମାନ ସେଇ ଟ୍ରଷ୍ଟ୍ ଜରିଆରେ ଗୋଟିଏ କନ୍‌ଭେଣ୍ଟ ସ୍କୁଲରେ ପଢ଼ୁଛି । ହଷ୍ଟେଲରେ ଅଛି । ମଝିରେ ମଝିରେ ସେ ସହରକୁ ଆସିଲେ କାଉଲ୍ ସେ ସ୍କୁଲକୁ ଯା’ନ୍ତି ତା’କୁ ଦେଖିବା ପାଇଁ । ବେଳେବେଳେ ମଧ୍ୟ ଦେଖାହୁଏ ସ୍କୁଲ ପ୍ରାଙ୍ଗଣରେ ନମିତା ସହିତ ।

 

ନମିତା ଉପହାସରେ କାଉଲଙ୍କୁ କହେ, ‘ତୁମେ ମୋ ଭଗ୍ନ ଦେବତା ।’’ କାଉଲ୍ ନମିତାଙ୍କୁ କହନ୍ତି, ‘ତୁମେ ମୋ ନଷ୍ଟ ଉର୍ବଶୀ ।’

 

ଆଜିକାଲି କାଉଲ୍ ଯେତେବେଳେ ନମିତା ଘରକୁ ଯା’ନ୍ତି, ନମିତା ଓହ୍ଲାଇଦିଏ ତା’ର ସାଜ ସରଞ୍ଜାମ, ବନ୍ଦ ରହେ ମୁଜୁରା । କାଉଲ୍ ସେଠି ମଦ୍ୟପାନ ମଧ୍ୟ କରନ୍ତି ନାହିଁ । କହନ୍ତି ‘‘ସେ ଜଗତରେ ସବୁ ସହ୍ୟ କରିପାରିବେ, ମାତୃତ୍ୱର ଅବମାନନା ନୁହେଁ ।’’

 

ଫ୍ଲାସ୍ ଖେଳଟା ଜମି ଆସୁଥାଏ । ସେ ସଂଧ୍ୟାରେ ମିଷ୍ଟର ମୁଖାର୍ଜୀ କିପରି ଗୋଟାଏ ଆକ୍ରମଣମୂଳକ ମନୋଭାବ ନେଇ ଆସିଛନ୍ତି କ୍ଲବକୁ । ତାଙ୍କ ସହିତ ଯୋଗ ଦେଇଥାନ୍ତି ମିଷ୍ଟର୍ ଅଲି, ମିଷ୍ଟର, ଭାଟିଆ । ଖେଳରେ ହାରୁଥାନ୍ତି ମିଷ୍ଟର କାଉଲ୍ । ମୁଖାର୍ଜୀଙ୍କର ଅନେକ ଦିନରୁ କ୍ରୋଧ ଅଛି କାଉଲ୍‌ଙ୍କ ଉପରେ ।

 

କାଉଲ୍‌ଙ୍କର ଅବହେଳା ସବୁବେଳେ ଯନ୍ତ୍ରଣା ଦେଇଛି ମୁଖାର୍ଜୀଙ୍କର ପ୍ରତିଷ୍ଠା ଓ କ୍ଷମତାକୁ । ତା’ଛଡ଼ା ଗୋଟିଏ ମାମୁଲି ବ୍ୟବସାୟୀର ଔଦ୍ଧତ୍ୟକୁ ବିଶେଷ ବରଦାସ୍ତ କରିବା ତାଙ୍କ ଶକ୍ତିର ଅବମାନନା । ପୁଣି ସେ ମଧ୍ୟ ସହ୍ୟ କରିପାରନ୍ତି ନାହିଁ କାଉଲ୍‍ଙ୍କର ପ୍ରଶଂସା, ବିଶେଷତଃ ମିସ୍ ନୀନାଙ୍କ ମୁହଁରେ । ଆଜି ସୁଯୋଗ ମିଳିଛି ।

 

‘‘ମିଷ୍ଟର କାଉଲ୍ ! ଜିତିବା ଏତେ ସହଜ ନୁହେଁ । ଏଠି ମିଷ୍ଟର୍ ରାଓ ନାହାନ୍ତି ଯେ ଧପେଇଦେବ । ଆଜି ପରାଜୟରେ ସର୍ବସ୍ଵ ହରାଇ ବସିବ । ବରଂ ଅପସରି ଯାଅ ତୁମର ନିଜ ହିତପାଇଁ’’ – ଦାମ୍ଭିକତାର ସ୍ୱରରେ କହିଲେ ମିଷ୍ଟର ମୁଖାର୍ଜୀ ।

 

କାଉଲ୍ କାର୍ଡ଼ରେ ନିବିଷ୍ଟ ଥିଲେ । ଠିକ୍ ଜାଣିପାରିଲେ ନାହିଁ କିଏ ଏ କଥା କହିଲା । କାଉଲ୍ ଜବାବ ଦେଇ କହିଲେ;–

 

‘‘ସର୍ବସ୍ୱାନ୍ତ ହୋଇଯାଇପାରେ କାଉଲ୍, କିନ୍ତୁ ପରାଜିତ ହେବ ନାହିଁ । ଅବଶ୍ୟ ଜୟ ପରାଜୟ ସଂଜ୍ଞାରେ ପାର୍ଥକ୍ୟ ଅଛି, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ।’’

 

ମୁଖାର୍ଜୀ ସହ୍ୟ କରିବାକୁ ପ୍ରସ୍ତୁତ ନ ଥିଲେ ଏପରି ଅବଜ୍ଞାମୂଳକ ଉତ୍ତର । ପୁଲିସ୍ ସାହେବର ରକ୍ତ ବଂଶ ପରମ୍ପରା ଧରି ତାଙ୍କରି ଧମନୀରେ ବୋହୁଛି । କଠିନ ସ୍ୱରରେ କହିଲେ, ‘ରାଜନୀତି ନ କରି ବି ଦେଖୁଛି ଚାଲ୍‍ବାଜିରେ ଓସ୍ତାତ୍ ।’’

 

କାଉଲ୍ କହିଲେ, ‘ଅନ୍ୟମାନଙ୍କ ପରି ଚାଲ୍‍ବାଜି କରିପାରେ । ଆଉ ଯେଉଁଟା ଅନ୍ୟମାନେ କରିପାରିବେ ନାହିଁ – ଅର୍ଥାତ୍ ରାଜନୀତି, ସେଇଟା ମଧ୍ୟ କରିପାରେ ଯଦି ଚାହେଁ ।’’

 

ମୁଖାର୍ଜୀ ସାହେବ କହିଲେ, ‘‘ଇଚ୍ଛା ଯଦି ଘୋଡ଼ା ହୋଇଥାନ୍ତା କେତେ ଭିକାରି ତା’ଉପରେ ଚଢ଼ି ବୁଲନ୍ତେ । ଯଦି ଏତେ ଦାମ୍ଭିକତା ଅଛି, କାମ କରି ଦେଖାଅ ନା ତୁମର ପୌରୁଷ-!’’

 

ମିଷ୍ଟର୍ କାଉଲ୍ ଷ୍ଟେକ୍‌କୁ ଦୁଇଗୁଣା କରିଦେଲେ । ଟେବୁଲ୍ ଉପରେ ପଇସାକୁ ତାଚ୍ଛଲ୍ୟ ଭାବରେ ପକାଇଦେଇ କହିଲେ, ‘ମିଷ୍ଟର ମୁଖାର୍ଜୀ ! କାର୍ଯ୍ୟବ୍ୟସ୍ତତା ଯୋଗୁଁ ଖବରକାଗଜ ପଢ଼ିବା ମୋ ପକ୍ଷରେ ସମ୍ଭବ ହୋଇପାରେନା । ଯଦି କେତେବେଳେ ରାଜନୀତିର ସୁଯୋଗ ଆସେ ମୋତେ ଖବର ଦେବେ ମୋର ପୌରୁଷ ପ୍ରମାଣ କରିବାପାଇଁ ।’’

 

ମିଷ୍ଟର୍ ଭାଟିଆ କହିଲେ, ‘‘ନିରକ୍ଷରକୁ ସାକ୍ଷର କରିବାର ଦାୟିତ୍ୱ ମିଷ୍ଟର ମୁଖାର୍ଜୀଙ୍କର ନାହିଁ । ତାଙ୍କର କର୍ତ୍ତବ୍ୟ ଶାନ୍ତିଶୃଙ୍ଖଳା ରକ୍ଷା କରିବା । ଯଦି ଚାହାନ୍ତି ଆସନ୍ତା ମାସରେ ମ୍ୟୁନିସିପାଲିଟି ନିର୍ବାଚନ ଆସୁଛି । ହୁଅନ୍ତୁ ନା ଗୋଟାଏ ନେତା, ପ୍ରମାଣ ମିଳିବ ଆପଣଙ୍କ ପୌରୁଷର ।’’ ତୋଷାମଦ ସ୍ଵରରେ ମିଷ୍ଟର ଅଲି କହିଲେ, ‘ଡିପୋଜିଟ୍ ରଖିବାରେ ଯଦି କିଛି ଅସୁବିଧା ହୁଏ ଆମକୁ କହିବେ । ଆମ ଘରେ ଅନ୍ତତଃ ତିରିଶ ଜଣ ସଭ୍ୟ ଅଛନ୍ତି । ବନ୍ଧୁଙ୍କ ଇଜ୍ଜତ ରକ୍ଷାପାଇଁ ଆମେ ସମସ୍ତେ ସାହାଯ୍ୟ କରିବାକୁ ସଙ୍କୋଚ କରିବୁ ନାହିଁ ।’’

 

କାର୍ଡ଼ ଉଠିଲା । ପୁଣି ହାରିଲେ କାଉଲ୍ ।

 

ପର ଥର ଗେମ୍ ପାଇଁ ପୁଣି କାର୍ଡ଼ ସଫଲ୍‌ ହେଉ ହେଉ ମୁଖାର୍ଜୀ କହିଲେ, “ଏବେ ତ ଖବର ପାଇଲେ, ମୌନ କାହିଁକି ?’’

 

କାଉଲ୍ ନିର୍ବିକାର ଭାବରେ ମୁଖାର୍ଜୀଙ୍କୁ ଲକ୍ଷ୍ୟ କରି କହିଲେ, ‘ମୁଁ ମ୍ୟୁନିସିପାଲିଟିର ଚେୟାରମ୍ୟାନ୍ ହେଲେ ଆପଣଙ୍କର ଅସୁବିଧା ହେବ ନାହିଁ ତ ? ଆଇନରେ ଅନେକ ଅଧିକାର ଅଛି ଚେୟାରମ୍ୟାନ୍‌ଙ୍କର, ପୁଲିସକୁ ଶାସନ କରିବାକୁ ।”

 

କ୍ରୋଧରେ ଲାଲ୍ ହୋଇଗଲେ ମୁଖାର୍ଜୀ । କଅଣ ଉତ୍ତର ଦେବେ ସ୍ଥିର କରିପାରିଲେ ନାହିଁ । ଉଚ୍ଚ ସ୍ୱରରେ କେବଳ ହସି ଉଠିଲେ । ସଙ୍ଗରେ ଯୋଗଦେଲେ ଭାଟିଆ ଓ ଅଲି ।

 

କାଉଲ୍ କହିଲେ, ‘ତା’ହେଲେ ଏଇଟାଇ ହେଲା ଖେଳର ଶେଷ ରାଉଣ୍ଡ । ମୁଁ ଯଦି ହାରେ ଦେବି ଦଶହଜାର । ଆଉ ଯଦି ମୁଁ ଚେୟାରମ୍ୟାନ୍ ହୋଇ ଆସେ, ତା’ହେଲେ ମିଷ୍ଟର୍ ମୁଖାର୍ଜୀ, ଆପଣଙ୍କର ଦଶହଜାର । ଭାଟିଆ ପାଟିକରି ଉଠିଲେ । କହିଲେ, ‘ତାଙ୍କର ଦେବା ଆବଶ୍ୟକ ନାହିଁ । ମୁଁ ଦେବି ଦଶହଜାର ତାଙ୍କ ତରଫରୁ ।’

 

ଭାଟିଆଙ୍କର ସମସ୍ତ ରାଜ୍ୟରେ ମଦ କାରବାର । ଅଲି କହିଲେ, ‘‘ଚେୟାରମ୍ୟାନ୍ ପଦପାଇଁ ପନ୍ଦର ହଜାର ହେଉ କାଉଲ୍ ସାହେବ ! ଦଶହଜାରଟା ମେମ୍ବର ପାଇଁ ।’’ ମିଷ୍ଟର ଅଲି ଲୁହାର ବ୍ୟବସାୟ କରନ୍ତି ।

 

କାଉଲ୍ କହିଲେ, ‘ଅଲି ସାହେବ, ଆପଣଙ୍କର ସାହସପାଇଁ ଧନ୍ୟବାଦ । କିନ୍ତୁ ଗୋଟିଏ ମାତ୍ର ସର୍ତ୍ତ ! ମୋର ବିଜୟର ପର ରାତ୍ରିରେ ଆପଣ ଏଇଠି ଗୋଟିଏ ରିସେପ୍‌ସନ ଆୟୋଜନ କରିବେ । ପୂର୍ବରୁ ମିସ୍ ନୀରାଙ୍କୁ ଜଣାଇଦେବେ ଯେପରି ସେ ସନ୍ଧ୍ୟାକୁ ସମୟ କରି ଆସନ୍ତି ।’’

 

ମିଷ୍ଟର ମୁଖାର୍ଜୀ, ମିଷ୍ଟର ଭାଟିଆ, ମିଷ୍ଟର୍ ଅଲି ଚାହିଁଥାନ୍ତି କାଉଲ୍‍ଙ୍କୁ । ସମସ୍ତଙ୍କ ମୁହଁରେ କାଉଲ୍‌ଙ୍କ ପ୍ରତି ଘୃଣାର ଛାପ ଦେଖାଯାଉଥିଲା । କ୍ରୋଧଜର୍ଜରିତ ଏ ଜନମଣ୍ଡଳୀ ସେଦିନ ସନ୍ଧ୍ୟାରେ ଅବ୍ୟାହତି ନେଲେ । କାଉଲ୍ ଫେରିଲେ ନିଜର କୋଠିକୁ ।

 

ଆସନ୍ତା ନିର୍ବାଚନରେ ତାଙ୍କୁ ବ୍ଲେୟାରମ୍ୟାନ୍ ହେବାକୁ ପଡ଼ିବ । ଲଢ଼ାଇର ଯୋଜନା ସ୍ଥିର କରିନେଲେ ଗାଡ଼ିରେ ଯାଉଁ ଯାଉଁ । ସମୟ ମୋଟେ ମାସେ । ଫ୍ଲାଟ୍‌ରେ ପହଞ୍ଚି ଫନୋଗ୍ରାମ୍ କଲେ ସମସ୍ତ ଜିଲ୍ଲାରେ ତାଙ୍କର ଅଫିସର୍’ ମୁନ୍‌ସିମାନଙ୍କୁ । ଟେଲିଫୋନ୍‌ରେ ଜଣାଇଲେ ଅନ୍ୟାନ୍ୟ ସହରର ଅଫିସର୍ ମ୍ୟାନେଜରମାନଙ୍କୁ । ଡକାଇଲେ ତାଙ୍କର ଏଜେଣ୍ଟ୍, ବନ୍ଧୁବାନ୍ଧବମାନଙ୍କୁ । ନିମନ୍ତ୍ରଣ କଲେ ମିସ୍ ନୀରା ଓ ତାଙ୍କର ସଙ୍ଗୀମାନଙ୍କୁ ।

 

ଦୁଇଦିନ ପରେ ଛୋଟକାଟର ବୈଠକ ବସିଲା ତାଙ୍କର ଡ୍ରଇଂରୁମରେ । ସର୍ଭେ କରାଗଲା ତାଙ୍କର ୱାର୍ଡ଼ର ଭୋଟର୍‍ମାନଙ୍କର । ଭୋଟରମାନଙ୍କୁ ବିଭକ୍ତ କରାଗଲା ! –ଧର୍ମ ଅନୁସାରେ, ଗୋଷ୍ଠୀ ଅନୁସାରେ, ଆର୍ଥିକ ପରିସ୍ଥିତି ଅନୁସାରେ । ପୋଷ୍ଟର, ପ୍ରଚାରପତ୍ରର ଲେଖା ସ୍ଥିର ହେଲା । ନୋମିନେସନ୍ ଫାଇଲ୍ କଲେ କାଉଲ୍ । ସେ ସହରର ଶ୍ରେଷ୍ଠ ଓକିଲ ପ୍ରସ୍ତାବ କଲେ, ସମର୍ଥନ ଜଣାଇଲେ ସହରର ବଡ଼ ଡାକ୍ତର । ପ୍ରତ୍ୟେକ ଶହେ ଜଣପାଇଁ ଜଣେ ଲେଖାଏ କର୍ମୀ ସ୍ଥିର ହେଲେ । ଦେଶରେ ତାଙ୍କର କର୍ମଚାରୀ, ଏଜେଣ୍ଟ୍, ବନ୍ଧୁବାନ୍ଧବ, ପ୍ରିୟାପ୍ରୀତି ସମସ୍ତେ ଏକ ହେଲେ । ଲେଖାଗଲା ଯେ ଏହି ୱାର୍ଡ଼ରେ ସାତଟା ସଡ଼କ ହେବ । ପାଞ୍ଚଟି ଅପର ପ୍ରାଇମେରୀ ସ୍କୁଲ । ମନ୍ଦିର ମରାମତି ହେବ ଧର୍ମପ୍ରାଣ ବୃଦ୍ଧମାନଙ୍କପାଇଁ । କ୍ଲବ ଘର ତିଆରି କରାହେବ ଯୁବକମାନଙ୍କ ବୈଠକଲାଗି । ଇଲେକ୍‌ଟ୍ରିକ୍ ଦିଆଯିବ ପ୍ରତ୍ୟେକ ରାସ୍ତାରେ । ପାଣିକଳ ଦିଆଯିବ ପ୍ରତ୍ୟେକ ଛକରେ । ପ୍ରତ୍ୟେକ ଘରକୁ ଯିବ ପାଇପ୍ । ସବୁ ସ୍ଥିର କରାହେଲା । ଗୋଟିଏ ବିଷୟ କେବଳ ଧାର୍ଯ୍ୟ କରାଗଲା ନାହିଁ । ସେ ହେଲା ଅର୍ଥ । କାଉଲ୍ କହିଲେ ଅର୍ଥ ଆବଶ୍ୟକତାର ସୀମା ନିର୍ଦ୍ଧାରଣ କରିବ ନାହିଁ । ଆବଶ୍ୟକତା ଧାର୍ଯ୍ୟ କରିବ ଅର୍ଥର ସୀମା । ଆବଶ୍ୟକତାର ସିଦ୍ଧାନ୍ତ ଯେକୌଣସି କର୍ମୀ କରିପାରିବ ବିନା ସଂକୋଚରେ ।

 

ନିର୍ବାଚନରେ କାଉଲ୍‌ଙ୍କୁ ପ୍ରତିଦ୍ୱନ୍ଦ୍ୱିତା କଲେ ଶୁକ୍ଲକେଶ, ସୌମ୍ୟକାନ୍ତ ପଣ୍ଡିତଜୀ । ଭାରତର ଇତିହାସ ତାଙ୍କରି ଶରୀର ଉପରେ ବୋହିଯାଇଛି ଅସଂଖ୍ୟ କ୍ଷତବିକ୍ଷତ ସୃଷ୍ଟି କରି । କପାଳରେ ଗଭୀର ରେଖାମାନ ମଧ୍ୟ ଏହାର ପ୍ରମାଣ ଦିଏ । ବାଲ୍ୟକାଳରୁ ସେ ସାଜିଲେ ବାନରସେନା । ସତ୍ୟାଗ୍ରହ କଲେ ଶୈଶବରୁ । ଯେତେବେଳେ ଅନ୍ୟମାନେ ଖେଳୁଥିଲେ ପିତାମାତାଙ୍କର ବାହୁ ଛାୟା ତଳେ, ପଣ୍ଡିତଜୀ ସେତେବେଳେ ଯୋଗ ଦେଇଥିଲେ ସତ୍ୟାଗ୍ରହୀଙ୍କ ସାଙ୍ଗରେ । ‘ବନ୍ଦେ ମାତରଂ’ ସ୍ଲୋଗାନ୍ ଦେଇ ଲବଣ ସତ୍ୟାଗ୍ରହ ବେଳେ ହେଲେ ବନ୍ଦୀ । ସେହି ସମୟରେ ତାଙ୍କର ସଦ୍ୟ ବିବାହିତା ସ୍ତ୍ରୀ ପ୍ରାଣତ୍ୟାଗ କରନ୍ତି ମହାମାରୀରେ । ଅସଂଖ୍ୟ ଲାଠି ମାଡ଼ ଖାଇଚନ୍ତି । ପିଠିରେ ଏବେ ବି ଦାଗସବୁ ଅଛି । ସାନପିଲାମାନଙ୍କୁ ମଝିରେ ମଝିରେ ଗାନ୍ଧିଜୀ ଚରିତ କହି, ଏସବୁ ଦାଗ ଦେଖାଇ ପ୍ରମାଣ ଦିଅନ୍ତି ଭାରତ ସ୍ଵାଧୀନତା ଆନ୍ଦୋଳନର ଗୌରବମୟ ଦିନଗୁଡ଼ିକୁ ! ୧୯୪୨ ଆନ୍ଦୋଳନରେ ଯୋଗଦେଲାବେଳକୁ ପୁତ୍ର ତାଙ୍କର ରୋଗାକ୍ରାନ୍ତ । ଜେଲଖାନାରେ ଶୁଣିଲେ ଯେ ଇତିମଧ୍ୟରେ ସେ ମଧ୍ୟ ଇହଧାମ ତ୍ୟାଗ କରିଛି । ସଂସାରରେ ସେ ପରିବାରହୀନ, ନିର୍ଜନ, ନିଃସ୍ଵ ।

 

ପରିଧେୟ ଖଣ୍ଡେ କ୍ଷୁଦ୍ର ଧୋତି ଓ ଚାଦର । ଜୀବନରେ ଅନ୍ୟର ସେବା ଛଡ଼ା ଆଉ କିଛି କର୍ତ୍ତବ୍ୟ ନାହିଁ । ଯଦି କେବେ ନଦୀରେ ବନ୍ଧ ଭାଙ୍ଗିବାର ଆଶଙ୍କା ଥାଏ, ସାରା ରାତି ପଣ୍ଡିତଜୀ ସେଇଠି । ଯଦି କେଉଁଠାରେ ମହାମାରୀ ଆସିଲା, ପଣ୍ଡିତଜୀ ନିଜର ଜୀବନକୁ ଉତ୍ସର୍ଗ କରିଦେବେ-। କାହାରି ବିପଦ ପଡ଼ିଲେ ରାତି ବିତାଇଦେବେ ତା’ର ଶଯ୍ୟା ପାଖରେ । ଜୀବନରେ ଯାହା ଶିକ୍ଷା ପାଇଥିଲେ, ସେଥିରେ ଘରସଂସାର ପାତି ସ୍ଥିର କରାହେଲା । ଗୋଟିଏ ବିଷୟ କେବଳ ଧାର୍ଯ୍ୟ କରାଗଲା ନାହିଁ । ସେ ହେଲା ଅର୍ଥ । କାଉଲ୍ କହିଲେ ଅର୍ଥ ଆବଶ୍ୟକତାର ସୀମା ନିର୍ଦ୍ଧାରଣ କରିବ ନାହିଁ । ଆବଶ୍ୟକତା ଧାର୍ଯ୍ୟ କରିବ ଅର୍ଥର ସୀମା । ଆବଶ୍ୟକତାର ସିଦ୍ଧାନ୍ତ ଯେକୌଣସି କର୍ମୀ କରିପାରିବ ବିନା ସଂକୋଚରେ ।

 

ନିର୍ବାଚନରେ କାଉଲ୍‌ଙ୍କୁ ପ୍ରତିଦ୍ୱନ୍ଦ୍ୱିତା କଲେ ଶୁକ୍ଲକେଶ, ସୌମ୍ୟକାନ୍ତ ପଣ୍ଡିତଜୀ । ଭାରତର ଇତିହାସ ତାଙ୍କରି ଶରୀର ଉପରେ ବୋହିଯାଇଛି ଅସଂଖ୍ୟ କ୍ଷତବିକ୍ଷତ ସୃଷ୍ଟି କରି । କପାଳରେ ଗଭୀର ରେଖାମାନ ମଧ୍ୟ ଏହାର ପ୍ରମାଣ ଦିଏ । ବାଲ୍ୟକାଳରୁ ସେ ସାଜିଲେ ବାନରସେନା । ସତ୍ୟାଗ୍ରହ କଲେ ଶୈଶବରୁ । ଯେତେବେଳେ ଅନ୍ୟମାନେ ଖେଳୁଥିଲେ ପିତାମାତାଙ୍କର ବାହୁ ଛାୟା ତଳେ, ପଣ୍ଡିତଜୀ ସେତେବେଳେ ଯୋଗ ଦେଇଥିଲେ ସତ୍ୟାଗ୍ରହୀଙ୍କ ସାଙ୍ଗରେ । ‘ବନ୍ଦେ ମାତରଂ’ ସ୍ଲୋଗାନ୍ ଦେଇ ଲବଣ ସତ୍ୟାଗ୍ରହ ବେଳେ ହେଲେ ବନ୍ଦୀ । ସେହି ସମୟରେ ତାଙ୍କର ସଦ୍ୟ ବିବାହିତା ସ୍ତ୍ରୀ ପ୍ରାଣତ୍ୟାଗ କରନ୍ତି ମହାମାରୀରେ । ଅସଂଖ୍ୟ ଲାଠିମାଡ଼ ଖାଇଚନ୍ତି । ପିଠିରେ ଏବେବି ଦାଗସବୁ ଅଛି । ସାନପିଲାମାନଙ୍କୁ ମଝିରେ ମଝିରେ ଗାନ୍ଧିଜୀ ଚରିତ କହି, ଏସବୁ ଦାଗ ଦେଖାଇ ପ୍ରମାଣ ଦିଅନ୍ତି ଭାରତ ସ୍ଵାଧୀନତା ଆନ୍ଦୋଳନର ଗୌରବମୟ ଦିନଗୁଡ଼ିକୁ ! ୧୯୪୨ ଆନ୍ଦୋଳନରେ ଯୋଗଦେଲାବେଳକୁ ପୁତ୍ର ତାଙ୍କର ରୋଗାକ୍ରାନ୍ତ । ଜେଲଖାନାରେ ଶୁଣିଲେ ଯେ ଇତିମଧ୍ୟରେ ସେ ମଧ୍ୟ ଇହଧାମ ତ୍ୟାଗ କରିଛି । ସଂସାରରେ ସେ ପରିବାରହୀନ, ନିର୍ଦ୍ଧନ, ନିଃସ୍ଵ ।

 

ପରିଧେୟ ଖଣ୍ଡେ କ୍ଷୁଦ୍ର ଧୋତି ଓ ଚାଦର । ଜୀବନରେ ଅନ୍ୟର ସେବା ଛଡ଼ା ଆଉ କିଛି କର୍ତ୍ତବ୍ୟ ନାହିଁ । ଯଦି କେବେ ନଦୀରେ ବନ୍ଧ ଭାଙ୍ଗିବାର ଆଶଙ୍କା ଥାଏ, ସାରା ରାତି ପଣ୍ଡିତଜୀ ସେଇଠି । ଯଦି କେଉଁଠାରେ ମହାମାରୀ ଆସିଲା, ପଣ୍ଡିତଜୀ ନିଜର ଜୀବନକୁ ଉତ୍ସର୍ଗ କରିଦେବେ-। କାହାରି ବିପଦ ପଡ଼ିଲେ ରାତି ବିତାଇଦେବେ ତା’ର ଶଯ୍ୟା ପାଖରେ । ଜୀବନରେ ଯାହା ଶିକ୍ଷା ପାଇଥିଲେ, ସେଥିରେ ଘରସଂସାର ପାତି ସୁଖଶାନ୍ତିରେ ରହିବା କଷ୍ଟକର ନ ଥିଲା ତାଙ୍କ ପକ୍ଷରେ-। କିଏ ଯଦି ତାଙ୍କୁ ଏ କଥା କହେ, ତା’ହେଲେ ସେ ଉତ୍ତର ଦିଅନ୍ତି, ଆଶ୍ରମରେ ଗାନ୍ଧିଜୀଙ୍କୁ ଯେଉଁ ଜବାବ ଦେଇଥିଲେ, ଗାନ୍ଧିଜୀ ଆଜି ମରିଗଲେ ବୋଲି କ’ଣ ସେ ହେବେ ପ୍ରତିଜ୍ଞାଭ୍ରଷ୍ଟ-! କାଳେ କଷ୍ଟ ପାଇବ ବାପୁଜୀଙ୍କ ଅମର ଆତ୍ମା !

 

କାଉଲ୍ ଅନେକ ବାର ଲକ୍ଷ୍ୟ କରିଛନ୍ତି ତାଙ୍କର ପ୍ରତିଦ୍ଵନ୍ଦ୍ୱୀ ଏ ପଣ୍ଡିତଜୀଙ୍କୁ ।

 

ନିର୍ବାଚନ ସଭାରେ କହନ୍ତି କାଉଲ୍, ‘‘ଏ ସତ୍ୟାଗ୍ରହର ଯୁଗ ନୁହେଁ । ଏ ଯୋଜନାର ଯୁଗ । ପିଠିରେ ମାଡ଼ ଦାଗର ସଂଖ୍ୟା ଆଉ ପ୍ରତିନିଧିର ଯୋଗ୍ୟତ ହୋଇ ରହିନାହିଁ । ଦକ୍ଷତା ହିଁ ଏ ଯୁଗର ପ୍ରକୃତ ମାପକାଠି ! କୌଣସି ବ୍ୟକ୍ତିପାଇଁ ଆଖିରୁ ଲୁହ ବୁହାଇ ଆମ୍ବୁଲାନ୍ସରେ ଯିବା ପ୍ରତିନିଧିର ଆଉ କର୍ତ୍ତବ୍ୟ ନୁହେଁ । ପ୍ରତିନିଧି ଦେଖିବ ସମାଜରେ ଯେପରି ବ୍ୟାଧି ନ ହୁଏ, ଯେପରି ସମସ୍ତେ ସୁଖରେ ରହିପାରନ୍ତି । ବ୍ୟକ୍ତିଗତ ଉପକାର ନୁହେଁ– ସାମୂହିକ ଉନ୍ନତି ।’’

 

ମଝିରେ ମଝିରେ ପଣ୍ଡିତଜୀଙ୍କୁ ଗାଡ଼ିରେ ନେଇଯାନ୍ତି ସଭାସ୍ଥଳକୁ । ଦୁଇ ପ୍ରତିଦ୍ଵନ୍ଦ୍ୱୀ ସାମନାସାମନି ହୁଅନ୍ତି । କାଉଲ୍ ବକ୍ତୃତା ଛଳରେ ଏ ଚାଲେଞ୍ଜ ଦିଅନ୍ତି । କହନ୍ତି, ‘‘କୁହନ୍ତୁ ପଣ୍ଡିତଜୀ, ଆପଣ ପ୍ରତିନିଧି ହେଲେ କ’ଣ କରିପାରିବେ ? ମୁଁ ହେଲେ କରିବି ଏ ରାସ୍ତା, ଏ ସ୍କୁଲ୍ ..... ତା’ର ମୂଲ୍ୟହେବ ପ୍ରାୟ ତିରିଶ ହଜାର ଟଙ୍କା । ଏଇ ତିରିଶ ହଜାର ଟଙ୍କାର ଚେକ୍ ମୁଁ ଏଇଠି ବର୍ତ୍ତମାନ ରଖୁଛି । ଯଦି କାଉନ୍‍ସିଲ ନ କରିପାରେ ତା’ହେଲେ ମୁଁ ନିଜେ କରିବି ସାମୂହିକ ଉନ୍ନତି । ଯିବାପାଇଁ ପଡ଼ିବ ନାହିଁ ଡାକ୍ତରଖାନା । ପିଲାଏ ମୂର୍ଖ ହେବେ ନାହିଁ । କେହି ବେକାର ରହିବେ ନାହିଁ-। କେହି ଯଦି ଚାକିରି ନ ଦେଇପାରନ୍ତି ତା’ହେଲେ ମୁଁ ନିଜେ ଯୋଗାଇବି ଚାକିରି ମୋର ନିଜ ଅନୁଷ୍ଠାନରେ ।’’

 

ଅସଂଖ୍ୟ କର୍ମୀ ବାହାରିଲେ ପ୍ରଚାର ଉଦ୍ଦେଶ୍ୟରେ କାଉଲ୍‌ଙ୍କ ତରଫରୁ । ଘମାଘୋଟ ପ୍ରଚାର ହେଲା । କାଉଲ୍ କହିଲେ, “ଏ ମ୍ୟୁନିସିପାଲିଟି ଜରିଆରେ ଯାହା କିଛି ସମ୍ଭବ, ମୋ ଜରିଆରେ ମଧ୍ୟ ତାହା ସମ୍ଭବ ! ମୋତେ ଯଦି ଭୋଟ ଦେବେ, ମୁଁ ସବୁ ସମସ୍ୟାର ସମାଧାନ କରିଦେବି ।’’ ସଭାସ୍ଥିତ ଲୋକଙ୍କୁ ପଚାରିଲେ, ‘‘ପଣ୍ଡିତଜୀ କୁହନ୍ତୁ ବର୍ତ୍ତମାନ ସେ କ’ଣ କରିପାରିବେ’’ ନୀରବ ରହିଲେ ପଣ୍ଡିତଜୀ, ନୀରବ ରହିଲେ ସଭାର ଜନତା ।

 

ଭୋଟ ହେଲା । ଅନେକ ଅଧିକା ଭୋଟରେ ବିଜୟୀ ହେଲେ କାଉଲ୍ । ଭିଡ଼ ହେଲା ତାଙ୍କ କୋଠିରେ । ଚାରିଆଡୁ କଂଗ୍ରାଚୁଲେସନ୍ ଆସିଲା ।

 

ନିର୍ବାଚନ ପରେ ନିଜ ଘରକୁ ନିମନ୍ତ୍ରଣ କଲେ ଅନ୍ୟାନ୍ୟ ବିଭିନ୍ନ ଦଳର ନେତା ଓ ବିଶିଷ୍ଟ ପ୍ରତିନିଧିମାନଙ୍କୁ । ନିମନ୍ତ୍ରଣ କରାଗଲା ଜଣ ଜଣଙ୍କୁ ! ସମସ୍ତଙ୍କୁ ଏକସାଙ୍ଗରେ ନୁହେଁ । ପ୍ରତ୍ୟେକ ସଭ୍ୟମାନେ ସମର୍ଥନ ଜଣାଇଲେ କାଉଲ୍‌ଙ୍କ ନୂତନ ଜୀବନକୁ । କେହି କେହି ମଧ୍ୟ କହିଲେ, ‘ଦେଶ ବର୍ତ୍ତମାନ ଆପଣଙ୍କ ପରି ଉତ୍ସାହୀ ଯୁବକଙ୍କ ଅପେକ୍ଷାରେ ବସିରହିଛି । ଜାତୀୟ ଜୀବନ ପୁଷ୍ଟ ହେବ କେବଳ ଆପଣମାନଙ୍କ ସାହାଯ୍ୟ ଓ ସହଯୋଗରେ ।’’ କାଉଲ୍ ପ୍ରତିଶ୍ରୁତି ଦେଲେ ସଭ୍ୟମାନଙ୍କୁ । କାହାର ପୁଅକୁ କଲେଜରେ ପଢ଼ାଇବାରେ ସାହାଯ୍ୟ କଲେ । ଅନ୍ୟ କାହାର ଭାଇ ସ୍ଥାନ ପାଇଲା ତାଙ୍କର ବ୍ୟବସାୟ ପ୍ରତିଷ୍ଠାନରେ । କାହାର କନ୍ୟାର ଆସନ୍ନ ବିବାହପାଇଁ ଯକିଞ୍ଚିତ୍ ସାହାଯ୍ୟ କଲେ କାଉଲ୍ । ଅନ୍ୟମାନଙ୍କୁ କହିଲେ ଯେକୌଣସି ରାଜନୈତିକ ଦଳର ଲୋକ ହେଉନା କାହିଁକି, ବର୍ତ୍ତମାନ ଦେଶର ପରିସ୍ଥିତିରେ ମ୍ୟୁନିସିପାଲଟିମାନଙ୍କରେ ଦଳଗତ ରାଜନୀତି ରହିବା ଉଚିତ ନୁହେଁ । ନିର୍ଦ୍ଦଳୀୟ ବ୍ୟକ୍ତି ଚେୟାରମ୍ୟାନ୍ ହେବା ଉଚିତ । ଉପରୋକ୍ତ ନେତାମାନଙ୍କର ଭବିଷ୍ୟତ ଆଶାକୁ ମଧ୍ୟ ଉଦ୍ଦୀପିତ କଲେ ମିଷ୍ଟର କାଉଲ୍ ।

 

ଅବଶେଷରେ ଦିନ ଧାର୍ଯ୍ୟ ହେଲା ଚେୟାରମ୍ୟାନ୍ ନିର୍ବାଚନପାଇଁ । ଚାରିଆଡ଼ୁ ଦାବି ହେଲା ଗଣତନ୍ତ୍ରକୁ ବଞ୍ଚାଇବାପାଇଁ ଦଳଗତ ରାଜନୀତିକୁ କାଉନ୍‌ସିଲ୍ ଭିତରକୁ ଅଣାଯିବ ନାହିଁ । ନିର୍ଦ୍ଦଳୀୟ ବ୍ୟକ୍ତି ଚେୟାରମ୍ୟାନ୍ ହୁଅନ୍ତୁ । କାଉଲ୍ ସ୍ଵାଧୀନ । ସେ ଚେୟାରମ୍ୟାନ୍ ପଦରେ ଅଭିଷିକ୍ତ ହୁଅନ୍ତୁ । ଦଳୀୟ ସଭ୍ୟମାନେ କହିଲେ, ଆମରି ନିର୍ଦ୍ଦେଶ ଅନୁସାରେ ସେ ପରିଚାଳିତ ହେବେ । କାରଣ ତାଙ୍କ ପଛରେ ଆଉ ତ କୌଣସି ନିର୍ଦ୍ଦିଷ୍ଟ ଦଳ ନାହାନ୍ତି ! ଜନତାର ପ୍ରତିନିଧିଙ୍କ ଏ ସିଦ୍ଧାନ୍ତ ପାଖରେ ମୁଣ୍ଡ ନୁଆଁଇଲେ କାଉଲ୍ । ଚେୟାରମ୍ୟାନ୍ ପଦରେ ଅଧିଷ୍ଠିତ ହେଲେ । ପ୍ରତିଦ୍ୱନ୍ଦ୍ୱୀ ତାଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଲେ । କାଉଲ୍‌ଙ୍କର ଯୋଗ୍ୟତାକୁ ବିଚାର କରି ସେ ଅପସରିଗଲେ ବୋଲି କୁହାଗଲା । କିନ୍ତୁ କାଉଲଙ୍କର ବ୍ୟାଙ୍କରେ କେବଳ ପାଞ୍ଚହଜାର ଟଙ୍କାର ପାର୍ଥକ୍ୟ ହେଲା ।

 

କ୍ଲବ୍‌ରେ ତହିଁ ପରଦିନ ସନ୍ଧ୍ୟା । ମାସକ ଉପରେ ହେବଣି । ଇତି ମଧ୍ୟରେ କ୍ଲବ୍‍କୁ ଆସିନଥିଲେ କାଉଲ୍ । କ୍ଲବରେ ଦେଖିଲେ, ନାହାନ୍ତି ମୁଖାର୍ଜୀ~~ ଶରୀର ଅସୁସ୍ଥ । ଅନିବାର୍ଯ୍ୟ କାରଣ ହେତୁ ମିଷ୍ଟର, ଅଲି ସହର ଛାଡ଼ି ଚାଲିଯାଇଛନ୍ତି । ମିଷ୍ଟର୍ ଭାଟିଆ ସନ୍ଧ୍ୟାରେ ନିୟୋଜିତ ରହିବେ ରୁଗ୍‌ଣ ମାତାଙ୍କ ସେବାରେ ! କେବଳ ଉପସ୍ଥିତ ଅଛନ୍ତି ନୀନା ଅନ୍ୟାନ୍ୟ ବନ୍ଧୁମାନଙ୍କ ସହିତ ।

 

‘‘ନୀନା ! ଯଦି ଆଜି ମୁଁ ସମ୍ରାଟ ହୋଇଥାନ୍ତି, ତୁମେ ହୁଅନ୍ତ ଏ ବିରାଟ ସହରର ସାମ୍ରାଜ୍ଞୀ । ତୁମର ମୋ ପ୍ରତି ସାହାଯ୍ୟର ଆଉ କ’ଣ ପ୍ରତିଦାନ ଥାଇପାରେ କୁହ ?’’

 

ନିଜ ଓଠକୁ ଜିଭରେ ଓଦା କରୁଥିଲେ ମିସ୍ ନୀନା । କହିଲେ, ‘ଚେୟାରମ୍ୟାନ୍ ହେବାରେ ତ କିଛି ବାଧା ନାହିଁ ?’’

 

‘‘ନୀନା, ଆଜି ଆସ ମୋ ସାଙ୍ଗରେ । ବିଜୟୀ ସନ୍ଧ୍ୟାକୁ ଏକାନ୍ତ ଉପଭୋଗ କରିବା । କାଲିଠାରୁ ଗୁରୁଦାୟିତ୍ଵ । ସହରର ବିରାଟ ସମ୍ବର୍ଦ୍ଧନା ସଭା । କିନ୍ତୁ ତୁମକୁ ତ ରହିବାପାଇଁ ପଡ଼ିବ । କେତେ ଲୋକ, କେତେ ବନ୍ଦନା, କେତେ ମାଳା, ତୁମର ଅନୁପସ୍ଥିତିରେ କିଏ ଏସବୁ ଗ୍ରହଣ କରିବ-?

 

ନୀନା, ମୁଁ ଅତି ସ୍ୱାର୍ଥପର । ଏପରିକି ନିଜର କୌଣସି ଅଂଶ ତୁମପାଇଁ ବର୍ତ୍ତମାନ ତ୍ୟାଗ କରିପାରୁ ନାହିଁ ।’’

 

ଦୁହେଁ ବାହାରିଲେ ଗାଡ଼ିରେ । ରାତ୍ରି ବିତାଇ ଫେରିଲେ ନିଜ ଘରକୁ ।

 

ତୃତୀୟ ଦିନର ସନ୍ଧ୍ୟା । କାଉଲ୍‌ଙ୍କ ସମ୍ବର୍ଦ୍ଧନାପାଇଁ ପେଣ୍ଡାଲ ସୁସଜ୍ଜିତ । ପେଣ୍ଡାଲ୍‌ର ଖୁଣ୍ଟସବୁ ନାଲି, ହଳଦୀ କନାରେ ଗୁଡ଼ାହୋଇଛି । ବିଭିନ୍ନ ରଙ୍ଗର କନାସବୁ ମଝିରୁ ଆସି ଏହି ଖୁଣ୍ଟମାନଙ୍କ ମଧ୍ୟରେ ମିଶିଯାଇଛନ୍ତି । ମଝିରେ ଗୋଟାଏ ବଡ଼ ସୁସଜ୍ଜିତ ପିଲାର୍ । ନୀଳ ଆଲୁଅର ମାଳା ଚାରିଆଡ଼େ ଖଞ୍ଜା ହୋଇଛି । ପ୍ରତ୍ୟେକ ଖୁଣ୍ଟିରେ ଦୁଇ ଚାରିଟା ନିଅନ୍ ଲାଇଟ୍ ।

 

ବ୍ୟବସାୟୀମାନେ କହନ୍ତି, କାଉଲ୍‌ଙ୍କ ଜରିଆରେ ସମାଜରେ ଆମେ ଆଜି ପ୍ରତିଷ୍ଠା ପାଇଲୁ । ଆମର ହେୟଜ୍ଞାନକାରୀମାନେ ଉପଯୁକ୍ତ ଶାସ୍ତି ପାଇବେ । ଦରିଦ୍ରଲୋକ କହିଲେ, ଲକ୍ଷପତି ଆଜି ରାଜା ସାଜିଛି l ଆମ ସହରରେ ଆଉ ଦୁଃଖ ରହିବ ନାହିଁ । ରାଜନୈତିକ ନେତାମାନେ କହିଲେ, ଏ ବ୍ୟକ୍ତି ପଛରେ କୌଣସି ସମର୍ଥନ ନାହିଁ । ଆମରି ହାଡ଼ଟେକା ସମର୍ଥନକୁ ଅପେକ୍ଷା କରି ରହିବ । ଏ ହେବ ‘ପୁତୁଲ୍ ନାଚେର୍ କଥା ।’’ ଯାହା ଚାହିଁବା ଏହାରି ଜରିଆରେ ଆମେ କରିପାରିବା । ବୁଦ୍ଧିଜୀବୀମାନେ କହିଲେ, ଆଜି ଏହି ଯେଉଁ ନୂତନ ଘଟଣା ହେଲା, ଏଥିରୁ ଜଣାପଡ଼େ ଆମ ସମାଜରେ ପରିବର୍ତ୍ତନ ଆସିଛି । ବିବର୍ତ୍ତନବାଦର ଅପରିବର୍ତ୍ତନୀୟ ନିୟମ । ଆଜିପର୍ଯ୍ୟନ୍ତ ଯେଉଁ ନେତାମାନେ ରାଜୁତି କରୁଥିଲେ, ସେମାନେ ଥିଲେ ଜମିଦାର ଗୋଷ୍ଠୀର । ଆଜି ସମାଜ ପୁଞ୍ଜିବାଦ ଗୋଷ୍ଠୀକୁ ନିୟନ୍ତ୍ରଣ କରିଛି । ପରିବର୍ତ୍ତନ ହୋଇଛି ନେତୃତ୍ୱର-। ଏହାପରେ ସମାଜରେ ରାଜୁତି କରିବେ ସାମ୍ୟବାଦୀମାନେ ! ବିବର୍ତ୍ତନବାଦର ବିଜୟ ଅବଶ୍ୟମ୍ଭାବୀ ।

 

ହାତତାଳି, ଉତ୍ସାହ, ସ୍ଲୋଗାନ୍ ଭିତରେ କାଉଲ୍ ଉପନୀତ ହେଲେ ପେଣ୍ଡାଲ୍ ଉପରେ । କିଛିକ୍ଷଣ ପର୍ଯ୍ୟନ୍ତ ହାତଯୋଡ଼ି ଚାରିଆଡ଼େ ବୁଲି ନମସ୍କାର ଜଣାଇଲେ ଜନମଣ୍ଡଳୀକୁ । ଏ ବିରାଟ ଜନତା, ଏ ଆତ୍ମୀୟତା, ଏ ଉତ୍ସାହରେ ବିହ୍ଵଳିତ ହେଲେ କାଉଲ୍ । ତା’ପରେ ଆସନରେ ଉପବିଷ୍ଟ ହେଲେ ।

 

ଉଠିଲେ ପଣ୍ଡିତଜୀ ଭାଷଣ ଦେବାପାଇଁ ସହରବାସୀଙ୍କ ତରଫରୁ । ସେହି କ୍ଷୁଦ୍ର ବସନ-। ଇତିହାସର ସେଇ କ୍ଷତବିକ୍ଷତ ଶରୀରକୁ ମାଇକ୍ରୋଫୋନ୍‌ ପାଖରେ ରଖି ବର୍ଣ୍ଣନା କଲେ ବିଶେଷ ଭାବରେ କାଉଲଙ୍କ ଯୋଗ୍ୟତା ।

 

କହିଲେ, ‘ଆଉ ବ୍ୟକ୍ତିଗତ ସେବାର ଦିନ ନାହିଁ । ଆଜି ସାମୂହିକ ମଙ୍ଗଳ ଚିନ୍ତାର ବିଷୟ ହୋଇଛି । ଆଜି ତ୍ୟାଗର ଯୁଗ ନାହିଁ– ଯୋଜନାର ଯୁଗ ଏଟା । ମନୁଷ୍ୟ ଚାହେଁ ବ୍ୟାଧି କିପରି ନ ରହୁ, ବେପାରୀ ଲୋପ ପାଉ, ନଈକୂଳରେ ରାତ୍ରି ଅନିଦ୍ରା ହୋଇ ବାରୁଣୀ ହେବାର ଆବଶ୍ୟକତା ନପଡ଼ୁ ।’’

 

ପଣ୍ଡିତଜୀ ବୟାନ କରୁଥାନ୍ତି ତାଙ୍କ ନିଜ ବିରୁଦ୍ଧରେ । କାଉଲ୍‌ଙ୍କ ନିର୍ବାଚନ ପ୍ରଚାରକୁ ସ୍ଵାଗତ ଜଣାଇଲେ ଓଜସ୍ୱିନୀ ଭାଷାରେ । ଅଭିନନ୍ଦନ କଲେ କାଉଲଙ୍କୁ ତାଙ୍କର ରାଜନୈତିକ ଜୀବନର ପ୍ରାରମ୍ଭିକ କୃତକାର୍ଯ୍ୟ ପାଇଁ ।

 

ଜନତା ବିଜୟ ସମ୍ଭାଷଣ ଜଣାଇଲେ । ପଣ୍ଡିତଜୀ ବର୍ଣ୍ଣନା କଲେ କାଉଲଙ୍କ ଚରିତ୍ରବତ୍ତା, ସାଧୁତା । କିପରି ବାଲ୍ୟକାଳରୁ ସେ ଐଶ୍ୱର୍ଯ୍ୟମୟ ପରିସର ଭିତରେ ବଢ଼ିଆସି ମଧ୍ୟ ରାଜନୀତିର ଧୂଳିକୁ ହେୟ ମନେକରି ନାହାନ୍ତି । ସାଧାରଣ ବ୍ୟକ୍ତି ପରି ସଡ଼କରେ ବୁଲି ବୁଲି ଲୋକମାନଙ୍କ ହିତପାଇଁ ଚେଷ୍ଟା କରୁଛନ୍ତି । ବର୍ଣ୍ଣନା କଲେ ପଣ୍ଡିତଜୀ କାଉଲ୍‍ଙ୍କର ଗୌରବମୟ ଶୈଶବ ଓ ଅଧୁନାତନ କୃତକାର୍ଯ୍ୟତା, ଯାହା ତାଙ୍କର ଚରିତ୍ରବତ୍ତା ଉପରେ ପ୍ରତିଷ୍ଠିତ ।

 

ଶୁଣୁଥିଲେ କାଉଲ୍ । ନୀନାଙ୍କ ଆଡ଼କୁ ଝୁଙ୍କିପଡ଼ି କହିଲେ, ‘ନୀନା, ମୋ’ର କ’ଣ ମନେହେଉଛି ଜାଣ ! ଏହା ମୋ’ ପ୍ରତି ଉପହାସ । ଏସବୁ ମୋର ଅପମାନ । ଏସବୁ କେବଳ ଭ୍ରମାତ୍ମକ ବିଶ୍ଵାସ ।’’

 

ପଣ୍ଡିତଜୀ ବୁଝାଉଥାନ୍ତି, ‘ଏତେ କମ୍ ବୟସରେ, ନିଜର ଧର୍ମ ବଳରେ, କର୍ତ୍ତବ୍ୟପରାୟଣତା ବଳରେ, ପିତୃମାତୃଙ୍କ ଆଶୀର୍ବାଦରେ ନିଜର ବ୍ୟବସାୟର ଏତେବଡ଼ ସାମ୍ରାଜ୍ୟ ପାତିଛନ୍ତି । ଭଗୀରଥ ପରି ସୁଖସମୃଦ୍ଧିର ମନ୍ଦାକିନୀ ଆମର କ୍ଷୁଦ୍ର ସହରକୁ ସେ ଆଣିପାରିବେ ।’’

 

ନୀନାଙ୍କୁ ବୁଝାଉଥାନ୍ତି କାଉଲ୍, ‘‘ନୀନା ! ମୋର ପୁଣି ଧର୍ମ, ସାଧୁତା, ଚରିତ୍ରବତ୍ତା ! ଏସବୁର ପ୍ରତିବାଦ ଆବଶ୍ୟକ । ଏସବୁ ମିଥ୍ୟା ।’’

 

ପଣ୍ଡିତଜୀ କହିଲେ, ‘ଆଜି ନିଜ ହାତରେ ମୁଁ ଏ ସାନ ଫୁଲହାରଟି ଗୁନ୍ଥିଛି । ସୁନ୍ଦର ନ ହେଲେ ବି ଏଥ‌ିରେ ସତ୍ୟତା ଅଛି । ସେଇ ହାରଟିକୁ ତାଙ୍କୁ ମୁଁ ଉପହାର ଦେଉଛି ନିଜ ଅନ୍ତରର ଶୁଭକାମନା ଜଣାଇଁ । ଏ ନୂତନ ଜୀବନରେ ସେ ଜୟଯୁକ୍ତ ହୁଅନ୍ତୁ । ମୋର ଶେଷ ଜୀବନରେ ଏହାହିଁ ତାଙ୍କୁ ଆଶୀର୍ବାଦ ।’’

 

ଭାଷଣ ଶେଷ କରି ପଣ୍ଡିତଜୀ ଫୁଲହାରଟି ଆଣି କାଉଲ୍‍ଙ୍କ ବେକରେ ପିନ୍ଧାଇଦେଲେ । କରତାଳିରେ ଉଛୁଳି ପଡ଼ିଲା ସଭାସ୍ଥଳୀ ।

 

ସେହି ମର୍ମରେ କହିଚାଲିଲେ ବକ୍ତା ପରେ ବକ୍ତା, ନେତା ପରେ ନେତା । କାଉଲ୍ ଶୁଣୁଥାନ୍ତି ତାଙ୍କର ଗୌରବମୟ ଅତୀତ, ତାଙ୍କର ଦୃଢ଼ ଚରିତ୍ରବତ୍ତା, ସାଧୁତା, ଧର୍ମପରାୟଣତା ଇତ୍ୟାଦି ।

 

‘‘ନୀନା, ଏସବୁ ମିଥ୍ୟା, ଅସତ୍ୟ, ପ୍ରତାରଣା । ଏହାର ପ୍ରତିବାଦ ଆବଶ୍ୟକ । ନଚେତ୍ ସମାଜ ନଷ୍ଟ ହେବ, ଭାଙ୍ଗିପଡ଼ିବ ମଣିଷ, ଧ୍ୱଂସ ପାଇବ ମଣିଷର ବିଶ୍ଵାସ । ଯାହା ପୂଜ୍ୟ, ତା’ର ପ୍ରତିଷ୍ଠା ବିଧେୟ । ଯାହା ନିନ୍ଦନୀୟ ବୋଲି ଏମାନଙ୍କର ଧାରଣା, ତା’ର ମୁଖା ଖୋଲିବା ଉଚିତ । ନଚେତ୍ ଏହା ଧୋକାବାଜି ହେବ ନୀନା, ପ୍ରତାରଣା ହେବ ।’’

 

ନୀନା କହିଲେ, ‘କାଉଲ୍, ଏ ସତ, କିନ୍ତୁ କିଏ ଏହାର ପ୍ରତିବାଦ କରିବ ?’’

 

ଶେଷ ବକ୍ତା ତାଙ୍କର ଦୀର୍ଘ ଭାଷଣ ଶେଷ କରି କହିଲେ, ‘ଆମର ଛୋଟ ସହରରେ ଗୋଟିଏ ସୁନ୍ଦର ମନ୍ଦିର ତିଆରି ହେବ । ସେଠି ଧର୍ମର ଆଲୋଚନା ହେବ । ମୁଁ ପ୍ରସ୍ତାବ କରୁଛି, ତା’ର ନାମ ହେବ କାଉଲ୍ ମନ୍ଦିର ।’’ ସଭାସ୍ଥ ଜନତା ତାଳି ଉପରେ ତାଳି ଦେଇ ସମର୍ଥନ ଜଣାଇଲେ ।

 

କାଉଲ୍ ଉଠିଲେ ସମ୍ବର୍ଦ୍ଧନାର ଉତ୍ତର ଦେବାପାଇଁ । ଲୋକେ ଧୀରସ୍ଥିର ଭାବରେ ବସିଥାନ୍ତି । ଗୋଟିଏ ଛୁଞ୍ଚି ଯଦି ପଡ଼ିଯାଏ ଚଟାଣରେ ତା’ହେଲେ ତା’ର ବି ଶବ୍ଦ ଶୁଭିବ । କିଛି ସମୟପାଇଁ ସେ ଛିଡ଼ାହେଲେ ଦେଖିଲେ ଏ ଜନତାର ଆଗ୍ରହ, ସମ୍ମାନ, ବିଶ୍ୱାସ । ମନେମନେ ନମସ୍କାର ଜଣାଇଲେ ।

 

କହିଲେ, ‘‘ସହରର ଭାଇ ଭଉଣୀମାନେ ! ମୁଁ ଭାଷଣ ଦେଇ ଜାଣେନା । ଜୀବନରେ ପ୍ରଥମ କରି ଏପରି ଜନତାର ସମ୍ମୁଖୀନ ହେଉଛି । ଏଇଟା ପ୍ରଥମ କି ନାହିଁ ସେଥିରେ ହୁଏତ ସନ୍ଦେହ ଥାଇପାରେ, କିନ୍ତୁ ଏଇଟା ଯେ ମୋର ଶେଷ ଭାଷଣ ସେଥ‌ିରେ ମୋର ସନ୍ଦେହ ନାହିଁ । ଆଜିର ଏ ସଭାରେ ମୋର କିଛି ବକ୍ତବ୍ୟ ନାହିଁ । କିଛିଟା ମାତ୍ର କୈଫିୟତ ଅଛି । ଗୋଟାଏ କ୍ଷମା ପ୍ରାର୍ଥନା ମାଗିବାପାଇଁ ଅଛି । ଆପଣମାନେ ଗୋଟିଏ ବିରାଟ ଭୁଲ୍ କରିଛନ୍ତି । ଭବିଷ୍ୟତରେ ଯଦି ଏପରି ହୁଏ ଜାତିର ଦୁଃଖର ସୀମା ରହିବ ନାହିଁ । ମୋର ଏ ନିର୍ବାଚନରେ କୃତକାର୍ଯ୍ୟତା, ଆମ ସମାଜର ନୀତି ନିୟମ ଶୃଙ୍ଖଳା ପ୍ରତି ଘୋର ଅପମାନ । ପଣ୍ଡିତଜୀ ଯାହା କହିଛନ୍ତି ମୋ ସଂକ୍ରାନ୍ତରେ ସେ ନିରାଟ ମିଥ୍ୟା । ଯାହା ମୁଁ ପ୍ରଚାର କରାଇଛି ସେଇ ସବୁ ଶୁଣି ସେସବୁକୁ ବିଶ୍ଵାସ କରୁଛନ୍ତି ମାତ୍ର । ସେ ସାଧୁ ମହାନ୍ । ମୋ ଜୀବନ ପାପର ଏକ ସୁଦୀର୍ଘ ଗାଥା । ମୁଁ ମଦ୍ୟପ । ମୁଁ ବେଶ୍ୟାସକ୍ତ । ମୁଁ ଜୁଆଡ଼ି । ମୁଁ କଳାବଜାରୀ । ମୁଁ ଅସାଧୁ । କୌଣସି ଧର୍ମରେ ମୋର ବିଶ୍ୱାସ ନାହିଁ-। କୌଣସି ନୀତି ସହିତ କିଛି ସମ୍ପର୍କ ନାହିଁ । ଏସବୁ କେବଳ ମୋର ନିର୍ବାଚନ ପ୍ରଚାର । ମୋର ବିଶ୍ଵାସ ନ ଥିଲା ଯେ ଲୋକମାନେ ଏହାକୁ ଗ୍ରହଣ କରିବେ । ସତ ବୋଲି ମଣିବେ ।’’

 

‘‘ପଣ୍ଡିତଜୀ ଦେବତୁଲ୍ୟ । କିନ୍ତୁ ସେ ଯାହା କହିଛନ୍ତି ସେସବୁ ଠିକ୍ ନୁହେଁ । ମନୁଷ୍ୟକୁ ଦେଖନ୍ତୁ, ଗୋଷ୍ଠୀକୁ ନୁହେଁ । ଯୋଜନା ତ୍ୟାଗଠାରୁ ଉଚ୍ଚ ନୁହେଁ । ମହତ୍ତ୍ଵ ଦକ୍ଷତାଠାରୁ ବଳୀୟାନ ନୁହେଁ । ଏଇ କେବଳ ପ୍ରଚାରର ପରିଣାମ । ଆର୍ଥିକ ସମ୍ପଦର ପରିଣାମ । ଏଇ ମୋର ଓ ମୋ’ପରି ବ୍ୟକ୍ତିମାନଙ୍କର କୃତକାର୍ଯ୍ୟତାର ପରିଣାମ ।”

 

‘‘ମୁଁ କ୍ଷମା ମାଗୁଛି, ଏ ପ୍ରତାରଣା କରାଯାଇଛି ବୋଲି ! ମୁଁ ଅପମାନିତ ଯେ ମୁଁ କୃତକାର୍ଯ୍ୟ ହୋଇଛି । ଆପଣମାନେ ଯୋଉ କାଉଲ୍‌ର ଚିତ୍ରକୁ ସମ୍ମାନ କରୁଛନ୍ତି ସେ ଏ କାଉଲ୍ ନୁହେଁ । ଯେତେବେଳେ ମୋର ମୁଖା ଖୋଲିବ, ଆପଣମାନେ ମୋର ପ୍ରକୃତ ରୂପ ଜାଣିବେ, ଦେଖିଲେ ସହ୍ୟ କରିପାରିବେ ନାହିଁ ସେ ବିକଳାଙ୍ଗକୁ । ଆପଣମାନେ ନିଜକୁ ମଧ୍ୟ କ୍ଷମା ଦେଇପାରିବେ ନାହିଁ । ଭାବିବେ କି ପ୍ରତାରଣା ! ଦୁଃଖ, ଗ୍ଳାନିରେ ଭରିଉଠିବ ମନ । ଯେଉଁ ସମ୍ମାନ ଆଜି ଆପଣମାନେ ଦେବାକୁ ଯାଉଛନ୍ତି, ଏ ସମ୍ମାନ ପାଇବାର ଯୋଗ୍ୟତା ମୋର ନାହିଁ । କେବଳ ଗୋଟିଏ ମାତ୍ର ଲୋକର ଅଛି, ସିଏ ହେଉଛନ୍ତି ଏ ପଣ୍ଡିତଜୀ । ମୋର ଯଦି କିଛି ବିଶେଷତ୍ଵ ଅଛି–ତା’ଅଛି ମୋର ଅର୍ଥର । ତାକୁଇ ଆଜି ପଣ୍ଡିତଜୀଙ୍କ ସେବାରେ ନିୟୋଜିତ କରୁଛି । ମୋତେ ବିଦାୟ ଦିଅନ୍ତୁ । ମୋର ଇସ୍ତଫା ଗ୍ରହଣ କରନ୍ତୁ । ଚେୟାରମ୍ୟାନ୍ ପଦରୁ, ସଭ୍ୟ ପଦରୁ ମଧ୍ୟ ।’

 

କାଉଲ୍ ନିଜ ବେକରୁ ଫୁଲର ମାଳକୁ କାଢ଼ିଲେ । ପଣ୍ଡିତଜୀଙ୍କ ବେକରେ ସସମ୍ମାନେ ଲମ୍ବାଇ ଦେଇ ନମସ୍କାର ଜଣାଇ କହିଲେ, ‘ପଣ୍ଡିତଜୀ, ଯେଉଁଦିନ ଏହାର ଉପଯୁକ୍ତ ହେବି, ସେଦିନ ଏ ମାଳାର ଅଧିକାରୀ ହେବି ।’’

 

ଜନମଣ୍ଡଳୀକୁ ଜଣାଇଲେ କ୍ଷୁଦ୍ର ନମସ୍କାର ।

 

ନୀନା ଆଡ଼କୁ ଅନାଇ କହିଲେ, ‘‘ଆସ ନୀନା ?’’

 

ସମସ୍ତେ ସ୍ତମ୍ଭୀଭୂତ, ନୀରବ, ନିଶ୍ଚଳ ଭାବରେ ଚାହୁଁଥାନ୍ତି କାଉଲଙ୍କୁ । ସମ୍ମୁଖରେ ବସିଛନ୍ତି ମିଷ୍ଟର୍ ଅଲି, ମିଷ୍ଟର ଭାଟିଆ ଓ ଅନ୍ୟାନ୍ୟ ବନ୍ଧୁଗଣ ।

 

କଡ଼ରେ ଆଟେନ୍‌ସନ୍ ହେଇ ଛିଡ଼ା ହୋଇଛନ୍ତି ମିଷ୍ଟର୍ ମୁଖାର୍ଜୀ ।

 

ହାତଯୋଡ଼ି ପେଣ୍ଡାଲ ଉପରୁ ତଳକୁ ଆସିଲେ କାଉଲ୍ । ଆସ୍ତେ ଆସ୍ତେ ଆଗେଇଲେ ସଭାସ୍ଥଳୀ ଭିତରକୁ । ଜନତା ଛିଡ଼ାହୋଇ ରହିଲେ । ନିର୍ଗତ ହେଲେ କାଉଲ୍ ସଭାସ୍ଥଳୀରୁ । ଧୀରେ ଧୀରେ ଆଗେଇ ଆସିଲେ ମଟର ପାଖକୁ । ଦିନେ ପିତୃ ସତ୍ୟ, ମାତୃ ଆଦେଶ ପାଇଁ ରାଜସିଂହାସନ ତ୍ୟାଗକରି ବିଦାୟ ନେଇଥିଲେ ଆର୍ଯ୍ୟ ରାମଚନ୍ଦ୍ର । ଆଜି ଆମର କାଉଲ୍, ନିଜର ବିବେକର ନିର୍ଦ୍ଦେଶରେ, ବ୍ୟକ୍ତିର ସମ୍ମାନପାଇଁ ତ୍ୟାଗକଲେ ନିଜର ପଦବୀ, ନିଜର ପ୍ରତିଷ୍ଠା ।

 

ଗାଡ଼ି ଚାଲିଲା । ନୀନା କାଉଙ୍କୁ କୁଣ୍ଢାଇ ପକାଇ କହିଲେ, ‘‘ଗ୍ରେଟ୍ ! କାଉଲ୍, ତୁମେ ରିଏଲି ଗ୍ରେଟ୍ !’’

 

ବିକ୍ଷିପ୍ତ–କେଶା, କୋମଳ-ଅଧରା, ନମ୍ର-ନେତ୍ରା, ଶାନ୍ତା, ସୁପ୍ତା ନାରୀ । ଶୁଭ୍ର ଆଭରଣରେ ଆପାଦ ବକ୍ଷ ଆଚ୍ଛାଦିତ । ନିସ୍ତବ୍‌ଧ ରାତ୍ରିର ଶୀତଳ ମନ୍ଦାନୀଳ ଏ ନିଶ୍ଚଳ ଶରୀରର ଆଭରଣରେ କିୟତ୍ ମୁହୂର୍ତ୍ତପାଇଁ ମୃଦୁ ଆଲୋଡ଼ନ ସୃଷ୍ଟି କରୁଥାଏ । ବାତାୟନ-ଭେଦି-ଜ୍ୟୋତ୍ସ୍ନା, ନାରୀର ଶରୀରକୁ ଦେଇଥାଏ ଜୀବନ୍ୟାସ । ଏ ରାତ୍ରି, ଏ ଜ୍ୟୋତ୍ସ୍ନା, ଏ ଝଙ୍କାର ଭିତରେ ଲକ୍ଷ୍ୟ କରୁଥାନ୍ତି କାଭିଲ୍ ଅପଲକ ନୟନରେ ଏ ନାରୀଙ୍କୁ । ମାଂସପେଶୀର ଆପେକ୍ଷିକ ସମାବେଶ ତ ନାରୀର ସଂଜ୍ଞା ! ନୂତନତ୍ୱ କ’ଣ ବା ଥାଇପାରେ । ଏସିୟାନ୍, ୟୁରୋପୀୟାନ୍, ଇଉରେସିଆନ୍ ସବୁ ତ ଦେଖିଛି ଟିକିନିଖି କରି । ଉପଭୋଗ କରିଛି ମଧ୍ୟ ! କ’ଣ ପାର୍ଥକ୍ୟ ? ଅବଶ୍ୟ କିଛିଟା ଅଛି । ବିଭିନ୍ନ ଶାରୀରିକ ପରିସ୍ଥିତିର ଅବଶ୍ୟମ୍ଭାବୀ ଦାବି ।

 

ଷ୍ଟେସନ୍ ପରେ ଷ୍ଟେସନ୍ ଚାଲିଯାଉଥାଏ–ରେଳର ଗତି କ୍ରମଶଃ ବର୍ଦ୍ଧିଷ୍ଣୁ । ମଣିଷ ଭିତରେ ଗୋଟାଏ ପ୍ରକାର ବସ୍ତୁ ଅଛି । ତା’ରି ନାଁ ‘ଲିବିଡ଼ୋ’ । ଏହା ଶରୀର ଭିତରେ ଚଳପ୍ରଚଳ କରୁଥାଏ । ଯେତେବେଳେ ଏହାର ଗତି ପ୍ରଖର ହୁଏ, ବ୍ୟକ୍ତି ହୁଏ ଚଞ୍ଚଳ । ଏହି ଚାଞ୍ଚଲ୍ୟ ଯଦି ଦୀର୍ଘସ୍ଥାୟୀ ହୁଏ, ବ୍ୟକ୍ତିର ସାଧାରଣ ମନ, ସାଧାରଣ ବିଚାରବୁଦ୍ଧି ଏହାରି ପାଖରେ ଆତ୍ମସମର୍ପଣ କରେ । ଏହାର ପ୍ରଭାବର ବଶବର୍ତ୍ତୀ ହୋଇ ସେ ଛାଡ଼େ ରାଜ୍ୟ, ଛାଡ଼େ ଭୋଗ, ଏପରି କି ଜୀବନ ମଧ୍ୟ । ମନସ୍ତାତ୍ତ୍ଵିକ ପାଖରେ ଏହାର ଅନ୍ୟନାମ ପ୍ରେମ ।

 

ବିଭିନ୍ନ ପରିବେଷ୍ଟନୀର ସୀମା ମଧ୍ୟରେ ଶାରୀରିକ ମିଳନର ଗଭୀର ପ୍ରୟାସର ନାମ ପ୍ରେମ । ମନ ବି ତ ଶରୀରର ଅଂଶ ! ଶାରୀରିକ ଆବଶ୍ୟକତାକୁ ମନ କେବଳ ସାମର୍ଥ୍ୟ ଦିଏ, ଦିଏ ସାହଚର୍ଯ୍ୟ । କିନ୍ତୁ ଏହାର ଉତ୍ପତ୍ତି ଶରୀରରୁ, ବିଲୟ ମଧ୍ୟ ଶରୀରରେ । ଯାହା ଅନ୍ୟାନ୍ୟ ଜୀବଙ୍କପାଇଁ ସାମୟିକ, ମାମୁଲି ଜୀବନକ୍ରିୟାର ବିଷୟବସ୍ତୁ, ମନୁଷ୍ୟ ତା’ ଉପରେ ଗୋଟିଏ ମାତ୍ର ପ୍ରଲେପ ଦିଏ, ତାକୁ ହିଁ କହେ ପ୍ରେମ ! ଏହା ତତ୍ତ୍ଵବିଦ୍‌ଙ୍କ ମତାମତ ।

 

ଯୁକ୍ତିଟାକୁ ମନକୁ ମନ ବିଶ୍ଳେଷଣ କଲେ କାଉଲ୍ ।

 

ଏ ନାରୀଟି ମଧ୍ୟ ସାଧାରଣ । ଅନ୍ୟାନ୍ୟ ଅଶେଷଙ୍କ ପରି । ବିଶେଷତ୍ଵ ଟିକକ ହେଉଛି-ଏ ଯେଉଁ ଆଲୋକ ଓ ଅନ୍ଧକାରର ଲୁଚକାଳି କ୍ରମାଗତ ଭାବରେ ରେଳ ଝରକା ବାଟେ ଏ ନାରୀ ଜଣକ ମୁହଁ ସହିତ ଖେଳୁଛି, ଏଇ ସାମାନ୍ୟ ଟିକେ ଚାଞ୍ଚଲ୍ୟ । ନାଇଟ କ୍ଲବ୍‌ମାନଙ୍କରେ ଉପରୁ ଆଲୁଅ ପଡ଼ୁଥାଏ, ଗ୍ଳାସ-ବ୍ରେକର ଷ୍ଟେଜରେ ନର୍ତ୍ତକୀର ଶରୀର ଉପରେ । ମଝିରେ ମଝିରେ ଆଲୋକ, ମଝିରେ ମଝିରେ ଅନ୍ଧକାର । ଏ ଆଲୁଅ ଅନ୍ଧକାରର କ୍ରମାଗତ ପରିବର୍ତ୍ତନ, ଦର୍ଶକର ସ୍ନାୟୁରେ ଗୋଟିଏ ଶିହରଣ ଆଣେ, ତା’ ସାଙ୍ଗକୁ ଥାଏ ଉଚ୍ଚାଙ୍ଗ ସଙ୍ଗୀତ । ସେହିପରି ଆଜି । ରେଳର କ୍ରମାଗତ ଶବ୍ଦ, ତା’ ସାଙ୍ଗକୁ ଏ ନାରୀର ମୁହଁଉପରେ ଏ ଧୂପଛାୟାର ନୃତ୍ୟ !

 

ଜନଗହଳିଟା ବିଶ୍ୱାସଯୋଗ୍ୟ । ଶାନ୍ତିପୂର୍ଣ୍ଣ । ତାକୁ ମୁକାବିଲା କରିବାରେ କିଛି କଷ୍ଟ ବା ସନ୍ଦେହ ନଥାଏ । ତୁମର ପରିଧାନ, ତୁମର ଚିନ୍ତା, ତୁମର କର୍ମ ସଂକ୍ରାନ୍ତରେ ତୁମେ ସ୍ୱାଧୀନ, ବେପରୁଆ । କିନ୍ତୁ ଯଦି ବ୍ୟକ୍ତିବିଶେଷଙ୍କର ସମ୍ମୁଖୀନ ହୁଅ, ତା’ହେଲେ ନିଜକୁ କର ସଂଯତ । ଚିନ୍ତା ସଙ୍ଗଠିତ । ପ୍ରକାଶ ସଯତ୍ନ । ସବୁବେଳେ ମାପକାଠି ହୁଏ, ଏ ଯେଉଁ ବ୍ୟକ୍ତି ବସିଛି ତା’ର ପ୍ରତିକ୍ରିୟା-। ତୁମକୁ ତ୍ୟାଗ କରିବାକୁ ପଡ଼େ, ତୁମକୁ ତା’ ସହିତ ଖାପ ଖୁଆଇବାପାଇଁ ପଡ଼େ, ଅନ୍ତତଃ କିୟତ୍ ସମୟପାଇଁ ।

 

କାଉଲ୍ ସେଥିପାଇଁ ପସନ୍ଦ କରନ୍ତି ଜନଗହଳିକୁ । କାଉଲ୍ ସୁଖୀ ଥିଲେ ଯେ ପର୍ଯ୍ୟନ୍ତ ଥିଲେ ରେଳ ପ୍ଲାଟଫର୍ମରେ । ଅସଂଖ୍ୟ ଲୋକଙ୍କ ଗହଣରେ ଅଥବା ଯେତେବେଳ ପର୍ଯ୍ୟନ୍ତ ସେ କମ୍ପାର୍ଟମେଣ୍ଟ୍‌ରେ ଅନ୍ୟମାନେ ଉପସ୍ଥିତ ଥିଲେ । କ୍ରମେ କ୍ରମେ ସେଠୁ ଅନ୍ୟ ପାସେଞ୍ଜରମାନେ ଓହ୍ଲେଇଗଲେ ।

 

ମଧ୍ୟରାତ୍ରି । ଶେଷ ପାସେଞ୍ଜରଟି ମଧ୍ୟ ସେ ଡବାରୁ ଓହ୍ଲାଇକରି ଚାଲିଗଲେ । ଡବାରେ ଏକାକୀ ରହିଲେ କାଉଲ୍ ଓ ନାରୀ ଜଣକ । ଅସ୍ୱସ୍ତି ଅନୁଭବ କଲେ କାଉଲ୍ । ବୋଧହୁଏ ଅସ୍ୱସ୍ତି ଅନୁଭବ କରୁଥିଲେ ନାରୀଜଣକ ମଧ୍ୟ । ବିଛଣାରୁ ଉଠି ବସିଲେ । କାଉଲ୍ ଅତି ସନ୍ତର୍ପଣରେ ପଚାରିଲେ, ‘‘ଏକାକୀ ମୋ ସାଙ୍ଗରେ ରହିବାର ଯଦି କିଛି ଆପତ୍ତି ଥାଏ ତା’ହେଲେ ଅନ୍ୟ କମ୍ପାର୍ଟମେଣ୍ଟରେ ଆପଣଙ୍କୁ ପହୁଞ୍ଚାଇବାରେ ସାହାଯ୍ୟ କରିପାରେ ।’’

 

ନାରୀ ଜଣକ କହିଲେ, ‘‘କିଛିଟା ସଙ୍କୋଚ ହେଉଛି, ଏଥ‌ିରେ ସନ୍ଦେହ ବି ନାହିଁ । କିନ୍ତୁ ମୁଁ ସୁସ୍ଥ ନୁହେଁ । ସେଥ‌ିପାଇଁ ଅନ୍ୟଜଣେ ସାଥୀ ରହିଲେ ମୁଁ ସୁଖୀ ମଣିବି । ତା’ଛଡ଼ା ଅନ୍ୟ ଯେକୌଣସି କମ୍ପାର୍ଟମେଣ୍ଟ୍‌କୁ ଗଲେ ମଧ୍ୟ ଅପରିଚିତ ବ୍ୟକ୍ତିଙ୍କୁ ତ ମୁକାବିଲା କରିବାପାଇଁ ପଡ଼ିବ ! ଆପଣ ବରଂ ପରିଚିତ ।”

 

କାଉଲ୍ କହିଲେ, ‘ଯଦି ଆବଶ୍ୟକ ମନେକରନ୍ତି, ମୋର ସାହାଯ୍ୟ ନେବାପାଇଁ ସଙ୍କୋଚ୍ ପ୍ରକାଶ କରିବେ ନାହିଁ । ମୋ ନିଦ ପତଳା ନୁହେଁ । କୌଣସି ଶବ୍ଦ ମୋର ନିଦ ଭାଙ୍ଗିପାରିବ ନାହିଁ । କିନ୍ତୁ ଏଥିପାଇଁ ଅବ୍ୟର୍ଥ ଔଷଧ ହେଉଛି ଆଲୋକ । ଉଠାଇବା ପାଇଁ ଚାହିଁଲେ ଏ ସୁଇଚ୍‍ଟା ଟିପି ଦେବେ । ଆଲୋକ ହେବ, ମୋ ନିଦ ଭାଙ୍ଗିବାରେ ଆଉ କୌଣସି ସନ୍ଦେହ ରହିବ ନାହିଁ ।’’

 

ନାରୀ ଜଣକ କହିଲେ, ‘‘ସେପରି ପରିସ୍ଥିତି ନ ଉପୁଜୁ । କିନ୍ତୁ ଏ କଥା ମନେ ରଖିବି ।”

 

କିଛିକ୍ଷଣ ପରେ ଶୋଇଗଲେ ନାରୀ ଜଣକ–ମୁହଁରେ ଅସୁସ୍ଥତାଜନିତ କ୍ଳେଶର ଚିହ୍ନ ।

 

କିନ୍ତୁ ସାରାରାତି ଅପଲକ ନୟନରେ ଅପେକ୍ଷା କରି ରହିଲେ କାଉଲ୍ । ଆବଶ୍ୟକ ପଡ଼ିଲେ କାଳେ ନାରୀ ଜଣକ ଚାହିଁବେ ତାଙ୍କର ସାହାଯ୍ୟ ।

 

କାଉଲ୍ ଭାବୁଥାନ୍ତି କ’ଣ ଏ ନାରୀର ବିଶେଷତ୍ଵ ଅଛି, ଯାହାପାଇଁ ଏତେ ଅଳ୍ପ ସମୟ ଭିତରେ ତାଙ୍କର ଏତେ ଆଗ୍ରହ ଉପୁଜୁଛି । କିଛି ସ୍ଥିର କରିପାରିଲେ ନାହିଁ ।

 

ରାତି ବିତି ଗଲା । ପାହାନ୍ତାରେ ରେଳ ଛୁଇଁଲା ମାନ୍ଦ୍ରାଜ ଷ୍ଟେସନ୍ । କମ୍ପାର୍ଟମେଣ୍ଟ୍‌ର ବାଥରୁମରୁ ବାହାରି କାଉଲ୍ ଦେଖିଲେ ଯେ ନାରୀ ଜଣକ କମ୍ପାର୍ଟମେଣ୍ଟ୍ ଛାଡ଼ି ଚାଲିଗଲେଣି । ପ୍ଲାଟ୍‌ଫର୍ମରେ ଇତସ୍ତତଃ ଖୋଜିଲେ । ପାଇଲେ ନାହିଁ । କାଉଲ୍ ଆସିଲେ ନିଜ ଘରକୁ । ଡ୍ରାଇଭର ଗାଡ଼ି ନେଇ ଆସିଥିଲେ ଷ୍ଟେସନ୍‌ ।

 

ସେଦିନ ସକାଳୁ ଶୀଘ୍ର ଉଠି ପ୍ରାତଃକୃତ୍ୟ ପରେ ଡ୍ରେସିଂ ହେଲାବେଳକୁ କାଉଲ୍ ଲକ୍ଷ୍ୟ କଲେ ଯେ ତାଙ୍କର ଟାଇପିନ୍‍ଟା ହଜିଯାଇଛି । ଟାଇପିନ୍‍ଟା ଆଣିଥିଲେ ସୁଇଜରଲାଣ୍ଡର ଡିଉରିକ୍‌ରୁ । ତା’ଉପରେ ଛୋଟ ଧଳା ଡାଇମଣ୍ଡ ଟିକେ ଲାଗିଲା । ହାତ ବୋତାମକୁ ମ୍ୟାଟକରି ଏ ଟାଇପିନ୍‌ଟା । ବର୍ତ୍ତମାନ ହୁଏତ ହାତ ବୋତାମକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିବ । କାଉଲ୍‌ଙ୍କର କେତେଗୁଡ଼ିଏ ସୁପରିଷ୍ଟିସନ୍ ଅଛି । ବ୍ୟବସାୟଗତ ସମସ୍ୟା ସଂକ୍ରାନ୍ତରେ ଅନ୍ୟ ସହିତ କଥାବାର୍ତ୍ତା ଚାଲିଲାବେଳେ ଯଦି କୌଣସି ପ୍ରକାର ଅଶୁଭ ପରିସ୍ଥିତି ଆସେ, ତା’ହେଲେ ଏ ଡାଇମଣ୍ଡ୍‌ର ସେହି ପରିସ୍ଥିତିକୁ ତାଙ୍କ ସପକ୍ଷରେ ପରିଚାଳିତ କରିବାରେ ସାହାଯ୍ୟ କରିପାରିବାର କ୍ଷମତା ଅଛି, ଏଇଟା କାଉଲ୍‌ ଅନ୍ୟତମ ସୁପରିଷ୍ଟିସନ୍ ।

 

ଆଜି କାଉଲ୍‍ଙ୍କ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିନ । ହଂକଂର ବ୍ୟବସାୟୀ ପ୍ରତିନିଧିଙ୍କ ସହିତ ସକାଳେ ଆଲୋଚନା ହୋଇ ଏକସ୍‌ପୋର୍ଟ, ଜିନିଷର ଦରଦାମ୍ ଛିଣ୍ଡିବ । ବ୍ୟବସାୟୀ ଜଗତରେ ଏହାଠାରୁ ବଡ଼ ଲଗ୍ନ ଆଉ ନାହିଁ ।

 

ସକାଳ ରତ ରତ ।

 

କାଉଲ୍ ବାହାରି ପଡ଼ିଲେ ବଜାରକୁ । ପ୍ରଥମେ ଏ ଶ୍ରୀଖଣ୍ଡୀକୁ ସଂଗ୍ରହ କରିବାପାଇଁ ପଡ଼ିବ । ସେହିପରି ସୁନା, ସେହିପରି ଡାଇମଣ୍ଡ୍ । ସେହି ଟାଇପିନ୍ । ଏତେ ସକାଳୁ ସବୁ ଦୋକାନ ବି ଖୋଲି ନାହିଁ । ଖୋଜି ଖୋଜି ସହରର ଗୋଟାଏ ବଣିଆ ଦୋକାନରେ ପହଞ୍ଚିଲା ବେଳକୁ ପ୍ରାୟ ଘଣ୍ଟାଏ ଡେରି ହୋଇଗଲାଣି । କାଉଣ୍ଟରରେ ପହଞ୍ଚି ପଚାରିଲେ, ‘‘କିଛି ଇମ୍ପୋଟେଡ଼ ଜିନିଷ ଅଛି ? ଟାଇପିନ୍ ? ସୁଇସମେକ୍ ?’’

 

ସେଲ୍‌ସମ୍ୟାନ୍‌ ବିଭିନ୍ନ ପ୍ରକାରର ଟାଇପିନ୍ ସବୁ ଦେଖାଇଲା କାଉଲଙ୍କୁ । ନିକଟବର୍ତ୍ତୀ ଅନ୍ୟ ଏକ କାଉଣ୍ଟରରେ ଜଣେ ନାରୀ ଛିଡ଼ା ହୋଇଛନ୍ତି, ହାତରେ ଗୋଟାଏ ସୁନାହାର । ଦୋକାନୀ ଜଣକ କହୁଛି, ଏହାର ଓଜନ ହେଉଛି ... । ଧଳା ଶାଢ଼ିରେ ଆବୃତ । ମୁଣ୍ଡର ଶୁଖିଲା ବାଳ ଗୋଟାଏ ଅସଂଯତ ଗଣ୍ଠିରେ ବେକ ଉପରକୁ ଝୁଲିଆସିଛି । ବେକର ହାଡ଼କୁ ବେଢ଼ି କରି ବ୍ଲାଉଜ ଛାତି ଉପରେ ଚିପିହୋଇ ରହିଛି । କାନରେ ଦୁଇଟି ସାଧାରଣ ସୁନାଫୁଲ । ତା’ଉପରେ ବସିଛି ତାଙ୍କରି ଟାଇପିନ୍ ପରି ଧଳା ଡାଇମଣ୍ଡ । ଶରୀରରେ କୌଣସି ପ୍ରେରଣା ନାହିଁ । ଉନ୍ମାଦନା ନାହିଁ । ଝରଣାଟି ପରି ଶାନ୍ତ, ନିରାଡ଼ମ୍ବର ଓ ଅନାଶକ୍ତ ।

 

ଏହା ସହିତ ତାଙ୍କର କେଉଁଠି ପରିଚୟ ହୋଇଛି ବୋଧହୁଏ । ହୁଏତ ହୋଇଥବ, କୌଣସି ନୂତନତ୍ୱ ନାହିଁ ।

 

‘‘ଏହାର ଦାମ୍ ହେବ...... । ଆପଣ କ’ଣ ଚେକ୍ ଆକାରରେ ନେବେ ନାଁ ସମୁଦାୟ କ୍ୟାସ୍ ?’’

 

‘‘ସମୁଦାୟ କ୍ୟାସ୍ !’’

 

କାଉଲ୍ ଲକ୍ଷ୍ୟକରି ଦେଖିଲେ ଏ ନାରୀ ଜଣକ–ଗତରାତ୍ରିର ତାଙ୍କରି ଟ୍ରେନ୍‍ର ସହଯାତ୍ରୀ-। ଏହି ମୁହଁ, ଏଇ ଓଠ କୋମଳ ଆଲୋକ ଭିତରେ ଯାହା ସ୍ପଷ୍ଟ ଭାବରେ ଦେଖି ପାରି ନ ଥିଲେ-। ମନରେ କୌତୂହଳ ହେଲା । ଏତେ ସକାଳୁ ନାରୀ ଜଣକ ଏକାକୀ ଆସି ଗହଣା ବିକୁଛନ୍ତି ନିଜେ–ଏକ ଅଜଣା ସହରରେ ।

 

“ସାର୍, ଅନ୍ୟ କୌଣସି ଟାଇପିନ୍ ନାହିଁ । ଯଦି ଚାହାଁନ୍ତି କେବଳ ଏଇଟାକୁ ନେଇପାରନ୍ତି । କିନ୍ତୁ ଧଳା ଡାଇମଣ୍ଡ ହେବ ନାହିଁ ।’’ ସେଲ୍‌ସମ୍ୟାନ୍ ଜଣାଇଲା କାଉଲଙ୍କୁ ଦୋକାନରୁ ନିର୍ଗତ ହେଲେ କାଉଲ୍ । ନିର୍ଗତ ହେଲେ ନାରୀ ଜଣକ । କାଉଲ୍ କହିଲେ, ‘ଚିହ୍ନି ପାରୁଛନ୍ତି ? ମୁଁ ଗତରାତିର ଆପଣଙ୍କ ଟ୍ରେନ୍ ସାଥୀ ।’'

 

ଅତି ନରମ, ସୂକ୍ଷ୍ମ ଗଳାରେ ନାରୀ ଜଣକ କହିଲେ, ‘ନମସ୍କାର ।”

 

ପ୍ରତିନମସ୍କାର ଜଣାଇଲେ କାଉଲ୍ ।

 

‘‘କେତେ ଦୂର ଯିବେ ?’’ କାଉଲ୍ ପଚାରିଲେ ।

 

“ଏଇ ଅଳ୍ପ ରାସ୍ତା । ଏଠି ଜଣେ ଆତ୍ମୀୟାର ଅତିଥି । ନିଜେ ଚାଲିଯିବି ।’’

 

‘‘ଗାଡ଼ିରେ ଛାଡ଼ିଦେଇ ଆସିବି ?’’ ହାତ ଦେଖାଇ ଗାଡ଼ି ଦେଖାଇଦେଲେ କାଉଲ୍ ।

 

‘‘ନା । ମୁଁ ଟାକ୍‌ସି ନେଇଯିବି ।’’

 

କାଉଲ୍ ଟାକ୍‌ସି ଖୋଜିବାପାଇଁ ଫୁଟ୍‍ପାଥ୍‌ରୁ ସଡ଼କକୁ ଆଗେଇଲେ । କିଛି ସମୟ ପର୍ଯ୍ୟନ୍ତ ଇତସ୍ତତଃ ହୋଇ ଖୋଜିଲେ । କିନ୍ତୁ ଟାକ୍‌ସିର କୌଣସି ସନ୍ଧାନ ପାଇଲେ ନାହିଁ । ପଛକୁ ଚାହିଁ ଦେଖିଲେ ଯେ ନାରୀ ଜଣକ ତାଙ୍କ ମଟର ଉପରେ ଆଉଜି ଆଖି ବନ୍ଦକରି ନିସ୍ତେଜ ଭାବରେ ପଡ଼ି ରହିଛନ୍ତି । ତୁରନ୍ତ ଫେରିଲେ ଗାଡ଼ି ପାଖକୁ । ନାରୀଙ୍କୁ ଡାକି ଉଠାଇବାର ଚେଷ୍ଟାକଲେ । ନାରୀ ଜଣକ କୌଣସି ଉତ୍ତର ଦେଲେ ନାହିଁ । ହଲାଇଲେ ତାଙ୍କୁ । ତଥାପି କିଛି ଫଳ ହେଲା ନାହିଁ-। ମନେହେଲା ଯେପରି ସେ ଚେତାଶୂନ୍ୟ ହୋଇଯାଇଛନ୍ତି । ଗାଡ଼ିର ଦରଜା ଖୋଲି ରାସ୍ତାରୁ ତାଙ୍କୁ ତୋଳିନେଲେ । ଗାଡ଼ି ଭିତରେ ପଛ ସିଟ୍‌ରେ ଶୁଆଇଦେଇ ଥର୍ମସରୁ କିଛି ପାଣି ଆଣି ମୁହଁରେ ସିଞ୍ଚିଲେ । ନିଜ କୋଳରେ ଥାପିଲେ ଏ ନାରୀ ଜଣକର ମଥାଟିକୁ । ମୁହଁକୁ ଧୋଇଦେଲେ-। ଅସଂଯତ କେଶକୁ କାନ, କପାଳ ଉପରୁ ଉଠାଇ ବେକ ପଛକୁ ପୋଛିଦେଲେ । କିଛି ସମୟ ପରେ ନାରୀ ଜଣକ ମୁହୂର୍ତ୍ତକ ପାଇଁ ଆଖି ଖୋଲି ପୁଣି ଆଖି ବୁଜିଦେଲେ । ଆସ୍ତେ ଆସ୍ତେ କପାଳକୁ ଆଉଁସୁଥାନ୍ତି କାଉଲ୍ । ସ୍ତ୍ରୀଲୋକଟି ଯନ୍ତ୍ରଣାରେ ଭ୍ରୂକୁଞ୍ଚନ କରୁଥାନ୍ତି । କାଉଲ୍‍ଙ୍କର ପ୍ୟାଣ୍ଟ୍, ଜାମା, ରୁମାଲ ଓଦା ହୋଇଗଲାଣି । ସାର୍ଟସ୍ଲିଭ୍ ଉପରେ, ହାତ ବୋତାମ ଉପରେ ଠୋପେ ଲୁହ ଜମି ଯାଇଥାଏ ।

 

‘‘ଟିକିଏ ପାଣି ।’’

 

କାଉଲ୍ ମୁହଁରେ ତାଙ୍କର ସାନ ଗିଲାସରେ ଦେଲେ ପାଣି । କୋଳରେ ମୁହଁକୁ ତୋଳିଧରିଥାନ୍ତି । ଦେଖୁଥାନ୍ତି ଯେପରି କିଛି ଅସୁବିଧା ନହୁଏ । ସାମାନ୍ୟ ଟିକିଏ ସୁସ୍ଥ ହେଲେ ନାରୀ ।

 

କାଉଲ୍ ପଚାରିଲେ, ‘‘ତୁମକୁ ଘରେ ଛାଡ଼ିଦେଇ ଆସେ ।’’

 

ନାରୀ ଜଣକ ଉଠିବାକୁ ଯତ୍‌ପରୋନାସ୍ତି ଚେଷ୍ଟା କଲେ । କିନ୍ତୁ ପାରିଲେ ନାହିଁ । କାଉଲ୍ ବାଧାଦେଲେ ନାହିଁ । ଅପରିଚିତା ନାରୀ କାଳେ ଅପ୍ରସ୍ତୁତ ହେଉଥ‌ିବେ ଏକ ଅଜ୍ଞାତ ପୁରୁଷର ସାନ୍ନିଧ୍ୟରେ ।

 

“ଏଇଟା ରାଜସଡ଼କ । ପୁଣି ଗାଡ଼ି ଭିତରେ । ସୁବିଧା ହେଉ ନ ଥିବ । ଚାଲ ଛାଡ଼ିଦେଇ ଆସେ ତୁମ ଠିକଣାରେ ।’’

 

ନାରୀ ଜଣକ ଜଣାଇଲେ, ‘ମୋ’ ବ୍ୟାଗରେ ଡାଏରୀ ଭିତରେ ଡାକ୍ତରଖାନାର ଖଣ୍ଡେ ଚିଠି ଅଛି । ସେଇ ଠିକଣାକୁ ନେଇ ଚାଲନ୍ତୁ ଅନୁଗ୍ରହ କରି ।’’ ଆଖିବୁଜି ପଡ଼ିରହିଲେ ନାରୀ ଜଣକ-

 

ବାହାର କଲେ । ବଡ଼ ଶାଗୁଆ ଖୋଲା ଲଫାପାରେ । ଲଫାପା କାଉଲ୍ ସେ ହ୍ୟାଣ୍ଡବ୍ୟାଗକୁ ଖୋଲି ଡାଏରୀ ଡାଏରୀ ପୃଷ୍ଠା ମଝିରେ ଖଣ୍ଡେ ଚିଠି ଅଛି । ଉପରେ ଠିକଣା ଲେଖା ଅଛି । ମନୀଷା ଚୌଧୁରୀ । ଲଫାପା ଖୋଲି ପଢ଼ିଲେ ଚିଠି ଖଣ୍ଡିକ । ଚିଫ୍ ମେଡ଼ିକାଲ୍ ଅଫିସର୍‌ଙ୍କ ଚିଠି । ଲେଖା ଅଛି ସେଦିନ ତାରିଖକୁ ତାଙ୍କର ଆସି ଡାକ୍ତରଖାନାରେ ନର୍ସିଂ ହୋମ୍‌ରେ ଆଡ଼ମିସନ୍ ନେବା କଥା । କିଛିଦିନ ରହିବେ । ଫିସ୍, ଘରଭଡ଼ା ଇତ୍ୟାଦି ଲେଖା ଅଛି । ସମସ୍ତ ଦେୟ ଅଗ୍ରିମ । ଠିକଣା କ୍ୟାନ୍‌ସର ହସ୍‌ପିଟାଲ୍ ନର୍ସିଂ ହୋମ୍ । ମାନ୍ଦ୍ରାଜ୍ ।

 

ଅସ୍ୱସ୍ତି ଅନୁଭବ କଲେ କାଉଲ୍ ।

 

ହସ୍‌ପିଟାଲ୍‍କୁ ଯିବାପାଇଁ ନିର୍ଦେଶ ଦେଲେ ଡ୍ରାଇଭରକୁ । ମନୀଷାର ମୁଣ୍ଡ ଏବେବି ତାଙ୍କ କୋଳରେ । ଗାଡ଼ିର ଗତି ସାଙ୍ଗରେ ମନୀଷାର ମୁଣ୍ଡ ଦୋହଲୁଥାଏ, ହାତ ଦେଇ ବନ୍ଦ କରୁଥାନ୍ତି କାଉଲ୍ । ଡ୍ରାଇଭରଙ୍କୁ କହୁଥାନ୍ତି–‘‘ଆସ୍ତେ ଆସ୍ତେ ଚଲା ।’’

 

ସେ ଲଫାପା ଭିତରେ ଆଉ ଖଣ୍ଡେ ଚିଠି ଥାଏ ।

 

କେହି ଜଣେ ବନ୍ଧୁଙ୍କ ପାଖକୁ ମନୀଷାଙ୍କ ଲେଖା । ସେଥ‌ିରେ ଲେଖାଥାଏ, ‘‘ବନ୍ଧୁ, ବହୁବର୍ଷ ଧରି ଅଶେଷ ସଂଘର୍ଷ କଲି । ଟିକିଏ ଜୀବନର କାଳେ ସନ୍ଧାନ ପାଇବି । ଏଇ ମୋର ଶେଷଯାତ୍ରା । ତୁମର ଉପକାର ସାରାଜୀବନ ଭୁଲିପାରିବି ନାହିଁ । ଆଉ କେତେଟା ଦିନ ବଞ୍ଚିବାକୁ ହୁଏତ ଚେଷ୍ଟା କରିବି ।

 

ଡାକ୍ତରଖାନାରୁ ଚିଠି ଦେବି ଯଦି ସମ୍ଭବ ହୁଏ । ମନରେ ଗୋଟିଏ ଶାନ୍ତି, ଜୀବନରେ କେହି ମୋ’ ପାଇଁ ଲୁହ ବୁହାଇବାପାଇଁ ନ ଥିଲେ ବା ରହିବେ ନାହିଁ । କାହାପ୍ରତି ମୋର ମଧ୍ୟ କିଛି କର୍ତ୍ତବ୍ୟ ନାହିଁ । ଜନ୍ମ, ମରଣ ତ ସାଧାରଣ ଦୈନନ୍ଦିନ ଘଟଣା । ଅନ୍ୟପାଖରେ ଏହାର ବିଶେଷତ୍ଵ କ’ଣ ବା ଥାଇପାରେ ??’’

 

।। ଇତି ।।

 

ଦୀର୍ଘ ନିଃଶ୍ଵାସ ପକାଇଲେ କାଉଲ୍ । ମନୀଷାଙ୍କ ମୁହଁଟି ଶାନ୍ତ, ନୀରବ, ନିଶ୍ଚଳ ଭାବରେ ପଡ଼ିରହିଛନ୍ତି ତାଙ୍କରି କୋଳରେ ।

 

ଚିଠି ଦୁଇଟିକୁ ଖୋଳରେ ପୂରାଇଲେ । ଗାଡ଼ି ଆସି ପହଞ୍ଚିଲା ନର୍ସିଂହୋମ୍‌ରେ । ଷ୍ଟ୍ରେଚରରେ ବୋହି ନିଆଗଲା ନିର୍ଦ୍ଧାରିତ କୋଠରିକୁ । ଡାକ୍ତରମାନେ ପହଞ୍ଚିଲେ । ପରୀକ୍ଷା କଲେ ରୋଗୀକୁ ।

 

ରୋଗୀର ଆଗ୍ରାଭେଟେଡ଼୍ ଷ୍ଟେଜ୍ । ଛାତି ଭିତରେ କ୍ୟାନ୍ସର୍ । ମନୀଷା, ନିସ୍ତେଜ ଭାବରେ ବିଛଣାରେ ପଡ଼ିଥାଆନ୍ତି । କାହା ବିରୁଦ୍ଧରେ କିଛି ଅଭିଯୋଗ ନାହିଁ । ଜୀବନରେ କିଛି ପାଇନାହାନ୍ତି । କିଛି ଆଶା ବି କରିନାହାନ୍ତି । ମରୁଭୂମିର ମୁଠାଏ ବାଲିପରି ମୂଲ୍ୟହୀନ, ଗନ୍ଧହୀନ, ଅର୍ଥହୀନ ।

 

କୋଠରିରୁ ସବୁରିଲୋକ ବିଦାୟ ନେଲେଣି । ହାତରେ ଧରିଥାନ୍ତି କାଉଲ୍ ମନୀଷାଙ୍କ ହ୍ୟାଣ୍ଡବ୍ୟାଗକୁ । ସେଥ‌ିରୁ କାଗଜ ସବୁ ବାହାର କରି ପଢ଼ିଲେ । ବୁଝିଲେ ମନୀଷାଙ୍କ ଜୀବନର ବିକ୍ଷିପ୍ତ ଇତିହାସ । ପିତା ଏକଦା ନୈନିତାଲର ବାସିନ୍ଦା ଥିଲେ । ମାତା ପିତାଙ୍କର ଅକାଳ ବିୟୋଗ ହୁଏ । ସଂସାରରେ ଅନ୍ୟ କୌଣସି ବନ୍ଧୁବାନ୍ଧବ ନାହାନ୍ତି । ବିଗତ କିଛିଦିନ କଲିକତାରେ ଗୋଟାଏ ଡାକ୍ତରଖାନାରେ ଥିଲେ–କ୍ୟାନ୍‌ସର ରୋଗପାଇଁ । ସେଠାରେ ବିଶେଷ କିଛି ସମ୍ଭବ ହେଲାନାହିଁ । ସକଳ ସମ୍ପତ୍ତି ଏହି ରୋଗ ପାଇଁ ଖର୍ଚ୍ଚ କରାଯାଇଛି । ତଥାପି କିଛି ଆଶା ନାହିଁ । ସେଠାକାର ଡାକ୍ତରମାନେ ପଠାଇଛନ୍ତି ଶେଷ ଚେଷ୍ଟାପାଇଁ ମାନ୍ଦ୍ରାଜର ଏ କ୍ୟାନସର ହସ୍‌ପିଟାଲ୍‌କୁ ।

 

ସେମାନଙ୍କର ଦୃଢ଼ ବିଶ୍ୱାସ ଯେ, ଆଉ କେତୋଟି ମାସର କଥା । ତା’ପରେ ଏ କ୍ଷୁଦ୍ର ଦୀପଟି ଚିରଦିନ ପାଇଁ ଲିଭିଯିବ ।

 

ମନୀଷା ପୁଣି ଚାହିଁଲେ । ତାଙ୍କ ବିଛଣା ଉପରେ ବସି କାଉଲ୍ ଆସ୍ତେ ଆସ୍ତେ ଡାକିଲେ; ‘ମନୀଷା !’

 

ପ୍ରତ୍ୟୁତ୍ତର ଜଣାଇବାର ଶକ୍ତି ନ ଥିଲା ମନୀଷାଙ୍କର ।

 

‘‘କଷ୍ଟ ହେଉଛି ?’’

 

ପରିହାସର ଟିକେ ମୃଦୁ ହସ ହସି ମିନତିଭରା ଦୃଷ୍ଟିରେ ଚାହିଁ ରହିଲେ କାଉଲ୍‍ଙ୍କୁ ।

 

“ଶୋଇବାପାଇଁ ଚେଷ୍ଟା କର !’’ ନିରୀହ ଶିଶୁଟି ପରି ମନୀଷା ଆଖି ବନ୍ଦ କରିଦେଲେ । କାଉଲ୍ ଚାଦରକୁ ଢାଙ୍କି ଦେଲେ ତାଙ୍କ ଦେହଉପରେ । ସମୟ ଦେଖିଲେ, ତାଙ୍କର ସେ ଦିନକାର ଏନ୍‌ଗେଜ୍‍ମେଣ୍ଟର ସମୟ ଅନେକବେଳୁ ବିତିଗଲାଣି ।

 

ତଳକୁ ଆସି ଫର୍ମ ପୂରଣ କଲେ କାଉଲ୍ । ଗାଡ଼ିୟାନ ଜାଗାରେ ଲେଖିଲେ ନିଜର ନାମ । ଦରକାର ପଡ଼ିଲେ କେଉଁ ଠିକଣାକୁ ଖବର ଦିଆହେବ, ସେ ସ୍ଥାନରେ ଲେଖିଲେ ନିଜର ଠିକଣା । ଚେକ୍ କାଟି ଡାକ୍ତର ଫିସ୍, ନର୍ସିଂହୋମ୍‌ର ଆଗତୁରା ମାସକର ଭଡ଼ାଦେଲେ କାଉଲ୍ । ଗହଣାବିକା ଟଙ୍କା ସହିତ ଡିପୋଜିଟ୍ କଲେ ମନୀଷାଙ୍କ ବ୍ୟାଗକୁ ଅଫିସରେ । ଡାକ୍ତରଙ୍କୁ କହିଲେ ଏ ମୋର ଅତି ଆପଣାର ଲୋକ । ଯତ୍‌ପରୋନାସ୍ତି ଏହାଙ୍କୁ ବଞ୍ଚାନ୍ତୁ । ଯାହା କରଣୀୟ ସବୁ ମୁଁ କରିବାପାଇଁ ପ୍ରସ୍ତୁତ ଅଛି । ଏହି ଟେଲିଫୋନ୍‌ରେ ମତେ ଖବର ଦେବେ, ଯଦି ଜରୁରୀ କିଛି ଥାଏ ।

 

ବିଦାୟ ନେଇ ଗାଡ଼ିରେ ବସିଲେ କାଉଲ୍ । ଡ୍ରାଇଭରକୁ ନିର୍ଦ୍ଦେଶ ଦେଲେ ଯିବାକୁ ତାଙ୍କର ପୂର୍ବ ନିର୍ଦ୍ଧାରିତ ପ୍ରାତଃ ଏନ୍‍ଗେଜ୍‍ମେଣ୍ଟ ଜନିତ କାର୍ଯ୍ୟସ୍ଥଳୀକୁ । ଗାଡ଼ିରେ ସଂଯତ କରିନେଲେ ନିଜର କୋଟ୍ ଟାଇକୁ । ହାତର ବୋତାମକୁ ରୁମାଲରେ ପୋଛିଲେ । ଅଫିସରେ ପହଞ୍ଚି ଶୁଣିଲେ ଯେ ଅସୁବିଧା ହେତୁ ଠିକ୍ ସମୟରେ ଉଡ଼ାଜାହାଜ ପହଞ୍ଚି ପାରିନାହିଁ । ଆଗନ୍ତୁକମାନେ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରିନାହାନ୍ତି । କାଉଲ୍ ସେଦିନ ତାଙ୍କର ବ୍ୟବସାୟଗତ କାର୍ଯ୍ୟ ଶେଷ କଲାବେଳକୁ ଦିନ ପ୍ରାୟ ଦୁଇଟା । ଲଞ୍ଚ୍ ଖାଇବାକୁ ଗଲେ ହୋଟେଲକୁ । ଲଞ୍ଚ୍ ପରେ ବିଶ୍ରାମ ନେଲେ ନିଜ କୋଠିରେ । କାଉଚ୍‍ରେ ଆଉଜି ସେଦିନର ଖବରକାଗଜ ଓଲଟାଉଥାନ୍ତି । କାଗଜର ପଛପଟେ ଆଉ ଗୋଟିଏ ଚିତ୍ର ସେଦିନର ଖବର ଗୁଡ଼ିକୁ ଟିକେ ଝାପ୍‌ସା କରି ଦେଇଥାଏ । ମଝିରେ ମଝିରେ ମନେପଡ଼ୁଥାଏ–ରୁଗ୍‌ଣ, ଶୁଭ୍ର ଏକ ଶରୀର–ଗୋଟିଏ କାକୁତିପୂର୍ଣ୍ଣ ଦୃଷ୍ଟି, ଗୋଟିଏ ଅସହାୟ ଅଧର–ମନୀଷାଙ୍କର ।

 

କୌଣସି ସାମୟିକ ପ୍ରକୃତି କାଉଲ୍‍ଙ୍କର ସିଦ୍ଧାନ୍ତକୁ ଆଜି ପର୍ଯ୍ୟନ୍ତ ପ୍ରଭାବିତ କରି ନାହିଁ ବୋଲି ତାଙ୍କର ବିଶ୍ଵାସ । ଜୀବନରେ ଯାହା କରିଛନ୍ତି ଧୀର ବୁଦ୍ଧି, ସ୍ଥିର ଚିତ୍ତରେ । ଘୋଡ଼ାର ରେସ୍ ଖେଳ ହେଉ, ଚମଡ଼ାର ବ୍ୟବସାୟ ହେଉ, ଏପରିକି ନାରୀକୁ ଉପଭୋଗ ପ୍ରସ୍ତାବ ହେଉ । ଆଜି କିପରି ନିଜକୁ ସନ୍ଦେହ କଲେ । ଭାବିଲେ ଏହାଙ୍କର ଆଖି ଓ ଓଠର ସମନ୍ୱୟତାରେ କିଛି ବିଶେଷତ୍ଵ ଅଛି । ତଥାପି ଇଏତ ଗୋଟାଏ ସନ୍ଧ୍ୟାରେ ସାହାରା ହେବାର ମଧ୍ୟ ଯୋଗ୍ୟ ନୁହନ୍ତି । ତା’ଛଡ଼ା ଏହାଙ୍କ ସହିତ ସମ୍ପର୍କ ତ ଶ୍ମଶାନକୁ ଶୋଭାଯାତ୍ରାରେ ଯିବାର ସମ୍ପର୍କ । କେବଳ କେତେକ ମୁହୂର୍ତ୍ତ ପାଇଁ ।

 

କ୍ଲବ୍‌ରେ ସେଦିନ ସନ୍ଧ୍ୟାରେ ଦେଖାହେଲେ ମିଷ୍ଟର୍ ଚୌହାନ୍, ମିଷ୍ଟର୍ ସିଂହ, ମାଡ୍ୟୁସ୍ ଓ ଅନ୍ୟାନ୍ୟ ଅନେକ । ଋଷି ଖେଳର ଆଡ଼୍‍ଡା ଚାଲିଲା ରାତି ଶେଷ ପ୍ରହର ପର୍ଯ୍ୟନ୍ତ । ପ୍ରେରଣା ଦେଲେ ମିସ୍ ଗୁପ୍ତା ଓ ଜନିଓ୍ୱାକର୍ ।

 

‘‘ଡାର୍ଲିଂ, ତୁମେ ବଡ଼ ଲକ୍‌କି ।’’

 

‘ମିସ୍ ଗୁପ୍ତା, ବିଜୟ ହେଉଛି ଆଧୁନିକା ନାରୀପରି । ଅବହେଳା କଲେ ମିଳିବ ‘ଆଗ୍ରହ-।’’

 

‘ତୁମ ଦାମ୍ଭିକତାକୁ ଘୃଣା କଲେ ମଧ୍ୟ ତୁମର କୃତକାର୍ଯ୍ୟତାକୁ ସମ୍ମାନ କରେ ।”

 

‘‘ରାତ୍ରିର ଯତ୍‍କିଞ୍ଚିତ ଅବଶିଷ୍ଟାଂଶ ପାଇଁ ମୋର ସମସ୍ତ କୃତକାର୍ଯ୍ୟତାକୁ ତୁମରି ପାଦତଳେ ସମର୍ପି ଦେଉଛି, ମିସ୍ ଗୁପ୍ତା I’’

 

ନାଟକୀୟ ଭଙ୍ଗୀରେ ମୁଣ୍ଡନୋଇଁ, ହାତ ହଲାଇ ପ୍ରଣତି ଜଣାଇଲେ କାଉଲ୍ ।

 

ଅବଶେଷରେ ଖେଳର ଅବସାନ ହେଲା ।

 

ବଟ୍‍ଲର୍, ଚୌକିଦାର, ସଲାମ୍ ଜଣାଇଲେ । ଚାରିଆଡ଼ୁ ଅର୍ଦ୍ଧସୁପ୍ତ ଡ୍ରାଇଭର୍‌ ମାନେ ଗାଡ଼ିରେ ଆଲୁଅ ଲଗାଇ ପୋର୍ଟିକୋ ପର୍ଯ୍ୟନ୍ତ ଭିଡ଼ି ଆସିଲେ I ମିସ୍ ଗୁପ୍ତା ଓ କାଉଲ୍ ବାହାରିଗଲେ କାଉଲ୍‌ଙ୍କ ଫ୍ଲାଟକୁ ।

 

ସକାଳୁ ଉଠୁ ଉଠୁ ଅନେକ ଡେରି ହୋଇଯାଏ । ମିସ୍ ଗୁପ୍ତା ଅନେକବେଳୁ ଚାଲିଗଲେଣି । ଖଣ୍ଡେ କାଗଜ ତାଙ୍କ ମୁଣ୍ଡ ଉପରେ ଥୁଆ ହୋଇଛି । ସେଥ‌ିରେ ଲେଖା ଅଛି–‘ବ୍ରହ୍ମଚର୍ଯ୍ୟ ପ୍ରମାଣ କରିବା ପାଇଁ, ନାରୀ ସହିତ ରାତ୍ରିବାସ ଏକାନ୍ତ ଆବଶ୍ୟକ ନୁହେଁ । ମିଷ୍ଟର କାଉଲ୍ ପରି ବୁଦ୍ଧିମାନ ଲୋକକୁ ଏହା ଦେଖାଇଦେବା ଆବଶ୍ୟକ ହେଲା ବୋଲି ଦୁଃଖିତା ।’’

 

ଗୁପ୍ତା

 

କାଉଲ୍ କାଗଜ ଖଣ୍ଡିକ ଚିରି ଡଷ୍ଟବିନ୍‌ରେ ପକାଇଦେଲେ । ଯେତେଶୀଘ୍ର ସମ୍ଭବ ନିଜକୁ ତିଆରି କରିନେଲେ । ବାହାରିଲେ ନର୍ସିଂହୋମ୍ ଉଦ୍ଦେଶ୍ୟରେ ।

ରାସ୍ତାରୁ କିଣିନେଲେ କିଛି ଫୁଲ । ନର୍ସିଂହୋମ୍‌ରେ ପହଞ୍ଚି ସେତକ ସଜାଇ ଦେଇ କହିଲେ, ‘ଗୁଡ଼୍ ମର୍ଣ୍ଣିଂ ।’’

ମନୀଷା କୃତଜ୍ଞତାପୂର୍ଣ୍ଣ ଦୃଷ୍ଟିରେ ନମସ୍କାର ଜଣାଇଲେ କାଉଲ୍‍ଙ୍କୁ ।

ବାଁ ହାତରେ ସରୁ ଗୋଟିଏ ମୁଦି । ଉପରେ ଗୋଟିଏ ଛୋଟ ନାଲିପଥର । ନଖଗୁଡ଼ିକ ଲମ୍ବା ଲମ୍ବା, ନିସ୍ତେଜ । ବଙ୍କା ପତଳା ଆଙ୍ଗୁଳିଗୁଡ଼ିକ ମିଶି ନମ୍ରତାର ସୁନ୍ଦର ଗୋଟାଏ ଚିତ୍ର ଆଙ୍କୁଥାଏ ।

‘‘ଆଜି କିପରି ଲାଗୁଛି ?’’

ଛୋଟ ସ୍ମାଇଲ୍ ଟିଏ ଦେଲେ ମନୀଷା । କହିଲେ, ‘‘କଲିକତାରେ ଡାକ୍ତରମାନେ ସବୁଦିନେ କହୁଥିଲେ–ମନୀଷା, ତୁମର ଅବସ୍ଥା ଆଜି ବେଟର । କିନ୍ତୁ କାହିଁ, ଦିନେହେଲେ ବି ‘ଗୁଡ଼’ କହିପାରିଲେ ନାହିଁ ?’’

କାଉଲ୍ କଥାର ଦିଗ ପରିବର୍ତ୍ତନ କଲେ ।

କହିଲେ, ‘‘କହୁଥିଲେ ନା ଆପଣଙ୍କ ଆତ୍ମୀୟଙ୍କ କଥା ? ତାଙ୍କ ଘର ଠିକଣାରେ କିଛି ଖବର ଦେବି ?”

“ଦରକାର ମନେକରୁନି । ସେଠି ମୋର ଗୋଟିଏ ମାତ୍ର ସୁଟ୍‍କେଶ୍ ଥିଲା । ଏ ଭିତରେ ମୁଁ ମଗାଇ ଆଣିଛି । ସେ ବି ଟିକିଏ ଦୂରସମ୍ପର୍କୀୟ । ଅନନ୍ୟୋପାୟ ହୋଇ ସେଠାରେ ରହିଥିଲି ଗୋଟିଏ ରାତିପାଇଁ ।’’

କିଛିକ୍ଷଣ ଚିନ୍ତା କରି ମନୀଷା ଟିକିଏ ଗମ୍ଭୀର ହୋଇଉଠିଲେ । କଣ୍ଠକୁ ଟିକିଏ ଶକ୍ତକରି ପଚାରିଲେ, ‘‘ପଚାରିପାରେ ଆପଣଙ୍କ ନାଁ ?’

‘‘ରମେଶ କାଉଲ୍ ।’’

‘‘ଆପଣ ଏଠି ?’’

“ମୁଁ ବ୍ୟବସାୟ କରେ । ଭାରତବର୍ଷରେ । ଏଠି ଆମର କେନ୍ଦ୍ର ଅଛି ।’’

‘‘ଆପଣଙ୍କର କାଲି ସମୟ ଓ ଧୈର୍ଯ୍ୟ ନଷ୍ଟକଲି ।’’

‘‘ଯେକୌଣସି ମଣିଷ ଅନ୍ୟପାଇଁ ଏତକ କରିଥାନ୍ତି ।’’

‘‘ଆପଣ ଜାଣନ୍ତି ନାହିଁ ବୋଧହୁଏ । ମୋର ରୋଗ ସାଂଘାତିକ...ଅସାଧ୍ୟ... ! ଏହାର ଗୋଟିଏ ମାତ୍ର ପରିଣତି ।’’ ମନୀଷାଙ୍କର ଆଖି ଛଳଛଳ ହୋଇଉଠୁଥାଏ । ନିଜକୁ ସମ୍ବରଣ କରିବାପାଇଁ ମନୀଷା ଅନ୍ୟ ଦିଗକୁ ମୁହଁ ବୁଲାଇଲେ ।

‘‘ମନୀଷା ! ସତ କି ମିଛ ମୁଁ ନିଜେ ଜାଣିବାପାଇଁ ଚେଷ୍ଟା କରି ନାହିଁ । ମିଛ ବି ହୋଇପାରେ । କିନ୍ତୁ ମନର ସନ୍ତୋଷ ପାଇଁ, ବଞ୍ଚିବାରେ ସାହାଯ୍ୟ କରିବା ଲାଗି ଗୋଟାଏ ଜିନିଷରେ ବିଶ୍ଵାସ ରଖିବା ଉଚିତ । ସେଇ ହେଉଛି ‘ଭାଗ୍ୟ’ । ତା’ ଉପରେ ଆସ୍ଥା ରଖ । ହୁଏତ ପରିବର୍ତ୍ତନ ହେବ । ଅସାଧ୍ୟ ସାଧ୍ୟ ହେବ । ଅସମ୍ଭବ ହେବ ସମ୍ଭବ ।’’

 

“କାଉଲ୍ ସାହେବ ! ଏ ଅସ୍ତଗାମୀ ସୂର୍ଯ୍ୟ । କୌଣସି ଶକ୍ତି ନାହିଁ ୟାକୁ ରୋକିବ । ଦିଗ୍‌ବଳୟ ତଳେ ଲୀନ ହେବାକୁ ମାତ୍ର କେତୋଟି ମୁହୂର୍ତ୍ତ ବାକି । ଆଜି କ’ଣ ଇଚ୍ଛା ହେଉଛି ଜାଣନ୍ତି-? ଏ ଆଲୋକ, ଏ ରାତ୍ରି, ଏ ସଙ୍ଗୀତ, ଏ ଜୀବନ ସବୁକୁ ଉପଭୋଗ କରିନିଅନ୍ତି ଏଇ କେତୋଟି ଦିନ ଭିତରେ । ଇଚ୍ଛା ହେଉଛି ନିଜକୁ ସଜାନ୍ତି ।

 

ପୃଥ‌ିବୀର ସମସ୍ତ ରୂପ ଦେଇ ନିଜକୁ ଢାଙ୍କନ୍ତି-। ମନେମନେ ଦେଖନ୍ତି ଏଇ ମୋର ମମି, ଏଇ ମୋର ଡାଡ଼ି, ଏଇ ମୋର ସ୍ୱାମୀ, ମୋର ପୁଅ, ମୋର ଝିଅ–ଏମିତି ସମସ୍ତେ । ରାତି ପାହି ଆସୁଥାନ୍ତି । ମୋରି ଚାରିଆଡ଼େ ସମସ୍ତେ ଘେରି ବସିଥାନ୍ତେ । କୋମଳ ଆଲୋକ ଘରଟିକୁ ରଙ୍ଗୀନ୍ କରି ରଖିଥାନ୍ତା । ଆସ୍ତେ ଆସ୍ତେ ମୁଁ ଲିଭି ଯାଉଥାନ୍ତି । ନାରୀତ୍ୱର ସାର୍ଥକତା ରହିଥାନ୍ତି ।’’

 

“ଆଉ ଗୋଟାଏ ମାସ ପରେ ଆପଣ ଆସି ଶୁଣିବେ ନର୍ସିଂହୋମ୍‌ର ୫ ନମ୍ବର କୋଠରି ଖାଲି । ଏଇ ଯେଉଁ ଲମ୍ବା ରାସ୍ତା ପଡ଼ିଛି, ଏଇବାଟେ ଜଣେ ସାମନାରେ, ଆଉ ଜଣେ ପଛରୁ ଗୋଟିଏ ଷ୍ଟ୍ରେଚରରେ ଠେଲୁଥ‌ିବେ । ମୁହଁ ସୁଦ୍ଧା ଢଙ୍କା ହୋଇଥିବ । ଦେହଟା ଦୋହଲୁଥିବ ଏପାଖ ସେପାଖ ।

 

କୁହାହେବ ଶବ । କୁଆଡ଼େ ଗଲେ ଡାଡ଼ି, କୁଆଡ଼େ ଗଲେ ମମି, କାଉଲ୍ ସାହେବ !’’

 

ଏକାବେଳେ ଏତେଗୁଡ଼ାଏ କଥା କହିପକାଇ ଆଶ୍ଵସ୍ତି ଅନୁଭବ କଲେ ମନୀଷା । ପୁଣି କହିଲେ, ‘‘ଏ ବି ମୋ ପାଖରେ ନୂଆ ନୁହେଁ । ଅନେକ ଦିନ ହେବ ଏହା ସହିତ ଘନିଷ୍ଠ ଭାବରେ ପରିଚିତ । ତେବେ କେବେ ଏହା ସହିତ ଚିରମିଳନ ହେବ, ତାରି କେବଳ ପ୍ରତୀକ୍ଷା ।’’

 

ମନୀଷାଙ୍କ ମୁହଁରେ ଗୋଟିଏ ବିଶେଷତ୍ଵ ଥାଏ, ଯେଉଁଥିପାଇଁ ନିଜର ଅନେକେ ତାଙ୍କୁ ବିଶ୍ୱାସ କରନ୍ତି । ଅଳ୍ପ ସମୟ ମଧ୍ୟରେ ଉଦ୍‌ଘାଟନ କରନ୍ତି ଗୋପନୀୟ, ଗୂଢ଼ ସତ୍ୟକୁ । କାଉଲ୍ ମଧ୍ୟ ତାକୁ ସମ୍ମାନ ଜଣାନ୍ତି ।

 

ଏକାକୀ ଟ୍ରେନ୍‌ରେ ଶୋଇ ନିକଟସ୍ଥ ଶତ୍ରୁମାନଙ୍କ ଆଶୁ ଆଗମନକୁ ଅପେକ୍ଷା କରି ଯେଉଁ ସୈନ୍ୟ ନିଜର ମୃତ୍ୟୁ ସହିତ ହିସାବ ନିକାଶ କରୁଥାଏ, ‘ମନୀଷାଙ୍କର ଆଜି ସେହି ଅବସ୍ଥା । ତଫାତ୍ ହେଉଛି ଶତ୍ରୁ ସହିତ ସନ୍ଧି ହୁଏତ ସମ୍ଭବ, କିନ୍ତୁ ମନୀଷାଙ୍କର ଭବିଷ୍ୟତ ଅପରିବର୍ତ୍ତନୀୟ । ତେଣୁ କ’ଣ ଯାଏ ଆସେ କିଏ ପରିଚିତ, କିଏ ଅପରିଚିତ ? କିଏ ନୂତନ ବା କିଏ ପୁରାତନ ? ହେଲେ ବା କାଉଲ୍ ସାହେବ ସଦ୍ୟ ପରିଚିତ । ଏତେ କଥା କହି ମଧ୍ୟ ଅନୁଶୋଚନା କଲେ ନାହିଁ ମନୀଷା । କିନ୍ତୁ ମନରେ ତାଙ୍କର ସାମାନ୍ୟ ସଙ୍କୋଚ–କାଳେ ଏ ଭଦ୍ରଲୋକ ଅପସନ୍ଦ କରୁଥ‌ିବେ ମୋର ଆତ୍ମଚରିତ୍ରକୁ ?

 

ନର୍ସ, ଡାକ୍ତରମାନେ ପହଞ୍ଚିଲେ । ମନୀଷାଙ୍କୁ ଇଞ୍ଜେକ୍‌ସନ ଇତ୍ୟାଦି ଦିଆଗଲା । ଡାକ୍ତର କହିଲେ, ‘‘କାଲିଠାରୁ ପୂରା ପରୀକ୍ଷା ଆରମ୍ଭ ହେବ ।’’ କାଉଲ୍‍ଙ୍କୁ ଲକ୍ଷ୍ୟକରି ଡାକ୍ତର କହିଲେ, ‘ଆପଣଙ୍କ ପେସେଣ୍ଟ ଖୁବ୍ ଭଲ ଅଛନ୍ତି । ଆପଣଙ୍କ କହିବା ମୁତାବକ ମିସ୍ ଚୌଧୁରୀଙ୍କର ଦେହ ସଂକ୍ରାନ୍ତରେ ଦୈନିକ ରିପୋର୍ଟ ଆପଣଙ୍କ ଠିକଣାରେ ପଠାଯିବ ।’’

 

ଅନ୍ୟାନ୍ୟ ମାମୁଲି ଗପ ପରେ ଡାକ୍ତର ଓ ନର୍ସ ବିଦାୟ ନେଲେ ।

 

ମନୀଷା ଘଡ଼ିକୁ ଚାହିଁ କହିଲେ, ‘ବର୍ତ୍ତମାନ ଦଶଟା ବାଜିଲା । ଆପଣ ଅଫିସ୍ ଯିବେ ନାହିଁ ?’’

 

‘‘ଦୈନନ୍ଦିନ କାମର ତାଗିଦା ନ ଥିଲେ ମଧ୍ୟ ଆଜି ଅନ୍ତତଃ ମୋତେ ଯିବାପାଇଁ ପଡ଼ିବ-।’’

 

‘ତେବେ ଅଯଥା ଡେରି ହୋଇଯିବ ।’’

 

ମନୀଷାଙ୍କର ଇତିହାସ କାଉଲ୍‌ଙ୍କ ଗଭୀର ତନ୍ତ୍ରୀରେ ଗୋଟାଏ ସ୍ପନ୍ଦନ ଆଣୁଥାଏ । ସେହି ସାଥିହୀନ, ଅସହାୟ ଜୀବନ । ଖବରକାଗଜ ବିକି ଫୁଟପାଥର ଆଲୁଅ ତଳେ ଯେଉଁ ଜୀବନଯାପନ କରିଥିଲେ, ମୁଠାଏ ଖାଦ୍ୟପାଇଁ ନିଜର ରୋଗଶଯ୍ୟାରେ ଯେଉଁ ଉନ୍ନିଦ୍ର ରାତ୍ରି ଚିନ୍ତାରେ ଯାପନ କରିଥିଲେ, ଖୋଜିଥିଲେ କେହି ଜଣେ ବ୍ୟକ୍ତିକୁ ସମଗ୍ର ଏ ବିଶ୍ୱ ଜଗତରେ, ଯାହାକୁ ନିଜର ବୋଲି କହିବେ । ଜଣାଇବେ ଅନ୍ତରର ବ୍ୟଥା ମୁହୂର୍ତ୍ତକ ପାଇଁ । କିନ୍ତୁ ଆଶା ରହିଗଲା ଅପୂର୍ଣ୍ଣ । କାଉଲ୍‍ଙ୍କର ଅତୀତ ଜୀବନର ଗୋଟାଏ ପୃଷ୍ଠା ମନୀଷା ।

 

ଚେୟାରରୁ ଉଠିଲେ କାଉଲ୍ ।

 

ମନୀଷାଙ୍କ ବିଛଣା ଉପରେ ଦୁଇହାତ ଭରାଦେଇ ଚିନ୍ତାଶୀଳ ଦୃଷ୍ଟିରେ ମନୀଷାଙ୍କୁ ନିବିଡ଼ ଭାବରେ କିଛି ସମୟପାଇଁ ଚାହିଁରହିଲେ । ମନେମନେ ଯେପରି ଭାବୁଛନ୍ତି ଏକ ଗୁରୁତର ସିଦ୍ଧାନ୍ତ ନେବେ କି ନାହିଁ ! ଏ ନାରୀ ଜଣକ ଏହାର ଯୋଗ୍ୟ ନା ନୁହେଁ ! କିଛି ପ୍ରତିଦାନର ପ୍ରଶ୍ନ ନୁହେଁ, କୌଣସି ହତାଶାର ପ୍ରାପ୍ୟ ନୁହେଁ, କେବଳ ବିଜୟପାଇଁ । ନିଜର ଅତୀତ ଉପରେ ବର୍ତ୍ତମାନର । ମନୀଷାଙ୍କର ନିଃସହାୟ ପରିସ୍ଥିତି ଉପରେ କାଉଲ୍‌ଙ୍କ କୃତକାର୍ଯ୍ୟତାର ।

 

କୌଣସି ଉତ୍ତର ନ ଦେଇ କାଉଲ୍ କୋଠରିରୁ ବାହାରି ଆସିଲେ । ଆସିଲାବେଳେ ଦୁଆର ମୁହଁରେ ହାତ ହଲାଇ ବିଦାୟ ଜଣାଇଲେ ମନୀଷାଙ୍କୁ ।

 

ସେଦିନ ଅଫିସରେ କାମ ସରୁ ସରୁ ସନ୍ଧ୍ୟା । କାଉଲ୍ ସିଧା ଫେରିଲେ ନର୍ସିଂହୋମ୍‌କୁ । ନର୍ସିଂହୋମର ଶୋଇବା ବତୀର ଶାଗୁଆ ଝାଡ଼ଣ ଘରଟିକୁ ମୃଦୁ ରଙ୍ଗୀନ୍ କରି ତୋଳିଥାଏ । ମନୀଷାଙ୍କ ଖୋସାରେ ପେନ୍ଥାଏ ଫୁଲ । ଖୁବ୍ ସୁନ୍ଦର ଦିଶୁଥାଏ ସେଇ ରୁଗ୍‌ଣ ପାଣ୍ଡୁର ମୁହଁଟା !

 

‘ମନୀଷା !’’

 

ମନୀଷା ଉତ୍ତରରେ ସେହି ବିନମ୍ର ଆତ୍ମୀୟ ନମସ୍କାରଟି ଜଣାଇଲେ । ‘ଦେଖ, ତୁମପାଇଁ କ’ଣ ଆଣିଛି ।’’

 

ଗୋଟାଏ ପ୍ୟାକେଟ ମନୀଷାଙ୍କ ହାତରେ ଦେଲେ କାଉଲ୍ । ଉତ୍ସାହର ସହିତ ମନୀଷା ଖୋଲିଲେ ସେ ପ୍ୟାକେଟକୁ ଅତି ଯତ୍ନ ସହକାରେ । ସୂତାର ଗଣ୍ଠିକୁ ଆସ୍ତେ ଆସ୍ତେ ଖୋଲି କାଗଜର ଭାଙ୍ଗକୁ ସଂଯତ ଭାବରେ ମୁକୁଳାଇଲେ । ଭିତରେ ଦେଖିଲେ, ଗୋଟିଏ ଶାଢ଼ି l କଅଁଳିଆ କଦଳୀପତ୍ର ପରି ଶାଗୁଆ ଶାଢ଼ି ।

 

ଦୁଇହାତରେ ଶାଢ଼ିଟିକୁ ଛାତି ଉପରେ ଜାକିଧରି ବସେଇ ବସେଇ ମନୀଷା କହିଲେ, ‘‘କାଉଲ୍ ସାହେବ ! ଥ୍ୟାଙ୍କ୍‍ଇଉ, ଥ୍ୟାଙ୍କ୍‍ଇଉ ।’’

 

କିଛି ସମୟ ଧରି ଶାଢ଼ିଟିକୁ ଖୋଲି ଚାରିଆଡ଼ ଦେଖୁଥାନ୍ତି । ବର୍ଡ଼ର, ରଙ୍ଗ, ସୂତା । ନିଜ ଦେହ ଉପରେ ଖୋଲି ବିଛାଇ ଦେଉଥାନ୍ତି ।

 

‘‘କାଉଲ୍ ସାହେବ ! ଆପଣ ଜାଣନ୍ତି ଗୋଟାଏ କଥା ? ପଢ଼ୁଥାଏ ନୈନିତାଲରେ । ଆମ କନ୍‌ଭେଣ୍ଟ ସ୍କୁଲର ଶେଷବର୍ଷ । ଆମେ ସବୁ ପାଶ୍ କରିଥାଉ । ସ୍କୁଲର ଶେଷଦିନରେ ହେଲା ଫାସି ନାଇଟ୍ । ସମସ୍ତେ ଭିନ୍ନଭିନ୍ନ ଚେହେରାରେ ଆମେ ପହଞ୍ଚିଲୁ । କିଏ ହୋଇଥାଏ ୱେଷ୍ଟ୍ ଇଣ୍ଡିୟାନ୍, କିଏ ଇଣ୍ଡିୟାନ୍ ପ୍ରିନ୍ସ, କିଏ ମିଲିଟାରୀ ଅଫିସର । ମୋତେ ସବୁ କହିଲେ ରାଣୀ ସାଜିବାକୁ । ମୁଁ ଆଣିଥିଲି ଗୋଟାଏ ମୁକୁଟ ।

 

ସତସତକିଆ ମୁକୁଟ । ଆମ ସାଙ୍ଗରେ ଗୋଆଲିୟର୍‌ର ଝିଅଟିଏ ପଢ଼ୁଥାଏ ତା’ରି । ଡାଡ଼ି, ମମି ନେଇଯାଇଥିଲେ ବଜାରକୁ । ଠିକ୍ ଏହିପରି ଗୋଟିଏ ଶାଢ଼ି କିଣିଆଣିଥିଲେ । ଏହିପରି ସୁନାର ଜରି । ଏହି ରଙ୍ଗ । ମୁକୁଟ ପିନ୍ଧି, ଶାଢ଼ି ପିନ୍ଧି କୁଆଡ଼େ ସତସତକିଆ ରାଣୀ ପରି ଦିଶୁଥାଏ । ମମି ଖୁସିହୋଇ ମତେ କୁଣ୍ଢାଇ ପକାଇଥିଲା । ମୁଁ ପାଇଥିଲି ଫାଷ୍ଟ ପ୍ରାଇଜ୍‌ । ଅନେକଦିନ ତଳର କଥା । ଆଜି ୟା’କୁ ପିନ୍ଧିଲେ ଉପହାସ ପରି ମନେହେବ ।’’

 

‘‘ମନୀଷା, ବିନା ଅଳଙ୍କାରରେ ତୁମେ ଚିରନ୍ତନ ରାଣୀ । ତୁମ ରୂପର ମର୍ଯ୍ୟାଦାକୁ ଏ ଆବରଣଟା କ’ଣ ବଢ଼ାଇବ ?’’

 

‘‘କାଉଲ୍ ସାହେବ, ଆପଣ ମନସ୍ତାତ୍ତ୍ଵିକ କି ନାହିଁ ଜାଣେନା । ତଥାପି ଏହାଠାରୁ ଅଧିକ ସୁସ୍ୱାଦୁ କଥା ବର୍ତ୍ତମାନପାଇଁ ମୋତେ ଆପଣ ଆଉ କିଛି କହି ପାରି ନଥାନ୍ତେ । ମୋର ପୁଣି ରୂପ, ତା’ର ପୁଣି ଆଲୋଚନା !’’

 

‘‘ମନୀଷା ! ତୁମ ସହିତ ପରିଚୟ ଏତେ କମ୍ ସମୟର ଯେ ସମସ୍ତ କଳ୍ପନା ପ୍ରକାଶର ଅଧିକାର ସଂକ୍ରାନ୍ତରେ ସର୍ବଦା ସନ୍ଦିହାନ ।’’

 

‘‘କାଉଲ୍ ସାହେବ ! ବର୍ତ୍ତମାନ ରାତି ଅନେକ ହେଲାଣି । ଆପଣଙ୍କର ଡିନର ଡେରି ହେବ, କ୍ଳବ୍ ମଧ୍ୟ । ଯଦି ସମୟ କରି ଆଉ କେବେ ଆସନ୍ତା ତା’ହେଲେ କେତୋଟି ମୁହୂର୍ତ୍ତ ମଧ୍ୟରେ ଆପଣଙ୍କୁ ପରିଚିତ କରାଇଦେବି ମୋର ଜୀବନ ଓ ଆମ ପରିବାରର ଇତିହାସ ସହିତ । ଆପଣଙ୍କର ଧୈର୍ଯ୍ୟ ଥିଲେ ହେଲା । ତା’ପରେ ଆଉ କିଛି ସନ୍ଦେହର ଅବକାଶ ନ ଥ‌ିବ ।’’

 

ମନୀଷାଙ୍କର ରାତ୍ରି ଭୋଜନର ସରଞ୍ଜାମ ନର୍ସ ଆଣି ଟେବୁଲରେ ସଜାଇଦେଲା । କାଉଲ୍ କହିଲେ, ‘ଅପେକ୍ଷା କରିଛି, ତୁମେ ଡିନର ଶେଷ କର । ଶୋଇ ସାରିବ, ତା’ପରେ ମୁଁ ଯିବି-।’’

 

ମା’ମାନେ ଅଫିସ୍‌ରେ କାମ କଲାବେଳେ ବା ବଜାରକୁ ସଉଦା କରିବାକୁ ଯିବା ସମୟରେ ସେମାନଙ୍କର ଛୋଟ ପିଲାମାନଙ୍କୁ ସେଇ ସମୟତକ ପାଇଁ ଜଗିବା ଲାଗି ଘଣ୍ଟା ହାରରେ ଯେଉଁ ଲୋକମାନେ ନିଯୁକ୍ତ ହୁଅନ୍ତି, ସେମାନଙ୍କୁ କୁହାଯାଏ ‘ବେବି ସିଟର’ । ଆଉ ଯେଉଁମାନେ ଆସନ୍ନ ମୃତା, ରୋଗାକ୍ରାନ୍ତ ନାରୀକୁ ଶାଢ଼ି ଦେଇ, ସମୟ ଦେଇ, ଡିନର ପର୍ଯ୍ୟନ୍ତ ହସ୍‍ପିଟାଲରେ ଅପେକ୍ଷା କରନ୍ତି ତାଙ୍କୁ କ’ଣ କୁହାଯିବ ଜାଣନ୍ତି ?

 

“ସୁପ୍ ଥଣ୍ଡା ହୋଇଯାଉଛି, ମନୀଷା ! ଡେଫିନେସନ୍ ପାଇଁ ବ୍ରେକ୍‌ଫାଷ୍ଟ୍ ପର୍ଯ୍ୟନ୍ତ ଅନାୟାସରେ ଅପେକ୍ଷା କରିପାରେ ।’’

 

ଡିନର ଶେଷ ହେଲା | ମନୀଷା ଛୋଟ ଟେବୁଲ ପାଖରୁ ଉଠି ତାଙ୍କ ବିଛଣା ଉପରକୁ ଆସିଲେ । କାଉଲ୍ ବିଛଣାର ପଛଆଡୁ ସ୍ପ୍ରିଂ ମୋଡ଼ି ଅଧା ଉଚ୍ଚା କରିଦେଲେ । ମନୀଷା ଆରାମଚୌକିରେ ବସିଲା ପରି ବିଶ୍ରାମ ନେଲେ । କାଉଲ୍ ଧଳା ଚାଦରଟିକୁ ଘୋଡ଼ାଇଦେଲେ ମନୀଷାଙ୍କର ଅଣ୍ଟା ପର୍ଯ୍ୟନ୍ତ ।

 

“କାଉଲ୍ ସାହେବ ! ନିଜକୁ ଖୁବ୍‌ ସ୍ୱାର୍ଥପର ଲାଗୁଛି । ମୁଁ ଖାଇବା ଶେଷ କରି ବିଶ୍ରାମ ନେଲି, ଅଥଚ ଆପଣ ଅଫିସରୁ ଫେରି ଏଇଠି ଏତେ ସମୟ ଧରି ଅପେକ୍ଷା କରିଛନ୍ତି । କପେ କଫି ପର୍ଯ୍ୟନ୍ତ ଖାଇନାହାନ୍ତି । ତିଆରି କରିଦେବି ? ଏଇଠି ସରଞ୍ଜାମ ଅଛି ।’’

 

ନିଜର ଅସମ୍ମତି ଜଣାଇ କାଉଲ୍ କହିଲେ, ‘ମନୀଷା, ନାରଦ ଥରେ ଭଗବାନଙ୍କୁ ପଚାରିଲେ, ‘ପ୍ରଭୁ–ମାୟା କ’ଣ ?’’

 

ଭଗବାନ କହିଲେ, ‘ଉପଯୁକ୍ତ ସମୟ ହେଲେ ବୁଝାଇଦେବି ।’’

 

ଅନେକ ଦିନ ପରେ ଦୁଇଜଣଯାକ ବେଶ ପରିବର୍ତ୍ତନ କରି । ମର୍ତ୍ତ୍ୟକୁ ଆସିଲେ ମନୁଷ୍ୟ ଜାତିର ସୁଖ-ଦୁଃଖ ଜାଣିବାପାଇଁ । ଖରାଦିନ । ଗାଁ ମୁଣ୍ଡରେ ପହଞ୍ଚିଛନ୍ତି । ଭଗବାନଙ୍କୁ ଖୁବ୍ ଶୋଷ ହେଲା l କହିଲେ, ‘‘ନାରଦ ! ମୋ ପାଇଁ ଟିକେ ପାଣି ଆଣ ।’’

 

ନାରଦ ବାହାରିଲେ ଗାଁ ଭିତରକୁ ପାଣିପାଇଁ । ଦୁଆର ସବୁ ପଡ଼ିଲାଣି । ଅନେକ ଘର ଡାକି ଡାକି କେହି ଆଉ ଜବାବ ଦେଲେ ନାହିଁ । ଗୋଟାଏ ଗାଁରୁ ଗଲେ ଆର ଗାଁକୁ । ଅନ୍ୟ ଗାଁରେ ମହାମାରୀ । ସେଠୁ ଗଲେ ଅନ୍ୟ ଏକ ଗାଁକୁ । ସେ ଗାଁରେ ଯାଇ ପହଞ୍ଚିଲା ବେଳକୁ ସନ୍ଧ୍ୟା । ଦୁର୍ବଳ ଲଗୁଥାଏ । ବିଶ୍ରାମ ନେଲେ । ରାତିରେ ଜଣେ ବ୍ରାହ୍ମଣ ଘରେ ଅତିଥି ହେଲେ । ବ୍ରାହ୍ମଣର ଗୋଟିଏ ସୁନ୍ଦରୀ ଝିଅ ଥାଏ । ଘରେ ବାପା ମା’ କେହି ନଥାନ୍ତି । ଏ ଝିଅଟି ନାରଦଙ୍କର ଖୁବ୍ ସେବାକଲା । ଯତ୍ନ ନେଲା । ନାରଦ ପଡ଼ିଲେ ତା’ ପ୍ରେମରେ । ତା’କୁ ବିବାହ କଲେ । ଅନେକ ଦିନ ବିତିଗଲା । ପିଲାପିଲି ବି ହେଲେ । ପିଲାମାନଙ୍କୁ ନେଇ ନାରଦ ସୁଖରେ ରହିଲେ । ଭୁଲିଲେ ଭଗବାନଙ୍କୁ, ଭୁଲିଲେ ଅନ୍ୟାନ୍ୟ ସଂସାର କଥା । ଦିନେ ଅଚାନକ ଆସିଲା ବଢ଼ି । ଘରଦ୍ଵାର ଭାସିଗଲା । ଲୋକେ ଗଛ ଉପରେ, ଛାତ ଉପରେ ଆଶ୍ରା ନେଲେ । ତଥାପି ସମ୍ଭଳା ପଡ଼ିଲା ନାହିଁ-। ଗାଁ ଭିତରେ ପାଣି ବଢ଼ିଲା । ଗଛ ଛାତ ସବୁ ମଧ୍ୟ ପାଣିରେ ମିଶିଗଲା । ନାରଦ ନିଜ କାନ୍ଧ ଉପରେ ବସାଇଲେ ସ୍ତ୍ରୀଙ୍କୁ । ସ୍ତ୍ରୀଙ୍କ କାନ୍ଧ ଉପରେ ବଡ଼ପୁଅ । ତା’ କାନ୍ଧ ଉପରେ ଆର ଛୁଆକୁ-। ଏହିପରି ଭାବରେ ଆସ୍ତେ ଆସ୍ତେ ଏଇ ପାଣି ଭିତରେ ପାରି ହେଉଥାନ୍ତି । ପାଣି ଆସ୍ତେ ଆସ୍ତେ ବଢ଼ୁଥାଏ । ପାଣି ବଢ଼ି ବଢ଼ି ନାରଦଙ୍କର କାନ୍ଧ, ବେକ ଟପି ନାକ ପର୍ଯ୍ୟନ୍ତ ଉଠିଲା-। ପାଣି ଯେତେବେଳେ ନାକ ଟପିଲା, ଉବୁଟୁବୁ ହୋଇ ନାରଦ ପାଟି କଲେ, ‘ହେ ଭଗବାନ, ରକ୍ଷାକର-।’’

 

ଉପସ୍ଥିତ ହେଲେ ଭଗବାନ । କହିଲେ, ‘‘ନାରଦ, ଦିନେ ପଚାରୁଥିଲ ମାୟା କ’ଣ ! ବର୍ତ୍ତମାନ ତା’ର ଉତ୍ତର ପାଇଲ ?’’

 

ଏକାଗ୍ର ଚିତ୍ତରେ ଶୁଣୁଥିଲେ ମନୀଷା । କଡ଼ ଲେଉଟାଇ ବସିଲେ ।

 

‘‘ମନୀଷା, କୋମଳତାପାଇଁ ମୋର ଆଦୌ ସୁଖ୍ୟାତି ନାହିଁ । କୌଣସି କାମ ଲାଗି ଅବଶ୍ୟ କିଛି ଖ୍ୟାତି ନାହିଁ । କିନ୍ତୁ ଅଳ୍ପ ସମୟ ପାଇଁ ପରିଚୟ ହେଲେ ବି ସ୍ଵୀକାର କରୁଛି ଯେ ତୁମ ପ୍ରତି ମୋର ମମତା ହୋଇଛି, ମାୟା ଲାଗିଛି । ଯଦିଓ ମୁଁ ନାରଦ ନୁହେଁ ।’’

 

ମମତା କଥା ଶୁଣି ହସିଲେ ମନୀଷା ।

 

କହିଲେ, ‘‘ମମତା ନୁହେଁ କାଉଲ୍ ସାହେବ, କୁହନ୍ତୁ ଦୟା । ଦୁର୍ଯୋଗରୁ ସଡ଼କରେ ଯଦି କାହା ଉପରେ ମଟର ମାଡ଼ିଯାଏ, ସବୁ ପଥିକ ଏକତ୍ର ହୁଅନ୍ତି । ଯତ୍‌ପରୋନାସ୍ତି ସାହାଯ୍ୟ କରନ୍ତି । ଆମ୍ୱୁଲାନ୍ସରେ ଚଢ଼ାନ୍ତି । ତା’ପରେ ନିଜ ନିଜ କାମରେ ଘରକୁ ଫେରିଯା’ନ୍ତି । ଜଣେ ଅଧେ ବି ତହିଁ ଆରଦିନ ଟେଲିଫୋନ୍ କରନ୍ତି ଡାକ୍ତରଖାନାକୁ, ‘ସେ ଆକ୍‌ସିଡେଣ୍ଟ୍‌ କେସ୍ କିପରି ଅଛି ?’’ କାଉଲ୍ ସାହେବ ! ଏହାର ଅର୍ଥ ନୁହେଁ ଯେ ମୁଁ ଆପଣଙ୍କର ଯତ୍ନ ପ୍ରତି ଅସମ୍ମାନ ଜଣାଉଛି ବା ଆପଣଙ୍କ ପ୍ରତି ଅକୃତଜ୍ଞ ।’’

 

‘‘ମନୀଷା, ସମ୍ମାନ ବା କୃତଜ୍ଞତା ମୁଁ କିଛି ତୁମଠୁ ଆଶା କରୁ ନାହିଁ । ମନୁଷ୍ୟ ହିସାବରେ ଯାହା କରଣୀୟ, ସେତକ ମାତ୍ର ସମ୍ପାଦନ କରିଛି ।’’ ନର୍ସ ଆସି ପହଞ୍ଚିଲେ ରୀତିର ଶୋଇବା ଔଷଧ ନେଇ । ବିଦାୟ ନେଲେ କାଉଲ୍ ।

 

ତହିଁ ପରଦିନ ସକାଳୁ କାଉଲ୍ ଚାଲିଗଲେ ସିଙ୍ଗାପୁର ବ୍ୟବସାୟ ସଂକ୍ରାନ୍ତରେ । ଫୋନ୍‌ରେ ଜଣାଇଦେଲେ ନର୍ସିଂହୋମ୍‌ର କର୍ମକର୍ତ୍ତାମାନଙ୍କୁ ଯେ ସେମାନେ ମନୀଷାଙ୍କୁ ଏ ବିଷୟ ଜଣାଇଦେବେ । ଫେରୁଫେରୁ ତାଙ୍କର ହୁଏତ ସପ୍ତାହେ ଖଣ୍ଡେ ଡେରି ହେବ । ମନୀଷାଙ୍କୁ ଶୁଭେଚ୍ଛା ଜଣାଇବାକୁ କହିଲେ କାଉଲ୍ ।

 

ଦୈନନ୍ଦିନ ସମସ୍ୟାଗୁଡ଼ିକ ଉଡ଼ାଜାହାଜରେ କ୍ଷୁଦ୍ରତର ମନେହୁଏ । ପ୍ରାସାଦଗୁଡ଼ିକ ପିଲାମାନଙ୍କର ପ୍ଲାଷ୍ଟିକ ଖେଳନା ଘର ପରି ଲାଗେ । ରାସ୍ତାଗୁଡ଼ିକ ଦେଖାଯାଏ କାଗଜ ଉପରେ ସରୁ ଗାର ପରି । କିଛି ସମୟ ପରେ ଧଳା ମେଘଗୁଡ଼ାକ ତୁଳାର ଚାନ୍ଦୁଆ ପରି ଦିଶେ । ଜାହାଜ ଯେତେବେଳେ ମେଘ ଉପରକୁ ଉଠେ, ଚାରିଆଡ଼େ ଖାଲି ଶୂନ୍ୟ, ମହାଶୂନ୍ୟ ଦିଶେ । ‘ହାଲୋ କାଉଲ୍ !”

 

“ହାଲୋ ମିସ୍ ।’’ ଏୟାର ହୋଷ୍ଟେସ୍‌ମାନଙ୍କ ଭିତରୁ ଅଧିକାଂଶ କାଉଲ୍‍ଙ୍କର ପରିଚିତ । ଜୀବନର ଅଧାଦିନ ସେ ଏହି ଆକାଶରେ କଟାନ୍ତି । ତା’ଛଡ଼ା ମଝିରେ ମଝିରେ ସ୍ମଗ୍ଲିଂ କରି ଚୋରାମାଲ ସବୁ ନେବା ଆଣିବା କଲାବେଳେ ଏଇମାନଙ୍କ ଭିତରୁ କେତେକ ମଝିରେ ମଝିରେ ସାହାଯ୍ୟ କରନ୍ତି ଘଡ଼ି, ସୁନାହାର କିମ୍ବା ଅର୍ଥ ବଦଳରେ ।

 

କାଉଲ୍ ସବୁଥିପାଇଁ ଉପଯୁକ୍ତ ଦାମ୍ ଦିଅନ୍ତି । ତାଙ୍କର ବିଶ୍ଵାସ, ମୂଲ୍ୟ ଦେଇପାରିଲେ ସଂସାରର ପ୍ରତ୍ୟେକ ପଦାର୍ଥ ପ୍ରାପ୍ୟ । ପାର୍ଥକ୍ୟ ହେଉଛି ମୂଲ୍ୟରେ, ପଦାର୍ଥର ପ୍ରାପ୍ତିରେ ନୁହେଁ ।

 

ଉଡ଼ାଜାହାଜରେ ଯାଇ ସିଙ୍ଗାପୁରରେ ପହଞ୍ଚିଲେ କାଉଲ୍ । କୃତକାର୍ଯ୍ୟତାର ସହିତ ସମାପ୍ତ କଲେ ତାଙ୍କର ବ୍ୟବସାୟଜନିତ ଦାୟିତ୍ଵ । ଉପଭୋଗ କଲେ ସିଙ୍ଗାପୁରର ରାତ୍ରି-ବନ୍ଧୁତ୍ୱ ।

 

ଚାହିଁଥିଲେ ସିଙ୍ଗାପୁରରେ ରହିପାରିଥାନ୍ତେ ଆଉ କିଛିଦିନ । କିନ୍ତୁ ଫେରିଯିବାପାଇଁ ଇଚ୍ଛାହେଲା । ଫେରନ୍ତା ରାସ୍ତାରେ ଭାବିଲେ କାହିଁକି ଆଜି ହଠାତ୍ ଫେରଯିବାପାଇଁ ଚାହିଁଲେ । ତାଙ୍କପାଇଁ ତ କୌଣସି ଦେଶରେ କିଛି ବିଶେଷତ୍ଵ ନାହିଁ । ଦିଲ୍ଲୀ, ଟୋକିଓ, ବେରୁଟ୍‌, ଲଣ୍ଡନ ତାଙ୍କପାଇଁ ସବୁ ସମାନ । ଦିନରେ ବ୍ୟବସାୟଗତ କାମ, ରାତ୍ରିରେ ଉପଭୋଗ । ସମଗ୍ର ପୃଥ‌ିବୀଟା ବାସ୍ତବିକ ଏକ । ଏ କଥା ୱେଣ୍ଡଲ୍ ଉଇଲକି କହିଲା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ି ନାହିଁ-। ସେ ଅଙ୍ଗେ ଲିଭାଇଛନ୍ତି । ପାର୍ଥକ୍ୟ କେବଳ ଏକ୍‌ସଚେଞ୍ଜରେ । ହୁଏତ ଭାଷାରେ ଗୋଟାଏ ଜାଗାରେ ପାଉଣ୍ଡ୍ ତ ଅନ୍ୟ ଜାଗାରେ ଫ୍ରାଙ୍କ୍ I କେଉଁଠି ଇଆନ୍ ତ କେଉଁଠି ଟଙ୍କା-। କେଉଁଠି ଫରାସୀ ତ କେଉଁଠି ଆରବୀ !

 

ଫେରିଆସିଲେ କାଉଲ୍ l ମନର ଝିଲ୍‌ମିଲ୍ ପରଦାର ଅନ୍ତରାଳରେ ଗୋଟାଏ ରୁଗ୍‍ଣ ରୂପ ଝାପ୍‌ସା ଝାପ୍‌ସା ଦିଶିଲା–ମନୀଷାଙ୍କ ରୂପ । ଭାବିଲେ କ’ଣ ଇୟାରି ଏ ଡାକରା ? ବିଚାରୀ ମନୀଷା ! ବନ୍ଧୁ ସୋଦରବିହୀନା, ପିତୃମାତୃହୀନା ମନୀଷା । ଭାବିଲେ ଏ ମମତା ! ମାନବିକତାର, ଏ ସମ୍ପର୍କ ଦୁଃସ୍ଥ ବ୍ୟକ୍ତି ପ୍ରତି ମନୁଷ୍ୟର କର୍ତ୍ତବ୍ୟ ମାତ୍ର ।

 

ଏୟାରହୋଷ୍ଟେସ୍ ଲୀଳା କହିଲା, ‘ଆଶ୍ଚର୍ଯ୍ୟ, କାଉଲ୍ ଆଜି ଶାନ୍ତ ।’’

 

ଆଉ ଜଣେ କହିଲେ, ‘ନାହିଁ ଏଟା ଲଲ୍ ବିଫୋର୍ ଷ୍ଟର୍ମ । ତୋଫାନ ପୂର୍ବରୁ ନିସ୍ତବ୍‌ଧତା-।’’

 

ଲୀଳା କହିଲା, ‘ସିଙ୍ଗାପୁରର ଉଚ୍ଛୃଙ୍ଖଳ ଜୀବନକୁ ଫ୍ଲାସବ୍ୟାକ୍ କରୁଛନ୍ତି ବୋଧହୁଏ ??’

 

କାଉଲ୍ ଲକ୍ଷ୍ୟ କରୁଛନ୍ତି ମାତ୍ର କେଇଦିନ ଭିତରେ ତାଙ୍କର ମାନସିକ ପ୍ରକୃତିରେ କିପରି ଗୋଟିଏ ପରିବର୍ତ୍ତନ ଆସୁଛି । ସାମାନ୍ୟ ହେଲେ ଗୁରୁତ୍ଵପୂର୍ଣ୍ଣ । ଯେଉଁସବୁ ଜିନିଷକୁ ସେ ଉପଭୋଗ କରୁଥିଲେ, ଆଜି ସେସବୁ ତାଙ୍କୁ ସେ ଆନନ୍ଦ ଦେଇପାରୁନାହିଁ । ଯେଉଁ ବାନ୍ଧବୀମାନଙ୍କ ସହିତ ନଗରୀର ଉଲଗ୍ନ ରାତ୍ରିକୁ ନିଃଶେଷ କରି ଦେଉଥିଲେ, ସେମାନେ ଆଜି ହଠାତ୍ ଗନ୍ଧହୀନ, ସ୍ଵାଦହୀନ ହେଲେ । ଯେଉଁ ନାଇଟ୍‌ କ୍ଲବ୍‌ କାବାରେରେ ଅର୍ଦ୍ଧଉଲଗ୍ନ ନର୍ତ୍ତକୀ ତାଙ୍କୁ ରାତ୍ରି ଯାପନରେ ପ୍ରେରଣା ଦେଉଥିଲା, ହଠାତ୍ ମନେହେଲା ସେଗୁଡ଼ାକ କେବଳ ମାଂସପେଶୀର ମାମୁଲି ପ୍ରଦର୍ଶନୀ-। ଯେଉଁ ସୁରା ତାଙ୍କର ପ୍ରତ୍ୟେକ ମୁହୂର୍ତ୍ତର ସଙ୍ଗୀ ଥିଲା, ଏବେ ମନେହେଲା ସେସବୁ ଅବାନ୍ତର-?

 

ସେଦିନ ସିଙ୍ଗାପୁରର କ୍ଳବ୍‌ରୁ ସେ ଶୀଘ୍ର ଫେରିବାକୁ ଚାହିଁଲେ । ଉପହାସ କରି ବନ୍ଧୁ କହିଲେ, ‘ସ୍ଵାମୀଜୀ ! ରାତ୍ରି ହେଲେ ଆଶ୍ରମର ଦ୍ଵାର ହେବ ରୁଦ୍ଧ । ଗୁରୁଦେବ ହେବେ ରୁଷ୍ଟ । ଶୀଘ୍ର ପ୍ରତ୍ୟାବର୍ତ୍ତନ କରନ୍ତୁ ।’’

 

ଭଡ଼ାଜାହାଜ ଝରକାବାଟେ ଆକାଶକୁ ଦେଖୁଥାନ୍ତି କାଉଲ୍ । ମଣିଷର ମନପରି, ଅଭେଦ୍ୟ ଘନ ଆକାଶ । ଚାରିଆଡ଼େ ତାରାସବୁ ବିଛୁଡ଼ିହୋଇ ପଡ଼ିଥାନ୍ତି । ତଳେ ମେଘଗୁଡ଼ାକ ଦିଶୁଥାନ୍ତି କାର୍‌ପେଟ୍ ପରି । ପୁରାଣରେ ଲେଖାଅଛି ଯେଉଁମାନେ ମହାପୁରୁଷ ହୁଅନ୍ତି ସେମାନେ ଏହିପରି ତାରା ହୋଇ ଆକାଶରେ ରହନ୍ତି । ନିଶ୍ଚଳ, ବିଚ୍ଛିନ୍ନ । କିନ୍ତୁ ଖୁବ୍ ନିର୍ଜନ ଲାଗୁଥ‌ିବ । କେହି ସାଥୀ ନାହିଁ, କେହି ବନ୍ଧୁ ନାହିଁ, ଏକାକୀ ।

 

କିନ୍ତୁ ମୁଁ ନିଜେ ବି ତ ଖୁବ୍ ଏକା । ଏକା କାହିଁକି ? ଏତେ ବନ୍ଧୁ, ଏତେ କର୍ମଚାରୀ, ଏତେ ସାଥୀ, ଏତେ ଅର୍ଥ । ଯାହା ଚାହିଁଛି ତା’ ପାଇଛି । ନାହିଁ କେବଳ ସଂସାର । କିନ୍ତୁ ଏ ସଂସାରଟା ତ ପାଦର ବେଢ଼ି । ଉଚ୍ଚକୁ ଉଠିବାପାଇଁ ତୁମର ଅନ୍ତରାୟ ।

 

ଥରେ କୁଆଡ଼େ ଚର୍ଚ୍ଚିଲ୍ ପାଖରେ ଲର୍ଡ଼ ବେଭ୍ରୁକ୍ ବସିଥିଲେ । ଚର୍ଚ୍ଚିଲ୍ ପଚାରିଲେ, ‘‘ମିଷ୍ଟର ବେଭ୍ରୁକ୍‍, ଆପଣଙ୍କ ଜୀବନରେ ବଡ଼ବଡ଼ ଘଟଣାମାନ ବା ମାଇଲଷ୍ଟୋନ୍ ସବୁ କ’ଣ ?’’ ବେଭ୍ରୁକ୍‍ ପ୍ରଥମରେ ଆରମ୍ଭ କରି କହିଲେ, ‘‘ଯେତେବେଳେ ମୋତେ ବାଇଶି ବର୍ଷ, ମୁଁ ବିବାହ କଲି-।’’

 

ଚର୍ଚ୍ଚିଲ ବାଧାଦେଇ କହିଲେ, ‘ବେଭ୍ରୁକ୍‍, ମୁଁ ମାଇଲ୍‌ଷ୍ଟୋନ୍ କଥା କହୁଛି । ମିଲ୍‍ଷ୍ଟୋନ କଥା ନୁହେଁ । ସଂସାର, ସ୍ତ୍ରୀ, ପୁତ୍ର ଏସବୁ ମିଲ୍‍ଷ୍ଟୋନ–ବେକ ଚାରିପଟେ ଚକି ।’’ କାଉଲ୍ ଭାବି ଚାଲିଛନ୍ତି–ଇଆଠୁ ମଜାକଥା ମିଲଟନ୍‌ଙ୍କ ସଂକ୍ରାନ୍ତରେ ଅଛି । ବିବାହ ପରେ ଲେଖିଲେ ‘ପାରାଡାଇସ୍ ଲଷ୍ଟ୍ ।’’ ସ୍ତ୍ରୀ ବିୟୋଗ ପରେ କୁଆଡ଼େ ଲେଖିଥିଲେ–‘ପାରାଡାଇସ୍ ରିଗେନଡ଼୍ ।’’ ଏଇତ ସଂସାର !

 

ଲୀଳା ଆସି କମ୍ବଳ ଦେଇଗଲେ ଶୋଇବା ପାଇଁ । ବତୀସବୁ ଲିଭାଇ ଦିଆଗଲା ଭଡ଼ାଜାହାଜ ଭିତରେ । ତାରାଗୁଡ଼ିକ ଆହୁରି ଉଜ୍ଜ୍ୱଳ ଦିଶିଲେ ଝରକାବାଟେ ।

 

କାଉଲ୍‍ଙ୍କୁ ତନ୍ଦ୍ରା ଘୋଟି ଆସୁଥିଲା । ନିଜ କୋଳ ଭିତରେ ଅନୁଭବ କଲେ ମନୀଷାଙ୍କର ସେହି ଶାନ୍ତ ନିରୀହ ମଥାଟିକୁ । ଚମକି ପଡ଼ିଲେ, କିନ୍ତୁ ସ୍ମୃତିଟି ଭଲ ଲାଗିଲା । ମନେମନେ ଭାବିଲେ ପ୍ରଥମ ଦିନ ଯେପରି ଅସହାୟ ଭାବରେ ପଡ଼ିଥିଲେ, ଯଦି ଜାଗ୍ରତ ଅବସ୍ଥାରେ ସେହିପରି ଭାବରେ ପଡ଼ି ରହନ୍ତେ ! କାଉଲ୍ ଭାବିଲେ, ଏଇଟା ବୋଧହୁଏ ନାରୀର ମାତୃତ୍ୱ । ଯାହା ଆଲୋଡ଼ନ ଦିଏ ନାହିଁ, ଅଥଚ ଦିଏ ପ୍ରଲେପ । ଆସ୍ତେ ଆସ୍ତେ ପୁଣି ନିଦ ଲାଗିଗଲା କାଉଲ୍‌ଙ୍କୁ । କାଉଲ୍ ନିଶ୍ଚିନ୍ତାରେ ଶୋଇପଡ଼ିଲେ ମନୀଷାଙ୍କ ସ୍ମୃତିକୁ କୋଳରେ ଧରି ।

 

କାଉଲ୍ ଉଠିଲା ବେଳକୁ ଆକାଶ ଲାଲ୍ ହୋଇଯାଇଛି, ଆଗାମୀ ସୂର୍ଯ୍ୟଙ୍କର ଆଭାରେ-। କିଛିସମୟ ପରେ ଉଡ଼ାଜାହାଜରୁ ଓହ୍ଲେଇଲେ । ମାନ୍ଦ୍ରାଜରେ ପହଞ୍ଚିବା ସଙ୍ଗେ ସଙ୍ଗେ ଏରୋଡ଼୍ରମରୁ ସିଧା ଗଲେ ମନୀଷାଙ୍କ ପାଖକୁ, ନର୍ସିଂହୋମକୁ ।

 

‘‘ମନୀଷା !’’ କାଉଲ୍ ଡାକିଲେ ।

 

କୌଣସି ଉତ୍ତର ନାହିଁ । ନର୍ସ୍ କହିଲେ, ‘ଶରୀରର ଅସୁସ୍ଥତା ବଢ଼ିଛି । ବିଶେଷତଃ ଗତ ଦୁଇଦିନ ହେବ ।’

 

ନର୍ସଙ୍କୁ ବାହାରକୁ ଡାକିଆଣି କଥାବାର୍ତ୍ତା କଲେ କାଉଲ୍ । ନର୍ସଙ୍କ ମତରେ ଶେଷ ମୁହୂର୍ତ୍ତ ଆଗତପ୍ରାୟ । ପ୍ରଦୀପର ଶିଖାଟି ନିର୍ବାପିତ ହେବାପାଇଁ ଆଉ କେତୋଟି ଦିନ ମାତ୍ର ବାକି । ସେଥ‌ିପାଇଁ କେବଳ ଅପେକ୍ଷା କରିବାର କଥା । ଏହାଛଡ଼ା ନିୟତିର ଏ ପରିଣତିକୁ ରୋକିବା ହୁଏତ ବିଡ଼ମ୍ବନା ମାତ୍ର ।

 

ନିଜ ଭିତରେ ଗୋଟାଏ ଅସୁସ୍ଥତା ଅନୁଭବ କଲେ କାଉଲ୍ । ସଙ୍ଗେ ସଙ୍ଗେ ଗଲେ ମନୀଷାଙ୍କ ଡାକ୍ତର ପାଖକୁ । ପଚାରିଲେ, ‘‘ମନୀଷାଙ୍କ ଅବସ୍ଥା କିପରି ?”

 

ଡାକ୍ତର କହିଲେ, ‘କ୍ରମେ କ୍ରମେ ଅସୁସ୍ଥତା ଆମର ଆୟତ୍ତର ବାହାରେ ହୋଇଯାଉଛି । ତୁରନ୍ତ ଅପରେସନ୍ ଆବଶ୍ୟକ । ଅନ୍ତତଃ ପନ୍ଦର ଦିନ ଭିତରେ ।’’

 

“କେଉଁଠି ଅପରେସନ୍ ସମ୍ଭବ ?’’ –ପଚାରିଲେ କାଉଲ୍ ।

 

ଏଠି ଅବଶ୍ୟ କରାଯାଇପାରେ । କିନ୍ତୁ ଗ୍ୟାରେଣ୍ଟି ନାହିଁ । ବରଂ ଯଦି ସମ୍ଭବ ହୁଏ ଚେଷ୍ଟା କରନ୍ତୁ ଭାରତ ବାହାରେ । ସୁଇଜରଲାଣ୍ଡର ଡିଉରିକରେ । ଡକ୍ଟର ଆଣ୍ଡ୍ରୁଜ୍‍ଙ୍କ ପାଖରେ ।’’ ଇତିମଧ୍ୟରେ ମୁଁ ତାଙ୍କ ସହିତ ସୁଦୀର୍ଘ ପରାମର୍ଶ କରିଛି । ସେ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ମନୀଷାଙ୍କ ଜୀବନ କାଉଲ୍‌ଙ୍କ ପ୍ରତି ଆଜି ଗୋଟାଏ ଚାଲେଞ୍ଜ ପରି ମନେହେଲା । ନିଜର ସମଗ୍ର ଅତୀତ ବର୍ତ୍ତମାନ ଯେପରି ହୁଙ୍କାର ଦେଉଛି କାଉଲ୍‍ଙ୍କୁ–‘‘ଚାହାଁ, ଦିନେ ତୁ ବି ଏପରି ଅସହାୟ ଥିଲୁ, ଦରିଦ୍ର ଥିଲୁ ରୁଗ୍‌ଣ ଥିଲୁ । ଭାଗ୍ୟ ତତେ ବଞ୍ଚାଇଲା । କିନ୍ତୁ ପାରିବୁ ଏହାକୁ ବଞ୍ଚାଇ ? କେତେ ତୋର ଶକ୍ତି, କେତେ ତୋର ବିତ୍ତ ? ଦେଖି ତୋର ସାମର୍ଥ୍ୟ ! ପରିଚୟ ଦେ ତୋ ପୌରୁଷର !’’

 

ଭାବିଲେ କାଉଲ୍–‘‘ଠିକ୍ ଅଛି, ମୁଁ ଗ୍ରହଣ କରିବି ଏ ଚାଲେଞ୍ଜ । ବଞ୍ଚେଇବି ଏ ମନୀଷାକୁ । ଏ ମୋର ଜୀବନର ଗୋଟାଏ ବିଗତ ଅତୀତ ଅଧ୍ୟାୟ । ଯାହା ଦାମ୍ ଦେବାକୁ ପଡ଼ୁ ପଛକେ ।’’

 

ସେଇ ଜୁଆଡ଼ିର ନିଶା । ଯେଉଁ ନିଶାରେ ଘୋଡ଼ା ଖେଳରେ ବରବାଦ ହୋଇ ଯାଉଥିଲେ, ଯେଉଁ ନିଶାରେ ଛାଡ଼ିଲେ ଚେୟାରମ୍ୟାନ୍ ପଦ, ସେଇ ନିଶାରେ ଜୀବନକୁ ଦୁଇହାତ ମୁଠାରେ ଧରି ଫିଙ୍ଗି ଦେଇପାରନ୍ତି ଏ କାଉଲ୍ । କରିପାରନ୍ତି ନିଜକୁ ବିଲୟ, ନିଶ୍ଚିହ୍ନ ।

 

ଡାକ୍ତରଙ୍କୁ କହିଲେ, ‘ଆପଣ ଆୟୋଜନ କରନ୍ତୁ । ଡକ୍ଟର ଆଣ୍ଡ୍ରୁଜ୍‍ଙ୍କୁ ଲେଖନ୍ତୁ । ଡାକ୍ତରଖାନା ସ୍ଥିର କରନ୍ତୁ ସୁଇଜର୍‌ଲାଣ୍ଡରେ । ମୁଁ ନିଜେ ଯିବି ମନୀଷାଙ୍କୁ ନେଇ ! ଯଦି ଅନୁକୂଳ ପରିସ୍ଥିତି ଆସେ, ତେବେ ଏହି ସପ୍ତାହକ ଭିତରେ ।”

 

ଆୟୋଜନ କଲେ ପାସ୍‍ପୋର୍ଟ, ଭଡ଼ାଜାହାଜ ଟିକେଟ୍‌–ମନୀଷା ପାଇଁ । ନିଜପାଇଁ ସବୁବେଳେ ଏସବୁ ପ୍ରସ୍ତୁତ ଥାଏ ।

 

ମନୀଷାଙ୍କ ଅବସ୍ଥା ଦିନକୁ ଦିନ ଅସୁସ୍ଥ ହୋଇ ଆସୁଛି । ଶୁଖିଲା ଓଠ ଉପରେ ଅସଂଖ୍ୟ ଗହିରିଆ ଦାଗ ପଡ଼ିଛି । ଆଖିର ତଳ କଳା ଦିଶୁଛି । ଅଙ୍ଗୁଳିଗୁଡ଼ିକ ମଉଳି ପଡ଼ିଲାଣି । କମିନାହିଁ କେବଳ ତାଙ୍କ ନିବେଦନ । ତାଙ୍କର ଅସହାୟତା !

 

‘ମନୀଷା ! ମୁଁ କାଉଲ୍, ଫେରିଆସିଛି ସିଙ୍ଗାପୁରରୁ ।’’ ସେହି ବିନତିପୂର୍ଣ୍ଣ ଦୃଷ୍ଟିରେ କୃତଜ୍ଞତା ଜଣାଇଲେ ମନୀଷା । କିଛି ସମୟ ପାଇଁ ଆଖି ଖୋଲିଲେ । ତା’ପରେ ନିର୍ଜୀବ ହୋଇ ପଡ଼ିରହିଲେ ।

 

ମନୀଷାଙ୍କ ଦୁଇହାତକୁ ଧରି କାଉଲ୍ କହିଲେ, ‘‘ଶୁଣ ମନୀଷା, ଚାହେଁ ତମକୁ ସୁଇଜର୍‍ଲାଣ୍ଡ୍ ନେବି । ଏଠି କାହାର ମତ ଲୋଡ଼ା ?’’

 

ମନୀଷାଙ୍କର ଦୁଇଟି କ୍ଷୁଦ୍ର ପାପୁଲି କାଉଲ୍‍ଙ୍କ ହାତ ଭିତରେ ବିନା ପ୍ରତିବାଦରେ କିଛି ସମୟ ରହି ଆସ୍ତେ ଆସ୍ତେ ଅପସରି ଗଲା । ମନୀଷା କୌଣସି ଉତ୍ତର ଦେବା ଅବସ୍ଥାରେ ନ ଥିଲେ ।

 

କାଉଲ୍ ଖୋଜିଲେ ଅର୍ଥ । ଏତେ ଟଙ୍କା ତାଙ୍କ ପାଖରେ ନଥାଏ । ବିଭିନ୍ନ ଏଜେଣ୍ଟମାନଙ୍କୁ ଜଣାଇଲେ । ପରିସ୍ଥିତିର ଉନ୍ନତି ହେଲା; କିନ୍ତୁ ଆବଶ୍ୟକତା ପୂରଣ ହେଲା ନାହିଁ । ମାନ୍ଦ୍ରାଜ୍‌ରେ ଗୋଟାଏ ଛୋଟ କାରଖାନା ଥିଲା ତାଙ୍କର । ତାକୁଇ ପାଣି ଦରରେ ବିକ୍ରି କରିଦେଲେ ଶୀଘ୍ର ଅର୍ଥର ବନ୍ଦୋବସ୍ତ ପାଇଁ ।

 

ସପ୍ତାହକ ପରେ ଉଡ଼ାଜାହାଜରେ ନେଇଗଲେ ମନୀଷାଙ୍କୁ ସୁଇଜରଲାଣ୍ଡ୍ । ନିସ୍ତେଜ ନିର୍ବାକ ମନୀଷାଙ୍କ ମଥାଟିକୁ କୋଳରେ ଧରି ଆକାଶକୁ ଚାହିଁଥାନ୍ତି କାଉଲ୍ । ସିଙ୍ଗାପୁରରୁ ଆସିବାର ସେଇ ସ୍ଵପ୍ନ ଆଜି ଯେପରି ସଫଳ ହୋଇଛି । ଭାବୁଥାନ୍ତି ଯଦି ତୁମେ ଭଗବାନ କେଉଁଠି ଥାଅ, ଏ ଦୂର ଆକାଶରେ, ତା’ହେଲେ ବଞ୍ଚାଅ ମୋ ମନୀଷାକୁ । ତା’ର ମଙ୍ଗଳ କର ।

 

ଉଡ଼ାଜାହାଜ ପହଞ୍ଚିଲା ଡିଉରିକରେ । ପୂର୍ବ ନିର୍ଦ୍ଧାରିତ ପ୍ରୋଗ୍ରାମ ଅନୁସାରେ ସାର୍ ଆୟୁଜ୍ ଅପେକ୍ଷା କରିଥାନ୍ତି ତାଙ୍କ ଡାକ୍ତରଖାନାରେ । ପରୀକ୍ଷା କଲେ ମନୀଷାଙ୍କ ଶରୀରକୁ । ଟିକେ ଅବସ୍ଥାର ଉନ୍ନତି ହେଲେ ଅପରେସନ୍ ହେବ । ଅବଶ୍ୟ ଦିନେ ଦୁଇଦିନ ଅପେକ୍ଷା କରିବାକୁ ପଡ଼ିବ ।

 

କାଉଲ୍ ଜୀବନରେ ଅନେକ ଶାରୀରିକ କଷ୍ଟ, ମାନସିକ ଚିନ୍ତା ଭୋଗିଛନ୍ତି । କିନ୍ତୁ ଏ ଦୁଇଦିନ ପ୍ରତୀକ୍ଷାରେ ଦୁଶ୍ଚିନ୍ତାର ଆଉ ପଟାନ୍ତର ନାହିଁ । ଅପରେସନ୍ ଅବଶେଷରେ ହେଲା । କୃତକାର୍ଯ୍ୟ ହେଲେ ଡକ୍ଟର୍‌ ଆଣ୍ଠୁକ୍ । କୃତକାର୍ଯ୍ୟ ହେଲେ କାଉଲ୍ । କାଉଲ୍ କୃତଜ୍ଞତା ଜ୍ଞାପନ କଲେ ଡାକ୍ତରଙ୍କ ପାଖରେ !

 

କାଉଲ୍ ଜଗିବସିଥାନ୍ତି ମନୀଷାଙ୍କ ବିଛଣା ପାଖରେ । ଦିନ ରାତି । ମଝିରେ ମଝିରେ ମନୀଷା କେବଳ ଚାହାନ୍ତି–ସେଇ ଦୃଷ୍ଟି, ସେଇ ବିନତି ।

 

ମନୀଷା ସୁସ୍ଥ ହେଲେ । ଉଠି ବସିଲେ । ଆସ୍ତେ ଆସ୍ତେ ଚାଲିବାପାଇଁ ଆରମ୍ଭ କଲେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଭାରତ ଫେରିବାପାଇଁ ଅନ୍ତତଃ ଦୁଇମାସ ସମୟ ଲାଗିବ ।

 

ଦିନେ ମନୀଷା କହିଲେ, ‘କାଉଲ୍ ସାହେବ, ମୁଁ ଭଗବାନରେ ବିଶ୍ଵାସ କରେ ନାହିଁ । କିନ୍ତୁ ଯଦି କେହି ଥାନ୍ତି, ତା’ହେଲେ ଆପଣ ହେଉଛନ୍ତି ମୋ ପାଇଁ ଅବତାର ।’’

 

କାଉଲ୍ ଫୁଲର ତୋଡ଼ାଟିକୁ ସଜାଉଥାନ୍ତି ମନୀଷାଙ୍କ ବିଛଣା ପାଖରେ । ‘‘ମୋପାଇଁ ଅନେକ ଯନ୍ତ୍ରଣା ପାଇଲେଣି । କ’ଣ ଦେଇ ଏ ଋଣ ଶୁଝିବି ମୁଁ ସ୍ଥିର କରି ପାରୁନାହିଁ ।’’

 

କାଉଲ୍ ବିଜୟୀର ଦୃଷ୍ଟିରେ ଚାହୁଁଥାନ୍ତି ମନୀଷାଙ୍କୁ ।

 

ଭାରତ ଫେରିଯିବାର ସମୟ ପାଖେଇ ଆସିଲା । ମନୀଷା କହିଲେ, “କାଉଲ୍ ସାହେବ, ଆଜି ଆପଣଙ୍କୁ ମୋ’ ପାଇଁ ସେକ୍ରେଟେରୀର କାମ କରିବାପାଇଁ ପଡ଼ିବ । କେତେଖଣ୍ଡି ଚିଠି ମୋ’ପାଇଁ ଆପଣ ଲେଖିବେ ଅନୁଗ୍ରହ କରି ।’’

 

ଚିଠି ଲେଖିଲେ ବମ୍ବେ, କଲିକତାର ବନ୍ଧୁବାନ୍ଧବମାନଙ୍କ ପାଖକୁ । ଖବର ପଠାଇଲେ ଆତ୍ମୀୟ ସ୍ୱଜନମାନଙ୍କୁ । ଚଟାଣରେ ବିଛେଇ ହୋଇ ପଡ଼ିଥିବା ମାଳି ସବୁକୁ ଯେପରି ସମୟ ପାଇଲେ ଏକତ୍ର କରି ପୁଣି ଗୁନ୍ଥା ହୁଏ, ମନୀଷା ଆଜି ତାଙ୍କ ବିକ୍ଷିପ୍ତ ଦୁନିଆର ବ୍ୟକ୍ତିମାନଙ୍କୁ ପୁଣି ସଂଯୋଗ କରୁଛନ୍ତି ।

 

ଦିନେ ମନୀଷା କହିଲେ, ‘କାଉଲ୍ ସାହେବ, ଦେଶକୁ ଫେରିଗଲେ କ’ଣ କରିବେ ? ପାତିବେ ସଂସାର, ସ୍ତ୍ରୀ-ପୁତ୍ର-କନ୍ୟା । ସ୍ନେହ ସହାନୁଭୂତିରେ ଉଦ୍ଭାସିତ ହେବ ଆପଣଙ୍କ ଜୀବନ । ନାରୀ ହେବ ସୌଭାଗ୍ୟବତୀ ନା ?’’

 

କାଉଲ୍ କହିଲେ, ‘‘ମନୀଷା, ମୋତେ ଯଦି ସମ୍ୟକ୍ ଭାବରେ ଜାଣିବ, ତା’ହେଲେ ବୁଝିବ ମୁଁ ମିଥ୍ୟା, କ୍ଷଣସ୍ଥାୟୀ, ଅସତ୍ୟ ।’’

 

କଥାରେ ବାଧାଦେଲେ ମନୀଷା ।

 

ସତ୍ୟ, ଅସତ୍ୟ, ବିବାଦର ସମାଧାନ ହୋଇଯାଇଛି, କାଉଲ୍ ସାହେବ ।’’ ଥରେ ବାଦଲ କହିଲା–ମଳୟକୁ–‘ମଳୟ, ସତ୍ୟ କ’ଣ ?

 

ସୃଷ୍ଟିର ଶୀର୍ଷରେ ଏ ଯେଉଁ ଉଦ୍ଦୀପକ ସୂର୍ଯ୍ୟ, ପୃଥ‌ିବୀର ବକ୍ଷ ଉପରେ ଏହି ମହୀୟସୀ ହିମାଳୟ, ଏହି ମାନେ କ’ଣ କେବଳ ସତ୍ୟ ? ଆଉ ତୁ ଯେ ଅଦୃଶ୍ୟ ଅନୁଭୂତିରହିତା, ଅନ୍ୟଥା ଅନଭୋଗ୍ୟ, ଆଉ ମୁଁ ଯେଉଁ କ୍ଷୁଦ୍ର ଅହେତୁକ ଜଳକଣାର ସମଷ୍ଟି–ଆମେ କ’ଣ ଅସତ୍ୟ, ଅଚିରଞ୍ଜୀବୀ, କ୍ଷଣିକ ?

 

ମଳୟ କହିଲା– ‘ବାଦଲ, ସୃଷ୍ଟିର ଏ ପରିସ୍ଥିତିରେ ଆମପ୍ରତି ଏହି ଅଭିଯୋଗ ସତ୍ୟ । ସୂର୍ଯ୍ୟର ପ୍ରଖରତା, ହିମାଳୟର ଆଧିପତ୍ୟ, ଜଗତରେ ଅବଶ୍ୟ ସ୍ଵୀକାର୍ଯ୍ୟ । ଅରୂପ ମୁଁ, ଅସ୍ପଷ୍ଟ ତୁ । ତେଣୁ କ୍ଷଣସ୍ଥାୟୀ ଓ ଅସତ୍ୟ ହୁଏତ ଆମେ ।

 

କିନ୍ତୁ ଜାଣୁ, ଥରେ ମୋର ଗଭୀର ଆଲିଙ୍ଗନ ଭିତରକୁ ଆ । ମୋରି ଆଲିଙ୍ଗନ ଭିତରେ ତୁ ହୋଇଯା ନିଶ୍ଚିହ୍ନ । ମିଳନ ହେଉ ଦୃଢ଼, ଅଭେଦ୍ୟ, ସମ୍ପୂର୍ଣ୍ଣ । ଏଇ ଗଭୀରତା, ଏଇ ଆଲୋଡ଼ନ, ଏଇ ଆଲିଙ୍ଗନ ଭିତରୁ ଉତ୍ପତ୍ତି ହେବ ଧୂମ୍ର, ବିଦ୍ୟୁତ୍, କମ୍ପନ । ସେ ଚାଞ୍ଚଲ୍ୟରେ ଅନ୍ଧକାର ହେବ ସୂର୍ଯ୍ୟ, ଅବଗୁଣ୍ଠିତ ହେବ ହିମାଳୟ ।’’

 

ସତ୍ୟ ହେଉଛି ଏଇ ଆତ୍ମୀୟତା, ଏଇ ଆଲିଙ୍ଗନ, ଏଇ ମିଳନ । ଯାହା ସୃଷ୍ଟି କରିପାରେ ମଧ୍ୟ ପ୍ରଳୟ ।

 

କାଉଲ୍ ଅନାଇଥାନ୍ତି ମନୀଷାଙ୍କୁ । ଦେଖୁଥାନ୍ତି ନିଜର ଅତୀତକୁ । ସଲିମ୍‍ର ବନ୍ଧୁତା । ବେଶ୍ୟାଘରର ଫୁଲବିକାଳି, ମଦ୍ୟପ, ଲମ୍ପଟ, ଜୁଆଡ଼ୀ ଏ କାଉଲ୍ । ମନୀଷା ସଦ୍ୟ ପ୍ରସ୍ଫୁଟିତ, ନିରୀହ, କୋମଳ କଳିକା । ଦେବତାର ଶରୀରରେ ଏହାଙ୍କର ଯୋଗ୍ୟ ସ୍ଥାନ ।

 

ମନୀଷା ମୋ’ ଭିତରେ ଦେଖିଛନ୍ତି କେବଳ ଦୀପ୍ତ ଆଭା, ବିସ୍ତୃତ ମନୁଷ୍ୟତା । ଯେଉଁଦିନ ଦେଖିବେ ଯେ କାଉଲ୍ ଭିତରେ ଗୋଟିଏ ଅନ୍ଧକାର ଗହ୍ଵର ମଧ୍ୟ ଅଛି, ତା’ର ରୂପ ବିକଳାଙ୍ଗ, ସେଠି ଅଛି ସଲିମ୍, ସେଠି ଅଛି ନୀରା, ବାଈଜୀ ଓ ଆହୁରି ଅନେକ, ସେଠି ମଦ୍ୟପର ସଂସ୍ଥା, ଜୁଆଡ଼ୀର ଖେଳ, କଳାବଜାରର ଆଡ଼୍‍ଡା ଚାଲେ–ସେତେବେଳେ ନଷ୍ଟ ହେବ ମନୀଷାଙ୍କର କୋମଳତା, ବିଚାରୀ ହେବେ କ୍ଷତବିକ୍ଷତ । ହୁଏତ ଗୁଡ଼େଇ ହୋଇ ରହିବେ ମନୀଷା । କିନ୍ତୁ ସେଟା ହେବ ପାଦପକୁ ବେଢ଼ି ମୃତ ଲତାର ଜୀବନ । ସାରା ଜୀବନଟା ଗୋଟାଏ ଗଭୀର ଦୀର୍ଘଶ୍ଵାସ ହୋଇଉଠିବ ।

 

ମନୀଷା ବି କ୍ଷମା ଦେଇପାରନ୍ତି । କିନ୍ତୁ କ୍ଷମା ଦେବେ କାହାକୁ ? ତାଙ୍କର ତ କିଛି ପାପ ନାହିଁ, କିଛି ଭ୍ରମ ନାହିଁ । ଜୀବନରେ ଯାହା କରିଛନ୍ତି ତା’ ପାଇଁ ତ କେବେ ତାଙ୍କର ଅନୁତାପ ହୋଇନାହିଁ ! ପରିବର୍ତ୍ତନ କରିବେ ସେ କଳାବଜାର ? ପରିବର୍ତ୍ତନ କରିବେ ସେ ଜୁଆର ନିଶା ? କିନ୍ତୁ କାହିଁକି ?

 

ପଚାରିଲେ, ‘‘ମନୀଷା, ତୁମେ ଫେରିଗଲେ କ’ଣ କରିବ ? ସଂସାର ପାତିବ, ପାଇବ ସ୍ଵାମୀ-ପୁତ୍ର-କନ୍ୟା । ସେଇ ଯେଉଁ ଚିତ୍ର ଦେଖୁଥିଲ ଡାକ୍ତରଖାନାରେ ।’’

 

ମନୀଷା କହିଲେ, ‘କାଉଲ୍ ସାହେବ ! ଯଦି ମୁଁ କହେ ଯେ ମୁଁ ଚାହେଁ ସଂସାର ପାତିବା ପାଇଁ, ତୁମେ ସାହାଯ୍ୟ କରିବ ?’’

 

‘‘ମନୀଷା ତୁମକୁ ଗୋଟାଏ ପ୍ରଶ୍ନ କରିବାର ଅଛି । ମନେକର ତୁମେ ଯାହାକୁ ବିବାହ କଲ, ସେ ମଦ୍ୟପ, ଲମ୍ପଟ, ଜୁଆଡ଼ୀ, ମିଥ୍ୟାବାଦୀ, ପ୍ରତାରକ, ତୁମେ କ’ଣ କରିବ ?’’

 

‘‘କାଉଲ୍ ସାହେବ ! ପ୍ରତ୍ୟେକ ନାରୀ ଯାହା କରନ୍ତି, ମୁଁ ମଧ୍ୟ ସେଇଆ କରିବି–ଆତ୍ମହତ୍ୟା । କିନ୍ତୁ ଜାଣ, ମୁଁ ଯେଉଁ ପୁରୁଷକୁ ଚାହିଁବି ସେ ସ୍ଵୟଂ ରାମଚନ୍ଦ୍ର । ମଣିଷ ଏତେ ବଡ଼ ହୋଇପାରେ, କାହାର କଳ୍ପନାରେ ନଥ‌ିବ । ଏତେ ରୂପବାନ୍ ହୋଇଥିବ, କେହି ଚିତ୍ର କରିପାରିବେ ନାହିଁ । ତା’ର ସ୍ପର୍ଶ ଆବଶ୍ୟକ ନାହିଁ, ତା’ର ଉପସ୍ଥିତି କେବଳ ମୋର ସମସ୍ତ ଜୀବନପାଇଁ ଯଥେଷ୍ଟ-। ସାରା ଜୀବନ କେବଳ ତାକୁ ଚାହିଁ ଚାହିଁ ବିତେଇ ଦେଇପାରିବି ।’’

 

‘‘ମନୀଷା, ମନୁଷ୍ୟର ବି ପରିବର୍ତ୍ତନ ହୁଏ ।’’

 

ମନୀଷା ଉତ୍ତର ଦେଲେ, ‘ଅସମ୍ଭବ କାଉଲ୍ ସାହେବ ! ମୋ ରାମଚନ୍ଦ୍ର ଚିରଦିନ ରାମଚନ୍ଦ୍ର ହୋଇ ରହିବେ ।’’

 

–ମନେ ମନେ ଭାବିଲେ, ରାବଣ ବି ରାମଚନ୍ଦ୍ର ହୋଇପାରେ । କିନ୍ତୁ ମୁଁ ତ ରାବଣ ନୁହେଁ । କିଛି ତ ଅନ୍ୟାୟ କରି ନାହିଁ; କାହାର ତ କ୍ଷତି କରି ନାହିଁ; ତଥାପି କାହିଁକି ଏ ଅଭିଯୋଗ ସମାଜର ?

 

ମନୀଷା ପଚାରିଲେ, ‘‘କାଉଲ୍ ସାହେବ, ଆପଣ ଦିନେ ବି ନିଜ କଥା କିଛି କହିଲେ ନାହିଁ । ଆପଣଙ୍କ ଅତୀତ, ଆପଣଙ୍କର ପରିବାର, ଆପଣଙ୍କର ଭବିଷ୍ୟତ । ଆପଣଙ୍କର ମହତ୍ତ୍ୱର ପରିଚୟ ପାଇଲି କିନ୍ତୁ ଜାଣିପାରିଲି ନାହିଁ ଇତିହାସ ।’’

 

ନିରୁତ୍ତର ରହିଲେ କାଉଲ୍ । କିଛି ସମୟ ପରେ କହିଲେ, ‘‘ସମୟ ସୁଯୋଗ ଆସିଲେ ନିଜେଇ ଜାଣିପାରିବ ମନୀଷା !”

 

ଦିନେ କାଉଲ୍‌ଙ୍କର ଦେହ ଖରାପ ହେଲା । ଦେହର ତାପ, ମୁଣ୍ଡର ବ୍ୟଥା କ୍ରମଶଃ ବଢ଼ିଲା । ସେଦିନ ସନ୍ଧ୍ୟାରେ କାଉଲ୍ ଆଉ ନର୍ସିଂହୋମ୍‌କୁ ଯାଇପାରିଲେ ନାହିଁ । ସେଦିନ ସନ୍ଧ୍ୟାରେ ଆଉ ଦେଖାହେଲା ନାହିଁ ମନୀଷାଙ୍କ ସାଙ୍ଗରେ ।

 

ରାତି ସେତେବେଳକୁ ବାରଟା ବାଜିବ । ଦୁଆର ମୁହଁରେ ରିଂ ବାଜିଲା । ଉଠିଲେ କାଉଲ୍ ଖୁବ୍ କଷ୍ଟରେ । ଦେଖିଲେ ନର୍ସକୁ ସାଙ୍ଗରେ ନେଇ ମନୀଷା ପହଞ୍ଚିଛନ୍ତି । ହାତ ଧରି କାଉଲ୍‌ଙ୍କୁ ବିଛଣାରେ ଶୋଇପକାଇଲେ । ଦେହକୁ ଢାଙ୍କିଦେଲେ କମ୍ବଳରେ । କାଉଲ୍‌ଙ୍କ ଦୁଇ ହାତକୁ ନିଜ ମୁଠାରେ ରଖି ମନୀଷା ଚାହିଁ ରହିଥାନ୍ତି କାଉଲ୍‍ଙ୍କୁ । ଆଖିରେ ଲୁହ ଭରି ଯାଇଥାଏ । କାଉଲ୍ କହିଲେ, ‘‘ମନୀଷା ଠିକ୍ କଲ ନାହିଁ । ଭୁଲିଯାଅ ନାହିଁ ଯେ ତୁମେ ଏବେବି ଅସୁସ୍ଥ । ରାତ୍ରିର ଏତେ ଶୀତଳତାରେ ତୁମର ବାହାରକୁ ଆସିବା କ୍ଷତିକାରକ ।’’

 

ମନୀଷା କହିଲେ, ‘କାଉଲ୍, ତୁମେଇ କ’ଣ କେବଳ ତ୍ୟାଗର ଧ୍ଵଜା ବାନ୍ଧୁଥ‌ିବ ? ଅନ୍ୟମାନେ କ’ଣ ଏତେ ଅମଣିଷ ?’’

 

ସେଦିନ ରାତିରେ ମନୀଷା ଶୋଇରହିଲେ କାଉଲ୍‍ଙ୍କ ପାଦତଳେ ।

 

ପ୍ରଭାତ ହେଲା । କାଉଲ୍ ଦେଖିଲେ ମନୀଷା ସେଇ ସାନ ବିଛଣାରେ ତାଙ୍କରି ଗୋଡ଼ତଳେ, କମ୍ବଳଟିର ଗୋଟିଏ କୋଣ ଭିତରେ ଆଶ୍ରା ନେଇ ଶୋଇ ରହିଛନ୍ତି । ଉଠି ବସିଲେ କାଉଲ୍ । କମ୍ବଳଟିକୁ ଘୋଡ଼ାଇଦେଲେ ମନୀଷାଙ୍କ ଦେହରେ । ଚାହିଁ ରହିଲେ ତାଙ୍କ ମୁହଁକୁ । ସେଇ ବେଳର ଦୃଶ୍ୟ । କୋମଳ ଅଧରା, ନମ୍ର-ନେତ୍ରା, ଶାନ୍ତା, ସୁପ୍ତା । ଏଥର ସେ ମାତ୍ର ନାରୀ ନୁହେଁ । ସେ ମନୀଷା । ତାଙ୍କ ହୃଦୟର ମନୀଷା । ତାଙ୍କ ଜୀବନର ଅଂଶ ।

 

ଦୁର୍ବଳ ଲାଗିଲା କାଉଲ୍‍ଙ୍କୁ । ଅଧିକ ସମୟ ବସିପାରିଲେ ନାହିଁ । ପୁଣି ଶୋଇରହିଲେ ବିଛଣାରେ । କିଛି ସମୟ ପରେ ମନୀଷା ଉଠି ଆସିଲେ ବିଛଣାରୁ । କାଉଲ୍‌ଙ୍କ କପାଳ ଛୁଇଁଲେ । ଦେଖିଲେ ଉତ୍ତାପ କମି ନାହିଁ । ବ୍ୟସ୍ତ ହେଉଛନ୍ତି କାଉଲ୍ । ମୁଣ୍ଡଟିକୁ କୋଳରେ ଧରି ଆସ୍ତେ ଆସ୍ତେ ଆଉଁସିଲେ ।

 

ଡାକ୍ତର ଡକାଇଲେ । ନଇଁ ଆସିଲା । ପଥ୍ୟ ବ୍ୟବସ୍ଥା କଲେ । ବଜାରରୁ କିଣିଆଣିଲେ ଔଷଧ । ନିଜ ହାତରେ ଖୁଆଇଲେ କାଉଲ୍‌ଙ୍କୁ । ସେବା କଲେ, ଯତ୍ନ ନେଲେ ।

 

ବିତିଗଲା ତିନି ଚାରି ଦିନ । ଇତିମଧ୍ୟରେ ମନୀଷା ତାଙ୍କର ନର୍ସିଂହୋମ୍‌କୁ ଆଉ ଫେରିଯାଇ ନାହାନ୍ତି । ଡିଉରିକରେ ସେତେବେଳେ ଅଧିକ ଶୀତ । କାଉଲ୍ କହିଲେ, ‘ମନୀଷା, ବର୍ତ୍ତମାନ ଆମ ଦୁଇଜଣଙ୍କର କୁଇଟ୍ସ ହୋଇଗଲା । ମୁଁ ତୁମର ଦିନେ ସେବା କରିଥିଲି, ତୁମେ ସୁଧ, ମୂଳ ଦେଇ ଶୁଝିଦେଇଛ ।’’

 

କାଉଲ୍ ବସିଥାନ୍ତି ଗୋଟିଏ ଚେୟାର ଉପରେ । ତଳେ କାର୍ପେଟ ଉପରେ ବସିଥାନ୍ତି ମନୀଷା । କାଉଲ୍‌ଙ୍କ ପାଦଉପରେ ଆଶ୍ରାକରି ମନୀଷା କହିଲେ, ‘‘ହିନ୍ଦୁଧର୍ମରେ ଅଛି, ତୁମେ ପାପକଲେ ସେଥ‌ିପାଇଁ ଦିନେ ଦଣ୍ଡିତ ହେବ, ପୁଣ୍ୟ କଲେ ସେଥ‌ିପାଇଁ ପାଇବ ପୁରସ୍କାର । ଜଣେ ଯଦି ପାପ ଓ ପୁଣ୍ୟ କରେ, ସେଥିପାଇଁ ତା’ର ଦଣ୍ଡ ଓ ପୁରସ୍କାର କଟାକଟି ହୋଇଯିବ ନାହିଁ । ଦୁଇଟିକୁ ଭୋଗ କରିବାକୁ ହିଁ ପଡ଼ିବ । ସେପରି ତୁମର ସେବାପାଇଁ ତୁମେ ପାଇବ ତୁମର ପ୍ରାପ୍ୟ ଆଉ ମୋ ସେବାପାଇଁ ମୁଁ ପାଇବି ମୋର ପ୍ରାପ୍ୟ । ଦୁଇଟିର କୁଇଟସ୍ ହେବ ନାହିଁ ।’’ ଦୁଇ ହାତକୁ ଆଞ୍ଜୁଳା କରି ମନୀଷା ଦେଖାଇଲେ କାଉଲ୍‍ଙ୍କୁ । କହିଲେ, ‘ମୋର ପ୍ରାପ୍ୟ ମୋତେ ଦିଅ କାଉଲ୍ !”

 

କାଉଲ୍ ସେ ଆଞ୍ଜୁଳିଟିକୁ ନିଜ ହାତରେ ପୂରାଇ ରଖି କହିଲେ, ‘‘ମନୀଷା, ତୁମେ କହିଲ ପାପ କଥା । ପାପ କହିଲେ ତୁମେ କ’ଣ ବୁଝ ?’’

 

ମନୀଷା ଉତ୍ତର ଦେଲେ ‘ଯାହା ସାରା ଜଗତ ବୁଝେ ।’’ କାଉଲ୍ ପଚାରିଲେ–‘‘ଯଥା ?’’

 

‘‘ଯଥା–ସୁରାପାନ, ନାରୀସମ୍ଭୋଗ, ଜୁଆ, ଅସତ୍ୟ, ମିଥ୍ୟା ଇତ୍ୟାଦି ।’’

 

କାଉଲ୍ ମନୀଷାଙ୍କ ହାତକୁ ମୁକ୍ତ କଲେ । ନିଜର ରୂପ ଗମ୍ଭୀର ହୋଇଗଲା । ଅସ୍ୱସ୍ତି ଅନୁଭବ କଲେ କାଉଲ୍ ।

 

ତା’ର କିଛିଦିନ ପରେ ମନୀଷା କହିଲେ, ଡାକ୍ତରଙ୍କ ସାଙ୍ଗରେ କାଲି ପରାମର୍ଶ କରିଥିଲି-। ତାଙ୍କ ମତରେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ । ଫେରିବାପାଇଁ ସ୍ୱୀକୃତି ଦେଇଛନ୍ତି । ତୁମର ଦେହପାଇଁ ତାଙ୍କ ମତରେ ଭାରତର କ୍ଲାଇମେଟ୍ ଉପଯୁକ୍ତ । ତା’ଛଡ଼ା ମୁଁ ମଧ୍ୟ ଫେରିଯିବାକୁ ଚାହେଁ-। ଅନେକ ଦାୟିତ୍ଵ ମୋର ପଡ଼ିରହିଛି । ସବୁଠୁ ବଡ଼ ହେଉଛି ତୁମର ଋଣ । ଜୀବନରେ ହୁଏତ ଶୁଝିପାରିବି ନାହିଁ, କିନ୍ତୁ ଅନ୍ତତଃ ଚେଷ୍ଟା କରିବି ଯେତେ ଶୀଘ୍ର ସମ୍ଭବ । ତୁମର ସ୍ଵୀକୃତି ଅଛି ତ କାଉଲ୍-?’’

 

କାଉଲ୍ ସମ୍ମତି ଜଣାଇଲେ । କହିଲେ, ‘ତାହେଲେ ମୋର ଇନ୍‌ଭେଷ୍ଟମେଣ୍ଟ୍ ଉପଯୁକ୍ତ ସ୍ଥାନରେ ହୋଇଛି ବୋଲି ତୁମେ ମଧ୍ୟ ସ୍ଵୀକାର କଲ । ଆଗରୁ କହିଛି ମନୀଷା, ମୁଁ ପୋଖତ ବ୍ୟବସାୟୀ ।’’

 

ମନୀଷା କହିଲେ, ‘ତୁମର ବ୍ୟବସାୟ କଥା ବିଶେଷ ମୁଁ ଜାଣି ନାହିଁ । କିନ୍ତୁ ନିଧାର୍ଯ୍ୟ କହିପାରେ ଏଥର ମୂଳଧନ ତୁମ ପାଖଦୁ ଜୀବନ୍ତ ଭାବରେ ଫେରିଆସିବ । ଯାହା ତୁମ ପାଖରେ ଅକ୍ଷୟ ଅମର ଅନନ୍ତ ହୋଇ ଚିରଦିନ ତୁମ ପାଦତଳେ ପଡ଼ିରହିବ ।’’

 

ସେଦିନ ସନ୍ଧ୍ୟାରେ ଡିଉରିକରେ ମନୀଷା ଓ କାଉଲ୍ ଗଲେ ସିନେମା ଦେଖି । ଇଂରାଜୀ ଛବି । ଡିକେନସ୍‍ଙ୍କ ‘ଟେଲ୍ ଅଫ୍ ଟୁ ସିଟିଜ୍ ।’’ ଫେରିଲାବେଳକୁ ମନୀଷା କହିଲେ, ‘ଚମତ୍କାର ହୋଇଛି । ଏ ଯେଉଁ ବାରିଷ୍ଟର ସିଡ଼ନି କାର୍ଟୁନ୍ ପ୍ରେମ ଲାଗି ହସି ହସି ଗିଲୋଟିନ୍ ଭିତରକୁ ଚାଲିଗଲା, ଜୀବନ ଦେଲା । କିନ୍ତୁ କାଉଲ, ପ୍ରେମ ପାଇଁ ନିଜକୁ ଏତେ ନିଶ୍ଚିହ୍ନ କରିବା କ’ଣ ସମ୍ଭବ ?’’

 

କାଉଲ୍ କହିଲେ, ‘‘ତୁମର କ’ଣ ମନେହୁଏ ?’’

 

ମନୀଷା କହିଲେ, ‘‘ମୁଁ ସ୍ୱାର୍ଥପର କାଉଲ୍, ଯାହାକୁ ପ୍ରେମ କରୁଛି, ତାକୁ ମୁଁ ଜୀବନ ଦେଇ ପାଇବା ପାଇଁ ଚାହିଁବି । ତାକୁ ପଜେସ୍ କରିବି, ନିଜର କରିବି । ମୁଁ ଯଦି ନିଶ୍ଚିହ୍ନ ହେବି, ତା’ହେଲେ ତ ଏ ମିଳନ ଆଉ ସମ୍ଭବ ହେବ ନାହିଁ । ଏଇ ବୋଧହୁଏ ନାରୀ ପକ୍ଷରେ ପ୍ରେମର କଳ୍ପନା, ହୁଏତ ପୁରୁଷର ପ୍ରେମ ଆହୁରି ଦାମ୍ଭିକ । ସେ ପରିପୂର୍ଣ୍ଣତା ଦେଖେ ନିଜର ନିଶ୍ଚିହ୍ନତାରେ ।’’

 

ମନୀଷା କିଛି ସମୟ ଶାନ୍ତ ରହି ପଚାରିଲେ, ‘କାଉଲ୍, ତୁମେ ଜୀବନରେ କେବେ ପ୍ରେମ କରିଛ ?’’ ପ୍ରଶ୍ନଟି ମାମୁଲି ଭାବରେ ପଚାରିଲେ, କିନ୍ତୁ ଉତ୍ତର ପାଇଁ ମନୀଷା ଏକନିଷ୍ଠ ଭାବରେ ଚାହିଁ ରହିଥାନ୍ତି କାଉଲ୍‍ଙ୍କୁ ।

 

କାଉଲ୍ କହିଲେ, ‘‘ନା ।”

 

ମନୀଷା କହିଲେ, ‘ବର୍ତ୍ତମାନ ବି ନୁହେଁ ?’’

 

‘‘ମୁଁ ଜାଣେନା’’–ଉତ୍ତର ଦେଲେ କାଉଲ୍ ।

 

ନର୍ସିଂହୋମ୍‌ରେ ମନୀଷାଙ୍କୁ ଛାଡ଼ି ଟ୍ୟାକ୍‌ସି କାଉଲ୍‌ଙ୍କୁ ତାଙ୍କରି ଫ୍ଲାଟରେ ଛାଡ଼ିଲା । କାଉଲ୍‌ଙ୍କ ମନ ଭିତରେ ଖେଳୁଥାଏ ସେ ସିଡ଼ନି କାର୍ଟୁନର କଥା । ଲୁସି ପ୍ରତି ପ୍ରେମ ପାଇଁ ସେ ଦେଲେ ଶ୍ରେଷ୍ଠ ମୂଲ୍ୟ, ଚରମ ତ୍ୟାଗ । ଦେଲେ ନିଜର ଜୀବନ । ମହାନ୍ ତୁମେ ସିଡ଼ନି କାର୍ଟୁନ ! କାଉଲଙ୍କ କାନରେ ଶୁଭୁଥାଏ ସିଡ଼ନି କାର୍ଟୁନ ଶେଷ କଥା ।

 

‘‘ମୁଁ ଆଜି ନିଶ୍ଚିହ୍ନ ହୋଇଛି ସତ, କିନ୍ତୁ ଚିରଦିନ ଜୀବିତ ରହିବି ଲୁସିର ହୃଦୟରେ । ଆଜିକାର ଦିନରେ ସବୁବର୍ଷ ସେ ମୋରି କଥା ଭାବିବ । ତା’ର ସୁଖ ସଂସାର ଜୀବନ ଭିତରେ ମଧ୍ୟ ମୋତେ ଭୁଲିଯିବ ନାହିଁ । ତାରି ପିଲାକୁ ଦିନେ ବି କହିପାରିବ ମୋରି କଥା, ମୋରି ସ୍ମୃତି ।’’

 

‘‘ଆଜି ଯାହା କରୁଛି, ଜୀବନରେ ଏପରି କାର୍ଯ୍ୟ ଆଉ କେବେ କରିନାହିଁ । ଆଜି ଯେଉଁ ବିଶ୍ରାମ ନେଉଛି, ଜୀବନରେ ଆଉ କେବେହେଲେ ଏପରି ବିଶ୍ରାମ ପାଇ ନାହିଁ । ବିଦାୟ ଲୁସି, ସାରା ଜୀବନ ପାଇଁ ବିଦାୟ ।’’

 

ଦିନ କେଇଟା ବିତିଗଲା । ଅବଶେଷରେ ଉଭୟ ବମ୍ବେକୁ ଫେରିଲେ । ଏରୋଡ୍ରମକୁ ଖବର ପାଇ ଆସିଥିଲେ ମନୀଷାର ବନ୍ଧୁଗଣ । ଆତ୍ମୀୟସ୍ୱଜନ ସମସ୍ତେ ଦାବି କଲେ ମନୀଷା ହେବେ ତାଙ୍କର ଅତିଥି । ମନୀଷା ପରିଚୟ କରାଇଦେଲେ କାଉଲ୍‍ଙ୍କୁ ।

 

କହିଲେ, ‘ଏ ହେଉଛନ୍ତି ମିଷ୍ଟର୍ କାଉଲ୍ । ପ୍ରତିଷ୍ଠିତ ବ୍ୟବସାୟୀ, ମୋର ବନ୍ଧୁ, ମୋରି ଜୀବନଦାତା ।’’ ମନୀଷା ଶେଷରେ ଅତିଥି ହେଲେ ଜଣେ ବନ୍ଧୁଙ୍କର । କାଉଲ୍‍ଙ୍କ ବ୍ୟବସାୟ ସେତେବେଳକୁ ଅଚଳ ହୋଇ ଆସିଲାଣି ।

 

ତାଙ୍କର ଅବହେଳା ଯୋଗୁଁ କରଜ ଭାର ଅନେକ ବଢ଼ିଯାଇଛି । ଅର୍ଥାଗମର କୌଣସି ଆଶୁ ଉପାୟ ନାହିଁ ।

 

କାଉଲ୍ ରହିଲେ ବମ୍ବେର ଗୋଟିଏ ଛୋଟ ହୋଟେଲରେ । ପ୍ରତ୍ୟହ ଯା’ନ୍ତି ମନୀଷାଙ୍କୁ ଦେଖିବାକୁ । ଇତିମଧ୍ୟରେ ମନୀଷା ହୋଇଛନ୍ତି ରୂପସୀ, ଯୁବତୀ ।

 

“କାଉଲ୍ ସାହେବ ! ଆପଣ କହୁଥିଲେ ନା, ବିଶ୍ୱାସ କର, ଗୋଟାଏ ଭାଗ୍ୟ ବୋଲି ଜିନିଷ ଅଛି । ଆମେ ନିଜେହିଁ ତା’ର ପ୍ରମାଣ କରିଦେଲେ ।’’

 

‘‘ମନୀଷା, ତୁମକୁ ଗୋଟାଏ କଥା ମୋର କହିବାର ଅଛି ।’’

 

‘‘ମୁଁ ଜାଣେ ଆପଣ କ’ଣ କହିବେ । କହିବେ ମନୀଷା, ମୋତେ ଶୀଘ୍ର ଯିବାକୁ ହେବ ବ୍ୟବସାୟ କାର୍ଯ୍ୟରେ । ଆଉ ତା’ର ଉତ୍ତର ହେଉଛି, ସିଧାସଳଖ, ‘ନା’ । ଆପଣଙ୍କୁ ଏଇଠି ଅପେକ୍ଷା କରିବାକୁ ପଡ଼ିବ ମୋର ଅନୁମତି ପାଇବା ପର୍ଯ୍ୟନ୍ତ ।’’

 

ସେଦିନ କାଉଲ୍ ହୋଟେଲରେ ପହଞ୍ଚି ଆକାଶପାତାଳ ଭାବି ଗଲେ । ମନେ ମନେ ହିସାବ କରୁଥାନ୍ତି, ମୁଁ ଯାହା କରିଗଲି ସେ କ’ଣ ନିଃସ୍ୱାର୍ଥପର ପୁରୁଷ ହିସାବରେ ? କିଛି ମୋର ସ୍ଵାର୍ଥ ନାହିଁ ? କେବଳ ଦାମ୍ଭିକତାର ପ୍ରମାଣ ? ନା, ମୁଁ ଚାହେଁ ଏ ମନୀଷାକୁ । ଏଇ ଯେଉଁ କଣ୍ଢାଇଟିକୁ ହାତରେ ଗଢ଼ିଛି, ତା’କୁ କ’ଣ ଛାଡ଼ିଦେବି ଅନ୍ୟର ପ୍ରାସାଦ ଭିତରକୁ ! ନା ତାକୁ ସାରାଜୀବନ ନିଜର କୋଳରେ ଧରି ରଖିବି ? ପୁଣି ଭାବିଲେ କିନ୍ତୁ ମନୀଷା ଯେତେବେଳେ ଜାଣିବ ଯେ କାଉଲ୍ ତା’ର କଳ୍ପନାଭ ରାମଚନ୍ଦ୍ର ନୁହେଁ, ସେତେବେଳେ ସେ ନିଜକୁ ବି କ୍ଷମା ଦେଇପାରିବ ନାହିଁ । ତା’ ପରଦିନ ମନୀଷାଙ୍କ ପାଖରେ ପହଞ୍ଚିଲାବେଳକୁ ସନ୍ଧ୍ୟା । କହିଲେ, ‘‘ମନୀଷା, ମନେଅଛି ମୁଁ ଯେଉଁ ସବୁଜ ଶାଢ଼ି ଦେଇଥିଲି ନର୍ସିଂହୋମ୍‌ରେ । ତା’କୁ ଆଜି ପିନ୍ଧ ।”

 

ମନୀଷା ! କିଛି ସମୟ ପରେ ପିନ୍ଧି ଆସିଲେ ସେଇ ଶାଢ଼ି । ଓଠରେ ନାଲିରଙ୍ଗର ଲିପ୍‌ଷ୍ଟିକ୍ । ମୁଣ୍ଡରେ ଟିପା । ଆଖିରେ କଜଳର ଗାର । ‘‘ମନୀଷା, ତୁମେ ନିଜକୁ ଦେଖିଛ ? ଏ ରାଣୀର ରୂପକୁ ? ତୁମ ସ୍କୁଲର ରାଣୀକୁ ?’’

 

ମନୀଷା କାଉଲ୍‍ଙ୍କ ଦୁଇହାତକୁ ଧରିପକାଇ କହିଲେ, ‘କାଉଲ୍ ସାହେବ, ଏଇସବୁ ତୁମର ଦାନ । ମୋର ଯେତେ ଉନ୍ନତି ହେବ, ମୋର କରଜର ଭାର: ସେତିକି ବଢ଼ିବ । ଆଜି ଗୋଟାଏ ପରାମର୍ଶ ଅଛି । ଟିକିଏ ଅପେକ୍ଷା କରନ୍ତୁ ।”

 

ଘର ଭିତରକୁ ପଶିଗଲେ ମନୀଷା ।

 

ବିରାଟ ପ୍ରାସାଦ ପରି ଘର ! ମୋଜାଇକ୍ ଫ୍ଲୋର୍ । ମାର୍ବଲ ପାହାଡ଼ । ସାମନାରେ ସୁନ୍ଦର ଲନ୍‍ଟିଏ । ନୂଆ ଆମେରିକାନ୍‌ ମଟରଗାଡ଼ି ସାମନା ପୋର୍ଟିକୋରେ ରଖାଯାଇଛି । ଏଇଠି ମନୀଷା ବର୍ତ୍ତମାନ ଅତିଥି । ଭିତରୁ ମନୀଷା ଆସିଲେ ହାତରେ ଗିଲାସେ କୋଲଡ଼ଡ୍ରିଙ୍କ ଧରି । କହିଲେ, “କାଉଲ୍ ସାହେବ, ଜୀବନରେ ଭାଗ୍ୟ ଥାଉ କି ନ ଥାଉ, ଆକ୍‌ସିଡେଣ୍ଟ୍ ଘଟେ । ଏହି ଯେଉଁ ଘର ଏ ହେଉଛି ଦେଶାଇଙ୍କ ବାପାଙ୍କର । ନୈନିତାଲରେ ସେ ମୋ ବାପାଙ୍କର ଖୁବ୍ ଘନିଷ୍ଠ ସାଥି ଥିଲେ । ଏହାଙ୍କର ପୁଅ ଓ ଝିଅ ମୋ ସାଙ୍ଗରେ ଥିଲେ, ଏକା ସ୍କୁଲରେ ! ପୁଅ ଦେଶାଇ ଏଥିଭିତରେ ବିଲାତରୁ ଫେରିଛନ୍ତି ଇଞ୍ଜିନିୟର ହୋଇ । ସେତେବେଳେ ଥଟ୍ଟାକରି ସମସ୍ତେ ପ୍ରସ୍ତାବ କରୁଥିଲେ ଆମ ଦୁଇଜଣଙ୍କର ବିବାହ ସଂକ୍ରାନ୍ତରେ । ଏବେ ପ୍ରାୟ ଦଶବର୍ଷ ପରେ ପୁଣି ଦେଖା । ତାଙ୍କ ଭଉଣୀ କହୁଛନ୍ତି, ମୁଁ ତାଙ୍କ ଘରକୁ ଯେପରି ତୁରନ୍ତ ଆସେ । ଦେଶାଇ ମଧ୍ୟ ପ୍ରସ୍ତାବ କରୁଛନ୍ତି ମୋତେ ବିବାହ ପାଇଁ । ଅକଲ୍, ଆଣ୍ଟି ସବୁ ବାଙ୍ଗାଲୋରରେ । ଯଦି ମୁଁ ସ୍ୱୀକୃତି ଦିଏ ତା’ହେଲେ କାଲି ଭୋର୍‌ରୁ ଆମେ ଯିବୁ ସେମାନଙ୍କର ସମ୍ମତି ପାଇଁ । ସେମାନେ ନିଶ୍ଚୟ ସମ୍ମତି ଜଣାଇବେ !’’ ମନୀଷାଙ୍କ ଆଖିରେ ଉପହାସର ଇଙ୍ଗିତ ଥିଲା ।

 

କିନ୍ତୁ କାଉଲ୍‍ଙ୍କ ମୁଣ୍ଡ ଭିତରେ କିଛି ମୁହୂର୍ତ୍ତ ପାଇଁ ଏକ ଘୂର୍ଣ୍ଣିବାୟୁ ଖେଳିଗଲା । ମନେହେଲା ସେ ଗୋଟାଏ ଭୂମିକମ୍ପ ଭିତରେ ପଡ଼ିଯାଉଛନ୍ତି । ନିରୁତ୍ତର ରହିଲେ କାଉଲ୍ l ମନୀଷା ଚାହିଁ ରହିଲେ କାଉଲ୍‍ଙ୍କୁ । କହିଲେ, ‘‘କାଉଲ୍, କିଛି କୁହ । ସମୟ ଗଡ଼ିଯାଉଛି ।’’

 

କାଉଲ୍ ମନୀଷା ଭିତରେ ନିଜକୁ ଦେଖୁଥିଲେ ।

 

ଏହି ସମୟରେ ଘର ଭିତରୁ ବାହାରି ଆସିଲେ ଜଣେ ଯୁବକ । ନାମ ଦେଶାଇ । ନମସ୍କାରର ବିନିମୟ ଶେଷ ହେଲା । ତା’ପରେ ଦେଶାଇ କହିଲେ, ‘ଶୁଣିଲି ଆପଣ ମନୀଷା ପାଇଁ ଅନେକ କଷ୍ଟ ସ୍ୱୀକାର କରିଛନ୍ତି । ଅନେକ ଅର୍ଥ ମଧ୍ୟ । କିନ୍ତୁ ମନୀଷା ଏତେ ଅଭିମାନିନୀ ଯେ ଆମକୁ ଦିନେ ବି ଖବର ଦେଲାନାହିଁ ଏତେ ବଡ଼ ଦୁର୍ଘଟଣାରେ । ଚାରିଆଡ଼େ ତାକୁ ଖୋଜି ଖୋଜି ଆମେ ପ୍ରାୟ ଆଶା ଛାଡ଼ିଦେଇଥିଲୁ ।’’

 

ଦେଶାଇ ସୁଶ୍ରୀ ତରୁଣ, ଶିକ୍ଷିତ, ଭଦ୍ର । ରୂପରେ, ଗୁଣରେ ବଂଶ ପରମ୍ପରାରେ ମନୀଷାଙ୍କ ସମକକ୍ଷ । ଏକ ଜଗତରେ ଦୁଇଟି ଜୀବ । ମିଳନ ସହଜ, ପ୍ରାକୃତିକ ଓ ବିଧେୟ ।

 

କାଉଲ୍ ଭାବିଲେ ନିଜର କଥା । ତୁଳନା କଲେ ଦେଶାଇ ସାଙ୍ଗରେ–ମନୀଷାଙ୍କ ଜୀବନ ଦୃଷ୍ଟିରୁ । ଜ୍ଞାନ, ପ୍ରତିଷ୍ଠା, ଶିକ୍ଷା, ରୂପରେ ଏ ଦେଶାଇ ହେଉଛି ମନୀଷାଙ୍କ ଆଦର୍ଶ ରାମଚନ୍ଦ୍ର । କେହି କେବେ କଳ୍ପନା କରି ପାରିବ ଦେଶାଇଙ୍କୁ କଳାବଜାରପାଇଁ ଜେଲ୍‍ଖାନାର ପାଦଦେଶରେ, କେହି କେବେ ଚିନ୍ତା କରିବ ଏ ଯୁବକଙ୍କୁ ବାଈଜୀଙ୍କ ମଜୁରାରେ ବା ଗଣିକାର ଆଲିଙ୍ଗନରେ ? ସୂର୍ଯ୍ୟଙ୍କ ପରି ନିୟମିତ, ନିର୍ଦ୍ଦିଷ୍ଟ ଏ ଦେଶାଇ । କିନ୍ତୁ ସେ ନିଜେ ? ଏକ ନୀତି ହୀନ, ଚରିତ୍ରହୀନ, କକ୍ଷଚ୍ୟୁତ ସାମଗ୍ରୀ l ଯାହାର ଅତୀତ କୁତ୍ସିତ, ବର୍ଷ ମାନ କଳଙ୍କିତ, ଭବିଷ୍ୟତ ଅନ୍ଧକାର ।

 

ମନେ ମନେ କହିଲେ, ମନୀଷା ମତେ ସାହାଯ୍ୟ କର । ମୁଁ ତୁମକୁ ମୁକ୍ତି ଦିଏ । ପୂର୍ଣ୍ଣତା ପାଇବ ମୋର କର୍ତ୍ତବ୍ୟ । ନିରବଚ୍ଛିନ୍ନ ଦୃଷ୍ଟିରେ ଦେଖୁଥାନ୍ତି ମନୀଷାଙ୍କୁ ତାଙ୍କର ଏ ନାରୀତ୍ଵର ନବକଳେବରରେ ।

 

କାଉଲ୍ ମନେ ମନେ ଭାବିଲେ, କିନ୍ତୁ ଏତେ ସାନ୍ନିଧ ସତ୍ତ୍ୱେ, ଏତେ ଆତ୍ମୀୟତା ସତ୍ତ୍ୱେ ଭାବିପାରିଲା ମନୀଷା, ଅନ୍ୟ ସହିତ ବିବାହର କଥା ? ଚିନ୍ତା କରିପାରିଲା ସେ, ଅନ୍ୟ ସଂକ୍ରାନ୍ତରେ ନିଜର ପ୍ରସ୍ତାବ ? ସୁଯୋଗ ଦେଲା ନିଜର ଜ୍ଞାତସାରରେ ! ମନୀଷା ତୁମେ ରୂପବତୀ ସତ, ଗୁଣବତୀ ସତ, କିନ୍ତୁ ନାରୀର ଦୁର୍ବଳତାଠୁ ଊର୍ଦ୍ଧ୍ୱକୁ ଆସିପାରିଲ ନାହିଁ । ଚାହିଁଲ, ଅନ୍ୟର ନିବେଦନ ମଧ୍ୟ, ତୁମର ଗୌରବ ପାଇଁ । ଯାହା ନାରୀ ସର୍ବଥା ଗର୍ବର ସହିତ ଗ୍ରହଣ କରେ ।

 

ମନୀଷା ତୁମେ ମତେ ବି ତୁଳନା କରୁଥ‌ିବ, ଦେଶାଇ ସାଙ୍ଗରେ । ହୁଏତ ଭାବୁଥିବ, କିଏ ଅଧିକ ଉପଯୁକ୍ତ । କିନ୍ତୁ କାହିଁକି ଏହାର ସୁଯୋଗ ନେଲ ମନୀଷା ? କାହିଁକି ମୋର ଏ ମମତାକୁ ଅପମାନ କଲ ? ହୁଏତ ଅତୀତରେ ମୋର ଦାନ ପାଇଁ ମୋ ପ୍ରତି ତୁମେ ଆକୃଷ୍ଟ ହେବ-। କିନ୍ତୁ ସେଟା ହେବ ତୁମର କୃତଜ୍ଞତା, ତୁମର ପ୍ରେମ ନୁହେଁ । ଯିଏ ଆଜି ତୁଳନା କରିପାରେ, ସେ ମଧ୍ୟ ଭବିଷ୍ୟତରେ ପରିତ୍ୟାଗ କରିପାରେ । ମୁଁ ତୁମଠୁ ଚାହୁଁଥିଲି ଏକନିଷ୍ଠତା, ମୋର ଏ ପାପୀ ଜୀବନ ସତ୍ତ୍ଵେ । କିନ୍ତୁ ଆଉ ଏହା ସମ୍ଭବ ନୁହେଁ ।

 

ଦୁଃଖ, ଅପମାନରେ ବିଚଳିତ ହେଲେ କାଉଲ୍ । ବିତୃଷ୍ଣା ଆସିଲା ମନୀଷାଙ୍କ ପ୍ରତି । କାଉଲ୍ କହିଲେ, ‘‘ଟିକେ ଅସ୍ୱସ୍ତି ଲାଗୁଛି । ଭାବୁଛି ହୋଟେଲକୁ ଫେରିଯିବି ।’’

 

ମନୀଷା କହିଲେ, ‘‘ନାହିଁ, ଆମ ସାଙ୍ଗରେ ଆସନ୍ତୁ ଆପଣ ।’’

 

ଦେଶାଇ କହିଲେ, ‘‘ଅସ୍ୱସ୍ତି ବେଳେ ବିଶ୍ରାମର ବିଶେଷ ପ୍ରୟୋଜନ । କାଉଲ୍‌ଙ୍କୁ ବାଧ୍ୟ କରିବା ଉଚିତ ନୁହେଁ ।’’

 

ମନୀଷାଙ୍କ ବିଶେଷ ଅନୁରୋଧରେ ଗାଡ଼ିରେ ବସିଲେ କାଉଲ୍ । ଦେଶାଇଙ୍କ ନିର୍ଦ୍ଦେଶରେ ସାମନାରେ ବସିଲେ ମନୀଷା । ଗାଡ଼ି ଚଳାଇଲେ ଦେଶାଇ । ପଛରେ ବସିଥାନ୍ତି କାଉଲ୍ । ଗାଡ଼ି ଚାଲିଲା । ଦେଶାଇ ମନୀଷାଙ୍କ କାନ୍ଧରେ ହାତପକାଇ କହୁଛନ୍ତି, ‘‘ପଥ ନିର୍ଣ୍ଣୟ କରିବାର ଦାୟିତ୍ଵ ମୋର; କିନ୍ତୁ ପାନ୍ଥଶାଳା ସିଦ୍ଧାନ୍ତ କର । ପିକ୍ଚର ନା ମାରିନ୍ ଡ୍ରାଇଭ, ନା ହାଙ୍ଗିଙ୍ଗ୍‌ ଗାର୍ଡ଼ନସ୍, ନା କ୍ଲବ୍ ?’’

 

ଆଖି ଆଗରେ କାଉଲ୍ ଦେଖୁଛନ୍ତି ସେଇ ଇତିହାସର ପୁରୁଣା ଗପ । ଇଟା ଉପରେ ଇଟା ଖଞ୍ଜା ହୋଇଛି । ମଝିରେ ଅଛି ଅନାରକଲି । ବିନତି କରୁଛି, ରୋଦନ କରୁଛି, ଚିତ୍କାର କରୁଛି-। ସମାଧିର କକ୍ଷ କ୍ରମେ ପୂର୍ଣ୍ଣ ହୋଇଆସୁଛି । ଶେଷରେ ହେଲା ସଂପୂର୍ଣ୍ଣ । ସ୍ୱର ହେଲା ଅସ୍ପଷ୍ଟ । ଶରୀର ହେଲା ନିଶ୍ଚିହ୍ନ ।

 

ଅବ୍ୟାହତି ନେଲେ ଅନାରକଲି । ଏ କ୍ଷେତ୍ରରେ ସେ’ ତ ଆଉ ଜାହାଙ୍ଗୀରଙ୍କର ଅନାରକଲି ନୁହେଁ ! ବର୍ତ୍ତମାନ ସେ ସ୍ଵୟଂ କରାଗତ । ଶ୍ଵାସରୁଦ୍ଧ ହୋଇଆସିଲା, ବକ୍ଷରେ ହେଲା ଆଲୋଡ଼ନ । କାଉଲ୍ କହିଲେ, ‘‘ହୋଟେଲ ମୋର ଏହି ଗଳି ଭିତରେ ଏଇଠି ମୋତେ ବିଦାୟ ଦିଅନ୍ତୁ ।’’

 

ମନୀଷା କହିଲେ, ‘‘କାଉଲ୍ ସାହେବ, ଆପଣ ଆଉ ଏକା ଯାଇପାରିବେ ନାହିଁ । ମୋ’ ସାଙ୍ଗରେ ଆସନ୍ତୁ, ନଚେତ୍ ମୋତେ ଆପଣଙ୍କ ପାଖକୁ ଯିବାକୁ ଦିଅନ୍ତୁ ।’’

 

କାଉଲ୍ କହିଲେ, ‘‘କିଛି ଆବଶ୍ୟକତା ନାହିଁ, ମୁଁ ଏଇଠୁ ବିଦାୟ ନେଉଛି ! ତା’ଛଡ଼ା ହୋଟେଲଟା ଅତି ସାନ, ଅପରିଷ୍କାର ।’’ ମନୀଷା କହିଲେ, ‘‘କାଉଲ୍, ଦେଶାଇ ନ ଯାଇପାରନ୍ତି, ମୋ ପାଇଁ ତୁମର ସମସ୍ତ ବାସସ୍ଥାନ ସୁନ୍ଦର । ମୋତେ ଅନୁମତି ଦିଅ ।’’

 

କାଉଲ୍ କହିଲେ, ‘‘ଯାହା ଘୃଣ୍ୟ, ଯାହା ଅସ୍ପୃଶ୍ୟ, ତାହା ସମସ୍ତଙ୍କ ପାଇଁ ସମାନ ମନୀଷା-!’’

 

ଗାଡ଼ିରୁ ଓହ୍ଲାଇ କାଉଲ୍‍ଙ୍କ ସମ୍ମୁଖରେ ଛିଡ଼ାହେଲେ ମନୀଷା । ଅନେକ ସମୟ ଧରି କେବଳ ଚାହିଁ ରହିଲେ । ଡାକିଲେ, ‘ରମେଶ !’

 

କାଉଲ୍ ଟିକିଏ ଅପ୍ରସ୍ତୁତ ହେଲେ । କହିଲେ, ‘‘ମନୀଷା, ତୁମର ବନ୍ଧୁ, ଅପେକ୍ଷା କରିଛନ୍ତି-। ମୋଠୁଁ ଶୀଘ୍ର ବିଦାୟ ନିଅ ।’’

 

ମନୀଷା କହିଲେ, ‘‘ମୋ ବନ୍ଧୁମାନଙ୍କ ପ୍ରତି ତୁମର ଯାହା କର୍ତ୍ତବ୍ୟ ସେଥ‌ିରେ ହେଳା କରୁନାହଁ ସତ, କିନ୍ତୁ ମୋ ପ୍ରତି ତୁମର କିଛି କର୍ତ୍ତବ୍ୟ ନାହିଁ ? କିଛି ଦାୟିତ୍ଵ ନାହିଁ ? କିଛି ଆଶା ବି ନାହିଁ ?’’

 

କାଉଲ୍ କହିଲେ, ‘ମନୀଷା, ଯାହା ଦେବତାର ପ୍ରାପ୍ୟ, ତା’ର ସ୍ଥାନ ଆବର୍ଜନାରେ ନୁହେଁ-। ତା’ଛଡ଼ା ତୁମେ ଆଉ ଅସହାୟା ନୁହେଁ ।’’

 

ମନୀଷା କହିଲେ, ‘ସେ ବିଚାର ମୋର; ସେ ସିଦ୍ଧାନ୍ତ ମୋର । ବିଚାର ଶେଷ ହୋଇଛି, ସିଦ୍ଧାନ୍ତ ମଧ୍ୟ ।’’ କିଛି ସମୟ ଅପେକ୍ଷା କରି କହିଲେ, ‘ରମେଶ, ଥରେ ମୁହଁ ଖୋଲ । ଥରେ ଉତ୍ତର ଦିଅ ।’’

 

ଦେଶାଇ ପାଟିକରି ଡାକିଲେ । କହିଲେ, ‘ମନୀଷା, ଏଠି ଆଉ ଗାଡ଼ି ଅପେକ୍ଷା କରିପାରିବ ନାହିଁ । ଏଠି ପାର୍କିଂ ମନା ।’

 

କାଉଲ୍ କହିଲେ, ‘‘ଯାଅ ମନୀଷା ।’’

 

‘‘ଆଜି ଜବାବ ନେଇ ଫେରିବି । ଶେଷ ଜବାବ ।'’

 

“ଅସ୍ଵାଭାବିକ ପରିସ୍ଥିତି ସୃଷ୍ଟି କରନା । ସଡ଼କରେ ଜୀବନର ସିଦ୍ଧାନ୍ତ କରାଯାଏ ନାହିଁ ।’’

 

‘‘ଏଇ ସଡ଼କରୁ ମୋତେ ଦିନେ ଉଠାଇଥିଲ, କାଉଲ୍ !’’

 

ଦୂରରୁ ପୁଣି ଡାକିଲେ ଦେଶାଇ ।

 

ମନୀଷା କହିଲେ, ‘ରମେଶ, କାଲି ପ୍ରଭାତ ସୁଦ୍ଧା ନମସ୍କାର ଜଣାଇଲେ ମନୀଷା । ସେଇ ଦୁଇଟି ସୁରମ୍ୟ ପାଖୁଡ଼ାର ସମଷ୍ଟି, ନମସ୍କାର । ସେଇ ନିବେଦନପୂର୍ଣ୍ଣ ଦୃଷ୍ଟି l ସେଇ କମ୍ପିତ ଅଧର । ସେଇ ଶାନ୍ତ ମୂର୍ତ୍ତି, ମନୀଷା ।

 

ମନୀଷା ଗାଡ଼ି ପାଖକୁ ଫେରିଆସିଲେ । ମଟର ଆଲୁଅ ଲଗାଇ ଆଗେଇ ଚାଲିଲା । କାଉଲ୍ ଛିଡ଼ାହୋଇ ରହିଲେ କିଛି ସମୟ ପାଇଁ । ଆଖିର ଦୁଇଧାର ଲୁହ ଜରିଆରେ ପ୍ରତିନମସ୍କାର ଜଣେଇଲେ କାଉଲ୍ ।

 

ମନୀଷାଙ୍କୁ କାଉଲ୍‌ଙ୍କର ଶେଷ ବିଦାୟ ନମସ୍କାର ।

 

ଆଶା ଯେଉଁଠି ଅସୀମ, ସାମାନ୍ୟତମ ବ୍ୟତିକ୍ରମ ସେଠି ସୃଷ୍ଟି କରିପାରେ ପ୍ରଳୟ । ମନୀଷାଠୁଁ କାଉଲ୍ ଯାହା ଆଶା କରିଥିଲେ, ସେ ତ ଏ ସାଧାରଣ ସଂସାରର ମାମୁଲି ସମ୍ପର୍କ ନୁହେଁ, ସିଏ ଗଭୀର ଆତ୍ମାର ଅବିଚ୍ଛେଦ୍ୟ, ଶାଶ୍ଵତ ମିଳନ । କାଉଲ୍ ଯେଉଁଠି ରହିବାପାଇଁ ଚାହିଁଥିଲେ, ସେ ତ ପାର୍ଥିବ ଜଗତର କୌଣସି ବାସ୍ତବ ବକ୍ଷ ନୁହେଁ, ସିଏ ଅତିଭୌତିକ, ଅତୀନ୍ଦ୍ରିୟ ମନୀଷାଙ୍କ ଅକ୍ଷୟ ହୃଦୟ ।

 

କାଉଲ୍ ବର୍ତ୍ତମାନ ସନ୍ଦେହ କଲେ ନିଜର ଅସ୍ତିତ୍ଵକୁ ମନୀଷାଙ୍କ ପାଖରେ । ସଂଶୟ ଉପୁଜିଲା ନିଜର ସ୍ଥିତିରେ । ଅତୀତ ଦିଶିଲା ଆହୁରି ଭୟଙ୍କର, ଆହୁରି କୁତ୍ସିତ ।

 

ଅପମାନିତ ହେଲେ କାଉଲ୍ । ପ୍ରତ୍ୟାଖ୍ୟାନର ପ୍ରତିଷେଧକ ଅଛି, କିନ୍ତୁ ଅପମାନର କୌଣସି ଉପଶମ ନାହିଁ । ଯେଉଁ ଅଗ୍ନି ଭସ୍ମ କରେନା, ଅଥଚ ଦାହ କରୁଥାଏ, ଯେଉଁ ବ୍ୟାଧି ମୃତ୍ୟୁ ଦିଏନା, ଅଥଚ ଦେଉଥାଏ ଅଶେଷ ଯନ୍ତ୍ରଣା, ଯେଉଁ ଅପୂର୍ଣ୍ଣ ପ୍ରେମ ସୃଷ୍ଟି କରେନା ଅଥଚ ପ୍ରଳୟର ଭୂମିକା ହୁଏ–ସେହି ଅଗ୍ନି, ସେହି ବ୍ୟାଧି, ସେହି ଅପୂର୍ଣ୍ଣ ପ୍ରେମରେ କ୍ଷତବିକ୍ଷତ ହେଉଥାନ୍ତି ଅସହାୟ, ପରାଜିତ ରମେଶ କାଉଲ୍ ।

 

ଏ ବିଶାଳ ପ୍ରାସାଦର ପ୍ରାଙ୍ଗଣରୁ ପ୍ରତ୍ୟୁଷର ରକ୍ତାଭ ଆକାଶକୁ ଲକ୍ଷ୍ୟ କରୁଥାନ୍ତି ମନୀଷା-। ଆକାଶର ଏ ନିରବଚ୍ଛିନ୍ନ ରଙ୍ଗୀନ୍ କୋମଳତା ! ସିମ୍ପୋନି ପରି ଏ ଆକାଶ । ସେଇ ମୃଦୁ ସଙ୍ଗୀତର ଝଙ୍କାର ଏ ପ୍ରକୃତି ଭିତରେ ।

 

କାହିଁକି ? ଗତ ସନ୍ଧ୍ୟାରେ କାଉଲ୍‌ଙ୍କ ଚକ୍ଷୁ ଏହିପରି ମଧ୍ୟ ରଙ୍ଗୀନ୍ ହୋଇ ଆସୁଥାଏ ଅଶ୍ରୁର ପ୍ରଥମ ପରଶ ପରି । କାଉଲ୍, ତୁମେ ତ୍ୟାଗ ଶିଖିଚ, ଉପଭୋଗ ଶିଖିଚ, କିନ୍ତୁ ଦାବି ଶିଖିଲ ନାହିଁ । ପ୍ରତ୍ୟେକ ମୁହୂର୍ତ୍ତ ମୁଁ ଅପେକ୍ଷା କରିଛି ତୁମେ କହିବ, ‘ମନୀଷା, ମୋ’ ପାଖକୁ ଆସ ।’’ ଏହି ମାତ୍ର ତିନୋଟି ଶବ୍ଦପାଇଁ କେତେ ଉଜାଗର ରାତ୍ରି ବିତାଇଛି । କେତେ ବିନୀତ ନିବେଦନ ଜଣାଇଛି-। ଦିନେ ବି ମୋର ପରଶ ନେଇ ନାହିଁ । ଦିନେ ବି ପ୍ରକାଶ କଲ ନାହିଁ ସାମାନ୍ୟତମ ଇଙ୍ଗିତ-। କ୍ଷଣିକ ଇସାରା ପାଇଥିଲେ ଲୁଟାଇ ଦେଇଥାନ୍ତି ତୁମର ପାଦତଳେ ମୋର ସମସ୍ତ ବିଶ୍ୱ । ନିଶ୍ଚିହ୍ନ ହୋଇଥାନ୍ତି ତୁମରି ହିୟାରେ । କେତେ ପ୍ରସଙ୍ଗ ତୋଳିଛି । କେତେ ପ୍ରତାରଣା ଦେଖାଇଛି-। କେବେହେଲେ ସାବ୍ୟସ୍ତ କଲ ନାହିଁ ତୁମର କର୍ତ୍ତୃତ୍ୱ । ଚାହିଁଲ ନାହିଁ ଦେହ, ଚାହିଁଲ ନାହିଁ ମନ-। କେବଳ ଦୂରେଇ ରହିଲ ଗୋଟାଏ ମଧୁର ସ୍ଵପ୍ନ ପରି । କିନ୍ତୁ କାହିଁକି ? କ’ଣ ବାଧା ଥିଲା-?

 

ହୁଏତ ବ୍ୟାଧି । କିନ୍ତୁ ତୁମେ ତ ଏକମାତ୍ର ଲୋକ ଯିଏ ବିକ୍ଷିପ୍ତ କରିଦେଲ ନିଜର ସମ୍ପଦ-। ଦେଲ ତୁମର ଏକାଗ୍ରତା, ନିଷ୍ଠା, ଆଘ୍ରାଣ ଶ୍ରମ । ଏହି ବ୍ୟାଧିପାଇଁ ତୁମେ ଘୃଣା କରିପାର, ଏ ମୋର ବିଶ୍ୱାସ ନୁହେଁ । ରାତି ରାତି, ଦିନ ଦିନ ସେଇ ବିଛଣାରେ ତୁମକୁଇ ଦେଖିଚି ବାହାରେ, ମନରେ ।

 

ଗୋଟାଏ କଥା ଜାଣ ? ବଞ୍ଚିବାର ଆଗ୍ରହ ଥିଲା କେବଳ ତୁମ ପାଇଁ । ଆଶା ଥିଲା କେବଳ ତୁମକୁ ପାଇବା ଲାଗି । ଭଗବାନଙ୍କୁ ଡାକିଛି ତୁମ ପାଇଁ, ତୁମର ଚେଷ୍ଟା ସଫଳ କରିଦିଅନ୍ତୁ ବୋଲି ।

 

ତୁମେ ଥରେ ବି ମୋତେ ନିମନ୍ତ୍ରଣ କଲ ନାହିଁ ତୁମ ପାଖକୁ । ଶସ୍ତା ଭାବରେ ମୋ ଦେହକୁ ଉପଭୋଗ କରିବା ପାଇଁ ବି ଚାହିଁଲ ନାହିଁ । ସେଥିପାଇଁ ତ ମୁଁ ପ୍ରସ୍ତୁତ ଥିଲି, ଥିଲି ଆଗ୍ରହୀ-

 

ଭାବିଲି ମୋର ବିବାହ କଥା ନିଜେ ଉତ୍‌ଥାପନ କରିବି । ସେଥିରେ ହେଲେ ସାମାନ୍ୟ ଟିକିଏ ଇଙ୍ଗିତ ମିଳିବ । ଦେଶାଇକୁ ଆଣି ତୁମ ସାମନାରେ ହାଜର କଲି । ତଥାପି ତୁମେ ରହିଲ ମୂକ । କ’ଣ ପ୍ରମାଣ କରିବାକୁ ଚାହିଁଥିଲ ତୁମର ଦାମ୍ଭିକତା ? ମୁଁ କେବଳ ସେଥିପାଇଁ ଏକ ଆୟୁଧ ଥିଲି ମାତ୍ର ! କିନ୍ତୁ ଏବେବି ମନ ଏ କଥାକୁ ସ୍ଵୀକାର କରେନା ।

 

କାହିଁକି ତେବେ ଏ ଉଦାସୀ ଚକ୍ଷୁ, କାହିଁକି ତୁମର ଏ ବିଚଳିତ ଦୃଷ୍ଟି ?

 

ମନୀଷା ସ୍ଥିର କଲେ ସେଇ ମୁହୂର୍ତ୍ତରେ ସେ ଯିବେ କାଉଲ୍‌ଙ୍କ ପାଖକୁ, ତାଙ୍କ ହୋଟେଲକୁ । ନିର୍ଲଜ୍ଜ ଭାବରେ ଜୋର୍‌କରି କହିବେ, ‘‘କାଉଲ୍, ମୁଁ ତୁମକୁ ଚାହେଁ– ତୁମର ଘୃଣା ଅବହେଳା ସତ୍ତ୍ୱେ । ତୁମରି ପାଦତଳେ ମୋତେ ଠାବ ଦିଅ । ମୁଁ କିଛି ଉତ୍ତର ଚାହେଁ ନାହିଁ । କିଛି ସର୍ତ୍ତ ଚାହେଁ ନାହିଁ । ଏ ପିଣ୍ଡରେ ଯେ କରିଚି ପ୍ରାଣର ସଞ୍ଚାର, ସେଇ କେବଳ ଏହାରି ଅଧିକାରୀ ।’’

 

ସୂର୍ଯ୍ୟ ସେତେବେଳକୁ ଆକାଶରେ ଉଠିନଥାନ୍ତି । ନିସ୍ତବ୍‌ଧରେ ବାହାରିଗଲେ ମନୀଷା-। ରାସ୍ତାରୁ ନେଲେ ଟାକ୍‌ସି । ପହଞ୍ଚିଲେ କାଉଲ୍‍ଙ୍କ ହୋଟେଲରେ । କୋଠରି ଦୁଆରମୁହଁରେ ପହଞ୍ଚିଲେ । ଦରଜା ବାଡ଼େଇଲେ । କିଛି ହେଲେ ବି ଉତ୍ତର ପାଇଲେ ନାହିଁ ! ଠେଲି ଖୋଲିଲେ ଦରଜା । କୋଠରି ଶୂନ୍ୟ । ମନରେ ଭୟ ଖେଳିଗଲା । ଦେହରେ ଏକ ଅଜଣା ଆଶଙ୍କାର ଶିହରଣ ଅନୁଭବ କଲେ ମନୀଷା ।

 

କାଉଲ୍ ହାଟେଇ ଛାଡ଼ି ଚାଲିଯାଇଛନ୍ତି । ଅନେକ ସମୟ ଧରି ସେ ନିର୍ଜନ ସେପରି ଭିତରେ ଘୂରିବୁଲିଲେ । ଅବଶେଷରେ ବାହାରି ଆସିଲେ ହୋଟେଲରୁ ।

 

କେହି କିଛି ଠିକଣା ଦେଇପାରିଲେ ନାହିଁ କାଉଲ୍‍ଙ୍କର ।

 

* * *

 

କାଉଲ୍‍ଙ୍କୁ ଖୋଜି ମନୀଷା ଗଲେ କଲିକତାକୁ । ସେଠି କିଛି ସନ୍ଧାନ ପାଇଲେ ନାହିଁ । ଗଲେ ମାନ୍ଦ୍ରାଜକୁ । ଗଲେ ମହାରାଷ୍ଟ୍ରର ତାଙ୍କ ଗ୍ରାମକୁ । କିଛି ପଢ଼ା ପାଇଲେ ନାହିଁ । ଖବର ଦେଲେ ପୁଲିସ୍‌ । ଦେଖାକଲେ କାଉଲ୍‌ଙ୍କର ଯେତେ ଜଣା ବନ୍ଧୁବାନ୍ଧବୀ ଥିଲେ । ପତ୍ର ଲେଖିଲେ ପୃଥ‌ିବୀର ଚାରିଦିଗକୁ । କିନ୍ତୁ ସନ୍ଧାନ ନାହିଁ ।

 

ଶେଷ ପର୍ଯ୍ୟନ୍ତ ଅପେକ୍ଷା କଲେ ମନୀଷା, କାଉଲ୍‌ ପାଇଁ ।

 

ଯେଉଁ କ୍ୟାନ୍ସର ହସ୍‌ପିଟାଲ୍‌ରେ ପ୍ରଥମେ ଦେଖା ହୋଇଥିଲା କାଉଲ୍‌ ସହିତ, ସେଇଠି ମନୀଷା ବର୍ତ୍ତମାନ ଅଛନ୍ତି ସେବିକା–କାଉଲ୍‌ଙ୍କ ପ୍ରତୀକ୍ଷା ପାଇଁ ନିଜର ସାମାନ୍ୟ ପାଥେୟ ସଂଗ୍ରହ କରୁଛନ୍ତି । ସେବା କରୁଛନ୍ତି କ୍ୟାନ୍ସର୍ ରୋଗୀମାନଙ୍କର । ଛୋଟ ଗୋଟିଏ କୋଠରିରେ ରଖାହୋଇଛି କାଉଲ୍‌ଙ୍କର ଗୋଟିଏ ଏନ୍‌ଲାର୍ଜଡ୍ ଫଟୋ । ତା’ରି ତଳେ ମନୀଷା ଦିଅନ୍ତି ପ୍ରତ୍ୟହ ଫୁଲର ଅଞ୍ଜଳି । ଯେଉଁ ଘଟଣାସବୁ ଗତ ବରଷକ ଭିତରେ ଘଟିଯାଇଛି କାଉଲ୍‌ ସହିତ, ତାକୁଇ ମନ ଭିତରେ ଆଉଡ଼ାଇ ସାନ୍ନିଧ୍ୟ ପା’ନ୍ତି କାଉଲ୍‌ଙ୍କର । ଯେତିକି କଥାବାର୍ତ୍ତା ହୋଇଛି, ତା’ର ଲେଖା ରଖିଛନ୍ତି ବିସ୍ତୃତ ଭାବରେ । ତାକୁଇ ପଢ଼ନ୍ତ ଦୈନିକ ଗୀତା, ବାଇବେଲ୍‌ ପରି ।

 

ଜୀବନର ଗୋଟିଏ ମାତ୍ର ଉଦ୍ଦେଶ୍ୟ, ମୁହୂର୍ତ୍ତକ ପାଇଁ ହେଲେ ବି କାଉଲ୍‌ଙ୍କ ଦର୍ଶନ କରିବେ ।

 

ସ୍ଵାମୀ ନିଗମାନନ୍ଦ କୁଆଡ଼େ ତାଙ୍କର ମୃତା ସ୍ତ୍ରୀଙ୍କ ପାଇଁ ଯୋଗ ବଳରେ ଅସାଧ୍ୟ ସାଧନ କରିଥିଲେ । ସ୍ତ୍ରୀଙ୍କର ପୁନଃଦର୍ଶନ ହେଲା । କିନ୍ତୁ ଏ କ୍ଷେତ୍ରରେ କାଉଲ୍ ତ ଜୀବିତ । ସେ ଯୋଗସାଧନା ମଧ୍ୟ ସମ୍ଭବ ନୁହେଁ ମନୀଷାଙ୍କ ପକ୍ଷରେ ।

 

କାଉଲ୍ ଏତେ ମତେ ଚାହୁଁଥିଲ । ଏଇଟାଇ ମୋର ବଞ୍ଚିବା ପାଇଁ ଯଥେଷ୍ଟ । ତୁମ ସାଙ୍ଗରେ ଅବଶ୍ୟ ଦେଖାହେବ କାଉଲ୍ ! ଦିନେନା ଦିନେ ତୁମକୁ ମୁଁ ନିଜର କରିପାରିବି ।

 

ମନୀଷା ବର୍ତ୍ତମାନ ରୁଗ୍‌ଣା । ପଚାରିଲେ କହନ୍ତି, ‘କାଉଲ୍ ମୋର ନାରୀତ୍ୱକୁ ଚାହିଁ ନ ଥିଲେ । ଦେଖିଥିଲେ, ଚାହିଁଥିଲେ ମୋର ଏ ରୁଗ୍‌ଣ ଶରୀରକୁ । ମୁଁ ଏଇ ଅବସ୍ଥାରେ ରହିଲେ ତାଙ୍କରି ସ୍ପର୍ଶ ହୁଏତ ପାଇବି ।’’ ହଠାତ୍ ଦିନେ ମନୀଷା ନିଜକୁ ସଜାଇଲେ ବଧୂବେଶରେ । ଯାହା ଅର୍ଥ ଥିଲା, ସେଥ‌ିରେ କିଣିଲେ ଗହଣା । ପିନ୍ଧିଲେ କାଉଲ୍‌ଙ୍କ ଦତ୍ତ ସେହି ସବୁଜ ଶାଢ଼ି । ମୁଣ୍ଡରେ ଖୋସିଲେ ଫୁଲର ତୋଡ଼ା । ପାଦରେ ଦେଲେ ନୂପୁର । କପାଳରେ ରଙ୍ଗୀନ ଟୋପା । ମସ୍ତକରେ ଭରିଲେ ସିନ୍ଦୂର ଗାର ।

 

ନିମନ୍ତ୍ରଣ ଜଣାଇଲେ ବନ୍ଧୁମାନଙ୍କୁ । ବିଛଣାରେ ଶୋଇଥାନ୍ତି । ଦେହରେ ତାତି ପ୍ରଖର । ଶରୀର ଦୁର୍ବଳ । ଆସିଲେ ସାହାନାଇର ବାଦକ । ବଜାଇଲେ ସାହାନାଇର ସ୍ୱର ସାରା ରାତି । କାଉଲ୍‌ଙ୍କ ମସ୍ତକରେ ଚନ୍ଦନରେ ଆଙ୍କିଲେ ବିବାହର ମୁକୁଟ । ଗଳାରେ ଦେଲେ ଫୁଲର ହାର ! ବନ୍ଧୁମାନଙ୍କୁ କହିଲେ, ‘‘ଆଜି ମୋର ବିବାହର ଶୁଭଲଗ୍ନ । ଆପଣମାନେ ଉପଭୋଗ କରନ୍ତୁ ।’’

 

କାଉଲ୍ କହନ୍ତି’ ମନୀଷା, ଭାଗ୍ୟ ବୋଲି ଗୋଟାଏ ଜିନିଷ ବୋଧହୁଏ ଅଛି । ସେ ଅସାଧ୍ୟ ସାଧନ କରେ । ଅସମ୍ଭବକୁ କରେ ସମ୍ଭବ । କିନ୍ତୁ ମୋର ଏ କି ଭାଗ୍ୟ–ଯାହାକି ସମ୍ଭବକୁ ଅସମ୍ଭବ କଲା । ଆଶ୍ରିତକୁ କଲା ନିଃସହାୟ ।

 

ସେଦିନ ରାତ୍ରିର ଶେଷ ପ୍ରହରକୁ ମନୀଷା ପ୍ରାଣତ୍ୟାଗ କଲେ । ତାଙ୍କର ଡାଏରୀ ଭିତରେ ଖଣ୍ଡେ ଚିଠି କାଉଲ୍‌ଙ୍କ ପାଇଁ ।

 

ମୋ ପ୍ରାଣର କାଉଲ୍,

 

ଅପେକ୍ଷା କରି କରି ମୋର ଏ ଦେହଟା ଅବଶ ହୋଇଗଲା । ଆଉ ପାରୁନାହିଁ । ଭାରି ଇଚ୍ଛା ଥିଲା, ଗୋଟିଏ ମୁହୂର୍ତ୍ତ ପାଇଁ ହେଲେ ବି ତୁମକୁ ମୋର କୋଳରେ ଧରି ରଖିଥାନ୍ତି ନିବିଡ଼ ଭାବରେ । କିନ୍ତୁ ତୁମର ସେ ‘ଭାଗ୍ୟ’ଟା କରାଇ ଦେଲା ନାହିଁ । କିନ୍ତୁ କାହିଁକି ଏ ଦଣ୍ଡ ଦେଲ ? କାହିଁକି ନିଜେ ଭୋଗିଲ ଏ ନିର୍ବାସନ ? ତୁମେ ଏକାବେଳକେ ନିର୍ବୋଧ ।

 

କାଉଲ୍, ସତରେ ଖୁବ୍ ଇଚ୍ଛା ହେଉଛି ଆଜି ତୁମକୁ ଏ ଶେଷ ମୁହୂର୍ତ୍ତରେ ଦେଖନ୍ତି । ତୁମର ସେ ଘୁମନ୍ତ ଆଖି, ଉଦାସୀ ଓଠ, ସେ ମୁହଁକୁ ନିଜ ଛାତି ଭିତରେ ଚିପି ଧରନ୍ତି । ହେଉ ପଛେ କେବଳ ଗୋଟାଏ ମୁହୂର୍ତ୍ତ ପାଇଁ । ଏତେ ଠାକୁର ସବୁ ଅଛନ୍ତି, କେହି ଟିକିଏ ସାହାଯ୍ୟ କରିବେ ନାହିଁ ? ମୋର ଗୋଟାଏ ଶେଷ କଥା ଶୁଣ କାଉଲ୍ । ମୁଁ ବିଦାୟ ନେଉଛି । ବିଦାୟର ବେଳା ଆସନ୍ନ । ମୋ କଥା କିନ୍ତୁ ନିଶ୍ଚୟ ରଖିବ–ପ୍ରତିଶ୍ରୁତି ଦିଅ । ମୋର ମୃତ ଶରୀର ଦ୍ୱାହି । ଏ ଚିଠିକୁ ପଢ଼ିଲା ପରେ ସାଙ୍ଗେ ସାଙ୍ଗେ ଆସ ମୋ ପାଖକୁ । ସେଇ ଦୂର ଆକାଶର ଦିଗ୍‌ବଳୟରେ ପ୍ରତ୍ୟୁଷର ନାଲି ଆଲୁଅ ଯେଉଁଠି ଦିଶେ–ସେଇଠି । କେତେଥର ମୋତେ ଦେଖାଇ ଦେଇଛି । ତୁମେ ସେ ଜାଗା ଚିହ୍ନିଛ ? ମୁଁ ସେଇଠି ଅପେକ୍ଷା କରିଥିବି ତୁମରି ପାଇଁ ।

 

ଆଜି ପ୍ରତ୍ୟେକ ମୁହୂର୍ତ୍ତର ଘଟଣାସବୁ ମୋ ଆଖି ଆଗରେ ଦିଶୁଛି । ଯେଉଁଦିନ ତୁମେ ମୋତେ ପ୍ରଥମେ ଉଠାଇ ନେଇଥିଲ ସଡ଼କରୁ, ମନେଅଛି ? ଶୁଆଇ ପକାଇଥିଲ ତୁମରି କୋଳରେ । ଗାଡ଼ି ଭିତରେ ଖୁବ୍ ଯନ୍ତ୍ରଣା ହେଉଥିଲା ସତ, କିନ୍ତୁ ତୁମେ ଜାଣିପାରିବ ନାହିଁ, ସେ ସ୍ପର୍ଶ ମୋତେ କେତେ ଶାନ୍ତି ଦେଉଥିଲା ! ଉଠିବା ପାଇଁ ଚେଷ୍ଟା ବି କଲି ନାହିଁ । ମନେହେଉଥାଏ ମୁଁ ଯେପରି ମୋରି ମା’ କୋଳରେ ଶୋଇଛି । ନିଶ୍ଚିନ୍ତ ଲାଗୁଥାଏ । ସେଦିନ ମନରେ ବିଶ୍ଵାସ ଜାଗିଲା । ସତେ ଯେପରି ତୁମରି ପାଖରେ ମୁଁ ଆଜୀବନ ରହିବି, ତୁମରି କୋଳରେ । ମନେଅଛି, ଡିଉରିଜ୍‌ର ସେ ହୋଟେଲ୍‌ରେ ଯେବେ ତୁମ ଦେହ ଖରାପ ହୋଇଥିଲା ? ତୁମରି ପାଦତଳେ ଶୋଇଥିଲି । ତୁମରି ଗୋଡ଼କୁ ମୋ ମୁହଁରେ ଘୋଡ଼ାଇ କରି ରଖିଥାଏ । ତୁମେ ଶୋଇଥାଅ ! ଦିନ ପରେ ଦିନ, ରାତି ପରେ ରାତି ତୁମକୁ ଚାହିଁ ବସିଥାଏ । ଭାବେ, ଏଇ ତ ମୋର । ଆଉ ଯେତେବେଳେ ସମୁଦାୟଟା ମୋର ହୋଇଯିବ, ତୁମକୁ ସବୁ କହିଥାନ୍ତି, ପ୍ରତ୍ୟେକ ଘଟଣା, ପ୍ରତ୍ୟେକ ବିକ୍ଷିପ୍ତ ଚିନ୍ତା । ଏହି ସାମାନ୍ୟ ସୁଯୋଗ ଟିକକ ବି ଦେଲ ନାହିଁ ।

 

ଆଖି ଆଗରେ ନାଚିଯାଉଛି ଯେ ସଡ଼କର ଦୃଶ୍ୟ : ଧୀର, ଶାନ୍ତ, ବାଧ୍ୟ ଶିଶୁଟି ପରି ତୁମେ ଛିଡ଼ା ହୋଇଥାଅ, କିନ୍ତୁ କାହିଁକି ? କାହିଁକି ଦାବି କଲ ନାହିଁ ? କାହିଁକି ମୋର ବିନତି ଗ୍ରହଣ କଲ ନାହିଁ ? କେତେ ଜୋରଜବରଦସ୍ତି କରିଛନ୍ତି ଦେଶାଇ, ତାଙ୍କ ଭଉଣୀ, ଅଙ୍କଲ, ଆଣ୍ଟି, ସମସ୍ତେ-। କହିଲେ ବିବାହ ନ କର ପଛେ, ଏଇଠି ରହ । ଆମରି ଘରେ । କିନ୍ତୁ କାଉଲ୍, ମୋ ଆଖି ଆଗରେ ଖାଲି ଦିଶୁଥାଏ ତୁମର ସେ ଆର୍ଦ୍ର ଚକ୍ଷୁ, ନିରୀହ ତ୍ୟାଗୀର ଦୃଷ୍ଟି । ସେଦିନ ତୁମରି କୋଠରିରେ, ତୁମରି ବିଛଣାରେ ବସିଲି, କାନ୍ଥକୁ ଛୁଇଁଲି । ମନେହେଲା, ତୁମର ଦେହର ଗନ୍ଧକୁ ମୁଁ ଯେପରି ଉପଭୋଗ କରିପାରୁଛି । ସେଦିନ ଭୟ ହେଲା; ତୁମକୁ ଆଉ ବୋଧେ ପାଇବି ନାହିଁ-। ସେ ଭୟ ଆଜି ସତ ହେଲା ।

 

ତୁମକୁ ମୁଁ ଏତେ ଭଲପାଇଛି କାଉଲ୍, ଦୁନିଆରେ ଆଉ କେବେ କାହାଠୁଁ ତୁମେ ପାଇବ ନାହିଁ, କେହି ଆଉ ପାଇପାରିବେ ନାହିଁ । ଫେରିଆସ କାଉଲ୍; ଏବେ ବି ଆଶା ରଖିଛି । ତୁମେ ନିଶ୍ଚୟ ଆସିବ ।

 

କଷ୍ଟ ହେଉଛି, ଆଉ ହାତ ଚଳୁ ନାହିଁ ବେଶି ଲେଖିବା ପାଇଁ । କିନ୍ତୁ କ’ଣ ମନେହେଉଛି ଜାଣ–ଏ ଚିଠି ଲେଖୁଥ‌ିବା ପର୍ଯ୍ୟନ୍ତ ମୁଁ ବଞ୍ଚି ରହିଛି । ମୋ ପାଖରେ ତୁମେ ଉପସ୍ଥିତ ଅଛ । ଏପରିକି ତୁମର ସେ ନିଃଶ୍ଵାସ ମଧ୍ୟ ମୋ ମୁହଁ ଛୁଉଁଛି । ଯେଉଁ ମୁହୂର୍ତ୍ତରେ ଏ ଲେଖା ବନ୍ଦ ହୋଇଯିବ–ତମେ ପୁଣି ଚାଲିଯିବ ମୋ’ଠୁ ଦୂରକୁ ଅନେକ ଦୂରକୁ । ଯାହା ଏ ଜୀବନରେ ପାଇଲି ନାହିଁ, ମରଣ ପରେ ସେତକ ତୁମଠୁ ପାଇବାର ଆଶା ପ୍ରବଳ ହୋଇଉଠିଛି । ମୋର ଆଲିଙ୍ଗନ ନେବ କାଉଲ୍–ନିବିଡ଼, ଘନିଷ୍ଠ, ଏକାନ୍ତ ଆଲିଙ୍ଗନ ।

 

ଇତି

ତୁମର ବଧୂ ମନୀଷା ।

Image